Unknown

 

 

 

 

 

 

 

 

 

 

 

ବୈଠକ ମହଲ

ଶ୍ରୀ ଚନ୍ଦ୍ରଶେଖର ମିଶ୍ର

 

ଉତ୍ସର୍ଗ-ପତ୍ର

 

କୋଟିସନ୍ତାନପାଳିନୀ ଚାରୁବିଭବଶାଳିନୀ

ଉତ୍କଳଜନନୀଙ୍କର ଅଗଣିତ ପୁତ୍ର-

କନ୍ୟାଙ୍କ ହସ୍ତରେ ତାଙ୍କରି

ଦେଶର ଏହି ମହିମାମୟ

ଗୌରବୋଜ୍ଜ୍ୱଳ

କାହାଣୀମାନ

ଅର୍ପିତ ହେଲା ।

 

–ଲେଖକ

Image

 

ଉଦ୍‌ବୋଧନ

 

“ବାପା ପାଶେ ବସି ଶୁଣିବୁ

ଧନ ! ପାହିଲେ ରାତି,

ଦରିଆ ଡେଇଁଲେ କେସନେ

ସୁନା ଲାଗି ତୋ ଜାତି

ଭାସିଲା ବଣିଜ-ବୋଇତ

ନଦୀ ହ୍ରଦ ସାଗରେ

ଭେଦିଲେ ବିଦେଶେ ଭାଇଏ

ଲକ୍ଷ୍ମୀ ଆସିଲେ ଘରେ,

ଧନ ଲାଗି ଯିବୁ ତେସନ

ଦୂରେ, ନୋହିବୁ ଭୀତ,

ଦରିଆ ଢେଉରେ ନାଚିବ

ତୋର ଭରା ବୋଇତ ।”

Image

 

-ଉପକ୍ରମ-

 

ଯେଉଁ ସମୟର କଥା ଆଜି ଏଠାରେ ବର୍ଣ୍ଣିତ ହେବ, ସେତେବେଳେ ଉତ୍କଳ ଗୋଟିଏ ଅଖଣ୍ଡ ସ୍ୱାଧୀନ ରାଜ୍ୟ । ପ୍ରବଳ-ପ୍ରତାପୀ ଗଜପତି ନରସିଂହ ଗଙ୍ଗଦେବ ଗୋଦାବରୀଠାରୁ ଗଙ୍ଗା ଯାଏଁ ସମସ୍ତ ପୂର୍ବ ଦେଶ ନିଜ ଶାସନାଧୀନରେ ରଖିଥିଲେ । ସେ ଆଜିକି ପ୍ରାୟ ଆଠଶହ ବର୍ଷ ତଳର କଥା । ସ୍ୱାଧୀନ ଉତ୍କଳ ସ୍ୱର୍ଣ୍ଣ, ରୌପ୍ୟ ପ୍ରଭୃତି ଧନ-ଧାନ୍ୟରେ ପରିପୂର୍ଣ୍ଣ ଥିଲା । ଓଡ଼ିଆ ବୀର ଓ ବ୍ୟବସାୟୀମାନେ ଓଡ଼ିଆ ପୋତ ଧରି ସମୁଦ୍ର-ବାଣିଜ୍ୟ ବଳରେ ଉତ୍କଳ ପ୍ରଦେଶକୁ ଧନଶାଳୀ କରି ପାରିଥିଲେ । ପବିତ୍ର ଗଜପତି ରାଜାଙ୍କର ଅକାତର ଅର୍ଥବ୍ୟୟରେ ସୂକ୍ଷ୍ମ କଳା, ଶାସ୍ତ୍ର-ଚର୍ଚ୍ଚା ଓ ଧର୍ମ ଚର୍ଚ୍ଚା ବହୁତ ଉନ୍ନତି କରିଥିଲା । ସେତେବେଳେ ଭାରତର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଉତ୍କଳ ଯେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲା, ତାହା ଅଦ୍ୟାପି ପାଷାଣ ଗାତ୍ରରେ ଲିପିବଦ୍ଧ ଅଛି । ଆଜି ଉତ୍କଳର ସେ ମହନୀୟ ଅତୀତ, ସେ ସମ୍ପଦ, ସେ ଗୌରବର ଦିନ ମନେ ପଡ଼ିଲେ ଦେହରେ ରୋମୋଦ୍‌ଗମ ହୁଏ ।

 

ଗଜପତି ନରସିଂହ ଦେବଙ୍କ ରାଜତ୍ୱ ସମୟରେ ରଣବୀର ସିଂହ ପୁରୀ ସହରରେ ବସବାସ କରୁଥିଲେ । ସାଗର ତୀରରେ ତାଙ୍କର ସୁରମ୍ୟ ଅଟ୍ଟାଳିକା ଶ୍ରୀକ୍ଷେତ୍ରର ଜୟସ୍ତମ୍ଭ ପରି ବିରାଜିତ ଥିଲା । ରଣବୀର ପତ୍ନୀ, ପୁତ୍ର ଓ ବିସ୍ତର ଦାସ ଦାସୀ ଘେନି ସତେ ଯେପରି ସାଂସାରିକ ସୁଖ ଓ ବିଳାସ ବ୍ୟସନର ଜଳରେ ଭାସମାନ ହେଉଥିଲେ। ଶ୍ରୀଧାମରେ ଶ୍ରେଷ୍ଠ ଧନିକ ହୋଇ ଦୟାଳୁ ଗଜପତିଙ୍କ ଶୁଭଦୃଷ୍ଟି ଓ ଅନୁଗ୍ରହରେ ତାଙ୍କର ଦିନମାନ ପରମ ଶାନ୍ତିରେ ଅତିବାହିତ ହେଉଥିଲା । ସେ ତେଜସ୍ୱୀ କ୍ଷତ୍ରିୟ କୁଳର ଅଙ୍କୁର ଥିଲେ । ନିଜେ ଯେପରି ଧାର୍ମିକ, ନୀତିମାନ, ସଂଯମୀ ଓ ବିନୟୀ ଥିଲେ, ତାଙ୍କର ପତ୍ନୀ ମଧ୍ୟ ସେହିପରି ପତିବ୍ରତା, ଧାର୍ମିକା ଓ ନୀତିକୁଶଳା ଥିଲେ । ଦେବତା ବ୍ରାହ୍ମଣଙ୍କଠାରେ ତାଙ୍କର ଭକ୍ତି ଅଚଳା ଥିଲା ।

 

ସେଥିଲାଗି ସେ ପ୍ରତିବର୍ଷ ମନୋହର ବସନ୍ତ କାଳରେ ଦୋଳୋତ୍ସବ ସମୟରେ ପ୍ରଚୁର ଭୋଜନ ସାମଗ୍ରୀ ପ୍ରସ୍ତୁତ କରାଇ ପ୍ରତ୍ୟେକ ଶ୍ରେଣୀର ଲୋକମାନଙ୍କୁ ଖାଇବାକୁ ଦିଅନ୍ତି । ପକ୍ଷାନ୍ତରେ ଏହି ବିରାଟ ଦାନ ଓ ଭୋଜନର ବ୍ୟବସ୍ଥା ମଧ୍ୟ ତାଙ୍କରି ଅଟ୍ଟାଳିକା ଓ ଅକଳନ ସମ୍ପଦର ବାର୍ଷିକୋତ୍ସବ ଭଳି ହୋଇଥାଏ । ଏହି ସମୟରେ ରଣବୀର ଓ ତାଙ୍କର ସ୍ତ୍ରୀ ଉଭୟ ଆଚାଣ୍ଡାଳ ପ୍ରତ୍ୟେକ ନିମନ୍ତ୍ରିତ ଓ ଆଗନ୍ତୁକ ବ୍ୟକ୍ତିଙ୍କୁ ସ୍ୱର୍ଣ୍ଣବସନ ଦାନ କରି ପରିତୃପ୍ତ କରିଥାନ୍ତି । ଦୋଳୋତ୍ସବ ସମୟରେ ପାଞ୍ଚଦିନ ଧରି ଏହି ଅକାତର ଦାନ ଓ ଭୋଜନରେ ରାତି ଦିନ ଅଣ୍ଟେନାହିଁ । ବିଦେଶୀ ପଥିକ ରତ୍ନାଳଙ୍କାର ଓ ଭୋଜନ ସାମଗ୍ରୀ ଘେନି ସ୍ୱଦେଶକୁ ଫେରିଯାଏ । ଆଜି ଶ୍ରୀ ନୀଳାଚଳ ଦେବତାମାନଙ୍କ ବିଗ୍ରହରେ ଯେଉଁସବୁ ବହୁମୂଲ୍ୟ ରତ୍ନାଳଙ୍କାର ଦେଖାଯାଏ, ସେଥିରୁ କେତେକ ରଣବୀର ଭକ୍ତିପୂତ ଚିତ୍ତରେ ପ୍ରଭୁଙ୍କ ପଦରେ ସମର୍ପଣ କରିଥିଲେ । ଆଉ ଅଧିକ କ’ଣ କୁହାଯାଇପାରେ, ନିଜେ ଗଜପତି ରାଜା ଆଡ଼ମ୍ୱର ସହ ବର୍ଷରେ ଥରେ ତାଙ୍କର ସୌଧରେ ସମ୍ୱର୍ଦ୍ଧିତ ହେଉଥିଲେ ।

 

ଏହି ଦାନର ବିବରଣ ଶୁଣି ବଙ୍ଗ, ମଗଧ, ମିଥିଳା, କାଶୀ, କୋଶଳ, ପାଣ୍ଡ୍ୟ, ଚେର, ଚୋଳ-ପ୍ରଭୃତି ସୁଦୂର ଦେଶମାନଙ୍କର ଭଦ୍ରବ୍ୟକ୍ତି ଓ ପଣ୍ଡିତମାନେ ବହୁ ସଂଖ୍ୟାରେ ପୁରୀ ଧାମକୁ ଆସି ରଣବୀରଙ୍କଠାରୁ ଯଥୋଚିତ ପାରିତୋଷିକ ଲାଭ କରି ଫେରି ଯାଆନ୍ତି । ଏହିସବୁ ଦାନ ଭୋଜନ ଦେବା ସମୟରେ ରଣବୀର ଭକ୍ତି ଓ ବିନୟରେ ଏତେ ବିଗଳିତ ହୋଇ ପଡ଼ନ୍ତି ଯେ, ତାଙ୍କ ଚକ୍ଷୁରୁ ଅବିରତ ଲୋତକ ଧାର ଢଳିପଡେ । ତାଙ୍କ ବ୍ୟବହାରରେ ମୁଗ୍‌ଧ ହୋଇ ବିଦେଶାଗତ ପଣ୍ଡିତ ଓ ଭଦ୍ରବ୍ୟକ୍ତିମାନେ ଥରେ କହିଲେ, “ମହାଶୟ, ଆପଣଙ୍କର ଅଚଳାଚଳ ସମ୍ପତ୍ତି, ଦାନ ଓ ଭକ୍ତିର ବିବରଣ ଉତ୍କଳ ଦେଶ ଭେଦକରି ସୁଦୂର ବିଦେଶରେ ଲୋକମୁଖରେ ରାଷ୍ଟ୍ର ହେଉଅଛି । ଆପଣଙ୍କ ଲାଗି ଆଜି ଗଜପତିଙ୍କ ରାଜ୍ୟ ଧନ୍ୟ ହୋଇଅଛି । ପ୍ରଭୁ ନୀଳାଚଳନାଥ ଆପଣଙ୍କ ଶ୍ରୀ ଓ ସୌଭାଗ୍ୟର ଉତ୍ତରୋତ୍ତର ଉନ୍ନତି ବିଧାନ କରନ୍ତୁ ।”

 

ରଣବୀର କହିଲେ, “ମହୋଦୟଗଣ, ଆଜି ମୋର ଏହି ଯେ ସମ୍ପତ୍ତି ଦେଖୁଛନ୍ତି ସେ ସବୁର ମୁଁ ଅଧିକାରୀ ନୁହେଁ, କେବଳ ରକ୍ଷକ ମାତ୍ର । ସେହି ପ୍ରଭୁଙ୍କ କୃପା ବଳରୁ ମୋର ଆଜି ଏତେ ସମ୍ପତ୍ତି । ସେହି ଇଚ୍ଛା-ବିହାରୀଙ୍କ କରୁଣାର ବିଷୟ ଥିବାରୁ, ମୁଁ ଏହି ସବୁ ସମ୍ପତ୍ତିକୁ ସତ୍‌କାର୍ଯ୍ୟରେ ବିନିଯୋଗ କରି ଅପାର ଆନନ୍ଦ ଲାଭ କରିଥାଏଁ । ଏହି ସବୁ ସମ୍ପତ୍ତି ପ୍ରଭୁଙ୍କର । ତାଙ୍କରି ଉଦ୍ଦେଶ୍ୟରେ ତାଙ୍କରି କାର୍ଯ୍ୟରେ ତାଙ୍କରି ଅଭାବଗ୍ରସ୍ତ ସନ୍ତାନମାନଙ୍କ ମଧ୍ୟରେ ବଣ୍ଟନ କରି ପାରିଲେ, ଏହାର ସଦ୍‌ବ୍ୟୟ ହେଲା ବୋଲି ମୁଁ ବିଚାର କରେ । ଆଜି ମୋର ଯେଉଁସବୁ ସମ୍ପତ୍ତି ଆପଣମାନେ ଦେଖୁଛନ୍ତି, ତାହା ମୁଁ ଯେପରି ଭାବରେ ଅର୍ଜନ କରିଛି, ସେ ସବୁ ସ୍ମରଣ କଲେ ଅଦ୍ୟାପି ଭୟ ଓ ଆତଙ୍କରେ ମୋର ଦେହ ଥରିଯାଏ, ରୋମ ଟାଙ୍କୁରି ଉଠେ । ସେହି ସର୍ବଶକ୍ତିମାନ୍‌ ପ୍ରଭୁଙ୍କ ଅପାର ଅନୁଗ୍ରହ ଲାଭ କରି ନ ଥିଲେ, ଛାର ମନୁଷ୍ୟ ମୃତ୍ୟୁ ମୁଖରେ ପଡ଼ି ନାନା ବିପଦ ମଧ୍ୟରେ ଏତେ ସମ୍ପତ୍ତିର ଅଧିକାରୀ ହୋଇ ପାରି ନଥାନ୍ତା । ସେ ସ୍ମୃତି ଯେତିକି ଭୟାନକ ସେତିକି ଚିତ୍ତାକର୍ଷକ ।”

 

ରଣବୀରଙ୍କର ଏହି ଉକ୍ତି ଶୁଣି ସମବେତ ପଣ୍ଡିତ ଓ ଭଦ୍ରବ୍ୟକ୍ତିମାନେ ଚକିତ ହୋଇ ପଚାରିଲେ, “ମହାଶୟ, ଆପଣଙ୍କ ଏ କଥାର ଅର୍ଥ ଆମ୍ଭମାନଙ୍କର ବୋଧଗମ୍ୟ ହେଉନାହିଁ । ଏତେ ଏତେ ସମ୍ପତ୍ତିର ଅଧିକାରୀ ହୋଇ ଆପଣ ଯେ ନିର୍ବିକାର ଅଛନ୍ତି, ତାହା ବଡ଼ ଆଶ୍ଚର୍ଯ୍ୟ କଥା । ଆପଣ ଏ ସମ୍ପତ୍ତି କିପରି ଭାବରେ ଅର୍ଜନ କଲେ ଏବଂ କାହିଁକି ବା ସେ ସ୍ମୃତି ମନ ମଧ୍ୟରେ ଉଦିତ ହେଲେ ଆପଣଙ୍କର ରୋମୋଦ୍‌ଗମ ହେଉଅଛି ? ସେ ସ୍ମୃତି ଏତେ ଭୟାନକ କାହିଁକି ? ଯଦି ପ୍ରକାଶ କରିବାରେ କିଛି ଅନ୍ତରାୟ ନ ଥାଏ, ତେବେ ସେ କଥା କହିଲେ ଆମ୍ଭେମାନେ କୃତକୃତ୍ୟ ହେବୁଁ । ଆପଣଙ୍କ କଥାରୁ ଯେପରି ଜଣାଯାଏ; ଆପଣଙ୍କ ଧନାଗମର ଇତିହାସ ବୋଧହୁଏ ଯେପରି ବିଚିତ୍ର, ଯେପରି ଭୟାନକ, ସେହିପରି ପ୍ରୀତିପ୍ରଦ । ଦୟାକରି ଆପଣଙ୍କ ପୂର୍ବଚରିତ ପ୍ରକାଶ କରନ୍ତୁ ।”

 

ରଣବୀର କହିଲେ, “ଆପଣମାନଙ୍କ ଅନୁରୋଧ ରକ୍ଷା କରିବା ମୋର ସର୍ବଥା ଉଚିତ । ଆପଣମାନେ ବହୁଦୂର ଦେଶମାନଙ୍କରୁ ଶୁଭାଗମନ କରି ଅଛନ୍ତି । ମୋର ଧନ ସମ୍ପଦର ପୂର୍ବ ସମାଚାର ଆପଣମାନଙ୍କୁ ଜଣା ନାହିଁ । ଆପଣମାନେ ଯେବେ ମୋ କଥାରେ ଏତେ କୁତୁହଳୀ ହୋଇଅଛନ୍ତି, ତାହାହେଲେ ମୁଁ ସମସ୍ତ ପୂର୍ବ କଥା ପୁଙ୍ଖାନୁପୁଙ୍ଖରୂପେ ପ୍ରକାଶ କରିବି । ସେ ସବୁ ଚରିତ ସମ୍ପୂର୍ଣ୍ଣ ଶୁଣିଲେ ବହୁଦିନ ଲାଗିବ । ଆପଣମାନେ ଯଦି ମୋ ଗୃହରେ କିଛି ଦିନ ରହି ମୋତେ ଅନୁଗୃହୀତ କରାଇବେ, ତାହାହେଲେ ମୁଁ ପ୍ରତିଦିନ ଗୋଟି ଗୋଟି କରି ମୋର ସମସ୍ତ ପୂର୍ବ ଘଟଣା ଶୁଣାଇବି ।”

 

ପଣ୍ଡିତ ଓ ଭଦ୍ରବ୍ୟକ୍ତିମାନେ କହିଲେ, “ଆମ୍ଭେମାନେ ଆପଣଙ୍କ ବ୍ୟବହାରରେ ବିଶେଷ ମୁଗ୍‌ଧ ହୋଇଅଛୁଁ । ଆପଣଙ୍କ ଚରିତ ଶୁଣିବା ଲାଗି ଯେତେଦିନ ଲାଗିବ, ସେତେଦିନ ଏଠାରେ ରହିବାକୁ ଆଦୌ କୁଣ୍ଠିତ ହେବୁଁ ନାହିଁ ।”

 

ରଣବୀର କହିଲେ, “ତାହା ହେଲେ ମୁଁ ଅନୁଗୃହୀତ ହେଲି । ବର୍ତ୍ତମାନ ସୂର୍ଯ୍ୟ ଅସ୍ତ ହେଲେଣି । ଆପଣମାନେ ନିଜ ନିଜର ସାନ୍ଧ୍ୟ କାର୍ଯ୍ୟ ଓ ପୂଜାର୍ଚ୍ଚନାଦି ଶେଷ କରି ଆସନ୍ତୁ । ରାତି ହେଲେ ବୈଠକ ମହଲରେ ମୁଁ ଆପଣମାନଙ୍କୁ ମୋର କଥା ଶୁଣାଇବି ।” ଏହା ଶୁଣି ପ୍ରତ୍ୟେକେ ଚଞ୍ଚଳ ଓ ଉଦ୍‌ବେଳିତ ହୃଦୟରେ ନିଜ ନିଜ କାର୍ଯ୍ୟରେ ନିଯୁକ୍ତ ହେଲେ ।

 

ଯଥାସମୟରେ ବିଚିତ୍ର, କାରୁକାର୍ଯ୍ୟବିମଣ୍ଡିତ, ବିଭିନ୍ନ ରତ୍ନାଳଙ୍କାର ଭୂଷିତ ବୈଠକମହଲ ନାନାବର୍ଣ୍ଣର ଆଲୋକମାଳାରେ ଝଲମଲ ହୋଇ ଉଠିଲା । ଦାସମାନେ ଆଦେଶ ଅପେକ୍ଷାରେ ଚତୁର୍ଦ୍ଦିଗରେ ଘେରି ରହିଲେ । ପଣ୍ଡିତ ଭଦ୍ରବ୍ୟକ୍ତିମାନେ ବହୁମୂଲ୍ୟ ଆସନରେ ଉପବିଷ୍ଟ ହେଲେ । ରଣବୀର ଭକ୍ତି ନମ୍ର ଚିତ୍ତରେ ଗୋଟିଏ ସାମାନ୍ୟ ଆସନରେ ଅଲଗା ହୋଇ ବସିଲେ । ବାହାରେ ନିର୍ମଳ ଚନ୍ଦ୍ର କିରଣ ଚତୁର୍ଦ୍ଦିଗ ପରିପ୍ଳାବିତ କରୁଥାଏ । ସମୁଦ୍ର ବାୟୁ ଧୀରେ ଧୀରେ ବହି ସମବେତ ବ୍ୟକ୍ତିମାନଙ୍କ ମନକୁ ଉଲ୍ଲସିତ କରୁଥାଏ । ସେମାନେ ଏତେ ଉଦ୍‌ବିଗ୍ନ ହୋଇଥିଲେ ଯେ, ପ୍ରତ୍ୟେକ ଅପଲକ ନୟନରେ ନୀରବ ହୋଇ ଧନିକଙ୍କ ମୁଖକୁ ଅନାଇ ରହିଲେ-

 

ରଣବୀର ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ଗଳ୍ପ ଆରମ୍ଭ କଲେ ।

Image

 

କଥାମୁଖ

 

ମୋହର ପିତା ଗଜପତି ମହାରାଜାଙ୍କର ସୈନ୍ୟ ଶ୍ରେଣୀରେ ଗୋଟିଏ ସାମାନ୍ୟ ସୈନିକର କାର୍ଯ୍ୟ କରୁଥିଲେ । ଅବିରତ ଯୁଦ୍ଧ ବିଗ୍ରହ ଯୋଗୁଁ ସେ ପ୍ରାୟ ଅଧିକାଂଶ ସମୟ ଘରେ ରହନ୍ତି ନାହିଁ । ତାଙ୍କର ମାସିକ ବେତନ ପୁରୀ ରାଜକୋଷରୁ ପାଇ ଆମ୍ଭେମାନେ ସୁଖେ ଦୁଃଖେ ଦିନାତିପାତ କରୁଁ । ଘରେ ମୁଁ, ମାଆ ଓ ମୋର ଜେଜେ ମାଆ–ଏହି ତିନିଜଣ ରହିଥାଉ । ମୁ ପିତାମାତାଙ୍କର ଗୋଟିଏ ମାତ୍ର ପୁଅ । ସେଥିଲାଗି ପିତାମାତା ମୋ ଉପରେ ସଂସାରର ସମସ୍ତ ସ୍ନେହ ଢାଳି ଦେଇଥିଲେ ।

 

ପିତାମାତାଙ୍କର ଅତି ସ୍ନେହ ଯୋଗେ ପିଲାମାନେ ବିପଥଗାମୀ ହୋଇଯାଆନ୍ତି । ମୁଁ ପିଲାଦିନୁଁ ଏତେ ସ୍ୱାଧୀନ, ଏତେ ସ୍ୱେଚ୍ଛାଚାରୀ ଓ ବିଳାସୀ ହୋଇ ପଡ଼ିଲି ଯେ, ମାତା ଓ ଜେଜେମାଆ ବହୁ ଚେଷ୍ଟା କରି ସୁଦ୍ଧା ମୋତେ ପାଠଶାଳାକୁ ପଠାଇ ପାରୁ ନଥିଲେ । ପିତା ବର୍ଷର ଅଧିକାଂଶ ସମୟ ବିଦେଶରେ ରହୁଥିବାରୁ ମୋର ଆଦୌ ତତ୍ତ୍ୱ ନେଇ ପାରୁ ନ ଥିଲେ । ସୁତରାଂ ମୁଁ ସେହି ସବୁ ସୁବିଧା ପାଇ, ସଙ୍ଗୀ ପିଲାଙ୍କ ମେଳରେ ପଡ଼ି ଦିନକୁଦିନ ବିପଥଗାମୀ ଓ ସୌଖୀନବିହାରୀ ହୋଇ ପଡ଼ିଲି । ମୁଁ ଏତେ ଅବାଧ୍ୟ ଓ ଏତେ ଉତ୍ସୃଙ୍ଖଳ ହୋଇ ପଡ଼ିଲି ଯେ, ପିତାମାତା ମୋର ଭବିଷ୍ୟତ ଜୀବନ ସମ୍ୱନ୍ଧରେ ବଡ଼ ନୈରାଶ୍ୟ ପ୍ରକାଶ କରୁଥିଲେ । ମୁଁ ସେତେବେଳେ ଯେପରି ଅବାଧ୍ୟ ଥିଲି, ସେପରି ବିଳାସରେ ବୁଡ଼ି ରହିଥିଲି । ମୋଠାରେ ସମସ୍ତ ଉପଦେଶ ବ୍ୟର୍ଥ ହେଉଥିଲା ।

 

କ୍ରମେ କ୍ରମେ ବୟସ ବୃଦ୍ଧି ହେବାରୁ, ପିତାମାତା ମୋତେ ବିବାହ କରାଇ ଦେଲେ । ବିବାହ ସଙ୍ଗେ ସଙ୍ଗେ ମୋ ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲା । ମୁଁ ଯେତେ ଅଳସୁଆ ଓ ଯେତେ ବିଳାସୀ ଥିଲି, ବିବାହ ହେବାରୁ ଆହୁରି ବେଶୀ ଅଳସୁଆ ଓ ବିଳାସୀ ହୋଇ ପଡ଼ିଲି । ଧୀରେ ଧୀରେ ପରିବାର ବଢ଼ିବାକୁ ଲାଗିଲା, ମାତ୍ର ଆୟର ପରିମାଣ ବଢ଼ିଲା ନାହିଁ । ପିତାଙ୍କ ସ୍ୱଳ୍ପ ବେତନରେ ମାତା ମୋର ନିତାନ୍ତ କଷ୍ଟରେ ସଂସାରଯାତ୍ରା ନିର୍ବାହ କରୁଥିଲେ ।

ଏହିପରି କେତେକ ଦିନ ଚାଲିଗଲା । ହଠାତ୍‌ ଦିନେ ଖବର ଆସିଲା, ପିତା ମୋର ସୁଦୂର ଦକ୍ଷିଣ ଯୁଦ୍ଧରେ ପ୍ରାଣ ହରାଇ ଅଛନ୍ତି । ଏହି ସମ୍ୱାଦ ପାଇ ମୋର ମାତା ଓ ଜେଜେମାଆ ଅତି ଶୋକାକୁଳା ହେଲେ । ଜେଜେମାଆ ପୁତ୍ର ଶୋକ ସମ୍ଭାଳି ନ ପାରି ପ୍ରାଣ ହରାଇଲେ । ଦୁଃଖ ପରେ ଦୁଃଖ ମାଡ଼ି ଆସିଲା । ମାତା କେବଳ ମୋତେ ଦେଖି ଜୀବନ ଧାରଣ କଲେ । ମାତ୍ର ମୁଁ ମାତୃସ୍ନେହର ଯୋଗ୍ୟ ପାତ୍ର ନ ଥିଲି । ମୁଁ ଏତେ ଅଜ୍ଞ ଓ ଏତେ ମନ୍ଦମତି ଥିଲି ଯେ, ପିତାଙ୍କ ମୃତ୍ୟୁରେ ଆମ ସାଂସାରିକ ଅବସ୍ଥାର କି ପରିବର୍ତ୍ତନ ହେଲା ତାହା ବୁଝିବାକୁ ମୋର କ୍ଷମତା ନ ଥିଲା । ମାସ ଶେଷରେ ଆଉ ପିତାଙ୍କର ବେତନ ଆସିଲା ନାହିଁ, ପିତାଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ପରିବାରର ସମସ୍ତ ସୁଖ, ଆଶା, ଭରସା ଓ ମୋର ବିଳାସବ୍ୟସନ ଏକାବେଳେ ଉଭାଇ ଗଲା । କହିବା ବାହୁଲ୍ୟ, ଏହିଠାରେ ମୋ ଜୀବନର ଆଉ ଗୋଟିଏ ଅଧ୍ୟାୟ ଆରମ୍ଭ ହେଲା ।

ମୁଁ ଯେ କୌଣସି କାର୍ଯ୍ୟ ଲାଗି ଅନୁପଯୁକ୍ତ, ତାହା ଆଗରୁ କହିଅଛି । ଘରୁ ବାହାରି ଅର୍ଥାଗମର ପନ୍ଥା ବାହାର କରିବା ମୋତେ ଯେତିକି କଷ୍ଟକର ସେତିକି ଲଜ୍ଜାଜନକ ବୋଧ ହେଉଥିଲା, ମାତ୍ର ଘରେ ବସି ରହିଲେ ଲକ୍ଷ୍ମୀ ଦେବୀ ବରଦା ହୁଅନ୍ତି ନାହିଁ । ମାଆ ମୋର କୁଳୀନ ଘରର କନ୍ୟା; ସେ ବା କଅଣ କରି ପାରିବେ ? ମୋର ଦୁଇଟି ପିଲା ଅନାହାରରେ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯିବାର ଦେଖି ,ଶ୍ୱଶୁର ମୋର ସେମାନଙ୍କୁ ନିଜ ଘରକୁ ଘେନିଗଲେ; ପତ୍ନୀ ମଧ୍ୟ ପିତ୍ରାଳୟକୁ ଚାଲିଗଲା । ତଥାପି ମୁଁ ଅଭାଗା ମୋର ମାଆଙ୍କୁ, ଓ ମୋର ନିଜ ପେଟ ପୋଷିବାକୁ ଅକ୍ଷମ ହେଲି-। ଏପରି ଅବସ୍ଥାରେ କେତେ ଦିନ ଚଳିପାରେ ? ଘରର ସମସ୍ତ ଉପକରଣ, ଜମିବାଡି ବିକ୍ରୀ ହେଲା ପରେ ସୁଦ୍ଧା ଏ ଜଠରଜ୍ୱାଳା ଶାନ୍ତ ହେଲା ନାହିଁ । ସୁଖ ଦିନରେ ଯେଉଁ ବନ୍ଧୁମାନେ ମୋର ଚିର ସହଚର ଥିଲେ, ସେମାନେ ଆଉ ଦେଖା ଦେଲେ ନାହିଁ । ମୋର ସୁଖର ଶେଷଦିନ ଉପସ୍ଥିତ ହେଲା ।

ମାତ୍ର ମୁଁ ଏତେ ଅପଦାର୍ଥ ଥିବା ସତ୍ତ୍ୱେ ଆଜି ଅଚଳାଚଳ ସମ୍ପତ୍ତିର ଅଧିକାରୀ । ଏତେ ସମ୍ପତ୍ତି କେଉଁଠାରୁ ପାଇଲି ? ଧନଲାଭ ମନୁଷ୍ୟର ଭାଗ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ସେଥିଲାଗି ସେତେ ଶିକ୍ଷା ଲୋଡ଼ା ନାହିଁ । ଯେତେବେଳେ ଭାଗ୍ୟ ଦେବତାଙ୍କର ଶୁଭ ଦୃଷ୍ଟିପାତ ହୁଏ, ସେତେବେଳେ ଧନ ଯେ କିପରି ଭାବରେ ଆସେ, ତାହା କେହି କହି ପାରିବ ନାହିଁ । ଭାଗ୍ୟ ଅନୁକୂଳ ନ ଥିଲେ, ମନୁଷ୍ୟ ଶତ ଚେଷ୍ଟାରେ ସୁଦ୍ଧା କିଛି କରିପାରେ ନାହିଁ । ଏକଥା ଆଗରୁ ଦେଖିଥିଲି ଓ ଶୁଣିଥିଲି ସତ୍ୟ, ତଥାପି ମୁଁ ମୋହରି ଜୀବନରେ ପଦେ ପଦେ ଅନୁଭବ କଲି । ବାଣିଜ୍ୟ ବଳରେ ସାମାନ୍ୟ ଅଧମ ଓ ଅଜ୍ଞ ବ୍ୟକ୍ତିମାନେ ସମୟେ ସମୟେ ଯେତେ ଅର୍ଥ ଅର୍ଜ୍ଜନ କରିଥାନ୍ତି, ତାହା ଶିକ୍ଷିତ ବୁଦ୍ଧିମାନ ବ୍ୟକ୍ତିମାନେ କରି ପାରନ୍ତି ନାହିଁ । ମୋର ଧନଲାଭ କେବଳ ସେହି ଭାଗ୍ୟବଳରୁ ହୋଇଅଛି । ମନୁଷ୍ୟ ନିତାନ୍ତ ଅଧମ, ନୀଚ ଓ ଘୃଣ୍ୟ ହୋଇଥାଏ; ମାତ୍ର ହଠାତ୍‌ ଯେତେବେଳେ ଶୁଭଗ୍ରହ ଉପସ୍ଥିତ ହୁଏ, ସେତେବେଳେ ତା’ର ସମସ୍ତ ଇନ୍ଦ୍ରିୟ ସତେଜ ହୋଇ ଉଠନ୍ତି । ପୂର୍ବର ସେହି ମନୁଷ୍ୟ ଜୀବନରେ ଯେ ଅସମ୍ଭବ ପରିବର୍ତ୍ତନ ହୁଏ, ତାହା ଦେଖିଲେ ବିଶ୍ୱାସ କରି ହୁଏନାହିଁ । ସେଥିଲାଗି ମୋ ବିଚାରରେ, କୌଣସି ମନୁଷ୍ୟକୁ କୌଣସି ସମୟରେ ବା କୌଣସି ଅବସ୍ଥାରେ ଘୃଣା କରିବା ଉଚିତ ନୁହେଁ ।

ଆମ୍ଭମାନଙ୍କର ଅବସ୍ଥା ଯେତେବେଳେ ନିତାନ୍ତ ଶୋଚନୀୟ ହୋଇ ପଡ଼ିଲା, ସେତେବେଳେ ମୋତେ ଆଉ ଜୀବିକା ନିର୍ବାହର ବାଟ ଦିଶିଲାନାହିଁ । ମୁଁ ପିଲାଦିନୁଁ ଅତ୍ୟନ୍ତ ସ୍ନେହ ଓ ବିଳାସରେ ବଢ଼ି ଆସିଥିବାରୁ, ମୋର ମନ ଏପରି ଗଢ଼ି ହୋଇ ଯାଇଥିଲା ଯେ, ମୁଁ ମାଆଙ୍କର ସହସ୍ର ତିରସ୍କାର ଓ ପଡ଼ୋଶୀମାନଙ୍କର ତାତ୍ସଲ୍ୟପୂର୍ଣ୍ଣ ବ୍ୟବହାର ଆଦୌ ସହି ପାରିଲି ନାହିଁ । ମୁଁ ମନେ କଲି, ଏପରି ଭାବରେ ବଞ୍ଚି ରହିବା ଅପେକ୍ଷା ମରିଯିବା ଶତଗୁଣେ ଶ୍ରେୟସ୍କର । ଜୀବନରେ କଷ୍ଟ ଓ ବିପଦ ନ ଭୋଗିଲେ ମନୁଷ୍ୟ ପ୍ରଭୁଙ୍କୁ ଡାକେନାହିଁ । ଆଜି ମୁଁ ବାଧ୍ୟ ହୋଇ ବଡ଼ ଦେଉଳକୁ ଯାଇ ପ୍ରଭୁଙ୍କ ଶରଣାପନ୍ନ ହେଲି ଏବଂ ମୋର ଦୁଃଖ ହରଣ କରିବା ଲାଗି ମନେ ମନେ ବହୁତ ନିବେଦନ କଲି ।

ସେଦିନ ବହୁତ ରାତିରେ ଘରକୁ ଫେରିବାରୁ ମାଆ ମତେ ଗାଳିଦେଇ କହିଲେ, “ସମୁଦ୍ରରେ ବୁଡ଼ି ମରିଯାଉନାହୁଁ ? ଏପରି ପୁଅର ମୁହଁ ଚାହିଁବାର ନୁହେଁ । ମୁଁ ଏ ତୀବ୍ର ଭର୍ତ୍ସନାରେ ଏତେ ମର୍ମାହତ ହେଲି ଯେ, ସେଦିନ ଆଉ ଖାଇଲି ନାହିଁ । ସେହିଦିନ ସ୍ଥିର କଲି, ଧନାର୍ଜନ ଲାଗି ନିଶ୍ଚୟ ବିଦେଶ ଯିବି; ସୁତରାଂ ସେହି ମୁହୂର୍ତ୍ତରୁ ମୁଁ ବାତୁଳ ପ୍ରାୟ ହେଲି । ଅତି ପ୍ରଭାତରୁ ଉଠି ମାଆଙ୍କୁ କହିଲି, “ମାଆ, ଏଥର ଯଦି ଘରକୁ ଧନ ନ ଆଣେ, ତାହା ହେଲେ ସମୁଦ୍ରରେ ବୁଡ଼ି ମରିଯିବି । ଏହି ମୁହୂର୍ତ୍ତରେ ମୁଁ ବାହାରିଲି । ଘରକୁ ଫେରିଲେ ଧନ ନେଇ ଫେରିବି, ନଚେତ୍‌ ସମୁଦ୍ର ଜଳରେ ଏ ଦେହ ମିଶିଯିବ । ମୁ ଫେରିବା ଯାଏ ଅପେକ୍ଷା କରିଥିବ ।” ଏହା କହି ମାଆଙ୍କର କୌଣସି କଥା ଶୁଣିବାକୁ ଅପେକ୍ଷା ନ କରି ତତ୍‌କ୍ଷଣାତ୍‌ ତାଙ୍କ ପାଦରେ ଗୋଟିଏ ନମସ୍କାର କରି ଘରୁ ପଳାଇ ଆସିଲି ଏବଂ ବିଜୁଳି ବେଗରେ ରାଜପଥରେ ମିଶିଗଲି । ମାଆ ମୋର ବିହ୍ୱଳ ହୋଇ କାନ୍ଦି କାନ୍ଦି ମୋ ପଛେ ପଛେ ଦ୍ୱାରଦେଶ ପର୍ଯ୍ୟନ୍ତ ଦୌଡ଼ି ଆସିଥିଲେ ।

Image

 

ପ୍ରଥମ-ଯାତ୍ରା

 

ମୁଁ ଧନଲାଗି ଘରୁ ପଳାଇ ଆସି ଅନେକ ସମୟ ପର୍ଯ୍ୟନ୍ତ ସହର ମଧ୍ୟରେ ଇତସ୍ତତଃ ଦୌଡ଼ାଦୌଡ଼ି କଲି । ମୋତେ ସେତେବେଳେ ଯେଉଁମାନେ ଲକ୍ଷ୍ୟ କରିଥିବେ, ସେମାନେ ମୋତେ ପାଗଳ ବୋଲି ମନେ କରିଥିବେ । ସେତେବେଳକୁ ବହୁତ ଦିନ ହୋଇଗଲାଣି । ନଗରବାସୀମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ହୋଇ ପଡ଼ିଥିଲେ । ମୋତେ ସାନ୍ତ୍ୱନା ଦେବାକୁ ବା ମୋ ସହିତ କଥାବାର୍ତ୍ତା କରିବାକୁ କାହାରି ସମୟ ନ ଥିଲା । ମୁଁ ବଡ଼ ବଡ଼ ଛକ ଜାଗାମାନଙ୍କରେ ଓ ବଡ଼ ବଡ଼ ଦୋକାନ ନିକଟରେ କାହିଁକି ଯେ ଅନେକ ସମୟ ଛିଡ଼ା ହେଉଥିଲି ତାହା ମୋତେ ଜଣା ନ ଥିଲା । ତେବେ ଏତିକି କହିପାରେଁ, ମୋ ମୁଣ୍ଡରେ ଓ ମୋର ପ୍ରତି ଶିରାପ୍ରଶିରାରେ ସତେ ଯେପରି ଗୋଟାଏ ବିରକ୍ତିର ଅଗ୍ନି ଧୁ ଧୁ କରି ଜଳି ଉଠୁଥିଲା । ମୁଁ କ୍ଷିପ୍ତ ପ୍ରାୟ ହୋଇ ବଡ଼ ଦେଉଳରେ ପ୍ରବେଶ କଲି । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଅନେକବାର ଦେଖିଥିଲି, ମାତ୍ର ଆଜି ଯାହା ଦେଖିଲି, ତାହା ଜୀବନରେ କଦାପି ଭୁଲି ପାରିବି ନାହିଁ । ସେହି କମନୀୟ ରୂପ, ସେହି ପ୍ରଶାନ୍ତ ଓ ସୌମ୍ୟ ମୁଖମଣ୍ଡଳ ସତେ ଯେପରି ସ୍ନେହ ଓ ଦୟାରେ ବିଗଳିତ ହୋଇ ଯାଉଥିଲା । ମୁଁ ଅନେକକ୍ଷଣ ପ୍ରଭୁଙ୍କୁ ଅନାଇ ଅନାଇ ଶେଷରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲି ।

 

ତାହା ପରେ ବାହାରକୁ ଆସି କେଉଁଆଡ଼େ ଯିବି, କିଛି ସ୍ଥିର କରି ପାରିଲି ନାହିଁ । ବାୟୁ-ସ୍ରୋତରେ ଶୁଷ୍କପତ୍ର ଯେପରି ଏଣେ ତେଣେ ଉଡ଼ି ଉଡ଼ି ଯାଏ, ମୁଁ ମଧ୍ୟ ସେହିପରି ଉନ୍ମାଦନା ବଳରେ ଚତୁର୍ଦ୍ଦିଗରେ ଧାଇଁ ଧାଇଁ ବୁଲୁଥିଲି । ପ୍ରବଳ ଜନତା ସ୍ରୋତରେ ଥକା ହୋଇ ଠିଆ ହେବା ଏକପ୍ରକାର ଅସମ୍ଭବ ଘଟଣା । ମୁଁ ବା କିପରି ଛିଡ଼ା ହୋଇ ରହି ପାରନ୍ତି ? ସୁତରାଂ ସାଧାରଣ ମନୁଷ୍ୟସ୍ରୋତ ଯେଉଁଆଡ଼େ ଧାବିତ ହେଉଥିଲା, ମୁଁ ମଧ୍ୟ ନିରୁଦ୍ଦିଷ୍ଟ ଭାବରେ ସେହି ଦିଗରେ ଗତି କଲି । ସହରର ନାନା ଗଳି, ସଂକୀର୍ଣ୍ଣ ଓ ବକ୍ର ପଥ ଦେଇ ମୁଁ ଯେତେବେଳେ ସ୍ୱର୍ଗଦ୍ୱାରଠାରେ ସମୁଦ୍ର କୂଳରେ ପହଞ୍ଚିଲି, ସେତେବେଳେ ମୋ ଛାତି ଭିତରେ ସତେ ଯେପରି କ’ଣ ଗୋଟାଏ ଉଠୁଥାଏ, ପଡ଼ୁଥାଏ । ମୁଁ ସମୁଦ୍ର ବାଲିରେ ବସି ମନେ ମନେ ସ୍ଥିର କଲି, ମୋ ଭଳି ଅଯୋଗ୍ୟ ଭାଗ୍ୟରେ ଧନଲାଭର ଆଶା ବିଡ଼ମ୍ୱନା ମାତ୍ର । ସମୁଦ୍ରରେ ବୁଡ଼ି ମରିବା ମୋ ପକ୍ଷରେ ସହସ୍ର ଗୁଣେ ଶ୍ରେୟସ୍କର ।

 

ଏହିପରି ଏକାକୀ ବସି ମନ ମଧ୍ୟରେ ନାନା କଥା ଭାବୁଅଛି, ହଠାତ୍‌ ଶୁଣିଲି ‘ସୁଭଦ୍ରା’ ନାମକ ଜାହାଜ ବାଣିଜ୍ୟ ସମ୍ଭାର ନେଇ ଦେଶାନ୍ତରକୁ ଯାଉଅଛି । ତହିଁ ଆରଦିନ ପ୍ରତ୍ୟୁଷରେ ଶୁଭ ମୁହୂର୍ତ୍ତରେ ‘ସୁଭଦ୍ରା’ ପାଲ ତୋଳି ନୀଳ ସମୁଦ୍ର ବକ୍ଷରେ ଭାସମାନ ହେବ । ମୋର ମନେ ହେଲା, କୌଣସି କ୍ରମେ ଅଧ୍ୟକ୍ଷଙ୍କ ଅନୁଗ୍ରହ ଲାଭ କରି ପାରିଲେ ଜାହାଜରେ ଯାଇ ଦେଶାନ୍ତର ଦେଖି ଆସନ୍ତି । ହଠାତ୍‌ ମନ ମଧ୍ୟରେ ଏହିପରି ଗୋଟିଏ କ୍ଷୀଣ ଇଚ୍ଛା ଉଦିତ ହେବାରୁ ମୁଁ କାଳବିଳମ୍ୱ ନ କରି ବନ୍ଦର ନିକଟରେ ଉପସ୍ଥିତ ହେଲି । ଦେଖିଲି, ପ୍ରଚୁର ପରିମାଣରେ ନଡ଼ିଆ, ଗୁଆ, ପୁଲାଙ୍ଗ, କଂସା ଓ ରଙ୍ଗୀନ ପଥରର ବାସନ, ସୁନା ଓ ରୂପାର ତାରକସୀ ଜିନିଷ, ହାତୀଦାନ୍ତ ଓ ଗଜମୁକ୍ତାରେ ତିଆରି ନାନାବିଧ ପଣ୍ୟଦ୍ରବ୍ୟ ଜହାଜରେ ଲଦା ହେଉଅଛି । ଲୋକ ଯାତାୟାତରେ ସ୍ଥିର ହୋଇ ରହିବା ଅତି କଷ୍ଟକର । ଏହି ଜନଗହଳିରେ ମୁଁ ଯେଉଁ ବ୍ୟଗ୍ରଭାବ, ଯେଉଁ ଉତ୍ସାହ ଦେଖିବାକୁ ପାଇଲି, ସେଥିରେ ମୋ ମନରେ ଭାବାନ୍ତର ଜାତ ହେଲା । ବାସ୍ତବିକ ପରିଶ୍ରମୀର ଯେ ଆନନ୍ଦ ଓ ଯେଉଁ ଉତ୍ସାହ, ତାହା ଅଳସୁଆ ଲୋକ ଭାଗ୍ୟରେ ଆଦୌ ନାହିଁ ।

 

ଚତୁର୍ଦ୍ଦିଗରୁ ଲୋକମାନେ ନିଜ ନିଜର ପଣ୍ୟଦ୍ରବ୍ୟ ଘେନି ବନ୍ଦର ନିକଟରେ ଉପସ୍ଥିତ ହେଉଥିଲେ । ଭିଡ଼ରେ ଯାତାୟତ କରିବା ବଡ଼ କଷ୍ଟକର ହେଉଥାଏ । ମୋ ଭଳି ଅକର୍ମଣ୍ୟ ଲୋକର ଏ ଭିଡ଼ରେ କିଛି କାର୍ଯ୍ୟ ନାହିଁ । ମୁଁ ଦେଖିଲି, ଜାହାଜର ଅଧ୍ୟକ୍ଷ ଜାହାଜ ବୋଝେଇ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସୁତରାଂ ମୁଁ ଭିତରୁ ଅଲଗା ହୋଇ ଗୋଟିଏ ଉଚ୍ଚ ବାଲୁକା ସ୍ତୂପ ନିକଟରେ ଏକୁଟିଆ ହୋଇ ବସି ରହିଲି । ବସି ବସି ନାନା କଥା ଭାବୁଛି, ସମୁଦ୍ର ଆଡ଼କୁ ଚାହୁଁଛି, ଏପରି ସମୟରେ ଦେଖିଲି, ଜଣେ ବ୍ୟକ୍ତି ଉଦ୍‌ବିଗ୍ନ ଭାବରେ ଏଣେତେଣେ ଚାହିଁ ଚାହିଁ ହଠାତ୍‌ ସେହି ଭିଡ଼ରୁ ପଳାଇ ଆସିଲା ଏବଂ ତରତର ହୋଇ ସେହି ବାଲିସ୍ତୂପ ନିକଟରେ ଗୋଟିଏ ମୁଣି ଭଳି ଜିନିଷ ପୋତି ଦେଇ ଗଲା । ମୁଁ ସେହି ବାଲିସ୍ତୂପ ପଛଆଡ଼େ ବସିଥିବାରୁ ମୋ ଆଡ଼କୁ ସେ ଦୃଷ୍ଟି ପକାଇ ନାହିଁ । ସେହି ବ୍ୟକ୍ତି ଜିନିଷଟି ବାଲିରେ ପୋତିଦେଇ ପୁଣି ବିଜୁଳି ବେଗରେ ଫେରିଯାଇ ଜନତା ମଧ୍ୟରେ ମିଶିଗଲା ।

 

ଲୋକଟି କଣ ପୋତିଦେଇ ଗଲା, ଏହା ଜାଣିବାକୁ ମୋର ବିଶେଷ ଆଗ୍ରହ ହେଉଥିଲେ ସୁଦ୍ଧା, ମୁଁ ଭୟରେ ତାହା କରି ପାରିଲି ନାହିଁ । ତଥାପି ମନରେ ଅନ୍ୟ ଚିନ୍ତା ନ କରି ସତର୍କ ହୋଇ ସେହି ସ୍ଥାନ ଆଡ଼କୁ ଏକ ଦୃଷ୍ଟରେ ଚାହିଁରହିଲି । ଏହିପରି କେତେକ ସମୟ ନିଶ୍ଚଳ ହୋଇ ବସିରହିବା ପରେ ହଠାତ୍‌ ସେହି ଭିଡ଼ ମଧ୍ୟରେ ଗୋଟିଏ ଗୋଳମାଳ ଶୁଣାଗଲା । ଗୋଳମାଳର କାରଣ ଜାଣିବା ଲାଗି ମୋର କୌତୁହଳ ହେବାରୁ ମୁଁ ଧୀରେ ଧୀରେ ସମୁଦ୍ର କୂଳକୁ ଯାଇ ଶୁଣିଲି, ଜାହାଜରେ ଲଦା ହେବା ସମୟରେ କେହି ମନ୍ଦ ଲୋକ ଅନେକଗୁଡ଼ିଏ ଗଜମୁକ୍ତା ଓ ସୁବର୍ଣ୍ଣର ଥଳୀ ଚୋରାଇ ନେଇ ଯାଇଛି । ମୋ ମନରେ ତତ୍‌କ୍ଷଣାତ୍‌ ପୋତା ହୋଇଥିବା ମୁଣିର କଥା ମନେ ପଡ଼ିଗଲା । ମୁଁ ଦେଖିଲି, ଜାହାଜ ସ୍ୱାମୀ ଅଧୀର ହୋଇ ‘ଚୋର’ ‘ଚୋର’ ବୋଲି ଚିତ୍କାର କରୁଛନ୍ତି ଏବଂ ଜାହାଜର ଅନ୍ୟାନ୍ୟ ଭୃତ୍ୟ ସେହି ବହୁମୂଲ୍ୟ ଥଳୀ ଉଦ୍ଦେଶ୍ୟରେ ଚତୁର୍ଦ୍ଦିଗ ଖୋଜି ପକାଉଛନ୍ତି । ସେହି ଅପରାଧୀ ବ୍ୟକ୍ତିଟି ମଧ୍ୟ ଚିତ୍କାର କରି କରି ଏଣେତେଣେ ଦୌଡ଼ୁଅଛି । ଏହି ଘଟଣା ଦେଖି ମୋ ମନରେ ହଠାତ୍‌ ସାହସ ଜାତ ହେଲା । ମୁଁ ଅଧ୍ୟକ୍ଷଙ୍କ ନିକଟକୁ ଯାଇ କହିଲି, “ମହାଶୟ, ଆପଣ ଯେଉଁ ଥଳୀ ଚୋରି ଯାଇଥିବା ଜାଣି ଇତସ୍ତତଃ ଖୋଜୁଛନ୍ତି, ମୋ ସହିତ ଆସନ୍ତୁ, ମୁଁ ଦେଖାଇଦେବି । ଜଣେ ବ୍ୟକ୍ତି ସେହି ଥଳୀଟି ଅଳ୍ପସମୟ ପୂର୍ବରୁ ନେଇ ସେହି ବାଲିସ୍ତୂପ ନିକଟରେ ପୋତିଦେଇ ଆସିଅଛି । ସେହି ଲୋକକୁ ମୁଁ ଏଠାରେ ଚିହ୍ନାଇ ଦେଇ ପାରିବି-।” ଏହି କଥାତକ କହିବାବେଳେ ମୋ ମନର ଦମ୍ଭ ଓ ଉତ୍ସାହ ଦେଖି ଜାହାଜସ୍ୱାମୀ ଆନନ୍ଦରେ ମୋତେ କୁଣ୍ଢାଇ ପକାଇଲେ । ତାହା ପରେ ସେ ମୋ ପଛେ ପଛେ ଆସିବାରୁ ବହୁ ଲୋକ ମଧ୍ୟ ଆସିଲେ । ମୁଁ ସେହି ସ୍ତୁପ ନିକଟକୁ ଆସି ବାଲି ଖୋଳି ଥଳୀଟି ବାହାର କରିଦେଲି । ସେତିକିବେଳେ ସେହି ଲୋକଟା ମଧ୍ୟ ସେଠାରେ ଛିଡ଼ା ହୋଇଥିଲା । ଥଳୀଟି ଅଧ୍ୟକ୍ଷଙ୍କ ହାତକୁ ବଢ଼ାଇ ଦେଇ ମୁଁ ତତ୍‌କ୍ଷଣାତ୍‌ ସେହି ବ୍ୟକ୍ତିଟିକୁ ଧରାଇଦେଲି । ଲୋକଟା ସେତେବେଳେ ଭୟରେ ଏତେ ଥରୁଥିଲା ଯେ ସେ ପ୍ରମାଦ ଆଶଙ୍କାରେ ତତ୍‌କ୍ଷଣାତ୍‌ ଦୋଷସ୍ୱୀକାର କରିଦେଲା । ସେ ଜଣେ ଜାହାଜର ଭୃତ୍ୟ ଥିବାରୁ ଏହି ଗୁରୁତର ଅପରାଧରେ କଠୋର ଶାସ୍ତି ସହ ସଙ୍ଗେ ସଙ୍ଗେ କର୍ମଚ୍ୟୁତ ହେଲା ।

 

ତତ୍ପରେ ଅଧ୍ୟକ୍ଷ ମହାଶୟ ବିଶେଷ ସନ୍ତୁଷ୍ଟ ହୋଇ ମୋତେ କିଛି ପୁରସ୍କାର ଦେବାକୁ କହିଲେ । ମୁଁ ବିନୀତ ହୋଇ କହିଲି, “ମୁଁ ଆପଣଙ୍କ ଅନୁଗ୍ରହ ଛଡ଼ା ଅନ୍ୟ କିଛି ପୁରସ୍କାର ଚାହେଁନାହିଁ । ଆପଣଙ୍କ ଅନୁଗ୍ରହ ହେଲେ ମୁଁ ଟିକିଏ ଜାହାଜରେ ଯାଇ ଦେଶାନ୍ତରରେ ବୁଲିଆସନ୍ତି-। ସେ ଉଦ୍ଦେଶ୍ୟରେ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ସହିତ ସାକ୍ଷାତ୍‌ ଓ ପରିଚୟର କୌଣସି ପଥ ନ ଦେଖି ମନେ ମନେ ନିରାଶ ହୋଇଥିଲି । ମାତ୍ର ଶୁଭଯୋଗରୁ ହଠାତ୍‌ ଯେ ଆପଣଙ୍କ ସହିତ ଏପରି ସାକ୍ଷାତ୍‌ ହେବ, ମୁଁ ଆଗରୁ ଭାବି ନ ଥିଲି ।” ଅଧ୍ୟକ୍ଷ କହିଲେ, “ଆଚ୍ଛା, ତୁମ ପରି ଜଣେ ବିଶ୍ୱାସୀ ଓ ସାଧୁଲୋକ ମୋର ଆବଶ୍ୟକ ଥିଲା । ତୁମ୍ଭଙ୍କୁ ସାଙ୍ଗରେ ନେଲେ ମୋହର ଉପକାର ହେବ ।” ଏହା କହି ଅଧ୍ୟକ୍ଷ ବଳେ ବଳେ ଗୋଟିଏ ବହୁମୂଲ୍ୟ ରତ୍ନ ମୋ ହାତରେ ଧରାଇ ଦେଲେ । ମୁଁ ପ୍ରଥମେ ଅଯାଚିତ ଭାବରେ ରତ୍ନଲାଭ କରି ମନେ ମନେ ପ୍ରଭୁଙ୍କୁ ଯେ କେତେ ଧନ୍ୟବାଦ ଦେଲି, ତାହା ମୋ ମନ ଜାଣେ । ଜଣେ ବିଶ୍ୱସ୍ତ ଲୋକ ହାତରେ ସେହି ରତ୍ନଟି ମାଆଙ୍କ ନିକଟକୁ ପଠାଇଦେଇ ମୁଁ ଉତ୍‌ଫୁଲ୍ଲ ଓ ଉତ୍ସାହିତ ହୋଇ ଅଧ୍ୟକ୍ଷଙ୍କ ସହିତ ଜାହାଜରେ ପ୍ରବେଶ କଲି । ଅବାଧ୍ୟ ଅଯୋଗ୍ୟ ପୁତ୍ରର ପ୍ରଥମ ଅର୍ଜନ ରୂପେ ଗୋଟିଏ ବହୁମୂଲ୍ୟ ରତ୍ନ ପାଇ ମାଆ ମୋର କେତେ ଖୁସି ହୋଇଥିବେ, ତାହା ମୁଁ କଳ୍ପନାରେ ବୁଝି ପାରିଥିଲି ।

 

ଯଥାବିଧି ସମସ୍ତ ପଣ୍ୟଦ୍ରବ୍ୟ ଲଦାହେବା ପରେ ତହିଁ ଆରଦିନ ପ୍ରଭାତରୁ ଜାହାଜ ପୁରୀ ବନ୍ଦର ଛାଡ଼ି ବିଦେଶ ମୁଖରେ ଯାତ୍ରା କଲା । ଜାହାଜରେ ବହୁତ ବ୍ୟବସାୟୀ ଓ ନାଉରୀ ଆମ୍ଭମାନଙ୍କ ସହିତ ଯାତ୍ରା କରୁଥିଲେ । ମୁଁ ସର୍ବଦା ଅଧ୍ୟକ୍ଷଙ୍କ ନିକଟରେ ରହି ତାଙ୍କର ଦୟା ଓ ଅନୁଗ୍ରହରେ ପରମ ସୁଖରେ ସମୟ କଟିବାକୁ ଲାଗିଲି । ଦିନକୁ ଦିନ ଜାହାଜ ସମୁଦ୍ର ବକ୍ଷ ଭେଦ କରି ଚାଲଥାଏ । କହିବା ବାହୁଲ୍ୟ, ମୁଁ ଏତେ ଆନନ୍ଦିତ ଥିଲି ଯେ, ଘର କଥା, ପରିବାରଙ୍କ କଥା ବା ନିଜର ଦୁଃଖ ଦୁରବସ୍ଥା କଥା କିଛି ହେଲେ ମୋର ମନକୁ ସ୍ପର୍ଶ କରୁନଥାଏ । ତାହା ପରେ ସେହି ସମୟରେ ଝଡ଼ତୋଫାନ ନ ଥିବାରୁ ସମୁଦ୍ର ବିଶେଷ ଶାନ୍ତ ଥିଲା । ଅନୁକୂଳ ବାଣିଜ୍ୟବାୟୁ ସ୍ରୋତରେ ସୁଭଦ୍ରା ଦରିଆ ଢେଉରେ ନାଚି ନାଚି ଚାଲୁଥାଏ । ସମୁଦ୍ର ବିଶେଷ ଭାବରେ ଭୟଶୂନ୍ୟ ଥିବାରୁ ପ୍ରତ୍ୟେକ ଆରୋହୀ ନୃତ୍ୟଗାନ କରି ଦିନ ହରଣ କରୁଥାନ୍ତି । ମୁଁ ଅଧ୍ୟକ୍ଷଙ୍କ ନିକଟରେ ବସି ଦୂର ଦେଶ କଥା, ସମୁଦ୍ର କଥା ଓ ବାଣିଜ୍ୟ ବିଷୟକ ନାନାକଥା ଶୁଣୁ ଥାଏଁ । ଅଧ୍ୟକ୍ଷ ମହାଶୟ ବହୁତଥର ସମୁଦ୍ର ଯାତ୍ରା କରି, ବାଣିଜ୍ୟ ଲାଗି ବହୁଦେଶ ବୁଲି ଯେଉଁ ଜ୍ଞାନ ଓ ଅନୁଭୂତି ଅର୍ଜନ କରିଥିଲେ, ତାହା ସେ ମୋତେ ବସିବା ସମୟରେ ଗୋଟି ଗୋଟି କରି କହନ୍ତି । ଏକେ ମୋହର ଅଭିଳାଷର ସାଫଲ୍ୟ, ଦ୍ୱିତୀୟରେ ଅଧ୍ୟକ୍ଷଙ୍କ ଭଳି ଜଣେ ଉଦାର ଓ ଦୟାଳୁ ବନ୍ଧୁଙ୍କୁ ପାଇ ମୋର ଯେ କେତେ ଆନନ୍ଦ ହେଉଥାଏ, ତାହା ଆଉ କ’ଣ କହିବି ?

 

ଆମ୍ଭେମାନେ କେତେଦିନ ଯାଇ ଯାଇ ପ୍ରଥମେ କଳିଙ୍ଗପାଟଣା ସହର ନିକଟରେ ନଙ୍ଗର ପକାଇଲୁଁ । ବ୍ୟବସାୟୀମାନେ ପଣ୍ୟଦ୍ରବ୍ୟର ଆଦାନପ୍ରଦାନରେ ବ୍ୟସ୍ତ ହେଲେ । ମୁଁ ପ୍ରତିଦିନ ଯାଇ ସେମାନଙ୍କର ରୀତିନୀତି ଓ ଗତିବିଧି ଲକ୍ଷ୍ୟ କରୁଥାଏଁ । ସେଠାରେ କିଛିଦିନ ରହି ଜାହାଜ ପୁଣି ବିମଳାପାଟଣା ଦେଇ ବିଶାଖାପାଟଣା ବନ୍ଦରଠାରେ ନଙ୍ଗର କଲା । ସେଠାରେ ମଧ୍ୟ ପୂର୍ବପରି ବହୁଦିନ ଧରି ବାଣିଜ୍ୟ ହେଲା । ପରେ ଆମ୍ଭେମାନେ ବିଶାଳ ସମୁଦ୍ରବକ୍ଷକୁ ଜାହାଜ ଚଲାଇଲୁଁ । ବର୍ତ୍ତମାନ ଆମ୍ଭେମାନେ ଜାଭା ଓ ସୁମାତ୍ରା ଦ୍ୱୀପ ଅଭିମୁଖରେ ଯାତ୍ରା କଲୁଁ ।

 

ପୂର୍ବପରି ସମୁଦ୍ର ବେଶ ଶାନ୍ତ ଥିଲା; ମାତ୍ର କେତେଦିନ ପରେ ଆମ୍ଭେମାନେ ଖଣ୍ଡେ ଖଣ୍ଡେ ମେଘ ଆକାଶରେ ଦେଖିବାକୁ ପାଇଲୁ । ପବନର ଗତି ମଧ୍ୟ କିଞ୍ଚିତ୍‌ ପରିବର୍ତ୍ତିତ ହେଲାପରି ଜଣାଗଲା । ସେହି ସମୟଠାରୁ ଅଧ୍ୟକ୍ଷ ମହାଶୟ ବରାବର ଚିନ୍ତିତ ରହିଲାପରି ବୋଧ ହେଲା । ତାଙ୍କ ଚିନ୍ତାର କାରଣ ମୁ ବାରମ୍ୱାର ପଚାରିବା ସତ୍ତ୍ୱେ ସେ କିଛି କହିଲେ ନାହିଁ; ମାତ୍ର ମୁଁ ତାଙ୍କର ପୂର୍ବ ଆଳାପରୁ ଅନୁମାନ କଲି, ଆକାଶର ଅବସ୍ଥା ଓ ବାୟୁର ପରିବର୍ତ୍ତନ ଯୋଗୁଁ ସେ ଚିନ୍ତିତ ଥିଲେ-। ବାସ୍ତବିକ ଅଳ୍ପ ସମୟ ପରେ ସମସ୍ତ ଆକାଶ ମେଘଦ୍ୱାରା ଆଚ୍ଛନ୍ନ ହୋଇଗଲା ଏବଂ କ୍ରମେ କ୍ରମେ ପ୍ରବଳ ବାୟୁ ବହିବାକୁ ଲାଗିଲା । ସମୁଦ୍ର ଏତେ ଅସମ୍ଭାଳ ହେଲା ଯେ, ସେଥିରେ ଜାହାଜକୁ ସ୍ଥିର ଭାବରେ ରଖିବା ନାବିକମାନଙ୍କର ସାଧ୍ୟତୀତ ହୋଇ ପଡ଼ିଲା । ଦେଖୁ ଦେଖୁ ପ୍ରବଳ ବାୟୁସ୍ରୋତରେ ଜାହାଜ ସ୍ୱଇଚ୍ଛାରେ ଭାସିବାକୁ ଲାଗିଲା । ଅଧ୍ୟକ୍ଷ, ନାଉରୀ ଓ ଅନ୍ୟାନ୍ୟ ଆରୋହୀ ପ୍ରମାଦ ଆଶଙ୍କାରେ ହରିବୋଲ ଦେଲେ । ମାତ୍ର ପ୍ରକୃତିର ସେହି ଭୟାବହ ନର୍ତ୍ତନ ଓ ଗର୍ଜ୍ଜନ ଘାତରେ ଆମ୍ଭମାନଙ୍କର ସମସ୍ତ ଚିତ୍କାର ଓ ଆର୍ତ୍ତନାଦ କେଉଁଆଡ଼େ ଉଭାଇ ଗଲା । ପବନର ପ୍ରଖର ଗତି ଆଦୌ କମିଲା ନାହିଁ । ନାଉରୀମାନେ କେତେକ ଦିନ ଧରି ବାୟୁ ସହିତ ଯୁଦ୍ଧ କରି କରି ଶେଷରେ ନିରସ୍ତ ହୋଇ ବସି ରହିଲେ । ଜାହାଜଟି ସତେ ଯେପରି ଭାଗ୍ୟ ଆଦରି ଧ୍ୱଂସମୁଖରେ ଧାବମାନ ହେଲା । ସେହି ସ୍ମୃତି ଅଦ୍ୟାପି ମନେ ପଡ଼ିଲେ ଦେହରେ ରୋମ ଟାଙ୍କୁରି ଉଠୁଛି । ଆରୋହୀମାନେ ଯେପରି ବ୍ୟାକୁଳ ହେଉଥିଲେ, ତାହା ଦେଖି ଦେଖି ସମୁଦ୍ରରେ ମୋ ଭଳି ନୂତନ ଲୋକ କିପରି ସମ୍ଭାଳି ରହିଥିବ, ତାହା ଆପଣମାନେ ମନେ ମନେ ବୁଝି ପାରୁଥିବେ । ଆମେ ସମସ୍ତେ ପ୍ରାଣର ଆଶା ଛାଡ଼ିଦେଇ ଘୋର ଆତଙ୍କରେ ପ୍ରତି ମୁହୂର୍ତ୍ତରେ ସତେ ଯେପରି ମୃତ୍ୟୁକୁ ଅପେକ୍ଷା କରୁଥିଲୁଁ ।

 

ଆରୋହୀମାନଙ୍କର କରୁଣା ପ୍ରାର୍ଥନା ଓ ହରିବୋଲକୁ ଅପେକ୍ଷା ନ କରି ଜାହାଜ ପ୍ରବଳ ବାୟୁବେଗରେ ଏକଦିଗରେ ଗତି କଲା । ଆମ୍ଭମାନଙ୍କର ସମୂହ ଆଶାଭରସା ଓ ପ୍ରାଣର ମମତାକୁ ଅକୂଳ ସମୁଦ୍ରରେ ବୁଡ଼ାଇଦେଇ ଜାହାଜ ଗୋଟିଏ ବୁଡ଼ା ପଥର ଦେହରେ ବାଜି ଫାଟିଗଲା । ଦେଖୁ ଦେଖୁ ଗର୍ଭରେ ଜଳ ପ୍ରବେଶ କରିବାରୁ ଜାହାଜ ତତ୍‌କ୍ଷଣାତ୍‌ ଜଳମଗ୍ନ ହାଲା । ଆରୋହୀମାନଙ୍କ ମଧ୍ୟରୁ କିଏ କେଉଁଆଡ଼େ ଭାସିଗଲେ, ତାହା କହି ହେବନାହିଁ । ଦରିଆ ମଝିରେ ଏହିପରି ହଜାର ହଜାର ଟଙ୍କାର ସମ୍ପତ୍ତି ଓ ଶତାଧିକ ଜୀବନ ଘେନି ସୁଭଦ୍ରା ସାଗରସମାଧି ଲାଭ କଲା । ପଲକମାତ୍ରେ ଆରୋହୀମାନେ କେଉଁଆଡ଼େ ବୁଡ଼ିଗଲେ । ମାତ୍ର ସୌଭାଗ୍ୟ ବଶରୁ ମୁଁ ଓ ଆଉ ଚାରିଜଣ ଆରୋହୀ ହଠାତ୍‌ ଖଣ୍ଡେ ଖଣ୍ଡେ ଜାହାଜର ଭଗଂ ଅଂଶ ବା ପତାକାଦଣ୍ଡ ଅଥବା ମାସ୍ତୁଲଦଣ୍ଡର ଆଶ୍ରୟ ନେଇ କଥଞ୍ଚିତ ପ୍ରାଣଧାରଣ କରିବାକୁ ସମର୍ଥ ହେଲୁଁ । ବାୟୁର ଗତି ଶିଥିଳ ହୋଇ ନ ଥିବାରୁ ଆମ୍ଭେମାନେ ପ୍ରବଳ ସମୁଦ୍ରସ୍ରୋତରେ ବହୁଦୂର ଭାସିଗଲୁଁ ।

 

ଆମ୍ଭେମାନେ ଯେଉଁଦିଗରେ ଭାସି ଯାଇଥିଲୁଁ, ସେହି ଦିଗରେ ଅଳ୍ପ ଦୂରରେ, ମୁମୂର୍ଷ ବ୍ୟକ୍ତିର କର୍ଣ୍ଣରେ ସ୍ୱର୍ଗର ସଙ୍ଗୀତ ପରି, ଗୋଟିଏ ପ୍ରକାଣ୍ଡ ପତାକା ଦେଖାଗଲା । ଆମ୍ଭେମାନେ ମନେ କଲୁଁ, ନିକଟରେ ବୋଧହୁଏ ଆଉ ଗୋଟିଏ ଜାହାଜ ଅଛି । ସୁତରାଂ ଆମ୍ଭମାନଙ୍କର ବଞ୍ଚିବା ଆଶା ଦ୍ୱିଗୁଣ ବଳବତ୍ତର ହୋଇ ଉଠିଲା । ଆମ୍ଭମାନଙ୍କର କଳ୍ପିତ ଜାହାଜ ଏକସ୍ଥାନରେ ରହିଥିବାରୁ, ଆମ୍ଭମାନଙ୍କୁ ବୋଧହେଲା, ଜାହାଜଟି ସତେ ଯେପରି ସମୁଦ୍ର ଭୟରେ ସେଠାରେ ନଙ୍ଗର କରି ରହିଚି । ଯାହାହେଉ, ଆମ୍ଭେମାନେ ବିଶେଷ ଆଶା ଓ ଉତ୍ସାହରେ ସାଧ୍ୟାତୀତ ଚେଷ୍ଟା କରି ସେହି ଆଡ଼କୁ ଭାସି ଭାସି ଯିବାକୁ ଆରମ୍ଭ କଲୁଁ । ସୌଭାଗ୍ୟବଶରୁ ଆମ୍ଭେମାନେ ଆଶୁ ମୃତ୍ୟୁମୁଖରୁ ମୁକ୍ତି ଲାଭ କରି ସେହି ପତାକା ନିକଟରେ ପହଞ୍ଚିଲୁଁ । ମାତ୍ର ଦେଖିଲୁଁ, ସେଠାରେ ଜାହାଜ ନାହିଁ, କେବଳ ଗୋଟିଏ ପ୍ରକାଣ୍ଡ ପଥର ସମୁଦ୍ରର ଭୀଷଣତାକୁ ଭ୍ରୂକ୍ଷେପ ନ କରି ନିଜର ଉଚ୍ଚ ମସ୍ତକ ଟେକି ଜଳ ମଧ୍ୟରେ ଛିଡ଼ା ହୋଇଅଛି । ଯାହାହେଉ, ଆଶୁ ମୃତ୍ୟୁମୁଖରୁ ପ୍ରିୟପ୍ରାଣ ବଞ୍ଚାଇବା ଲାଗି ଆମ୍ଭେମାନେ ସେହି ଶିଳାଉପରେ ଆରୋହଣ କଲୁଁ । ପଥରଟି କ୍ରମନିମ୍ନ ହୋଇଥିବାରୁ ଆରୋହଣ ପକ୍ଷରେ ସହଜ ଓ ସୁବିଧାଜନକ ହୋଇଥିଲା । ତାହାର ପ୍ରକାଣ୍ଡ ତାଳୁପ୍ରତି ଦୃଷ୍ଟିପାତ କଲେ ଗୋଲାକାର ପରି ଜଣାଯାଉଥିଲା । ସେହି ବୃହତ୍‌ ଗୋଲାକୃତିର ବ୍ୟାସରେଖା ଆନୁମାନିକ ୨୦ ହାତ ହୋଇପାରେ । ପଥରର ମଧ୍ୟବିନ୍ଦୁଟି କ୍ରମୋଚ୍ଚ ହୋଇ ବହୁତ ଉପରକୁ ଉଠିଯାଇଥିଲା । ଏହି ଉଚ୍ଚତମ ବିନ୍ଦୁ ଉପରେ ସେହି ପ୍ରକାଣ୍ଡ ପତାକାଟି ଛିଡ଼ା ହୋଇ ସତେ ଯେପରି ସମସ୍ତ ଜଳରାଜ୍ୟକୁ ଶାସନ କରୁଥିଲା ।

 

ଯାହାହେଉ, ମୁଁ ଓ ମୋର ସହଗାମୀ ବନ୍ଧୁ ଚାରିଜଣ ସେହି ପଥରକୁ ଉଠି ଆପାତତଃ ଆଶୁ ମୃତ୍ୟୁମୁଖରୁ ରକ୍ଷା ପାଇଗଲୁଁ । ମାତ୍ର ଯେତେଦୁର ଆଖି ଯାଏ, ଚାରିଆଡ଼େ ଅନନ୍ତ ଜଳରାଶି ମଧ୍ୟରେ ଗୋଟିଏ ପଥର ଉପରେ ଦିନରାତି ବସିରହିବା କି ଭୟାନକ ଘଟଣା ! ଦେଖୁ ଦେଖୁ ପ୍ରାଣ ଛାଡ଼ି ଯାଉଥାଏ । ସମୁଦ୍ରର ଭୀଷଣ ଗର୍ଜ୍ଜନରେ ଛାତି ଦୁକୁଦୁକୁ ହେଉଥାଏ । ଥରେ ଥରେ ଗୋଟାଏ ଗୋଟାଏ ପାହାଡ଼ପରି ତରଙ୍ଗ ଆସି ଏତେ ଉପରେ ସୁଦ୍ଧା ଆମ୍ଭମାନଙ୍କୁ ଛୁଇଁ ଯାଉଥାଏ । ପ୍ରତିକ୍ଷଣରେ ବୋଧ ହେଉଥାଏ, ସତେ ଯେପରି ଏହି ମୁହୂର୍ତ୍ତରେ ସମୁଦ୍ର ଆମ୍ଭମାନଙ୍କୁ ନିଜ ଗର୍ଭକୁ ଭିଡ଼ିନେବ । ସମୁଦ୍ରର ଏହି ଭୀଷଣ ରୂପ ଓ ଭୟାନକ ଅବସ୍ଥା ଦେଖି ଦେଖି ଆମ୍ଭେମାନେ ଏକପ୍ରକାର ଜୀବନ୍‌ମୃତ ଅବସ୍ଥାରେ ରହିଥାଉଁ । ଜୀବନରେ ଯାହାର ସେହି ଭୀଷଣ ଅନୁଭୁତି ହୋଇନାହିଁ ସେ ଏ କରୁଣଚିତ୍ର ମନମଧ୍ୟରେ ଆଙ୍କିପାରିବ ନାହିଁ ।

 

ଆମ୍ଭେମାନେ ଯେଉଁ ପତାକା ତଳେ ଆଶ୍ରୟ ନେଲୁଁ, ସେଇ ପତାକାରେ ଲେଖାଥିଲା, “ବୀର ଶ୍ରୀ ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟୋତ୍କଳବର୍ଗେଶ୍ୱର ବିରାଧିବୀରବର ଜଳଦସ୍ୟୁହନ୍ତା ପ୍ରତାପୀ ଶ୍ରୀ ଲାଙ୍ଗୁଳା ନରସିଂହ ଦେବ ।” ଆମ୍ଭେମାନେ ବୁଝିପାରିଲୁଁ, ଜଳଦସ୍ୟୁମାନଙ୍କ ଦମନ ଲାଗି ଆମ୍ଭମାନଙ୍କର ଶ୍ରଦ୍ଧା ଓ ଭକ୍ତିଭାଜନ ଗଜପତି ମହୋଦୟ ଏହି ଦୂର ସମୁଦ୍ର ବକ୍ଷ ସୁଦ୍ଧା ଆଲୋଡ଼ନ କରିଥିଲେ । ବାସ୍ତବିକ ଗଜପତିଙ୍କର ଜଳଦସ୍ୟୁ ଦମନର ସ୍ମୃତିଚିହ୍ନ ସ୍ୱରୂପ ଏହି ପ୍ରକାଣ୍ଡ ପତାକା ତଳେ ଆମ୍ଭେମାନେ ସତେ ଯେପରି ନୂତନ ପ୍ରାଣ ଓ ସାହସ ଅନୁଭବ କଲୁଁ । କ୍ରମେ କ୍ରମେ ସମୁଦ୍ରର ସେହି ଭୀଷଣତା ଦୂର ହୋଇ ଆସିଲା । ଆକାଶ ପରିଷ୍କାର ହେବାରୁ ପୁଣି ସୂର୍ଯ୍ୟ ଦେଖା ଦେଲେ । ସମୁଦ୍ର ଶାନ୍ତ ହୋଇଗଲା । ମନୁଷ୍ୟର ସବୁ ସହିବାର ଶକ୍ତି ଅଛି । ଆମ୍ଭେମାନେ ମଧ୍ୟ ଅଶାନ୍ତ ସମୁଦ୍ରର ଭୟଙ୍କରତା ଧୀରେ ଧୀରେ ସହିନେଲୁଁ ।

 

ଆଶ୍ଚର୍ଯ୍ୟ ଓ କୌତୁକର କଥା ଏହି ଯେ, ମନୁଷ୍ୟ ମୃତ୍ୟୁ କବଳରେ ପଡ଼ି ସୁଦ୍ଧା ଉଦର ଜ୍ୱାଳା ଛାଡ଼ି ପାରେନାହିଁ । ମୋର ସଙ୍ଗୀମାନେ ଯେତେବେଳେ ଜାହାଜରୁ ଖସି ପଡ଼ିଲେ, ସେତେବେଳେ ସେମାନେ କିଛି କିଛି ଖାଦ୍ୟ କମରରେ ବାନ୍ଧି ନେଇଥିଲେ । ସେହି ଖାଦ୍ୟ ଏହି ଅବସ୍ଥାରେ ଆମ୍ଭମାନଙ୍କର ବିଶେଷ କାର୍ଯ୍ୟରେ ଲାଗିଲା । ଆମ୍ଭେମାନେ ସାମାନ୍ୟ ପରିମାଣରେ ଓଦାଚାଉଳ, ଡାଲି ବା ଚୁଡ଼ା ଚୋବାଇ ଚୋବାଇ ଉଦରଜ୍ୱାଳା ନିବାରଣ କରିବାକୁ ଲାଗିଲୁଁ । ଆମ୍ଭର ଜଣେ ସଙ୍ଗୀ ଆହୁରି ବୁଦ୍ଧିର କାର୍ଯ୍ୟ କଲେ । ଯେଉଁ ଦଳସବୁ ଢେଉରେ ଭାସି ଭାସି ପଥର ଦେହରେ ଲାଗି ଯାଏ, ଆମ୍ଭେମାନେ ତାହା ସଂଗ୍ରହ କରି, ଭଲଭାବେ ଖରାରେ ଶୁଖାଇ ଝକମକି ସାହାଯ୍ୟରେ ସେଥିରେ ଅଗ୍ନିସଂଯୋଗ କରୁଁ । ଅନେକ ଛୋଟବଡ଼ ମତ୍ସ୍ୟ ମଧ୍ୟ ସୂର୍ଯ୍ୟୋତ୍ତାପ ପାଇବା ଲାଗି ପାଣିରୁ ପଥରଉପରକୁ ଡେଇଁ ପଡ଼ନ୍ତି । ଆମ୍ଭେମାନେ ସେଥିରୁ ଯଥେଷ୍ଟ ପରିମାଣରେ ମାରି, ଅଗ୍ନିରେ ପୋଡ଼ି ଖାଇଯାଉଁ । ଯେତେବେଳେ ସମସ୍ତ ଖାଦ୍ୟ ଶେଷ ହୋଇଗଲା ସେତେବେଳେ, କେବଳ ଏହି ମତ୍ସ୍ୟ ଭୋଜନରେ ଆମ୍ଭର ପ୍ରାଣଧାରଣ ସମ୍ଭବ ହେଲା-

 

କିନ୍ତୁ ଏହି ଅକୂଳ ସମୁଦ୍ରରୁ ଉଦ୍ଧାରର ଉପାୟ କ’ଣ ? କେତେଦିନ ଏହିପରି ଯିବ ? ପ୍ରତିଦିନ ସୂର୍ଯ୍ୟ ଏକଦିଗରୁ ଗୋଟିଏ ବୃହତ୍‌ ଗୋଲାକାର ରକ୍ତପିଣ୍ଡ ପରି ଉଠି ପୁଣି ସେହିପରି ଅନ୍ୟ ଦିଗରେ ସମୁଦ୍ର ଦେହରେ ମିଶିଯାନ୍ତି । ଆମ୍ଭେମାନେ ଉଦ୍ଧାର ପାଇବା ଆଶାରେ ପ୍ରଭୁ ନୀଳାଚଳନାଥଙ୍କ ପାଦରେ ପ୍ରାର୍ଥନା କରି କରି ଜାହାଜ ଅପେକ୍ଷାରେ ଚତୁର୍ଦ୍ଦିଗକୁ ଚାହୁଁଥାଉଁ । ଏହିପରି ସମୁଦ୍ର ଶାନ୍ତ ଥିବା ଅବସ୍ଥାରେ ଦିନେ ଆମ୍ଭେମାନେ ଅନ୍ୟମନସ୍କ ହୋଇ ଏଣେ ତେଣେ ଦୂରକୁ ପ୍ରତୀକ୍ଷା କରୁଁଅଛୁଁ, ହଠାତ୍‌ ଗୋଟିଏ ପ୍ରକାଣ୍ଡ ସାମୁଦ୍ରିକ ପ୍ରାଣୀ ଜଳ ମଧ୍ୟରୁ ବାହାରି ପଡ଼ି ଦୀର୍ଘ ଖଗ ସାହାଯ୍ୟରେ ମୋହର ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ଟାଣିନେଇ ଚାଲିଗଲା । ଏହି ଘଟଣାରେ ଆମେମାନେ ଆଉ ଏକ ପ୍ରକାର ନୂତନ ବିପଦ ଆଖି ଆଗରେ ଦେଖି ନିତାନ୍ତ କାତର ହୋଇପଡ଼ିଲୁଁ । ଏହି ମାରାତ୍ମକ ଜଳଜୀବମାନଙ୍କ କବଳରେ କେତେବେଳେ କାହାର ପ୍ରାଣ ଚାଲିଯିବ, ଏହି ଚିନ୍ତା କରି କରି ଦେହରୁ ସ୍ୱତଃ ପ୍ରାଣ ବାହାରି ଯାଉଥାଏ । ସବୁ ସମୟରେ ସବୁଆଡ଼େ ସେହି ଭୀଷଣ ଜଳଜନ୍ତୁର ନୃତ୍ୟ ସତେ ଯେପରି ଆଗେ ଆଗେ ଦେଖା ଯାଉଥାଏ ।

ମନୁଷ୍ୟର ରକ୍ତମାଂସ ଜୀବଜନ୍ତୁଙ୍କର ବୋଧହୁଏ ଅତି ପ୍ରିୟ ଖାଦ୍ୟ । ଏହି ସାମୁଦ୍ରିକ ଜୀବ ଥରେ ମନୁଷ୍ୟର ରକ୍ତମାଂସ ଖାଇ ଏପରି ଭୀଷଣ ହୋଇପଡ଼ିଲା ଯେ, ସେ ପ୍ରାୟ ସବୁ ସମୟରେ ସୁଯୋଗ ଅପେକ୍ଷାରେ ଥରେ ଥରେ ଉପରକୁ ମୁଣ୍ଡ ଦେଖାଇ ଚାରିପଟେ ବୁଲୁଥାଏ । ଏପରି ଅସାଧାରଣ ଜୀବ ଦେଖିବା ମନୁଷ୍ୟ ଭାଗ୍ୟରେ କଦାଚିତ ଘଟିଥାଏ । ଦିନବେଳେ ଆମ୍ଭେମାନେ ବିଶେଷ ସାବଧାନରେ ରହିଥିବାରୁ ବିପଦର ଆଶଙ୍କା କରୁ ନ ଥିଲୁଁ । ମାତ୍ର ହତଭାଗ୍ୟ ଲାଗି ବିପଦ କେତେବେଳେ ଆସେ, ତା’ର ସ୍ଥିରତା ନାହିଁ । ଅଧ ରାତିରେ ଆମ୍ଭମାନଙ୍କ ତନ୍ଦ୍ରାଅବସ୍ଥାରେ ଜଣେ ଅସାବଧାନତା ଯୋଗୁଁ ତଳକୁ ଟିକେ ଗଡ଼ି ପଡ଼ିବାରୁ ତତ୍‌କ୍ଷଣାତ୍‌ ସେହି ଭୀଷଣ ଜଳଜନ୍ତୁର ଗ୍ରାସରେ କବଳିତ ହେଲେ । ଏହି ଘଟଣା ଦେଖି ଆମ୍ଭେମାନେ ଭୟରେ ଆର୍ତ୍ତନାଦ କରି ଉଠିଲୁଁ । ପ୍ରଥମେ ମୃତ୍ୟୁମୁଖରୁ ରକ୍ଷାକରି ପୁଣି ପରେ ଏପରି ଭାବରେ ମୃତ୍ୟୁମୁଖକୁ ଠେଲିବାଦ୍ୱାରା ଭଗବାନଙ୍କର କି ଇଚ୍ଛା ପୂର୍ଣ୍ଣ ହେଉଥିଲା, ତା କିଏ କହି ପାରିବ ? ଗୋଟିକ ପରେ ଗୋଟିଏ ହୋଇ ମୋର ସଙ୍ଗୀମାନେ ଜଳଜନ୍ତୁ ମୁଖରେ ସମୁଦ୍ରଦେହରେ ଲୀନ ହୋଇଗଲେ । ମୁଁ ସମସ୍ତ ଦେଖି ଦେଖି ନିତାନ୍ତ ଭୟରେ ଦିନରାତି ଭାବି ଚିତ୍କାର କରୁଥାଏଁ । ମାତ୍ର ସମୁଦ୍ରର ଗର୍ଜନ, ଜଳପକ୍ଷୀମାନଙ୍କର କଳକୋଳାହଳ ଓ ଜଳଜନ୍ତୁମାନଙ୍କ ଚହଳରେ ମୋର ସେ ଚିତ୍କାର କେଉଁଆଡ଼େ ଉଭାଇ ଯାଉଥାଏ ! ମୃତ୍ୟୁପୁରୁଷ ଯେ ମୋ ପଛେ ପଛେ ରହି ବରାବର ମୋର କେଶାକର୍ଷଣ କରୁଥିଲା, ତାହା ମୋତେ ପ୍ରତିକ୍ଷଣରେ ଜଣା ପଡ଼ୁଥାଏ ।

 

ମୁଁ ଦିନେ କାତର ହୋଇ ସେହି ପଥରର ଉଚ୍ଚତମ ସ୍ଥାନରେ ବସି ରହି ଚାରିଆଡ଼କୁ ଚାହୁଁଛି ହଠାତ୍‌ ସେହି ବିରାଟ ଜଳଜନ୍ତୁଟା ସମୁଦ୍ରକୁ ଦୁଇ ଭାଗ କରି ପଥର ଉପରକୁ ଡେଇଁ ଆସିଲା । ମୁଁ ଚିତ୍କାର କରି ସେ ପତାକା-ଦଣ୍ଡକୁ ଧରି ଉପରେ ଓହଳି ରହିଲି । ସୁତରାଂ ମୋତେ ସ୍ପର୍ଶ କରିବାକୁ ଅସମର୍ଥ ହେବାରୁ ସେହି ଜଳଜନ୍ତୁ ପୁଣି ପ୍ରବଳ ବେଗରେ ଜଳ ମଧ୍ୟରେ ପ୍ରବେଶ କଲା । ସେହି ଦିନଠାରୁ ମୁଁ ଏତେ ସତର୍କ ହୋଇ ରହିଲି ଯେ, ଯେତେବେଳେ ସେହି ଜନ୍ତୁ ଜଳ ଉପରକୁ ଦେଖାଦିଏ, ମୁଁ ହଠାତ୍‌ ପତାକାଦଣ୍ଡ ଉପରକୁ ଡେଇଁପଡ଼ି ଆଶ୍ରୟ ନେଇ ରହିଥାଏ । ଏହିପରି ଦିନରାତି ସତର୍କ ରହି ମୁଁ କେତେକ ଦିନ ଆତ୍ମରକ୍ଷା କରିବାକୁ ସମର୍ଥ ହୋଇଥିଲି, ମାତ୍ର କି ଉଦ୍ଦେଶ୍ୟରେ ପ୍ରଭୁ ମୋତେ ଏତେଦିନ ବଞ୍ଚାଇ ରଖିଥିଲେ, ମୁଁ ବୁଝିପାରିଲି ନାହିଁ । ବିଧାତାଙ୍କ ବିଧାନ ବିଚିତ୍ର !

 

ମାତ୍ର ଅନାହାର, ଅନିଦ୍ରା ଓ ଭୟରେ ମୋର ପ୍ରାଣ ସ୍ୱତଃ ବାହାରିଯିବାକୁ ବସିଲା । ଆଉ ବଞ୍ଚିରହିବା କଷ୍ଟକର ହେଲା । ମୁଁ ବିଚାରିଲି, ଜଳଜନ୍ତୁ ମୁଖକୁ ଡେଇଁପଡ଼ି ଏହି ଅସାର ଜୀବନ ଶେଷ କରିଦେବି । କିନ୍ତୁ ସେହି ଭୀଷଣ ଇଚ୍ଛା ମଧ୍ୟରେ ମୋର ମା’ଙ୍କର ସଜଳ ନୟନ ମୋତେ ଦେଖାଯିବାରୁ ବଞ୍ଚିବାର ବାସନା ପୁଣି ମୋ ଭିତରେ ବଳବତ୍ତର ହୋଇ ଉଠିଲା ।

 

ଦିନେ ସୂର୍ଯ୍ୟ ପ୍ରାୟ ମୁଣ୍ଡ ଉପରକୁ ଆସିବା ସମୟରେ ମୁଁ ଦେଖିଲି, ଯେଉଁଠାରେ ସମୁଦ୍ର ଓ ମେଘ ମିଶିଗଲା ପରି ଜଣାଯାଏ ସେହିଠାରେ ଗୋଟିଏ କୃଷ୍ଣବିନ୍ଦୁ ଦେଖାଗଲା । ବିନ୍ଦୁଟି କ୍ରମେ ବଡ଼ ହେବାକୁ ଲାଗିଲା । ଅଳ୍ପ ସମୟ ପରେ ଗୋଟିଏ ଜାହାଜର ମାସ୍ତୁଲଦଣ୍ଡ ଓ ପତାକା ଦେଖାଗଲା ଏବଂ ଧୀରେ ଧୀରେ ସମୁଦାୟ ଜାହାଜଟି ପୂର୍ଣ୍ଣ ଭାବରେ ମୋର ଦୃଷ୍ଟିଗୋଚର ହେଲା-। ମୁଁ ଆନନ୍ଦିତ ହୋଇ ଖୁବ୍‌ ଉଚ୍ଚ ସ୍ୱରରେ ଚିତ୍କାର କଲି । ମୋର ଡାକ ସେହି ଜାହାଜର ନିକଟରେ ପହଞ୍ଚିଲା କି ନାହିଁ କେଜାଣି, ମାତ୍ର ସତେ ଯେପରି ଏହି ପତାକା ଦେଖି ଜାହାଜ ମୋ ଆଡ଼କୁ ଗତି କଲା । ଏତେଦିନ ପରେ ପ୍ରାଣରକ୍ଷା ହେବା ଆଶାରେ ମୁଁ ଆନନ୍ଦରେ କାନ୍ଦି ପକାଇଲି-। ଜାହାଜ ପଥର ନିକଟରେ ଉପସ୍ଥିତ ହେବାରୁ ମୁଁ ତତ୍‌କ୍ଷଣାତ୍‌ ସେଥିରେ ପ୍ରବେଶ କଲି-

 

ଏହି ଜାହାଜଟି ବ୍ରହ୍ମଦେଶରୁ ସୁମାତ୍ରା ଦ୍ୱୀପମୁଖରେ ଯାତ୍ରା କରୁଥିଲା । ଏଥିରେ ବ୍ରହ୍ମଦେଶବାସୀ ବଣିକମାନେ ପଣ୍ୟସମ୍ଭାର ନେଇ ଯାଉଥିଲେ । ମୁଁ ସେହି ବଣିକମାନଙ୍କ ନିକଟରେ ମୋର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରିବାରୁ ସେମାନେ ମୋତେ ବହୁତ ଆଶ୍ୱାସନା ଦେଲେ ଏବଂ ମୁଁ ଜଗନ୍ନାଥ ଦେଶ ଓ ଗଜପତି ରାଜ୍ୟର ଲୋକ ଥିବାରୁ ମୋତେ ବହୁତ ସମାଦର କଲେ । ସେତେବେଳେ ଚୀନ ଜଳଦସ୍ୟୁମାନେ ଚୀନସାଗର ପାର ହୋଇ ଦକ୍ଷିଣସାଗର, ଉତ୍କଳସାଗର, ବଙ୍ଗସାଗର ଓ ବ୍ରହ୍ମସାଗର ମଧ୍ୟରେ ପ୍ରବେଶ କରି ବଣିକ ଜାହାଜମାନଙ୍କରୁ ବହୁତ ପଣ୍ୟଦ୍ରବ୍ୟ ଓ ଧନରତ୍ନ ଲୁଟି କରି ନେଇ ଯାଉଥିଲେ । ସେତେବେଳେ ସେହି ଜଳଦସ୍ୟୁମାନଙ୍କ ଉତ୍ପାତ ଓ ଅତ୍ୟାଚାର ଏତେ ବେଶୀ ଥିଲା ଯେ, ପ୍ରାୟ ସମସ୍ତ ପୂର୍ବ ଓ ଦକ୍ଷିଣ ସାଗରରେ ନୌବାଣିଜ୍ୟ ଏକପ୍ରକାର ବନ୍ଦ ହୋଇ ଯାଇଥିଲା । ସେମାନଙ୍କର ଅତ୍ୟାଚାର ଅସହ୍ୟ ହେବାରୁ ନିଜେ ଗଜପତି ମହାରାଜା ବିସ୍ତର ନୌସୈନ୍ୟ ଓ ଜାହାଜ ନେଇ ସମସ୍ତ ସାଗର ବୁଲି ବୁଲି ସେମାନଙ୍କୁ ଅନେକ ପରିମାଣରେ ଧ୍ୱଂସ କରିଥିଲେ । ସେମାନେ ପୁରୀରାଜାଙ୍କ ପ୍ରବଳ ଆକ୍ରମଣରେ ଏତେ ଭୀତ ହୋଇଥିଲେ ଯେ, ଆଉ ପୂର୍ବସାଗର ମୁଖରେ ଅଗ୍ରସର ହେବାକୁ ସାହାସ କରୁ ନ ଥିଲେ । ସେଥିଲାଗି ଆଜି ଦେଶବିଦେଶର ଜାହାଜମାନ ଅବାଧରେ ସାଗର ମନ୍ଥନ କରୁଥିଲା ଏବଂ ସେହି ଉପକାର ଯୋଗୁଁ ଆଜି ଗଜପତିଙ୍କର ଜଣେ ସାମାନ୍ୟ ପ୍ରଜା ହୋଇ ମୁଁ ବିଦେଶୀ ବଣିକମାନଙ୍କର ସହାନୁଭୂତି ଓ ଆଦର ଆକର୍ଷଣ କରିପାରିଥିଲି ।

 

ମୋର ଦୀନହୀନ ଓ ନିରାଶ୍ରୟ ଅବସ୍ଥା ଦେଖି ବଣିକମାନେ ପ୍ରତ୍ୟେକ ନିଜ ନିଜ ପଣ୍ୟସମ୍ଭାରରୁ ମୋତେ କିଛି କିଛି ଦାନ କଲେ । ସେହିସବୁ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସ୍ୱୟଂ ବାଣିଜ୍ୟ କରିବାକୁ ପ୍ରସ୍ତୁତି ହେଲି । ଆମ୍ଭେମାନେ ସମୁଦ୍ର ମଧ୍ୟରେ କେତେକଦିନ ଅବାଧ୍ୟ ଗତି କରି ଶେଷରେ ଗୋଟିଏ ଦ୍ୱୀପ ନିକଟରେ ନଙ୍ଗର କଲୁଁ । ମୁଁ ଜଣେ ବଣିକଙ୍କଠାରୁ ଶୁଣିଲି, ଏହି ଦ୍ୱୀପକୁ ସେମାନେ “ଆନ୍ଧ୍ରମାନ” ବୋଲି ଆଖ୍ୟା ଦେଇଥାନ୍ତି । ଆନ୍ଧ୍ରଦେଶର ବଣିକମାନେ ପ୍ରଥମେ ଏହି ଦ୍ୱୀପକୁ ଆବିଷ୍କାର କରିଥିବାରୁ, ସେମାନେ ନିଜଦେଶର ନାମାନୁସାରେ ଏହାର ନାମ “ଆନ୍ଧ୍ରମାନ” ରଖିଥିଲେ ।

 

ଜାହାଜ ଦ୍ୱୀପକୂଳରେ ନଙ୍ଗର କରିବାରୁ ଆମ୍ଭେମାନେ ଭୂମି ଉପରକୁ ଯାଇ ଚତୁର୍ଦ୍ଦିଗରେ ବୁଲିବାକୁ ଲାଗିଲୁଁ । ସମୁଦାୟ ସ୍ଥାନଟି ବଡ଼ ରମଣୀୟ ଓ ପ୍ରୀତିପ୍ରଦ ବୋଧ ହେଉଥାଏ-। ନିକଟରେ ଗୋଟିଏ ସ୍ୱଚ୍ଛଜଳ ଝରଣା କଳ କଳ ହୋଇ ବହିଆସି ସମୁଦ୍ର ଦେହରେ ମିଶି ଯାଉଥାଏ । ଆମ୍ଭେମାନେ କ୍ଷୁଧାର୍ତ୍ତ ଥିବାରୁ ଝରଣା କୂଳରେ ନିଜ ନିଜର ଖାଦ୍ୟ ଖାଇ ଗୋଟିଏ ବୃକ୍ଷଛାୟାରେ ଶୟନ କଲୁଁ । କିନ୍ତୁ ଅଧିକାଂଶ ବଣିକ ଖାଇସାରି ଜାହାଜ ଦେହକୁ ଚାଲିଗଲେ । ଆଜି ବହୁଦିନ ପରେ ଟିକିଏ ବିଶେଷ ସ୍ୱାଚ୍ଛନ୍ଦ୍ୟ ଅନୁଭବ କରୁଥିବାରୁ ମୁଁ ନିଶ୍ଚିନ୍ତ ହୋଇ ଯେ କେତେକାଳ ଶୋଇ ରହିଲି ତା ଆଉ କ’ଣ କହିବି ?

 

ମାତ୍ର ଯେତେବେଳେ ମୋର ନିଦ୍ରା ଭାଙ୍ଗିଲା, ମୁଁ ଦେଖିଲି, ମୋର ସଙ୍ଗୀମାନେ ଜାହାଜକୁ ଚାଲିଯାଇଅଛନ୍ତି ଏବଂ ମୁଁ ସେହି ନିର୍ଜନ ସ୍ଥାନରେ ଏକାକୀ ଶୟନ କରିଅଛି । ମୁଁ ବିହ୍ୱଳ ହୋଇ ଚିତ୍କାର କରିଉଠିଲି ଏବଂ ସମୁଦ୍ର ଆଡ଼କୁ ଦୌଡ଼ିଗଲି । ଦେଖିଲି, କୂଳରେ ଆଉ ଜାହାଜ ନାହିଁ । ନିରୀକ୍ଷଣ କରି ଦେଖିଲି, ବହୁଦୂରରେ ଜାହାଜ ମାସ୍ତୁଲର ଉଚ୍ଚଚୂଡ଼ା ସମୁଦ୍ର ଦେହରେ ମିଶିଗଲା । ମୁଁ ତାହାର କାରଣ କିଛି ବୁଝି ନ ପାରି ଉଚ୍ଚ ସ୍ୱରରେ ଚିତ୍କାର କରି ଡାକ ଦେଲି । ମାତ୍ର ମୋର ଡାକ ବଣିକମାନଙ୍କର ଶ୍ରୁତିଗୋଚର ହେଲାନାହିଁ-। ଗୋଟିଏ ବିପଦରୁ ନିସ୍ତାର ଲାଭ କରି ପୁଣି ଆଉ ଏକ ବିପଦରେ ପଡ଼ିବାରୁ ମୋ ମୁଣ୍ଡରେ ଅଗ୍ନି ଜଳିଉଠିଲା । ମୁଁ ବାତୁଳପ୍ରାୟ ହୋଇ ଏଣେତେଣେ ଦୌଡ଼ାଦୌଡ଼ି କଲି । ଯେଉଁଠାରେ ଶୋଇଥିଲି, ସେ ସ୍ଥାନକୁ ଫେରିଆସି ଦେଖିଲି, ବଣିକମାନଙ୍କର ଖାଦ୍ୟଦ୍ରବ୍ୟ ସବୁ ପୂର୍ବପରି ଥୁଆ ହୋଇଅଛି । ମୁଁ ସେହି ଗଛମୂଳରେ ବସିପଡ଼ି ବଡ଼ପାଟିରେ କାନ୍ଦିବାକୁ ଲାଗିଲି । ମୋର କାନ୍ଦ କେହି ଶୁଣିଲା ନାହିଁ । କେବଳ ନିକଟବର୍ତ୍ତୀ ପର୍ବତ ଓ ଗହନ ବନଭୂମି ପ୍ରତିଧ୍ୱନି ଛଳରେ ମୋତେ ସେମାନଙ୍କର ଅସ୍ପଷ୍ଟ ସାନ୍ତ୍ୱନା ଦାନ କରୁଥିଲେ ।

 

ତାହା ପରେ ମୁଁ ମୋର ଅବସ୍ଥା ଓ ବିପଦର କଥା ମନେ ମନେ ଭାବି ଭାବି ଚୁପ ହୋଇ ସେହି ବୃକ୍ଷମୂଳରେ ବସିଅଛି, ଏପରି ସମୟରେ ହଠାତ୍‌ ଗୋଟିଏ ତୀକ୍ଷ୍‌ଣ ଶର ମୋ କାନ ପାଖଦେଇ ଝାଇଁ ଝାଇଁ କରି ଚାଲିଗଲା । ପରେ ପରେ ପ୍ରକାଣ୍ଡ ପଥରସବୁ ବୃକ୍ଷଲତା ଭେଦକରି ମୋର ଚତୁର୍ଦ୍ଦିଗରେ ପଡ଼ିବାକୁ ଲାଗିଲା । ମୁଁ ଭୟବିହ୍ୱଳ ହୋଇ ସେହି ବୃକ୍ଷନିକଟକୁ ଆଉଜି ପଡ଼ି ତୁନୀ ହୋଇ ରହିଗଲି । ଏହି ଶର ଓ ପଥରସବୁ କିଏ ଫିଙ୍ଗୁଅଛି, କାହିଁକି ବା ଫିଙ୍ଗୁଅଛି, ମୁଁ କିଛି ବୁଝିପାରିଲି ନାହିଁ । ଯେଉଁ ପଥରସବୁ ମୋତେ ଲକ୍ଷ୍ୟକରି ଆସିଥିଲା ସେଥିରୁ ଗୋଟିଏ ମୋ ଦେହରେ ବାଜିଥିଲେ ,ମୋର ପ୍ରାଣ ଚାଲି ଯାଇଥାନ୍ତା । ପରେ ପରେ ଭଗବାନ ମୋତେ ଯେଉଁସବୁ ବିପଦ ମଧ୍ୟରେ ପକାଉଥିଲେ, ତାହା ସବୁ ଏପରି ଭାବରେ ବହନ କରିବାକୁ ମୋ ଦେହରେ ଧୈର୍ଯ୍ୟ ରହୁ ନ ଥିଲା । ମୁଁ ପୂର୍ବରୁ ‘ସୁଭଦ୍ରା’ ଜାହାଜର ଅଧ୍ୟକ୍ଷଙ୍କଠାରୁ ଶୁଣିଥିବା ଏହିସବୁ ଦ୍ୱୀପ ଓ ସେଥିରେ ବାସ କରୁଥିବା ବଣୁଆ ଅଧିବାସୀମାନଙ୍କ କଥା ସ୍ମରଣ କଲି । ଏହି ବଣୁଆ ଲୋକଗୁଡ଼ିକ ବଣିକମାନଙ୍କଠାରୁ ଖାଦ୍ୟ ପାଇବାଲାଗି ବଡ଼ ବଡ଼ ପଥରସବୁ ଫିଙ୍ଗି ସେମାନଙ୍କୁ ଭୟବିହ୍ୱଳ କରିପକାନ୍ତି ଏବଂ ସେମାନେ ପଳାଇଲା ପରେ ସେମାନଙ୍କର ଜିନିଷପତ୍ର ଘେନିଯାନ୍ତି । ମାତ୍ର ଆର୍ଯ୍ୟ ସୁଶିକ୍ଷିତ ମନୁଷ୍ୟମାନଙ୍କ ପ୍ରତି ଏମାନଙ୍କର ବିଶେଷ ଭୟ ।

 

ମୁଁ ସେହି ଗଛମୂଳେ ଲତା ଗହଳରେ ନିଜକୁ ଲୁଚାଇ ବସିଅଛି, ହଠାତ୍‌ ଗୁଡ଼ାଏ ଲୋକ-ଅନ୍ଦାଜ କୋଡ଼ିଏଜଣ ପର୍ଯ୍ୟନ୍ତ-ଚିତ୍କାର କରି ମୋ ନିକଟକୁ ଦୌଡ଼ି ଆସିଲେ । କେହି କେହି ହାତରେ ଧନୁଶର, କେହି କେହି ଗୋଟାଏ ଗୋଟାଏ ପଥର, ବା ବଡ଼ ବଡ଼ କାଠ ଧରି ଏପରି ଚିତ୍କାର କରି ଆସିଲେ ଯେ, ସେଥିରେ ମୋ ମଜ୍ଜା ପର୍ଯ୍ୟନ୍ତ ଭୟରେ ଥରିଗଲା । ଲୋକଗୁଡ଼ିକ କଦାକାର, ଖର୍ବାକୃତି ଓ କଳା କଳା ହୋଇ ଯମଦୂତ ପରି ଦେଖାଯାଉଥିଲେ । ମନୁଷ୍ୟକୁ ଚାହୁଁ ଚାହୁଁ ମାରିଦେବାରେ ଏମାନେ କିଛି କୁଣ୍ଠାବୋଧ କରନ୍ତି ନାହିଁ । ମୁଁ ଏତେଗୁଡ଼ାଏ ବୀଭତ୍ସ ନରହନ୍ତାଙ୍କୁ ଏକାବେଳେ ଦେଖି ଭୟରେ ପାଟିକରି ଉଠିଲି । ମାତ୍ର ବଣୁଆଗୁଡ଼ାକ ମୋ ପାଟିରେ କିଛିମାତ୍ର ବିଚଳିତ ନ ହୋଇ ମୋ ନିକଟକୁ ଆସି ଗଛମୂଳରୁ ମୋତେ ପଦାକୁ ଭିଡ଼ିନେଲେ ଏବଂ ପଥର, ଶର ଓ କାଠ ସବୁ ଦେଖାଇ ଦଉଡ଼ିଦ୍ୱାରା ମୋର ହାତଗୋଡ଼ ସବୁ ବାନ୍ଧି ପକାଇଲେ । ତାହା ପରେ ସେମାନେ ଗୁଡ଼ାଏ ଚିଁ ଚାଁ ହୋଇ ମୋତେ ଟେକି ନେଇ ପର୍ବତ ଉପରକୁ ପଳାଇଲେ-

 

ସେମାନେ ମୋତେ ନେଇଯାଉଥିବା ସମୟରେ ମୁ ମନେ ମନେ ଉଦ୍ଧାରର ଉପାୟ ସ୍ଥିର କରୁଥାଏଁ, ମାତ୍ର ଏହି ଦୁର୍ବୃତ୍ତମାନଙ୍କଠାରୁ ନିସ୍ତାରର ଉପାୟ ସେତେବେଳେ ମୋ ମୁଣ୍ଡରେ ପଶିଲାନାହିଁ । ସେମାନେ ମୋତେ ପର୍ବତ ଉପରକୁ ନେଇ ମୋର ବନ୍ଧନ ଖୋଲିଦେଲେ । ମୁଁ ତାହା ପରେ ହାତଯୋଡ଼ି ସଙ୍କେତଦ୍ୱାରା ସେମାନଙ୍କୁ ଜଣାଇଲି, ମୋର ପ୍ରାଣରକ୍ଷା କଲେ ମୁଁ ସେମାନଙ୍କର ବହୁତ କାର୍ଯ୍ୟରେ ଲାଗିବି । ଯାହାହେଉ, ପିଶାଚଗୁଡ଼ାକ ମୋର ସଙ୍କେତ ବୁଝିପାରି ଓ ବିନୟ ଦେଖି ମୋ ପ୍ରତି ଦୟା ଦେଖାଇଲା ପରି ବୋଧ ହେଲା । ସେମାନେ ମୋର ବନ୍ଧନସବୁ ଖୋଲିଦେଇ ମୋତେ ଗୋଟିଏ ଗୁମ୍ଫାଭିତରେ ରଖି, ତାହା ମୁହଁରେ ଗୋଟିଏ ପ୍ରକାଣ୍ଡ ପଥର ରଖିଦେଇ ପୁଣି କେଉଁଆଡ଼େ ପଳାଇଗଲେ ।

 

ମୁଁ ଗୁମ୍ଫା ମଧ୍ୟରେ ରହି ଚାରିଆଡ଼କୁ ଅନାଇ ଦେଖିଲି, ଗୁମ୍ଫାଟି ବେଶ୍‌ ପ୍ରଶସ୍ତ ହେଲେହେଁ କେବଳ ଅନ୍ଧକାରରେ ପୂର୍ଣ୍ଣ ହୋଇ ରହିଅଛି । ପଥର ଦେହରେ ସ୍ଥାନେ ସ୍ଥାନେ ଛିଦ୍ର ଥିବାରୁ ସେହି ଛିଦ୍ରପଥ ଦେଇ ସାମାନ୍ୟ ସୂର୍ଯ୍ୟକିରଣ ସେ ଗୁମ୍ଫା ମଧ୍ୟରେ ପ୍ରବେଶ କରୁଥିଲା । ମୋ ମନରେ ଏତେ ଭୟ ହେଉଥିଲା ଯେ, ମୋର ଆଉ ଜୀବନର ଆଶା ନ ଥିଲା । ମୁଁ ଗୋଟିଏ ସ୍ଥାନରେ ଚୁପ୍‌ ହୋଇ ବସି କେବଳ କାନ୍ଦିବାକୁ ଲାଗିଲି । ସେତେବେଳେ ମନେ ହେଉଥାଏ ବରଂ ଭିକ୍ଷା କରି ମାଆଙ୍କ ଗାଳି ଶୁଣି ଘରେ ହେଲେ ରହିଥାନ୍ତି କିନ୍ତୁ ଏହି ମୃତ୍ୟୁସଂକଟ ମଧ୍ୟରେ ଧନ-ଲାଭର ଆଶା କରି ରହିବା ବିଡ଼ମ୍ୱନାର ବିଷୟ । ଟିକିଏ ସାମାନ୍ୟ ଶବ୍ଦ ହେଲେ ମୋ ଦେହରେ ରକ୍ତ ଜମାଟ ବାନ୍ଧି ଯାଉଥାଏ । ମୁଁ ମନେ କରୁଥିଲି, ସତେ ଯେପରି ବଣୁଆଗୁଡ଼ାକ ମୋର ପ୍ରାଣ ହରଣ କରିବାକୁ ଦଳବଦ୍ଧ ହୋଇ ପୁଣି ଫେରି ଆସିଲେଣି ।

 

ମୁଁ ଏହିପରି ସେହି ଗୁମ୍ଫା ମଧ୍ୟରେ ତୁନୀ ହୋଇ ବସି ମନ ମଧ୍ୟରେ ନାନାଚିନ୍ତା କରୁଅଛି, ଏପରି ସମୟରେ ଦେଖିଲି, ସେହି ଗୁମ୍ଫା ମଧ୍ୟରେ ସୂର୍ଯ୍ୟକିରଣ ହଲଚଲ ହେବାକୁ ଲାଗିଲା । ମୁଁ ହଠାତ୍‌ କିଛି କାରଣ ସ୍ଥିର କରି ନ ପାରି ସେହି ଛିଦ୍ରପଥ ଦେଇ ବାହାରକୁ ଅନାଇଲି । ଦେଖିଲି, ଗୋଟିଏ ବଣୁଆ ସ୍ତ୍ରୀଲୋକ ସେହି ପଥର ଉପରେ ଛିଡ଼ା ହୋଇ ଚତୁର୍ଦ୍ଦିଗକୁ ଚଞ୍ଚଳ ନୟନରେ ଚାହୁଁଅଛି । ମୁଁ ମନେକଲି, ମୋତେ ଜଗିରହିବା ଲାଗି ଏହି ସ୍ତ୍ରୀଲୋକଟି ବୋଧହୁଏ ପ୍ରହରୀ କାର୍ଯ୍ୟରେ ନିଯୁକ୍ତା ଅଛି । ଚତୁର୍ଦ୍ଦିଗରେ ଏହିସବୁ ଭୟର କାରଣ ଦେଖି ମୁଁ ଜୀବନର ଆଶା ଛାଡ଼ି ବସିଥିଲି । ଅଳ୍ପ ସମୟ ପରେ ଗୁମ୍ଫାମୁହଁରୁ ପଥରଟି ବାହାର କରିଦେଇ ସେହି ସ୍ତ୍ରୀଲୋକଟି ଗୁମ୍ଫାମଧ୍ୟରେ ପ୍ରବେଶ କଲା । ତା’ର ଭୀଷଣ ରୂପ ଓ ପତ୍ର-ପରିଧାନ ଦେଖି ମୁଁ ତାକୁ ଯମଦେବତାଙ୍କ ଭଉଣୀ ବୋଲି ମନେକଲି । ମାତ୍ର ମୁକ୍ତିଲାଭର ଆଉ କୌଣସି ଉପାୟ ନ ଥିବାରୁ ମୁଁ ସ୍ଥିର ହୋଇ ତା’ର ଗତିବିଧି ଲକ୍ଷ୍ୟ କରିବା ଲାଗି ସାହସ ଓ ଧୈର୍ଯ୍ୟ ଧରି ରହିଲି ।

 

ସ୍ତ୍ରୀଲୋକଟି ମୋ ନିକଟକୁ ଆସି ମୋ ମୁଣ୍ଡରେ, ମୁହଁରେ ଓ ଦେହରେ ହାତ ବୁଲାଇ ଆଉଁସିବାକୁ ଲାଗିଲା । ତାହା ପରେ ଚେଁ ଚାଁ ହୋଇ କ’ଣ ଗୁଡ଼ାଏ ଅସ୍ପଷ୍ଟଶଦ୍ଦ କରୁଥାଏ । ସେଥିରୁ ମୁଁ କିଛି ବୁଝି ପାରିଲି ନାହିଁ । ତେବେ ତା’ର ଭାବଭଙ୍ଗୀ ଦେଖି ମୋର ଏତିକି ମନେହେଲା, ସେ ମୋର କିଛି ଅନିଷ୍ଟ କରିବ ନାହିଁ । ତତ୍ପରେ ସେ ପୁଣି ଗୁମ୍ଫା ଭିତରୁ ପଳାଇଗଲା । ଘଟଣାର ଏହି ସବୁ ପରିବର୍ତ୍ତନ ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲି । ହଠାତ୍‌ ସେହି ସ୍ତ୍ରୀଲୋକଟି ପୁଣି କେତେଗୁଡ଼ିଏ ବନଜାତ ଫୁଲ, ପତ୍ର ଓ ଡାଳ ଆଣି ମୋତେ ସଜାଇବାକୁ ଲାଗିଲା । ମଧ୍ୟେ ମଧ୍ୟେ ମୋ ମୁଣ୍ଡରେ ତା’ର ମୁଣ୍ଡ ଘଷିଦେଉଥାଏ ଏବଂ ମଧ୍ୟେ ମଧ୍ୟେ ପୁଣି ଗୁମ୍ଫା ମୁହଁକୁ ଯାଇଁ ଚତୁର୍ଦ୍ଦିଗକୁ ଚାହିଁ ଦେଉଥାଏ । ସେ ଯେ ମୋ ପ୍ରତି ଏହିପରି ଗୁପ୍ତ ସ୍ନେହର ବଶବର୍ତ୍ତୀ ହୋଇଅଛି, ତାହା ତା’ର ଗତିବିଧିରୁ ମୋର ବୁଝିନେବାକୁ ବାକି ରହିଲା ନାହିଁ । ମୋ ମନରେ ଯେତେବେଳେ ଏହି ଧାରଣା ହେଲା, ମୁଁ ମନେ ମନେ କାନ୍ଦି ପକାଇଲି । ମୁଁ ମନେକଲି, ବିପଦ-ଦୁର୍ଦ୍ଦିନରେ ମଧ୍ୟ ସର୍ବଶକ୍ତିମାନ ଭଗବାନ ସୁଖର ସୂତ୍ରପାତ କରିପାରନ୍ତି । ଯେଉଁମାନଙ୍କ ହାତରେ ମୋର ଜୀବନ ସଂଶୟାପନ୍ନ, ସେହିମାନଙ୍କ ମଧ୍ୟରୁ ଜଣେ ପୁଣି ମୋ ପ୍ରତି ସ୍ନେହାଶକ୍ତ । ମୁଁ ମନେ ମନେ କହିଲି, “ଭଗବାନ୍‌, ଏ ତୁମର ବିଚିତ୍ର ଲୀଳା” !

 

ତାହା ପରେ ସ୍ତ୍ରୀଲୋକଟି ପୁଣି ବାହାରକୁ ଯାଇ କେତେକ ସମୟ ପରେ ଗୁଡ଼ାଏ ଡାଳପତ୍ର ଓ ଲଇ ନେଇ ଫେରିଆସିଲା । ମୁଁ ଏ ସବୁର ଅର୍ଥ କିଛି ବୁଝି ପାରୁ ନ ଥାଏ । ଦେଖିଲି ସ୍ତ୍ରୀଲୋକଟି ସଙ୍ଗେ ସଙ୍ଗେ ଡାଳପତ୍ରଗୁଡ଼ା ଲଇ ସାହାଯ୍ୟରେ ନିଜର ସ୍ୱାଭାବିକ କ୍ଷିପ୍ର ହସ୍ତରେ ଗୁନ୍ଥିବାକୁ ଲାଗିଲା । ଗୁନ୍ଥା ସରିଲାରୁ ସେଥିରେ ମୋର ଆପାଦମସ୍ତକ ଆବୃତ୍ତ କରିଦେଲା । ମୁଁ ନିର୍ବାକ ହୋଇ ସମସ୍ତ ଦେଖୁଥାଏଁ । ମାତ୍ର ତା’ର କୌଣସି କାର୍ଯ୍ୟରେ ବାଧା ଦେବାକୁ ମୋର ସାହସ ହେଉ ନ ଥାଏ । ମୋର ଏହିପରି ଛଦ୍ମବେଶ ରଚନା ଶେଷ ନ ହେଉଣୁ, ଦୂରରୁ ବଣୁଆ ପୁରୁଷମାନଙ୍କର ଅସ୍ପଷ୍ଟ ଚିତ୍କାର ଧ୍ୱନି ଶୁଣାଗଲା । ସେହି ସ୍ତ୍ରୀଲୋକଟି ଟିକିଏ ବାହାରକୁ ଯାଇ ସେହି ଶବ୍ଦ ଶୁଣିପାରି ହଠାତ୍‌ ମୋ ହାତ ଧରି ପଦାକୁ ଟାଣିନେଲା ଏବଂ ଗୋଟିଏ ଅଜ୍ଞାତ ସଙ୍କେତ ଦେଇ ଜଙ୍ଗଲ ମଧ୍ୟରେ ଦୌଡ଼ିବାକୁ ଲାଗିଲା । ମୁଁ ସେହି ସଙ୍କେତର ଅର୍ଥ ବୁଝିପାରି ନଥିଲେ ମଧ୍ୟ କୌଣସି କଥା ନ ବିଚାରି ତାହା ପଛରେ ଦୌଡ଼ିବାକୁ ଲାଗିଲି । ଯହୁଁ ଯହୁଁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଥାଏଁ ତହୁଁ ତହୁଁ ଜଙ୍ଗଲ ସାନ୍ଧ୍ର ହେଉଥାଏ ।

 

ଆମ୍ଭେ ଦୁହେଁ ଆଗପଛ ହୋଇ ଦୌଡ଼ି ଦୌଡ଼ି ଆଉ ଗୋଟିଏ ଗୁମ୍ଫା ନିକଟରେ ପହଞ୍ଚିଲୁ । ସ୍ତ୍ରୀଲୋକଟି ମୋତେ ସେହି ଗୁମ୍ଫାମଧ୍ୟରେ ପୂରାଇଦେଇ ଗୁମ୍ଫା ମୁଖକୁ ପଥର ଓ ଡାଳପତ୍ରଦ୍ୱାରା ଆଚ୍ଛନ୍ନ କରିଦେଲା ଏବଂ ପଲକମାତ୍ରେ ଜଙ୍ଗଲ ମଧ୍ୟରେ କେଉଁଆଡ଼େ ଉଭେଇ ଗଲା । ମୁଁ ଏହିପରି ଗୋଟିଏ ଗୁମ୍ଫାରୁ ସ୍ଥାନାନ୍ତରିତ ହୋଇ ଆଉ ଗୋଟିଏ ଗୁମ୍ଫାରେ ଆଶ୍ରୟ ନେଲି ସତ୍ୟ, ମାତ୍ର ମୋର ବଞ୍ଚିବାର ଆଶା କେତେଦୂର ବଳବତ୍ତର, ତାହା କେବଳ ସେହି ପ୍ରଭୁ ନୀଳାଚଳ-ନାଥ ଜାଣୁଥିଲେ । ମୁଁ ଦ୍ୱିତୀୟ ଗୁମ୍ଫାରେ ଆଶ୍ରୟ ନେଇ ମନେ ମନେ ଭାବିଲି, ସ୍ତ୍ରୀଲୋକଟି ବୋଧହୁଏ ମୋତେ ବଣୁଆମାନଙ୍କ ହସ୍ତରୁ ମୃତ୍ୟୁମୁଖରୁ ରକ୍ଷା କରି ଏଠାରେ ଆଶ୍ରୟ ଦେଇଅଛି । ମୁଁ ଉଦ୍ଧାରର ଅନ୍ୟ ଉପାୟ ନ ଦେଖି ମନେ ମନେ ପ୍ରଭୁଙ୍କୁ ସ୍ମରଣ କରି ତୂନୀ ହୋଇ ବସିରହିଲି । ବାହାରେ ସାମାନ୍ୟ ପତ୍ର ଖଡ଼ଖଡ଼ ଶୁଣାଗଲେ କିମ୍ୱା ଗଛପତ୍ର ଦେହରେ ପବନ ଟିକିଏ ଜୋରରେ ବହିଗଲେ ମୁଁ ଚମକି ପଡ଼ୁଥାଏଁ । ଏହିପରି ନାନା ଦୁଃଖ ଯନ୍ତ୍ରଣା ଓ ମାନସିକ ଅଶାନ୍ତି ମଧ୍ୟରେ ସୂର୍ଯ୍ୟଦେବ ଅସ୍ତଗାମୀ ହେଲେ । ପୃଥିବୀ ଗାଢ଼ ଅନ୍ଧକାରରେ ବୁଡ଼ିଗଲା । ମାତ୍ର ବାହାରେ ଯେତେ ଅନ୍ଧକାର, ଗୁମ୍ଫା ମଧ୍ୟରେ ତାହା ଅପେକ୍ଷା ବେଶୀ ଅନ୍ଧକାର ଜଣାଯାଉଥାଏ । ରାତି ଟିକିଏ ବେଶୀ ହେବାରୁ ମୁଁ ଆସ୍ତେ ଆସ୍ତେ ଗୁମ୍ଫା ମୁହଁରୁ ପଥରଖଣ୍ଡି ବାହାର କରି ପଦାକୁ ଆସିଲି । ଗାରିଆଡ଼େ କେବଳ ଅନ୍ଧକାର । ପବନ ଗଛପତ୍ର ହଲାଇ ଧୀରେ ଧୀରେ ବହି ଯାଉଥାଏ-। ଗଛଗୁଡ଼ିକର ଅନ୍ତରାଳରେ ଆକାଶରେ ଗୋଟିଏ ଦୁଇଟି ଉଜ୍ଜ୍ୱଳ ତାରା ଦେଖାଯାଉଥିଲେ । ମୋର ମନେ ହେଲା, ଏହି ସମୟରେ ଏଠାରୁ ପଳାଇଯାଇ ଆତ୍ମରକ୍ଷା କରିବି-। ମାତ୍ର ଚତୁର୍ଦ୍ଦିଗରେ ଦ୍ୱୀପଟିକୁ ଅନନ୍ତସମୁଦ୍ର ଘେରି ରହିଅଛି । କୁଆଡ଼େ ପଳାଇ ଯିବି, କିପରି ବା ଆତ୍ମରକ୍ଷା କରିବି ? ପଦାରେ କୌଣସିଠାରେ ବଣୁଆମାନଙ୍କର ସମ୍ମୁଖରେ ପୁଣି ପଡ଼ିଗଲେ ମୃତ୍ୟୁ ସୁନିଶ୍ଚିତ । ଶେଷରେ କିଛି ଉପାୟ ସ୍ଥିର କରି ନ ପାରି ପୁଣି ସେହି ଗୁମ୍ଫାରେ ଆଶ୍ରୟ ନେଲି ଏବଂ ପୂର୍ବପରି ସେହି ପଥର ଖଣ୍ଡି ଗୁମ୍ଫାମୁହଁରେ ରଖିଦେଲି ।

 

ଯଥାସମୟରେ ସକାଳ ହୋଇଗଲା । କ୍ରମେ କ୍ରମେ ବାହାରେ କିରଣ ଉଜ୍ଜ୍ୱଳତର ହେବାରୁ ସେହି ଉଜ୍ଜ୍ୱଳତାରେ ଗୁମ୍ଫା ଭିତରଟି ମଧ୍ୟ ଆଲୋକିତ ହୋଇ ଉଠିଲା, ମାତ୍ର ବାହାରେ ଚତୁର୍ଦ୍ଦିଗ ନିସ୍ତବ୍‌ଧ । ମୁଁ ତୁନୀହୋଇ ବସିଛି, ସେହି ସ୍ତ୍ରୀଲୋକଟି ହଠାତ୍‌ ଗୁମ୍ଫାମୁହଁରୁ ପଥରଖଣ୍ଡି ଖୋଲିଦେଇ ଭିତରକୁ ପ୍ରବେଶକଲା । ମୁଁ ମୋର ଜୀବନର ଉଦ୍ଧାରକର୍ତ୍ତ୍ରୀକୁ ଦେଖି ଟିକିଏ ଆଶ୍ୱସ୍ତ ହେଲି । ସ୍ତ୍ରୀଟି ପୂର୍ବପରି ମୋର ସର୍ବାଙ୍ଗ ନିଜହାତରେ ଆଉଁସିଦେଇ ମୋ ବାହୁପାଶରେ ତା’ର ଗଳାଟିକୁ ବାନ୍ଧି ପକାଇଲା ଏବଂ ଟିକିଏ ଟିକିଏ ମୋ ମୁହଁ ଆଡ଼କୁ ଚାହିଁ ଦେଇ ହସି ଦେଉଥିଲା । ସେହି ଚାହାଣୀ, ସେହି ହାସ୍ୟ ଓ ସେହି ଆଉଁସାରେ ଯେ କି ଅର୍ଥ ଥିଲା, ତାହା କେବଳ ତାକୁ ଜଣା-। ଯାହାର ଜୀବନ ସଂଶୟାପନ୍ନ, ତାକୁ ଏସବୁ ଜଣାଯିବ କିପରି ? ସ୍ତ୍ରୀଟି ଏହିପରି ସ୍ନେହର କେତେକ ଅଭିନୟ କରି ନିଜର ସ୍ୱାଭାବିକ ଚେଁ ଚାଁ ଶବ୍ଦରେ କଣଗୁଡ଼ାଏ କହି ପକାଇଲା ।

 

ତାହା ପରେ ସେ ଡାଳପତ୍ର ମଧ୍ୟରୁ ଦୁଇଟି ଜିନିଷ ବାହାରକରି ମୋ ଉପରକୁ ଫିଙ୍ଗିଦେଲା । ସେହି ଦୁଇଟି ଜିନିଷ ଦେଖି ମୋ ଚକ୍ଷୁ ସ୍ଥିର ହୋଇଗଲା । ଏ ଯେ ଦୁଇଟି ମୂଲ୍ୟବାନ ରତ୍ନହାର ! ହାର ଦୁଇଟିର ଉଜ୍ଜ୍ୱଳତାରେ ଗୁମ୍ଫାଭିତର ଆଲୋକିତ ହୋଇଗଲା । ହାରଦୁଇଟି ମୋ ଉପରକୁ ଫିଙ୍ଗିଦେଇ ସ୍ତ୍ରୀଲୋକଟି ହସି ହସି ମୋ ଉପରକୁ ଢଳିପଡ଼ିଲା । ମୁଁ ଥରେ ସେହି ସ୍ତ୍ରୀଲୋକଟିକୁ ଓ ଥରେ ସେହି ରତ୍ନହାର ଦୁଇଟିକୁ ଚାହିଁ ଦେଉଥାଏଁ । ମୋ ମନରେ ଯେ ଆନନ୍ଦ ହେଲା, ସେଥିରେ ମୁଁ କେତେକ ସମୟ ଲାଗି ମୋର ସମସ୍ତ ବିପନ୍ନାବସ୍ଥା ଭୁଲିଗଲି । ଧନଲାଭ କରିବା ମନୁଷ୍ୟର ଗୋଟିଏ ଦୁର୍ଦ୍ଦମନୀୟ ଲାଳସା । ସେହି ଧନାର୍ଜ୍ଜନ ଲାଗି ଆଜି ମୁଁ ଦେଶତ୍ୟାଗୀ ହୋଇ ଏହି ଘୋର ବିପଦଗୁଡ଼ିକର ସମ୍ମୁଖୀନ ହୋଇଅଛି । ଆଜି ଅଯାଚିତ ଭାବରେ ଏ ଯେଉଁ ରତ୍ନ ଲାଭ କରିଅଛି, ତାହାରି ମୂଲ୍ୟରେ ମୁଁ, ମୋର ମା ଓ ପିଲାମାନେ ଚିରଜୀବନ ସୁଖରେ କଟାଇପାରୁଁ । ମାତ୍ର ଏଠାରୁ ଉଦ୍ଧାରର ତ ଉପାୟ ନାହିଁ । ଏହି ରତ୍ନହାର ନେଇ କଣ କରିବି ? ଏହିପରି ଭାବୁ ଭାବୁ ସ୍ତ୍ରୀଲୋକଟି ଡାଳପତ୍ର ଦେହରୁ ପୁଣି କେତେକ ଫଳମୂଳ ବାହାର କରି ମୋତେ ଖାଇବାକୁ ଦେଲା । ମୁଁ ଖାଇସାରିବା ପରେ ସେ ପୁଣି ବିଜୁଳିବେଗରେ ବନମଧ୍ୟରେ କେଉଁଆଡ଼େ ମିଶିଗଲା ।

 

ମୁଁ ପୂର୍ବବତ୍‌ ଗୁମ୍ଫାମଧ୍ୟରେ ବସିରହି ମୋର ସମସ୍ତ ଅବସ୍ଥାର କଥା ଆଲୋଚନା କରିବା ସଙ୍ଗେ ସଙ୍ଗେ ସେହି ରତ୍ନହାର ଦୁଇଟି ପରୀକ୍ଷା କରିବାକୁ ଲାଗିଲି । ମୋର ମନେ ହେଲା, ବଣୁଆମାନେ କୌଣସି ବଣିକଜାହାଜକୁ ଏହି ଦ୍ୱୀପ ନିକଟରେ ଆକ୍ରମଣ କରି, ବଣିକମାନଙ୍କୁ ମାରିଦେଇ, ସେମାନଙ୍କର ସମସ୍ତ ବାଣିଜ୍ୟସମ୍ପଦ ଲୁଣ୍ଠନ କରିଅଛନ୍ତି ।ଏ ହାର ଦୁଇଟି ସେହି ଲୁଣ୍ଠନଲବ୍ଧ ସମ୍ପତ୍ତି । ବଣୁଆଗୁଡ଼ାକ ଏହାର ମୂଲ୍ୟ ବୁଝି ନ ଥିବାରୁ ଏଥିପ୍ରତି ଏପରି ତୁଚ୍ଛ ବ୍ୟବହାର କରୁଅଛନ୍ତି । ମାତ୍ର ସଭ୍ୟ ଶିକ୍ଷିତ ଦେଶରେ ଏହାର ମୂଲ୍ୟ କେତେ ଅଧିକ ନୁହେଁ ?

 

ଯାହାହେଉ,ସେହି ସ୍ତ୍ରୀଲୋକଟି ଯୋଗୁଁ ବନ୍ୟ ଫଳମୂଳ ଖାଇ ମୁଁ କଥଞ୍ଚିତ୍‌ ପ୍ରାଣଧାରଣ କରିବାକୁ ସମର୍ଥ ହେଲି । ସ୍ତ୍ରୀଲୋକଟି ଦିନମଧ୍ୟରେ ମୋ ନିକଟକୁ ଦୁଇଥର ଆସି ମୋତେ ଫଳମୂଳ ଦେଇଯାଏ ଏବଂ ମୋ ନିକଟରେ କେତେକସମୟ ରହି ସ୍ନେହର ଅଭିନୟ କରେ । ଏହିପରି ଭାବରେ କେତେକ ଦିନ ଅତିବାହିତ ହୋଇଗଲା । ବଣୁଆମାନେ ମୋର ଗୁପ୍ତ ବାସସ୍ଥାନ ସମ୍ୱନ୍ଧରେ କିଛି ଜାଣୁ ନ ଥିଲେ । ଜାଣିଥିଲେ ବୋଧହୁଏ ମୋର ପ୍ରାଣ ରହି ନ ଥାନ୍ତା । ମୁଁ କେତେକ ପରିମାଣରେ ସୁଖରେ ଓ ନିରାପଦରେ ରହି ମନେ ମନେ ଉଦ୍ଧାରର ଉପାୟ ସ୍ଥିର କରୁଥାଏଁ । ମାତ୍ର ଯେତିକି ଚିନ୍ତା କରୁଥାଏଁ, ସେତିକି ମୋ ମନରେ ଦୁଃଖ ଜାତ ହେଉଥାଏ; ଏବଂ ମୋର, ମୋର ମାଆଙ୍କର ସ୍ମୃତି ମନମଧ୍ୟରେ ଜାତ ହୋଇ ହୃଦୟକୁ ଆଲୋଡ଼ିତ କରି ପକାଉଥାଏ-। ମୁଁ କେବଳ ମନେ ମନେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବା ଛଡ଼ା ଅନ୍ୟ କିଛି କରି ପାରୁ ନ ଥିଲି ।

 

ଏହିପରି କିଛିଦିନ ଅତିବାହିତ ହେବାପରେ ଦିନେ ସକାଳେ ବଣୁଆଗୁଡ଼ାକ ହଠାତ୍‌ ଭୟାନକ ଚିତ୍କାର କରି ମୋର ଗୁମ୍ଫା ନିକଟଦେଇ ଦୌଡ଼ି ପଳାଇଗଲେ । ସେମାନଙ୍କ ପଦଶବ୍ଦ ଓ ଚିତ୍କାର ଧ୍ୱନିରେ ମୋର ସର୍ବାଙ୍ଗ ଥରିଉଠିଲା । ମୁଁ ମନେକଲି, ସେମାନେ ମୋତେ ହତ୍ୟା କରିବାଲାଗି ବୋଧହୁଏ ବରାବର ଖୋଜୁଅଛନ୍ତି । ସତକୁ ସତ, ସେମାନଙ୍କ ମଧ୍ୟରୁ କେତେଜଣ ସେହି ଗୁମ୍ଫା ନିକଟରେ ଛିଡ଼ା ହୋଇ ଅନେକକ୍ଷଣ କଣଗୁଡ଼ାଏ କଥାବାର୍ତ୍ତା କଲେ । ମାତ୍ର ଗୁମ୍ଫା ମୁହଁଟି ପଥର ଓ ଡାଳପତ୍ରଦ୍ୱାରା ଆଚ୍ଛନ୍ନ ଥିବାରୁ, ମୁଁ ସେହି ଗୁମ୍ଫା ଭିତରେ ରହିଥିବା ସେମାନେ ଅନୁମାନ କରିପାରି ନ ଥିଲେ । ସେହିଦିନ ବଣୁଆମାନଙ୍କର ଏହିସବୁ ଗୋଳମାଳ ଯୋଗୁଁ ସ୍ତ୍ରୀଲୋକଟି ମୋ ନିକଟକୁ ଆସିପାରି ନ ଥିଲା । ବାସ୍ତବିକ୍‌ ମୁଁ ତାକୁ ସେହିଦିନ ନ ଦେଖି ମନେ ମନେ ବହୁତ ବିପଦର ଆଶଙ୍କା କରୁଥିଲି । ମାତ୍ର ଅଳ୍ପ ସମୟ ପରେ ପୁଣି ସେମାନେ ଇତସ୍ତତଃ ବିକ୍ଷିପ୍ତ ହୋଇଗଲେ ।

 

ଏହି ଅବସର ମଧ୍ୟରେ ମୋର ପରିଚିତା ସ୍ତ୍ରୀଲୋକଟି ଅତି ସତର୍କତାର ସହିତ ଧୀରେ ଧୀରେ ସେହି ଗୁମ୍ଫାର ପଥର ଖୋଲି ମୋ ନିକଟରେ ପ୍ରବେଶ କଲା । ସବୁଦିନ ପରି ଆଜି ମଧ୍ୟ ସେ ସ୍ନେହର ଅଭିନୟ ଦେଖାଇଲା । ମାତ୍ର ଆଜି ତା’ର ଚାହାଣୀରେ, ତା’ର ସମସ୍ତ କାର୍ଯ୍ୟକଳାପରେ ସତେ ଯେପରି ଗୋଟାଏ ବିପଦ ବା ଆଶଙ୍କା ଛାୟାପାତ କରିଥିଲା ପରି ବୋଧ ହେଉଥିଲା । ପୂର୍ବପରି ଆଜି ଆଉ ସେ ହସି ପାରିଲା ନାହିଁ । କିନ୍ତୁ ହାସ୍ୟ ପରିବର୍ତ୍ତରେ ତାର ଆଖିରୁ ଦୁଇଟି ଧାର ଲୋତକ ବୋହିଯିବା ମୁଁ ଲକ୍ଷ୍ୟ କରି ପାରିଥିଲି । ମୁଁ ଆଜି ତା’ର ଏହି ପରିବର୍ତ୍ତନର କାରଣ କିଛି ବୁଝିପାରି ନ ଥିଲି । ମୋର ମନେହେଲା, ମୋର ଭବିଷ୍ୟତ ବିପଦ ଆଶଙ୍କାରେ ହେଉ, ଅଥବା ତାର ସ୍ନେହପଥରେ ନାନା ବାଧାବିଘ୍ନ ଯୋଗୁଁ ହେଉ, ସେ ନିତାନ୍ତ କାତର ହୋଇ ପଡ଼ିଅଛି ।

 

ପ୍ରକୃତପକ୍ଷରେ ସେଦିନ ତାର ସମସ୍ତ କାର୍ଯ୍ୟକଳାପ ମୋତେ ରହସ୍ୟାବୃତ ହେଲାପରି ଜଣାପଡ଼ୁଥାଏ । ସ୍ତ୍ରୀ ଲୋକଟି ମୋ ନିକଟରେ କେତେକ ସମୟ ବସିରହିଲା ପରେ ପୁଣି ପଦାକୁ ପଳାଇ ଯାଇ ସଙ୍ଗେ ସଙ୍ଗେ ଗୁଡ଼ାଏ ଡାଳପତ୍ର ଓ ଲଇ ନେଇ ଫେରିଆସିଲା । ସେ ଲଇ ଓ ଡାଳପତ୍ର ସାହାଯ୍ୟରେ ପୂର୍ବପରି ମୋର ଆପାଦମସ୍ତକ ଛଦ୍ମବେଶ ରଚନା କରି ଦେଇ ନିଜେ ମଧ୍ୟ ସେହି ଡାଳରେ ଆବୃତ୍ତ ହୋଇପଡ଼ିଲା । ମୁଁ ମନେକଲି, ମୋର ଆଜି ପୁଣି ସ୍ଥାନ ପରିବର୍ତ୍ତନ ହୋଇପାରେ । ମାତ୍ର ମୁଁ ବରାବର ନୀରବ ରହି ତା’ର ସମସ୍ତ ଆଦେଶ ପାଳନ କରୁଥାଏଁ । ମୋର ଛଦ୍ମବେଶ ଶେଷ ହେଲାରୁ ସ୍ତ୍ରୀଲୋକଟି ପୁଣି କୁଆଡ଼େ ଚାଲିଗଲା ଏବଂ ଅଳ୍ପ ସମୟ ପରେ ଗୋଟିଏ ବଡ଼ ବାକ୍‌ସ ହାତରେ ଧରି ସେଠାରେ ଉପସ୍ଥିତ ହେଲା । ବାକ୍‌ସଟି ମୋ ନିକଟରେ ରଖିଦେଇ ସେ ପୁଣି ଟିକିଏ ହସିଲା ଏବଂ ପରେ ପରେ କାନ୍ଦି ପକାଇଲା । ବାସ୍ତବିକ୍‌ ସେତେବେଳେ ତା’ର ଏହି କାର୍ଯ୍ୟକଳାପ ଦେଖି ମୁଁ ଦୟା ଓ ଦୁଃଖରେ ବିଚଳିତ ହୋଇ ପଡ଼ିଲି । ଈଶ୍ୱରଙ୍କ ରାଜ୍ୟରେ ସାମାନ୍ୟ ପଶୁପକ୍ଷୀ ଓ କୀଟପତଙ୍ଗ ମଧ୍ୟରେ ମଧ୍ୟ ପ୍ରେମଭାବ ଫୁଟିବା ଦେଖାଯାଏ, ମାତ୍ର ଜୀବଜଗତର ଚରମ ସୃଷ୍ଟି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରେମର ବିକାଶ ଆଶ୍ଚର୍ଯ୍ୟ କଥା ନୁହେଁ । ନିତାନ୍ତ ଅସଭ୍ୟ ଓ ବଣୁଆ ହେଲେ ମଧ୍ୟ ଏହି ଲୋକଟି ତ ମନୁଷ୍ୟ । ପ୍ରେମପଥରେ ସେ ସାମାନ୍ୟ ମନୁଷ୍ୟଧର୍ମ ପାଳନ କରୁଥିବା ବିଚିତ୍ର କ’ଣ ? ମୁଁ ତା’ର ପ୍ରେମର ପ୍ରତିଦାନ ଓ ଉପକାରର କି ପ୍ରତ୍ୟୁପକାର କରି ପାରିବି ଭାବି ଭାବି ବ୍ୟାକୁଳ ହୋଇପଡ଼ିଲି । ସେହି ପ୍ରେମ ଓ ସେହି ଉପକାରର ପ୍ରତିଦାନ ନାହିଁ । ମନୁଷ୍ୟ ଜୀବନରେ ଭଗବାନଙ୍କ ରାଜ୍ୟରେ ଏହାହିଁ ବହୁମୂଲ୍ୟ ସମ୍ପତ୍ତି ।

 

ଏହିପରି ନାନାକଥା ଭାବୁ ଭାବୁ ମୁଁ ସେ ବାକ୍‍ସଟି ହାତରେ ଉଠାଇବାରୁ ମୋତେ ବଡ଼ ଭାରି ବୋଧହେଲା । କୌତୂହଳବଶତଃ ବାକ୍‌ସଟି ଖୋଲି ଦେଇ ଭିତରକୁ ଅନାଇ ଦେଖିଲି, କେବଳ ଉଜ୍ଜ୍ୱଳ ସୁବର୍ଣ୍ଣ ମୁଦ୍ରାରେ ତାହା ପୂର୍ଣ୍ଣ ହୋଇ ରହିଛି । ଅଯାଚିତ ଭାବରେ ଓ ବିନା ପରିଶ୍ରମରେ ଏତେ ପ୍ରଚୁର ଅର୍ଥଲାଭ କରିଥିବା ଯୋଗୁଁ ମୋର ଆନନ୍ଦର ସୀମା ରହିଲାନାହିଁ । ଏକ ଦିଗରେ ଦୁଇଟି ରତ୍ନହାର ଓ ଅନ୍ୟଦିଗରେ ବାକ୍‌ସପୂର୍ଣ୍ଣ ସୁବର୍ଣ୍ଣ ମୁଦ୍ରା ଦେଖି ଦେଖି ମୋର ମୁଖମଣ୍ଡଳ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା । ମୋର ସେ ଭାବପରିବର୍ତ୍ତନ ଦେଖି ସ୍ତ୍ରୀଲୋକଟି ଚେଁ ଚାଁ କରି ମୋତେ ଆଉଁସି ପକାଇଲା । ମୁଁ ମନେ ମନେ ବିଚାର କଲି, ପ୍ରଭୁ ଜଗନ୍ନାଥଙ୍କ ଅପାର ଅନୁଗ୍ରହ ଫଳରୁ ମୁଁ ନାନା ବିପଦରୁ ଉତ୍ତୀର୍ଣ୍ଣ ହୋଇ ଏତେ ଗୁଡ଼ିଏ ସୁବର୍ଣ୍ଣ ଓ ରତ୍ନ ଲାଭ କରିଅଛି । ମନେ ମନେ ସେତେବେଳେ ସ୍ଥିର କଲି ମୁଁ ଯଦି ନିର୍ବିଘ୍ନରେ ଜୀବନ ଘେନି ଏହି ପ୍ରଚୁର ସମ୍ପତ୍ତି ସହ ସ୍ୱଦେଶକୁ ଫେରିଯାଏଁ, ତାହାହେଲେ ଏଥିରୁ ଗୋଟିଏ ରତ୍ନହାର ପ୍ରଭୁ ନୀଳାଚଳନାଥଙ୍କ ବିଗ୍ରହରେ ପିନ୍ଧାଇ ଦେବି । ମୋର ଏହି ବାସନା ସଙ୍ଗେ ସଙ୍ଗେ ସୁଖସ୍ୱପ୍ନପରି ବଞ୍ଚିବାର ଆଶା ମୋ ମନରେ ବଳବତୀ ହୋଇଉଠିଲା ।

 

ଏହା ପରେ ସେହି ସ୍ତ୍ରୀଲୋକ ବାକ୍‌ସଟି ମୋ ହାତରେ ଧରାଇ ଦେଇ ମୋର ହାତ ଭିଡ଼ି ଭିଡ଼ି ପଦାକୁ ନେଇଗଲା । ତାହା ପରେ ସେ ଜଙ୍ଗଲ ମଧ୍ୟରେ ଦୌଡ଼ିବାରୁ ମୁଁ ମଧ୍ୟ ଲତାପତ୍ରରେ ଆଚ୍ଛାଦିତ ହୋଇ ବାକ୍‌ସଟି ଧରି ତା’ର ପଛେ ପଛେ ଦୌଡ଼ିବାକୁ ଲାଗିଲି । ଦୌଡ଼ିଲାବେଳେ ସ୍ତ୍ରୀଲୋକଟି ବ୍ୟାକୁଳ ହୋଇ ଇତସ୍ତତଃ ଅନାଉଥାଏ ଏବଂ ସ୍ଥାନେ ସ୍ଥାନେ କ’ଣ ବିଚାରି ଛିଡ଼ା ହୋଇ ଯାଉଥାଏ । ମୁଁ ତାହା ନିକଟରେ ପହଞ୍ଚିଲାକ୍ଷଣି ସେ ପୁଣି ପଳାଇ ଯାଉଥାଏ । ଆମ୍ଭେ ଦୁହେଁ ଏହିପରି ଦୌଡ଼ି ଦୌଡ଼ି ଶେଷରେ ସମୁଦ୍ର କୂଳରେ ପହଞ୍ଚିଲୁଁ । ସେଠାରେ ସେତେବେଳେ କୌଣସି ମନୁଷ୍ୟର ସଞ୍ଚାର ନ ଥିଲା । କେବଳ ଦୁଇଟି ଗୋଟିଏ ପକ୍ଷୀ ଥରେ ଥରେ ବୋବାଇ ଦେଇ ଆକାଶରେ ଉଡ଼ି ଉଡ଼ି ବୁଲୁଥିଲେ ଏବଂ ଉଡ଼ୁ ଉଡ଼ୁ ଥରେ ଥରେ ଗଛଡ଼ାଳରେ ବସି ଯାଉଥିଲେ ।

 

ମୁଁ ଦେଖିଲି, ସେଠାରେ ସମୁଦ୍ରକୂଳରେ ବୃକ୍ଷବକଳରେ ସୂଦୃଢ଼ଭାବରେ ବନ୍ଧାହୋଇ କେତେଗୁଡ଼ିଏ ଭେଳା ଭାସୁଅଛି । ପ୍ରତ୍ୟେକ ଭେଳାରେ ଦୁଇଟି କରି ଆହୁଲା ବନ୍ଧା ହୋଇ ରହିଥିଲା । ସ୍ତ୍ରୀଲୋକଟି ମୋତେ ଟାଣି ଟାଣି ନେଇ ଗୋଟିଏ ଭେଳା ଉପରେ ବସାଇଦେଲା ଏବଂ ଆହୁଲା ସାହାଯ୍ୟରେ ଭେଳାକୁ ସମୁଦ୍ର ଗର୍ଭକୁ ବାହି ନେବାକୁ ଇଙ୍ଗିତ ଦେଲା । ମୁଁ ବାକ୍‌ସଟି ଭେଳାଉପରେ ଥୋଇଦେଇ ତତ୍‌କ୍ଷଣାତ୍‌ ନିର୍ବାକ୍‌ଭାବରେ ତାହାର ଇଙ୍ଗିତ ପାଳନ କରିବାକୁ ଆରମ୍ଭ କଲି-। ମୁଁ ଯେତେବେଳେ ଭବିଷ୍ୟତ ନ ଦେଖି ହଠାତ୍‌ ମୃତ୍ୟୁ-ମୁଖରୁ ରକ୍ଷାପାଇବା ଲାଗି ମୋର ଭାଗ୍ୟର ଭେଳାଟିକୁ ଅକୂଳ ସମୁଦ୍ରଗର୍ଭକୁ ବାହି ନେଲି, ସେତେବେଳେ ସ୍ତ୍ରୀଲୋକଟି କୂଳରେ ଛିଡ଼ାହୋଇ ନିରର୍ଥକ ନୃତ୍ୟ କରୁଥାଏ । ଥରେ ଥରେ ପୁଣି କଣ ବିଚାରି କାନ୍ଦି ପକାଇ ମୋ ଆଡ଼କୁ ହାତ ବଢ଼ାଇ ଦେଉଥାଏ । ତା’ର ଏହି ସବୁ କରୁଣ ଦୃଶ୍ୟ ଦେଖି ଦେଖି ମୁଁ ଏତେ ବିଚଳିତ ହୋଇ ପଡ଼ିଥିଲି ଯେ, ବେଳେ ବେଳେ ଆହୁଲା ମାରିବାକୁ ଭୁଲି ଯାଉଥିଲି । କି ଏକ ଅଜ୍ଞାତ ଦୁଃଖରେ ମୁଁ ସେତେବେଳେ ମୋ ଜୀବନର ସମସ୍ତ ମାୟାମମତା ଭୁଲି ଯାଇଥିଲି ।

 

ଯାହାହେଉ, ଆହୁଲା ଆଘାତରେ ଭେଳାଟି ସମୁଦ୍ର ତରଙ୍ଗ ଡେଇଁ ଡେଇଁ କ୍ରମେ କ୍ରମେ କୂଳର ଦୂରବର୍ତ୍ତୀ ହୋଇପଡ଼ିଲା । ଅକୂଳ ସମୁଦ୍ର ମଧ୍ୟରେ ମୋର ଲକ୍ଷ୍ୟ କେଉଁଆଡ଼େ, ମୁଁ କେଉଁଆଡ଼େ ଚାଲିଛି, ଏହିସବୁ କଥା ସେତେବେଳେ ମୋ ମୁଣ୍ଡକୁ ସ୍ପର୍ଶ କରୁ ନ ଥିଲା । ମୁଁ ଯେତେଦୂରେ ଯାଉଥାଏଁ, ସ୍ତ୍ରୀଲୋକଟି ବରାବର କୂଳରେ ଛିଡ଼ା ହୋଇ ମୋ ଆଡ଼କୁ ଚାହିଁ ରହିଥାଏ-

 

ଏକ ପକ୍ଷରେ ତା’ର ବିଦାୟ-କାଳୀନ କରୁଣ ମୁଖଭଙ୍ଗୀ, ଅନ୍ୟ ପକ୍ଷରେ ମୋର ଚତୁର୍ଦ୍ଦିଗରେ ବିଶାଳ ସମୁଦ୍ରର ତରଙ୍ଗ-ଅଟ୍ଟହାସ୍ୟ, ମୋ ଦେହରୁ ପ୍ରାଣକୁ ପୂରା ଅଲଗା କରି ରଖିଦେଉଥିଲା ।

 

ମୁଁ ଏହିପରି ନାନା ଚିନ୍ତା ଓ ଦୁଃଖରେ ଆହୁଲା ମାରି ଚାଲିଛି, ଦୂରରୁ ଦେଖିଲି, ଦଳେ ବଣୁଆଲୋକ ହାତରେ ଧନୁଶର ଓ ପଥର ଧରି ବିକଟ ଚିତ୍କାର କରି ପର୍ବତରୁ ଓହ୍ଲାଇ ଆସୁଅଛନ୍ତି-। ସେମାନଙ୍କର ଦ୍ରୁତଗତି ଓ ଚିତ୍କାରରୁ ମୁଁ ମନେକଲି, ଏମାନେ ଖୋଜି ଖୋଜି ମୋତେ ଶିକାର କରିବାଲାଗି ମୋ ପଛରେ ଗୋଡ଼ାଇଅଛନ୍ତି । ମୁଁ ଆହୁରି ଟିକିଏ ବେଗରେ ଭେଳାକୁ ସମୁଦ୍ର ଗର୍ଭକୁ ଚଳାଇବାକୁ ଆରମ୍ଭ କଲି । କୂଳରୁ ବହୁ ଦୂରରେ ଥିଲେ ସୁଦ୍ଧା ଭୟରେ ମୋର ଦେହ ଥରିଗଲା । ମୁଁ ଦେଖିଲି, ବିଚାରୀ ସ୍ତ୍ରୀଲୋକଟି, କେଜାଣି କି ବିପଦର ଆଶଙ୍କା କରି, ହଠାତ୍‌ ଆଉ ଗୋଟିଏ ଭେଳା ଉପରେ ବସି ସମୁଦ୍ରଗର୍ଭକୁ ବାହିଆସିଲା । ମାତ୍ର ବଣୁଆ ପୁରୁଷଗୁଡ଼ାକ ଏତେ ନିକଟବର୍ତ୍ତୀ ହୋଇଥିଲେ ଯେ, ସେମାନେ ଅବିଳମ୍ୱେ କୂଳରେ ଉପସ୍ଥିତ ହୋଇ ଦୁଇଟି ଗୋଟିଏ ଭେଳାରେ ବସି ମୋର ଓ ସେ ସ୍ତ୍ରୀଲୋକଟିର ଅନୁସରଣ କଲେ । ସେମାନେ ମୋତେ ଓ ସ୍ତ୍ରୀ ଲୋକଟିକୁ ଲକ୍ଷ୍ୟକରି ବହୁତ ଶର ଓ ପଥର ନିକ୍ଷେପ କଲେ । ମାତ୍ର ମୁଁ ବହୁଦୂରରେ ଥିବାରୁ ସେମାନଙ୍କର କୌଣସି ଶର ବା ପଥର ମୋତେ ସ୍ପର୍ଶ କଲାନାହିଁ । ମାତ୍ର ଆହା ସେ ଅଭାଗିନୀ ନାରୀଟି ! ଅଦ୍ୟାପି ତା’ର କଥା ମନେପଡ଼ିଲେ ମୁଁ ଶୋକ ସମ୍ଭାଳି ପାରେନାହିଁ । ବାରମ୍ୱାର ଶର ଓ ବଡ଼ ବଡ଼ ପଥର ବାଜିବାରୁ ସେ ଯେତେବେଳେ ଆହୁଲା ଛାଡ଼ିଦେଇ ମୋ’ ଆଡ଼କୁ ହାତ ବଢ଼ାଇଲା, ସେତେବେଳେ ମୁଁ ମନେ କଲି, ଆକାଶ ମୋ ମୁଣ୍ଡଉପରେ ଭାଙ୍ଗି ପଡ଼ୁଅଛି, ସମୁଦ୍ର ମୋତେ ଗ୍ରାସ କରୁଅଛି । ମୁଁ ଏଡ଼େ ଭୀରୁ, ଏଡ଼େ କାପୁରୁଷ; ଏଡ଼େ ସ୍ୱାର୍ଥପର, ଏଡ଼େ ଅଭିମାନୀ ଯେ ମୋର ଉଦ୍ଧାରକର୍ତ୍ତ୍ରୀ ଓ ଜୀବନଦାତ୍ରୀକି ମଧ୍ୟ ଅନ୍ତିମ ସମୟରେ ଟିକିଏ ସାହାଯ୍ୟ ବା ସାନ୍ତ୍ୱନା ଦେଇପାରିଲି ନାହିଁ । ମୋର ଜୀବନ ବିନିମୟରେ ତା’ର ଜୀବନ ରକ୍ଷା କରି ପାରିଥିଲେ ମଧ୍ୟ ତା’ର ଉପକାରର ପ୍ରତ୍ୟୁପକାର ହୋଇ ପାରି ନ ଥାନ୍ତା । ଅଭାଗିନୀଟି ଯେତେବେଳେ ବାରମ୍ୱାର ପଥର ଓ ଶରର ଆଘାତ ସମ୍ଭାଳି ନ ପାରି ଆହୁଲା ଛାଡ଼ିଦେଇ ସମୁଦ୍ରଗର୍ଭକୁ ଡେଇଁପଡ଼ିଲା, ସେତେବେଳେ ମୁଁ ତା’ର ଅନ୍ତିମସମାଧି ଦେଖିଥିଲି । ସେ ଯେତେବେଳେ ଜଳରେ ପଡ଼ିଗଲା, ଠିକ୍‌ ସେତିକିବେଳେ ଗୋଟିଏ ବଡ଼ ପଥର ତା’ର ମୁଣ୍ଡରେ ବାଜିଲା । ମୋର ଜୀବନଦାତ୍ରୀ ତା’ପରେ ଆଉ ମୁଣ୍ଡ ଟେକି ଉପରକୁ ଉଠିଲା ନାହିଁ । ଏହିରୂପେ ତା’ର ପ୍ରେମର ଶେଷ ଲୋତକ ସମୁଦ୍ର ଜଳରେ ମିଶିଗଲା; ତା’ର ଜୀବନର ଶେଷ ନିଃଶ୍ୱାସ ଅନନ୍ତ ବାୟୁମଣ୍ଡଳରେ ମିଳାଇଗଲା ।

 

ମୁଁ ଟିକିଏ ଦୁଃଖ କରିବାକୁ ସମୟ ପାଇଲିନାହିଁ । ସ୍ତ୍ରୀଟିକି ମାରିଦେଇ ବଣୁଆଗୁଡ଼ାକ ଦ୍ରୁତବେଗରେ ଆହୁଲା ଚଳାଇ ମୋର ଅନୁସରଣ କଲେ । ମୁଁ ମଧ୍ୟ ସେହିପରି ଦ୍ରୁତବେଗରେ ଆହୁଲା ଚଳାଇଲି । ମାତ୍ର ଦୂର ସମୁଦ୍ରଗର୍ଭର ସ୍ଥିର ଜଳରେ ମୁଁ ଯେଡ଼େ ବେଗରେ ଯାଇ ପାରୁଥିଲି, ସେମାନେ ସେତେ ବେଗରେ ମୋତେ ଗୋଡ଼ାଇ ପାରୁ ନ ଥିଲେ । କାରଣ, କୂଳଆଡ଼କୁ ଯେଉଁ ପ୍ରକାଣ୍ଡ ତରଙ୍ଗସବୁ ଧାଇଁଯାଉଥିଲା, ସେଗୁଡ଼ିକଦ୍ୱାରା ବଣୁଆମାନଙ୍କର ଗତି ବରାବର ବାଧାପ୍ରାପ୍ତ ହେଉଥିଲା । ଶେଷରେ ମୋତେ ଗୋଡ଼ାଇ ଧରିବାର ଆଶା ବୃଥା ମନେକରି ସେମାନେ ପୁଣି କୂଳଆଡ଼କୁ ଫେରିଗଲେ ଏବଂ କୂଳରେ ଭେଳାଗୁଡ଼ିକ ବାନ୍ଧିଦେଇ ଦୌଡ଼ି ଦୌଡ଼ି ବଣ ମଧ୍ୟରେ ମିଶିଗଲେ ।

 

ମୁଁ ଏହିପରି ଆପାତତଃ ଭୟଶୂନ୍ୟ ହୋଇ ଅକୂଳ ସମୁଦ୍ରରେ ଭାସିବାକୁ ଲାଗିଲି । ମୃତ୍ୟୁ ସଙ୍କଟରୁ ଉଦ୍ଧାର ଲାଭ କରିଅଛି, ଏପରି ଭାବିବାକୁ ମୋର ମନ ବଳିଲା ନାହିଁ, କାରଣ ମୁଁ ସମୁଦ୍ରଗର୍ଭରେ କରାଳ ମୃତ୍ୟୁକବଳରେ ଯେ ପଡ଼ି ରହିଅଛି ! ଆହୁଲା ମାରି ମାରି ଥକି ପଡ଼ିବାରୁ ମୁଁ ତାହା ଛାଡ଼ିଦେଇ କେବଳ ବାୟୁବଳରେ ଏଣେ ତେଣେ ଭାସିବାକୁ ଲାଗିଲି । ମୁଁ ଏହିପରି ଏଣେତେଣେ ଭାସୁଅଛି, ହଠାତ୍‌ ଦୂରବର୍ତ୍ତୀ ଦିଗ୍‌ବଳୟ ଉପରେ ଗୋଟିଏ ଜାହାଜର ସଙ୍କେତ ଦେଖି ପାରିଲି । ଜାହାଜଟି ଯହୁଁ ଯହୁଁ ନିକଟବର୍ତ୍ତୀ ହେଲା, ମୋର ମୁମୂର୍ଷୁ ପ୍ରାଣରେ ସେତିକି ଆଶାର ସଞ୍ଚାର ହେଲା । ମୁଁ ତତ୍‌କ୍ଷଣାତ୍‌ ଭେଳାରୁ ଗୋଟିଏ କାଠ ଫିଟାଇ ସେଥିରେ ମୋର ଲୁଗା ବାନ୍ଧି ବାରମ୍ୱାର ଉଡ଼ାଇବାକୁ ଲାଗିଲି । ଜାହାଜଟି ସତେ ଯେପରି ମୋର ସଙ୍କେତଦ୍ୱାରା ଆକୃଷ୍ଟ ହୋଇ ମୋ ଆଡ଼କୁ ଅଗ୍ରସର ହେଲା । ଜାହାଜଟି ମୋର ନିକଟବର୍ତ୍ତୀ ହେବାରୁ ମୁଁ ଦେଖିଲି, ତା’ର ପ୍ରଧାନ ମାସ୍ତୁଲଦଣ୍ଡ ଉପରେ ‘ନୀଳଚକ୍ର’ ଚିହ୍ନିତ ଉତ୍କଳୀୟ ପତାକା ଉଡ୍‌ଡୀୟମାନ । ଆହୁରି ନିକଟବର୍ତ୍ତୀ ହେବାରୁ ଦେଖିଲି, ଉତ୍କଳ ପତାକା ଉଡ଼ାଇ “ଗଜପତି” ନାମକ ଜାହାଜ ବାଣିଜ୍ୟସମ୍ଭାର ନେଇ ସମୁଦ୍ର ବକ୍ଷ ଭେଦକରି ଚାଲିଅଛି । ମୋର ସ୍ୱଦେଶର ଜାହାଜ ଓ ଦେଶବାସୀ ଦେଖି ଓ ସ୍ୱଦେଶ ଭାଷା ଶୁଣି ମୋର ଆଉ ଆନନ୍ଦର ସୀମା ରହିଲା ନାହିଁ । ମୁଁ ତତ୍‌କ୍ଷଣାତ୍‌ ଜାହାଜ ଉପରକୁ ଉଠି ଦେଶବାସୀମାନଙ୍କ ଆଗରେ ମୋର ସମସ୍ତ ଇତିହାସ ବର୍ଣ୍ଣନା କଲି । ମୋର ବିବରଣ ଶୁଣି ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ । ଏହିପରି ମୁଁ ଏଥର ପାଇଁ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲି ।

 

ତାପରେ ସାଗରବାହୀ ‘ଗଜପତି’ ବାଣିଜ୍ୟ ଉଦ୍ଦେଶ୍ୟରେ ପୂର୍ବ ସମୁଦ୍ର ମଧ୍ୟବର୍ତ୍ତୀ ଦ୍ୱୀପପୁଞ୍ଜ ଓ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଦେଶମାନଙ୍କରେ ଭ୍ରମଣ କରିବାକୁ ଲାଗିଲା । ବଣିକମାନେ ପଣ୍ୟ ସମ୍ଭାର ନେଇ ବାଣିଜ୍ୟରେ ଲିପ୍ତ ହେଲେ । ମୁଁ ମଧ୍ୟ ମୋର ଅପରିମିତ ସୁବର୍ଣ୍ଣ ମୁଦ୍ରାରୁ ବ୍ୟୟ କରି ନାନା ସ୍ଥାନରୁ ନିଜ ଦେଶକୁ ଆଣିବା ଲାଗି ବିବିଧ ପଣ୍ୟସମ୍ଭାର କ୍ରୟ କଲି । ମାସାବଧି ବାଣିଜ୍ୟ ଫଳରେ ମୁଁ ମୋର ବାଣିଜ୍ୟଜ୍ଞାନ ବଢ଼ାଇବା ସଙ୍ଗେ ସଙ୍ଗେ ମୋ ନିକଟରେ ଥିବା ଧନ ମଧ୍ୟ ବଢ଼ାଇ ପାରିଥିଲି ।

 

ତତ୍ପରେ ଯଥାସମୟରେ ଅନୁକୂଳ ବାୟୁ ମୁଖରେ ‘ଗଜପତି’ ସ୍ୱଦେଶାଭିମୁଖୀ ହେଲା । ବଣିକମାନଙ୍କର ଆନନ୍ଦର ସୀମା ନ ଥିଲା । ଆମ୍ଭେମାନେ ଗୀତ ଗାଇ ଓ ନାନା ଆମୋଦ ପ୍ରମୋଦ କରି ଯେଉଁଦିନ ଆସି ପୁରୀ “ସ୍ୱର୍ଗଦ୍ୱାର” ବନ୍ଦରଠାରେ ଉପସ୍ଥିତ ହେଲୁଁ ସେଦିନର ସବୁକଥା ମୋତେ ସ୍ୱପ୍ନପରି ବୋଧ ହେଉଥାଏ । ମୁଁ ମୋର ବାଣିଜ୍ୟ ସମ୍ଭାର ଓ ପ୍ରଚୁର ଅର୍ଥ ନେଇ ମାତାଙ୍କ ଚରଣ ବନ୍ଦନ କଲି । ମାସ ମାସ ପରେ ମାଆ ମୋର, ଅପଦାର୍ଥ ପୁତ୍ରକୁ ବିପୁଳସମ୍ପତ୍ତି ସହ ପୁଣି ଘରକୁ ଫେରି ଆସିବାର ଦେଖି ଆନନ୍ଦରେ ଅଧୀରା ହୋଇ ପଡ଼ିଲେ ଏବଂ ମୋତେ ବହୁତ ଆଶୀର୍ବାଦ କଲେ । ମୋର ସ୍ତ୍ରୀ ଓ ପିଲାମାନେ ଯଥାସମୟରେ ମୋ ଘରକୁ ଫେରିଆସିଲେ । ଆମ୍ଭେମାନେ ପରମ ସୁଖ ଓ ଶାନ୍ତିରେ କାଳାତିପାତ କରିବାକୁ ଲାଗିଲୁଁ । ଯଥାସମୟରେ ପୂର୍ବୋକ୍ତ ରତ୍ନହାରରୁ ମୁ ଗୋଟିଏ ନେଇ ପ୍ରଭୁ ଜଗନ୍ନାଥଙ୍କ ଗଳାରେ ପିନ୍ଧାଇଦେଲି ।

 

ଏତିକି କହି ରଣବୀର ନୀରବ ହେଲେ । ସମବେତ ଭଦ୍ରମଣ୍ଡଳୀ ରଣବୀରଙ୍କର ଏହି କୌତୁହଳମୟ ଧନାଗମ ବୃତ୍ତାନ୍ତ ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ । ସେମାନେ ରଣବୀରଙ୍କୁ ଆଶୀର୍ବାଦ କରି ବିଶ୍ରାମ କରିବାକୁ ଯିବାରୁ ସେଦିନ ଲାଗି ବୈଠକମହଲ ବନ୍ଦ ହେଲା ।

Image

 

ଦ୍ୱିତୀୟ ଯାତ୍ରା

 

ଯଥାସମୟରେ ଦ୍ୱିତୀୟ ସନ୍ଧ୍ୟାରେ ପୁଣି ବୈଠକମହଲ ନାନାବର୍ଣ୍ଣର ଆଲୋକମାଳାରେ ଝଲମଲ ହୋଇଉଠିଲା । ଦାସଦାସୀଗଣ ପୂର୍ବପରି ସେବାକାର୍ଯ୍ୟରେ ନିଯୁକ୍ତ ହେଲେ । ମୂଲ୍ୟବାନ ଆସନରେ ପଣ୍ଡିତଗଣ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିଗଣ ଉପବେଶନ କରିବାରୁ ରଣବୀର ସେମାନଙ୍କୁ ଭକ୍ତିପୂର୍ଣ୍ଣ ଚିତ୍ତରେ ପ୍ରଣାମ କଲେ । ସମବେତ ଭଦ୍ରବ୍ୟକ୍ତିମାନେ କହିଲେ, “ମହୋଦୟ, ଗତ ରାତ୍ରିରେ ଆପଣଙ୍କର ଅଲୌକିକ, ଅପୂର୍ବ ଧନାଗମ କାହାଣୀ ଶୁଣି ଆମ୍ଭେମାନେ ସ୍ତମ୍ଭୀତ ହୋଇଅଛୁଁ । ବାସ୍ତବିକ ପ୍ରଭୁ ଜଗନ୍ନାଥଙ୍କ ଅନୁଗ୍ରହ ଲାଭ ନ ହେଲେ ମନୁଷ୍ୟ ଏପରି ମୃତ୍ୟୁ ସଙ୍କଟରେ ପଡ଼ି ଅର୍ଥଲାଭ କରିପାରେ ନାହିଁ । ଆପଣଙ୍କର ଅସୀମ ଧୈର୍ଯ୍ୟ ଓ ସାହସର କଥା ଶୁଣି ଆମ୍ଭେମାନେ ବିସ୍ମିତ ନ ହୋଇ ରହିପାରୁନାହୁଁ । ଆପଣଙ୍କ ଜୀବନର ଅନ୍ୟାନ୍ୟ କାହାଣୀ କହି ଆମ୍ଭମାନଙ୍କୁ ଅନୁଗୃହୀତ କରନ୍ତୁ ।”

 

ତତ୍ପରେ ରଣବୀର ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ନମସ୍କାର କରି କଥା ଆରମ୍ଭ କଲେ, ମହୋଦୟଗଣ, ଆପଣମାନେ ମୋର ଜୀବନ କାହାଣୀ ଶୁଣିବାକୁ କୁତୂହଳୀ ହୋଇଥିବାରୁ, ମୁଁ ଆଜି ଆଉ ଗୋଟିଏ ଯାତ୍ରାର ବିବରଣ ଜଣାଇବି । ଦୟାବହି ଶୁଣିବା ହୁଅନ୍ତୁ ।

 

ମୁଁ ମୋର ପ୍ରଥମଯାତ୍ରାରେ ଯେଉଁ ଧନ ଲାଭ କରିଥିଲି, ସେଥିରେ ସ୍ୱଦେଶରେ ବାଣିଜ୍ୟ କରି ରହିଥିଲେ ପରମ ସୁଖ ଓ ଶାନ୍ତିରେ ଚଳିଥାନ୍ତି । ମାତ୍ର କେବଳ ଧନ ବଢ଼ାଇବା ଅଳସୁଆ ହୋଇ ଘରେ ବସିରହିବା ମୋତେ ସୁଖକର ବୋଧ ହେଉ ନ ଥିଲା । ମୁଁ ପ୍ରଥମ ସମୁଦ୍ର-ଯାତ୍ରାରେ ଯେପରି ବିପଦରେ ପଡ଼ିଥିଲି, ତାହା ପରେ ଆଉ ବିଦେଶ କରିବାକୁ ମୋର ମାଆ, ପତ୍ନୀ ଓ ଆତ୍ମୀୟ ବନ୍ଧୁମାନେ ବରାବର ନିଷେଧ କରୁଥିଲେ । କିନ୍ତୁ ମୁଁ ଘରେ ବସି ନିତି ସମୁଦ୍ର ଯାତ୍ରା ଓ ବିଦେଶର ସ୍ୱପ୍ନ ଦେଖୁଥାଏ । ମୋତେ ବୋଧ ହେଉଥିଲା, ଯେପରି କି ମନୁଷ୍ୟ ବିପଦରେ ହିଁ ପ୍ରକୃତ ସୁଖ ଲାଭ କରିଥାଏ, ଯେପରି କି ଘରେ ବସିରହିବା ଅପେକ୍ଷା ବିପଦ ମଧ୍ୟ ଦେଇ ମୃତ୍ୟୁର ମୁଖାମୁଖି ହେବାରେ ମନୁଷ୍ୟର ପ୍ରକୃତ କ୍ଷମତା ବିକାଶ ପାଏ । ପ୍ରଥମଯାତ୍ରା ଫଳରେ ମୋ ମନ ଉପରେ ଯେ ଅଭାବନୀୟ ପରିବର୍ତ୍ତନ ଆସିଥିଲା, ତା’ର ପ୍ରଭାବ ଲଂଘନ କରିବା ମୋର ସାଧ୍ୟାତୀତ ଥିଲା । ସୁତରାଂ ମୁଁ ମୋର ମାଆ ଓ ପତ୍ନୀଙ୍କ ନିଷେଧ ବା ବାଧା ପ୍ରତି ଭ୍ରୂକ୍ଷେପ ନ କରି ଦ୍ୱିତୀୟଯାତ୍ରା କରିବାକୁ ସଙ୍କଳ୍ପ କରିବସିଲି ଏବଂ ତଦନୁଯାୟୀ ଯଥାବିଧି ବନ୍ଦୋବସ୍ତ କରିବାକୁ ଲାଗିଲି ।

 

ପ୍ରଥମଥର ପରି ମୁ ଏଥର ଧନହୀନ ବା ଗରିବ ନୁହେଁ ବା ବିଦେଶ ଯାତ୍ରା କରିବାକୁ କାହାରି ହେଲେ ଅନୁଗ୍ରହର ଅପେକ୍ଷା କରୁ ନ ଥିଲି । ମୁଁ ମୋର ସ୍ୱଦେଶଜାତ ନାନାବିଧ ପଣ୍ୟସମ୍ଭାର ସଂଗ୍ରହ କରି ବିଦେଶଯାତ୍ରା କରିବାକୁ ଶୁଭଦିନର ଅପେକ୍ଷାରେ ରହିଲି । ମୋ ଛଡ଼ା ଆଉ ଯେଉଁ ବଣିକମାନେ ସମୁଦ୍ରଯାତ୍ରା ବଳରେ ଅର୍ଥାର୍ଜ୍ଜନ କରିବାକୁ ଅଭିଳାଷ କରୁଥିଲେ, ସେମାନଙ୍କ ସହିତ ମୁଁ ପୂର୍ବରୁ ସମ୍ପର୍କ ରଖି ବିଦେଶରେ ସମ୍ମିଳିତ ବ୍ୟବସାୟ କରିବାକୁ ସ୍ଥିର କରିନେଲି । ସେମାନେ ପ୍ରତ୍ୟେକେ ଆମ୍ଭର ସ୍ୱଦେଶୀୟ ବଣିକ । ଆମ୍ଭେମାନେ ଯଥାସମୟରେ ଉତ୍କଳର ଗଜପତି ସମ୍ରାଟଙ୍କଠାରୁ ସମୁଦ୍ରଯାତ୍ରା ଓ ବହିର୍ବାଣିଜ୍ୟର ଅନୁମତି ବା ଖେତାପ୍‌ ପ୍ରାପ୍ତ ହେଲୁଁ । ଅନୁମତି ପାଇବାପରେ ଆମ୍ଭମାନଙ୍କୁ ବେଶୀଦିନ ଅପେକ୍ଷାକରିବାକୁ ହୋଇ ନ ଥିଲା । ତା’ର ଅଳ୍ପଦିନ ପରେ ‘ନରସିଂହ’ ନାମକ ଜାହାଜ ସ୍ୱର୍ଗଦ୍ୱାର ବନ୍ଦରଠାରେ ବିଦେଶାଭିମୁଖୀ ହୋଇ ପତାକା ଉଡ଼ାଇବାକୁ ଲାଗିଲା । ଜାହାଜଟି ଯେପରି ସୁଦୃଢ଼, ସେହିପରି ମଧ୍ୟ ସୁବୃହତ୍‌ ।

 

ସୁତରାଂ ଆମ୍ଭେମାନେ ସମୁଦ୍ରଯାତ୍ରାର ଅନୁକୂଳ ସମୟ ଜାଣି ଶୁଭମୁହୂର୍ତ୍ତରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଜାହାଜରେ ପ୍ରବେଶ କଲୁଁ । ମୋର ସଙ୍ଗୀ ବଣିକମାନେ ନିଜ ନିଜର ପଣ୍ୟସମ୍ଭାର ନେଇ ଜାହାଜରେ ନିଜ ନିଜର ସ୍ଥାନ ଅଧିକାର କଲେ । କେତେଦିନ ଧରି ମାଲ ବୋଝେଇ ହେବା ପରେ, ‘ନରସିଂହ’ ଯେଉଁଦିନ ବନ୍ଦର ଛାଡ଼ିବା ସ୍ଥିର ହୋଇଥିଲା, ସେହିଦିନ ସ୍ୱୟଂ ଗଜପତି ମହାରାଜା ପରିଦର୍ଶନ କରିବାଲାଗି ଜାହାଜରେ ପଦାର୍ପଣ କରିଥିଲେ । ଆମ୍ଭେମାନେ ମୂଳରୁ ପବିତ୍ର ଠାକୁରରାଜାଙ୍କର ଶୁଭଦର୍ଶନ ଲାଭ କରି ଧନ୍ୟ ହେଲୁଁ । ମହାରାଜା ଆମ୍ଭମାନଙ୍କର ବିଦେଶ ଯାତ୍ରାର ଲକ୍ଷ୍ୟ ଓ ସାହସର କଥା ଶୁଣି ଆମ୍ଭମାନଙ୍କୁ ବିଶେଷ ଉତ୍ସାହିତ କରିଥିଲେ ଏବଂ ଆମ୍ଭମାନଙ୍କ ମଧ୍ୟରୁ ଯେ ବୁଦ୍ଧି ଓ ଅଧ୍ୟବସାୟ ବଳରେ ସବୁଠାରୁ ବେଶୀ ଧନ ନେଇ ସ୍ୱଦେଶକୁ ଫେରିବ, ତାକୁ ରାଜକୋଷରୁ ମଧ୍ୟ ପାରିତୋଷିକ ଦେବେ ବୋଲି ଶୁଣାଇ ଦେଲେ । ଆମ୍ଭେମାନେ ଠାକୁର ରାଜାଙ୍କର ଦୟା ଓ ଉତ୍ସାହପୂର୍ଣ୍ଣ ବାକ୍ୟରେ ଏକାନ୍ତ ସନ୍ତୁଷ୍ଟ ହୋଇ ତାଙ୍କ ନାମରେ ଜୟଧ୍ୱନି କରିବାକୁ ଲାଗିଲୁଁ । ମାତ୍ର ମହାରାଜ ଏ ଜୟନାଦରେ ବିଚଳିତ ନ ହୋଇ ଆମ୍ଭମାନଙ୍କୁ ନିରେଖି ଅନାଉଥିଲେ । ସେହି ନିରୀକ୍ଷଣର ଅର୍ଥ ମୁଁ ସେତେବେଳେ ବୁଝି ପାରୁ ନ ଥିଲେ ମଧ୍ୟ ଲକ୍ଷ୍ୟ କରି ପାରିଥିଲି । ଶେଷରେ ଆମ୍ଭମାନଙ୍କର ସମ୍ମିଳିତ ଶୁଭ ଇଚ୍ଛା ଓ ଆଶୀର୍ବାଦ ଗ୍ରହଣ କରି ମହାରାଜା ପ୍ରତ୍ୟାବର୍ତ୍ତନ କଲେ ।

 

ତାହା ପରେ ଆମ୍ଭେମାନେ ବନ୍ଦର ଛାଡ଼ିବା ଲାଗି ସମସ୍ତ ବନ୍ଦୋବସ୍ତ କରି ଦଉଡ଼ି ଫିଟାଇବାକୁ ଯାଉଅଛୁ, ଏପରି ସମୟରେ ଗଜପତିଙ୍କର ଜଣେ ପ୍ରହରୀ ଆସି ମୋତେ ରାଜବାଟୀକୁ ଘେନିଗଲା । ମୁଁ ଗଜପତିଙ୍କ ଆହ୍ୱାନରେ ଆଶ୍ଚର୍ଯ୍ୟାନ୍ୱିତ ହେଲି । ଲୋକମୁଖରୁ ମୋର ପ୍ରଥମ ଯାତ୍ରାର ବିବରଣ ଶୁଣି ଏବଂ ପ୍ରଭୁ ଜଗନ୍ନାଥଙ୍କୁ ଗୋଟିଏ ରତ୍ନହାର ଦେଇଥିବା ଜାଣି ସେ ମୋତେ ଭଲରକମ ଚିହ୍ନିବାର ସୁଯୋଗ ପାଇଥିଲେ । ମୁଁ ମଧ୍ୟ ସ୍ୱୟଂ ଦିନେ ରାଜମହଲରେ ମୋର ପ୍ରଥମ ଯାତ୍ରାର ବିବରଣ ଶୁଣେଇଥିଲି । ଯାହା ହେଉ ଆଜି ଏହି ଆହ୍ୱାନରେ ମନରେ ନାନା କଥା ଭାଳି ଭାଳି ଗଜପତିଙ୍କ ନିକଟରେ ଉପସ୍ଥିତ ହେଲି । ରାଜା ମୋତେ ଦେଖି କହିଲେ, “ରଣବୀର, ତୁମେ ବାସ୍ତବିକ ଜଣେ ବୀର । ଆମ୍ଭେ ଆଶା କରୁଁ, ତୁମ୍ଭେ ଆହୁରି ବୁଦ୍ଧିମତ୍ତା ଓ ସାହସର କାର୍ଯ୍ୟ କରି ଆମ୍ଭ ଦେଶର ମୁଖ ଉଜ୍ଜ୍ୱଳ କରିବ । ତୁମ୍ଭେମାନେ ମାଳୟଦ୍ୱୀପ ଓ ସୁମାତ୍ରା ଦେଶରେ ବାଣିଜ୍ୟ କରିବାକୁ ଯାଉଥିବାରୁ, ଆମ୍ଭେ ଏହି ଗୋପନୀୟ ପତ୍ର ଖଣ୍ଡି ତୁମ୍ଭ ହସ୍ତରେ ମାଳୟ ରାଜାଙ୍କ ନିକଟକୁ ପଠାଇଲୁଁ । ତୁମ୍ଭେ ଏହାର ଉତ୍ତର ମଧ୍ୟ ଆଣି ଆମ୍ଭଙ୍କୁ ଦେବ । ତୁମ୍ଭ ହସ୍ତରେ ଏହି ପତ୍ର ଯାଉଥିବା କଥା ତୁମ୍ଭ ସଙ୍ଗୀମାନଙ୍କ ନିକଟରେ ପ୍ରକାଶ ନ କରିବା ଲାଗି ମଧ୍ୟ ନିଷେଧ କଲୁଁ ।” ଏତିକି କହି ଗଜପତି ନୀରବ ହେବାରୁ ମୁଁ ସାଷ୍ଟାଙ୍ଗ ପ୍ରଣିପାତ କରି ଫେରି ଆସିଲି ଏବଂ ଜାହାଜରେ ବନ୍ଧୁମାନଙ୍କ କୌତୁହଳର ଉତ୍ତର ନ ଦେଇ ମୋର ସ୍ଥାନ ଅଧିକାର କଲି ।
 

ତତ୍ପରେ ଯଥାସମୟରେ ‘ନରସିଂହ’ ବନ୍ଦର ଛାଡ଼ି ସମୁଦ୍ର ଗର୍ଭରେ ଭାସମାନ ହେଲା । ପାଗ ଯେପରି ଭଲ ଥିଲା ଅନୁକୂଳ ବାୟୁ ମଧ୍ୟ ସେହିପରି ପ୍ରବାହିତ ହୋଇ ଆମ୍ଭମାନଙ୍କର ପରିଶ୍ରମ ଲାଘବ କରୁଥିଲା । ଆମ୍ଭେମାନେ ପରମ ଆନନ୍ଦରେ ଗଳ୍ପ, ନୃତ୍ୟଗାନ କରି ସମୟ ହରଣ କରୁଥିଲୁଁ । ଯେତେବେଳେ ଗଜପତି ମହାରାଜା ବହୁତ ଉତ୍କଳୀୟ ଯୁଦ୍ଧ ଜାହାଜ ନେଇ ସୁଦୂର ସମୁଦ୍ର ମଧ୍ୟରେ ବୁଲି ବୁଲି ଜଳଦସ୍ୟୁମାନଙ୍କୁ ଦମନ କରୁଥିଲେ, ସେତେବେଳେ ଏହି ‘ନରସିଂହ’ ସେହି ଜାହାଜମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ଜାହାଜର ଅଧ୍ୟକ୍ଷ ହଜୁରୀ ମହାଶୟ ଯେପରି ବିଚକ୍ଷଣ ବୁଦ୍ଧିସମ୍ପନ୍ନ, ସେହିପରି ମଧ୍ୟ ବିଚାରକୁଶଳ, ସାହସୀ ଓ ନିର୍ଭୀକ ପୁରୁଷ ଥିଲେ । ଆମ୍ଭେମାନେ ସମୟେ ସମୟେ ତାଙ୍କଠାରୁ ଜଳଦସ୍ୟୁମାନଙ୍କର ଭୟାବହ ଅତ୍ୟାଚାର କାହାଣୀ ଶୁଣି ସୁଖଲାଭ କରୁଥିଲୁଁ । ବାସ୍ତବିକ ଉତ୍କଳ-ସମ୍ରାଟଙ୍କର ପ୍ରବଳ ଆକ୍ରମଣ ଓ ଅକାତରେ ଅର୍ଥବ୍ୟୟ ଫଳରେ ଜଳଦସ୍ୟୁମାନଙ୍କର ଦମନ ହୋଇ ନ ଥିଲେ, ଆଜି ଏହି ସ୍ୱାଧୀନ ସମୁଦ୍ରଯାତ୍ରା ଓ ବହିର୍ବାଣିଜ୍ୟ ସମ୍ଭବପର ହୋଇ ନ ଥାନ୍ତା । ଜଳଦସ୍ୟୁମାନେ ଗଜପତିଙ୍କ ଆକ୍ରମଣରେ ଏତେ ଲଣ୍ଡଭଣ୍ଡ ହୋଇଥିଲେ ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦସ୍ୟୁବୃତ୍ତି ତ୍ୟାଗ କରି ସ୍ୱାଧୀନ ସମ୍ମାନଜନକ ଉପାୟରେ ଜୀବିକାନିର୍ବାହ କରିବାକୁ ବାଧ୍ୟ ହୋଇଥିଲେ ।

 

ଯାହାହେଉ, ଆମ୍ଭେମାନେ ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ କେତେଦିନ ଜଳ ଯାତ୍ରା କରି ପୂର୍ବକଥିତ ଦକ୍ଷିଣରେ ଭାରତର ଉପକୂଳବର୍ତ୍ତୀ ବନ୍ଦରମାନଙ୍କରେ ଆଶ୍ରୟ ନେଇ ନିକଟବର୍ତ୍ତୀ ଦେଶମାନଙ୍କରେ ବିସ୍ତର ବାଣିଜ୍ୟ କରିବାକୁ ଲାଗିଲୁଁ । ଅନ୍ୟାନ୍ୟ ପଦାର୍ଥ ମଧ୍ୟରେ ଆମ୍ଭର ନଡ଼ିଆ, ପୁନ୍ନାଗ, ଗୁଆ, ସୁନା ଓ ରୂପାର ତା’ରକସି ଜିନିଷ ଏବଂ ଗଜମୁକ୍ତା ଜଡାଉ ଥିବା ଅଳଙ୍କାରମାନ ବିଶେଷ ଭାବରେ ବିକ୍ରୀ ହୋଇଥିଲା । ଏହିସବୁ ବିସ୍ତର ବାଣିଜ୍ୟ ଫଳରେ ଯେଉଁ ଅର୍ଥ ଲାଭ ହେଲା ସେଥିରେ ଆମ୍ଭେମାନେ ଯତ୍‌ପରୋନାସ୍ତି ସନ୍ତୁଷ୍ଟ ହେଲୁଁ । ସ୍ୱଦେଶକୁ ବହି ଆଣିବା ଲାଗି ଆମ୍ଭେମାନେ ବିଦେଶଜାତ ଉତ୍କୃଷ୍ଟ ଦ୍ରବ୍ୟମାନ ସଂଗ୍ରହ କଲୁଁ । ଏହିପରି ମାସାବଧି ବାଣିଜ୍ୟ ଫଳରେ ଆମ୍ଭେମାନେ ଶେଷରେ ଅନ୍ତର୍ବାଣିଜ୍ୟ ଛାଡ଼ି ବହିର୍ବାଣିଜ୍ୟ ଲାଗି ଅକୂଳ ସମୁଦ୍ର ଗର୍ଭରେ ଆହୁରି ପୂର୍ବାଭିମୁଖୀ ହେଲୁଁ ।

 

ଅନୁକୂଳ ବାୟୁ ମୁଖରେ ‘ନରସିଂହ’ ସମୁଦ୍ର ଗର୍ଭରେ ଭାସମାନ ହେଲା । ଆମ୍ଭେମାନେ ପୂର୍ବକଥିତ ବାଣିଜ୍ୟ ବଳରେ ବିସ୍ତର ଧନଲାଭ କରିଥିବାରୁ ପରମ ଆନନ୍ଦରେ କାଳ ହରଣ କରୁଥିଲୁଁ । କିନ୍ତୁ ଏଥର ଅଧ୍ୟକ୍ଷ ହଜୁରୀ ମହାଶୟ ଆମ୍ଭମାନଙ୍କ ସହିତ ସବୁବେଳେ କ୍ରୀଡ଼ା ମୋହରେ ଲିପ୍ତ ନ ରହି ଜାହାଜର ଗୋଟିଏ ଏକାନ୍ତ ଉଚ୍ଚସ୍ଥାନରେ ବସି ଦୂରଦର୍ଶୀ ଯନ୍ତ୍ର ସାହାଯ୍ୟରେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କରିବାରେ ବ୍ୟସ୍ତ ରହୁଥିଲେ । ଏହିପରି କେତେକ ଦିନ ଅତିବାହିତ ହେବା ପରେ, ଦିନେ ସାୟାହ୍ନରେ ଅଧ୍ୟକ୍ଷ ମହାଶୟ ହଠାତ୍‌ ସମୁଦ୍ରଗର୍ଭରେ ଜାହାଜ ନଙ୍ଗର କରିବାକୁ ଆଦେଶ ଦେଲେ । ଆଦେଶାନୁଯାୟୀ ନାବିକମାନେ ନଙ୍ଗରମାନ ପକାଇ ଦେବାରୁ, ଜାହାଜଟି ସମୁଦ୍ର ତରଙ୍ଗରେ ଆଉ ଇତସ୍ତତଃ ନ ହୋଇ ସୁଦୃଢ଼ ଭାବରେ ଛିଡ଼ା ହୋଇ ରହିଲା । ହଠାତ୍‌ ଜାହାଜ ସ୍ଥିର ହେବା ଦେଖି ମୁଁ ଆଉ ସଙ୍ଗୀମାନଙ୍କ ସହିତ ଆମୋଦପ୍ରମୋଦରେ ଯୋଗ ନ ଦେଇ, ବାହାରେ ଅସ୍ତ ସୂର୍ଯ୍ୟ ଦେଖି, ସାୟାହ୍ନ ସମୁଦ୍ରବାୟୁ ସେବନ କରିବା ଲାଗି ଅଧ୍ୟକ୍ଷଙ୍କ ନିକଟରେ ଆସି ଉପସ୍ଥିତ ହେଲି ।

 

ମୋତେ ଦେଖି ଅଧ୍ୟକ୍ଷ ମହାଶୟ କହିଲେ, “ରଣବୀର, ମୋର ମନେହୁଏ, ଆମ୍ଭମାନଙ୍କୁ ଅବିଳମ୍ୱେ ଗୁଡ଼ାଏ ଅନାବଶ୍ୟକ ବିପଦରେ ପଡ଼ିବାକୁ ହେବ । ମୁଁ ଏହି ଯନ୍ତ୍ର ସାହାଯ୍ୟରେ ଦେଖି ପାରୁଅଛି, ସତେ ଯେପରି ଦୂରରେ ରହି ଗୋଟିଏ ଦସ୍ୟୁଜାହାଜ ଆମ୍ଭମାନଙ୍କର ଅନୁସରଣ କରୁଅଛି-। ଦୁରାତ୍ମାଗୁଡ଼ାକ ଏ ପର୍ଯ୍ୟନ୍ତ ବାରମ୍ୱାର ଆକ୍ରମଣ ଭୟରେ ଆଉ ମୁଣ୍ଡ ଟେକି ପାରୁ ନ ଥିଲେ । ମାତ୍ର ବର୍ତ୍ତମାନ କେତେକ ବର୍ଷ ଧରି ସବୁ ଶାନ୍ତ ହେବା ଫଳରେ ପୁଣି ଆସ୍ତେ ଆସ୍ତେ ଅତ୍ୟାଚାର କରିବାକୁ ଆରମ୍ଭ କଲେଣି ।” ମୁଁ ହଜୁରୀଙ୍କର ଏହି କଥା ଶୁଣି ତାଙ୍କଠାରୁ ଟିକିଏ ଯନ୍ତ୍ର ନେଇ ଦେଖିଲି, ବହୁଦୂରରେ ତରଙ୍ଗ ଉହାଡ଼ରେ ଗୋଟିଏ କ୍ଷୁଦ୍ର କୃଷ୍ଣବିନ୍ଦୁ ଏଣେତେଣେ ସଞ୍ଚାଳିତ ହେଉଅଛି । ଏହିଟି ଯଦି ପ୍ରକୃତରେ ଦସ୍ୟୁ-ଜାହାଜ ହୁଏ, ତେବେ ଆମ୍ଭମାନଙ୍କର ବିପଦ ସୁନିଶ୍ଚିତ । ଏହା ଜାଣି ଆମ୍ଭେମାନେ ଆଉ ଅଧିକ ଅଗ୍ରସର ନ ହୋଇ ସେହିଠାରେ ଶତ୍ରୁର ପ୍ରତୀକ୍ଷା କରି ରହିଲୁଁ-। ଯଥାସମୟରେ ପୃଥିବୀକି ଅସୀମ ଅନ୍ଧାରରେ ବୁଡ଼ାଇଦେଇ ସୂର୍ଯ୍ୟଦେବ ଅସ୍ତଗାମୀ ହେଲେ ।

 

ଠିକ୍‌ ରାତି ହେବା ସଙ୍ଗେ ସଙ୍ଗେ ଉକ୍ତ ଦସ୍ୟୁଜାହାଜଟି ସତକୁସତ ଭୟାବହ ଗର୍ଜ୍ଜନ କରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହେଲା । ସଙ୍ଗେ ସଙ୍ଗେ ‘ନରସିଂହ’ ମଧ୍ୟ ନଙ୍ଗର ଉଠାଇ ଶତ୍ରୁମାନଙ୍କ ସହିତ ଜଳଯୁଦ୍ଧ କରିବାଲାଗି ପ୍ରସ୍ତୁତ ହୋଇ ପଡ଼ିଲା । ଦସ୍ୟୁମାନେ ପ୍ରଥମେ ଅଗ୍ନିକ୍ରୀଡ଼ା ଆରମ୍ଭ କରିବାରୁ, ‘ନରସିଂହ’ ମଧ୍ୟ ଅଗ୍ନିକୁ ଅଗ୍ନିରେ ଉତ୍ତର ଦେବାକୁ ଛାଡ଼ିଲା ନାହିଁ । ଚତୁର୍ଦ୍ଦିଗରେ ସମୁଦ୍ର ଗର୍ଜ୍ଜନକୁ ବୁଡ଼ାଇଦେଇ ଉଭୟ ପକ୍ଷରୁ ବନ୍ଧୁକ ଓ ତୋପ ଗୁଡ଼ୁମ୍‌ ଗୁଡ଼ୁମ୍‌ ପଡ଼ିବାକୁ ଲାଗିଲା । ପ୍ରତିପକ୍ଷର ଅଗ୍ନିରେ ‘ନରସିଂହ’ ଯେପରି ଆଘାତପ୍ରାପ୍ତ ହେଲା, ଦସ୍ୟୁଜାହାଜ ମଧ୍ୟ ସେହିପରି ଆହତ ହେଲା । ଗଭୀର ରାତ୍ରିର ଅନ୍ଧକାରରେ ଦିଗ୍‌ବଳୟକୁ ଆଲୋକିତ କରି ଯେପରି କ୍ରମାଗତ ଯୁଦ୍ଧ ଚାଲିଥିଲା, ସେଥିରେ ହଠାତ୍‌ କୌଣସି ପକ୍ଷ ବଶୀଭୂତ ହେବେ ବୋଲି ଆଶଙ୍କା କରାଯାଇ ପାରୁ ନ ଥିଲା । ମୋର ସଙ୍ଗୀ ବଣିକମାନେ ନିଜ ନିଜର ଧନ ନେଇ ଏତେ ବ୍ୟସ୍ତ ହୋଇ ପଡ଼ିଥିଲେ ଯେ, ସେମାନଙ୍କର ଆଉ ଜୀବନର ବା ଧନର ଆଶା ନ ଥିଲା । ମାତ୍ର ମୁଁ ମୋର ଦ୍ରବ୍ୟଗୁଡ଼ିକ ଦେହରେ ଅନ୍ୟାନ୍ୟଙ୍କ ପରି ମୋର ନାମାଙ୍କିତ ଟିକଟ ମାରିଦେଇ ଅତ୍ୟନ୍ତ ସାହସର ସହିତ ହଜୁରୀ ମହାଶୟଙ୍କ ନିକଟରେ ରହି ବନ୍ଧୁକ ଓ ତୋପ ଚଳାଇବାରେ ଲାଗିଥିଲି ।

 

ଏହିପରୀ କ୍ରମାଗତ ଯୁଦ୍ଧ ଫଳରେ ରାତ୍ରି ଆସି ଅର୍ଦ୍ଧାଧିକ ହେଲେ ସୁଦ୍ଧା ଅଗ୍ନିକ୍ରୀଡ଼ା ବନ୍ଦ ହେଲାନାହିଁ । ମାତ୍ର ଦୁଃଖର ବିଷୟ ଯେ, ଆମ୍ଭର ଅବିଶ୍ରାନ୍ତ ଗୁଳିବର୍ଷଣ ଯୋଗୁଁ ବାରୁଦ ଶେଷ ହୋଇ ଆସିଲା, କିନ୍ତୁ ଦସ୍ୟୁମାନେ ବରାବର ଅଗ୍ନିବୃଷ୍ଟି କରୁଥିଲେ । ଆମ୍ଭମାନଙ୍କର ମନେ ହେଲା, ଯେପରିକି ଏଥର ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ପରାଭୂତ କରିବା ଲାଗି ଦସ୍ୟୁମାନେ ବିସ୍ତର ଶକ୍ତି ଓ ବାରୁଦ ସଞ୍ଚୟ କରିଥିଲେ । ହଜୁରୀ ମହାଶୟ ଦେଖିଲେ, ଆଉ ଯୁଦ୍ଧ କରି ଆତ୍ମରକ୍ଷା କରାଯାଇପାରେ ନାହିଁ । ସୁତରାଂ ସେ ଆମ୍ଭମାନଙ୍କୁ ନିଜ ନିଜର ଧନପ୍ରାଣ ବଞ୍ଚାଇବା ଲାଗି ଉପଦେଶ ଦେଇ ଶତ୍ରୁର ତରବାରୀରେ ଆତ୍ମବଳି ଦେବାକୁ ସ୍ଥିର କଲେ । ଅନ୍ୟ ଓଡ଼ିଆ ବଣିକମାନେ ଶେଷ ମୁହୂର୍ତ୍ତରେ କାପୁରୁଷ ପରି କେବଳ ଧନ ଆଶା ଧରି ବସିରହିଲେ ନାହିଁ । ଅଧ୍ୟକ୍ଷଙ୍କ ମହତ୍‌ ଆଦର୍ଶରେ ପ୍ରତ୍ୟେକ ବଣିକପୁତ୍ର ମଧ୍ୟ ଶେଷଯୁଦ୍ଧ କରି ନିଜର ଜାତୀୟ ମାନ ରକ୍ଷା କରିବାକୁ ପ୍ରତିଜ୍ଞା କଲେ । ପ୍ରତ୍ୟେକ ଲୋକ ମୁଖରେ ଯେଉଁ ଅଟଳସଂକଳ୍ପ, ଯେଉଁ ଦମ୍ଭ ଓ ଗରିମାର ଆଲୋକ ପ୍ରତିଫଳିତ ହେଲା, ସେଥିରେ ମୁମୂର୍ଷୁ ପ୍ରାଣରେ ସୁଦ୍ଧା ସାହସର ସଞ୍ଚାର ହେଲା । ବାସ୍ତବିକ୍‌ ସେତେବେଳେ ଆମ୍ଭମାନଙ୍କୁ ବୋଧ ହେଲା, ମୃତ୍ୟୁ ଯେପରି ଗୋଟିଏ ତୁଚ୍ଛ ପଦାର୍ଥ, ଯେପରିକି ମୃତ୍ୟୁରେ ମନୁଷ୍ୟର ଜୀବନ ଶେଷ ହୁଏ ନାହିଁ । ଆଜି ବିଷମ ବିପଦ ସମ୍ମୁଖରେ ଛିଡ଼ା ହୋଇ କେତେକ ମୁଷ୍ଟିମେୟ ଓଡ଼ିଆ ଯେ ମୃତ୍ୟୁକୁ ଉପହାସ କରୁଥିଲେ, ସେଥିରେ ସମଗ୍ର ଉତ୍କଳଦେଶ ଗୌରବାନ୍ୱିତ ହେବାର କଥା ।

 

‘ନରସିଂହ’ ତାହାର ଶେଷ କମାଣ ବଜ୍ରନାଦରେ ନିକ୍ଷେପ କଲା । ସେଥିରେ ଦସ୍ୟୁଜାହାଜର କୌଣସି କ୍ଷତି ହେଲାନାହିଁ, ମାତ୍ର ଶତ୍ରୁପକ୍ଷ ନିରନ୍ତର ଗୁଳିବୃଷ୍ଟି କରୁଥିଲେ । ଏହି ସମୟରେ ଦେଖାଗଲା, ଆମ୍ଭମାନଙ୍କର ଆଉ ଏକ ପାର୍ଶ୍ୱରୁ ଅନ୍ୟ ଗୋଟିଏ ଜାହାଜ ରାତ୍ରିର ଅନ୍ଧକାର ଭେଦ କରି ଗୋଟିଏ ସଙ୍କେତ ଆଲୋକ ଲଗାଇ କ୍ରମଶଃ ନିକଟବର୍ତ୍ତୀ ହେଲା । ସଙ୍ଗେ ସଙ୍ଗେ ପ୍ରଥମ ଦସ୍ୟୁଜାହାଜରୁ ମଧ୍ୟ ସେହିପରି ଗୋଟିଏ ସଙ୍କେତ ଆଲୋକ ଜଳିଉଠିଲା । ଆମ୍ଭମାନଙ୍କର ବିଶ୍ୱାସ ହେଲା, ଆଉ ଗୋଟିଏ ଦସ୍ୟୁଜାହାଜ ପ୍ରଥମ ଜାହାଜର ସହାୟତା କରିବାକୁ ଆସୁଅଛି । ସୁତରାଂ ଆମ୍ଭମାନଙ୍କର ଧନାପହରଣ ଓ ମୃତ୍ୟୁ ସୁନିଶ୍ଚିତ ଜାଣି ଆମ୍ଭେମାନେ ଏକବାକ୍ୟରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କଲୁଁ । ଠିକ୍‌ ସେତିକିବେଳେ ମୋ ହସ୍ତରେ ଥିବା ଗଜପତିଙ୍କର ଗୋପନୀୟ ପତ୍ର କଥା ମୋର ମନମଧ୍ୟରେ ଉଦିତ ହେଲା । ସେ ମୋତେ ଆସିଲାବେଳେ କହିଥିଲେ, “ରଣବୀର, ତୁମେ ବାସ୍ତବିକ ଜଣେ ବୀର । ଆମ୍ଭେ ଆଶା କରୁଁ, ତୁମ୍ଭେ ଆହୁରି ବୁଦ୍ଧିମତ୍ତା ଓ ସାହାସର କାର୍ଯ୍ୟ କରି ଦେଶର ମୁଖ ଉଜ୍ଜ୍ୱଳ କରିବ ।” ଏହି ସବୁ କଥା ଯେପରି ମୋର ପ୍ରତି ଶିରାପ୍ରଶିରାରେ ଗୋଟିଏ ଅଗ୍ନିସ୍ରୋତ ବୁହାଇଦେଲା । ମୁଁ ମନେ ମନେ ବିଚାରିଲି, ଯଦି ଅନାୟାସରେ ଶତ୍ରୁ ହସ୍ତରେ ଆତ୍ମସମର୍ପଣ କରିବାକୁ ବା ଆତ୍ମବଳି ଦେବାକୁ ହୁଏ, ତାହାହେଲେ ଗଜପତିଙ୍କର ପତ୍ରଖଣ୍ଡି କିପରି ମାଳୟରାଜାଙ୍କ ନିକଟରେ ପହଞ୍ଚିବ ବା ମୁଁ କିପରି ତାଙ୍କର ଶେଷ ଉତ୍ସାହପୂର୍ଣ୍ଣ ବାକ୍ୟର ଯଥାର୍ଥତା ପ୍ରମାଣ କରିବି ? ସୁତରାଂ ଯେ କୌଣସି ଉପାୟରେ ମୋତେ ଆତ୍ମରକ୍ଷା ଓ ସମ୍ମାନରକ୍ଷା କରିବାକୁ ହେବ । ଏହି କଥାତକ ମୋ ମନମଧ୍ୟରେ ଉଦିତ ହେବାରୁ ମୁଁ ତତ୍‌କ୍ଷଣାତ୍‌ ଉପାୟ ଉଦ୍ଭାବନ କରିବାକୁ ଲାଗିଲି ।

 

ଏତିକିବେଳକୁ ଦସ୍ୟୁମାନଙ୍କର ଦୁଇଗୋଟିଯାକ ଜାହାଜ ଏକତ୍ର ହୋଇ ଯାଇଥିଲା । ଦସ୍ୟୁମାନେ ଦଳବଦ୍ଧ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରି ସମସ୍ତ ଧନ ଲୁଣ୍ଠନ କରିବାକୁ ଅଗ୍ରସର ହେଉଥିଲେ । ଏହି ସମୟରେ ମୁଁ ଦେଖିଲି, ହଜୁରୀ ମହାଶୟ ଓ ମୋର ସଙ୍ଗୀମାନେ କାତର ହୋଇ ଏକଦୃଷ୍ଟିରେ ଦସ୍ୟୁମାନଙ୍କ ଆଡ଼କୁ ଅନାଇ ଠିଆ ହୋଇଅଛନ୍ତି । ମୁଁ ଆଉ କାଳବିଳମ୍ୱ ନ କରି ହଠାତ୍‌ ସମସ୍ତଙ୍କ ଅଲକ୍ଷ୍ୟରେ ଜାହାଜରୁ ଚାଲି ଯାଇ ଗୋଟିଏ କ୍ଷୁଦ୍ର ଜୀବନ ନୌକା ଉପରେ ଆରୋହଣ କଲି । ରାତ୍ରି ବିଶେଷ ଅନ୍ଧକାରଚ୍ଛନ୍ନ ଥିବାରୁ ମୋତେ କେହି ଦେଖି ପାରୁ ନ ଥିଲେ । ମୁଁ ଅନ୍ଧାରେ ଅନ୍ଧାରେ ଜାହାଜମାନଙ୍କଠାରୁ ଟିକିଏ ଟିକିଏ ଦୂରେ ଦୂରେ ରହି ଆହୁଲାମାରି ଚାଲିଗଲି । ମୁଁ ବିଚାରିଲି, ଯେ କୌଣସି ଉପାୟରେ ଶତ୍ରୁ ଜାହାଜରେ ପ୍ରବେଶ କରି, ସେମାନଙ୍କୁ ସମୂଳେ ଧ୍ୱଂସ କରି ଉତ୍କଳର ଓ ଉତ୍କଳ-ସମ୍ରାଟଙ୍କର ଅକ୍ଷୁର୍ଣ୍ଣ ରଖିବି ।

 

ମନେ ମନେ ଏହିପରି ବିଚାର କରି ମୁଁ ଦ୍ୱିଗୁଣ ଉତ୍ସାହ ଓ ସାହସରେ ଅସାଧ୍ୟ ସାଧନ କରିବାକୁ ଅଗ୍ରସର ହେଉଅଛି, ଏହି ଅବସରରେ ଦସ୍ୟୁମାନେ କ୍ରମେ କ୍ରମେ ‘ନରସିଂହ’ର ନିକଟବର୍ତ୍ତୀ ହେଲେ । ସେମାନେ ଏକାବେଳେ ଅସ୍ତ୍ରଶସ୍ତ୍ର ଧରି କୋଳାହଳ କରି ଆମ୍ଭ ଜାହାଜରେ ପ୍ରବେଶ କରିବାରୁ ମୋର ସଙ୍ଗୀମାନେ ମଧ୍ୟ ନିଜ ନିଜର ଅସ୍ତ୍ରଶସ୍ତ୍ର ନେଇ ଯୁଦ୍ଧ ଲାଗି ଅଗ୍ରସର ହେଲେ । ଉଭୟ ପକ୍ଷରେ ଭୀଷଣ ଯୁଦ୍ଧ ହେଲା । ସେତେବେଳେ ମୁଁ ସମୁଦ୍ର ଗର୍ଭରେ ଥାଇ ଦସ୍ୟୁ ଆଲୋକରେ ଦେଖିଲି, ଉତ୍କଳୀୟ ବଣିକମାନେ ନିଜ ନିଜର ଆତ୍ମରକ୍ଷା ଓ ସମ୍ମାନରକ୍ଷା କରିବାଲାଗି ନିପୁଣ ଯୁଦ୍ଧ ଚେଷ୍ଟା କରୁଥିଲେ । ଅନେକ ସମୟ ଧରି ଅସ୍ତ୍ରେ ଅସ୍ତ୍ରେ ଓ ବାହୁରେ ବାହୁରେ ଭୀଷଣ ରଣ ଗୋଳ ହେଲା । ସେହି ଗୁରୁତର ବିଗ୍ରହ ଫଳରେ ଉଭୟ ପକ୍ଷରୁ ଯେଉଁମାନେ ଆହତ ବା ମୃତ ହେଲେ, ସେମାନଙ୍କର କରୁଣ ଆର୍ତ୍ତନାଦରେ ଚତୁର୍ଦ୍ଦିଗ ମୁଖରିତ ହେଲା । ପ୍ରବଳ ଭାବରେ ମନୁଷ୍ୟରକ୍ତ ବହି ଯାଇ ସମୁଦ୍ରର ନୀଳଜଳ ଦେହରେ ମିଶିଗଲା । ଅଧ୍ୟକ୍ଷ ହଜୁରୀ ମହାଶୟ ଶେଷରେ “ଜୟ ଜଗନ୍ନାଥ ଜୟ” ନାଦ କରି ନିଜର ତରବାରୀ ଧରି, ଯେଉଁ ଅଲୌକିକ ଯୁଦ୍ଧ ଦେଖାଇଲେ, ତାହା ବାସ୍ତବିକ ପ୍ରଶଂସନୀୟ । ତାଙ୍କର ଯୁଦ୍ଧକାଳୀନ ଭୀଷଣ ଚିତ୍କାର ଓ କୁହାଟ ଶୁଣି ମୃତବ୍ୟକ୍ତି ମଧ୍ୟ ହାତଗୋଡ଼ ହଲାଇ ପାରେ । ଜୀବନନୌକା ଖଣ୍ଡି ଚଳାଉ ଚଳାଉ ବୀର ଦର୍ପରେ ଓ ଆତ୍ମସମ୍ମାନରେ ମୋର ସମସ୍ତ ଶରୀର ଓ ମନ ନାଚି ଉଠୁଥାଏ ।

 

ଯାହାହେଉ, ଏହି ଯୁଦ୍ଧ ବେଶୀ ସମୟ ସ୍ଥାୟୀ ହୋଇ ରହିପାରିଲା ନାହିଁ । କାରଣ ଆମ୍ଭର ସଙ୍ଗୀମାନେ ସଂଖ୍ୟାରେ ଅଳ୍ପ ଥିବାରୁ ଏବଂ ଯୁଦ୍ଧବିଦ୍ୟାରେ ସେତେ କୁଶଳୀ ନ ଥିବାରୁ, ଅଳ୍ପସମୟ ପରେ ଦସ୍ୟୁମାନଙ୍କ ହସ୍ତରେ ବନ୍ଦୀ ହେଲେ । ହଜୁରୀ ମହାଶୟ ହସ୍ତରେ ତରବାରୀ ଧରିଥିବାଯାଏଁ ବଶୀଭୂତ ହୋଇ ନ ଥିଲେ । ମାତ୍ର ସେ ମଧ୍ୟ ବେଶୀ ସମୟ ନିଜର ଟେକ ରକ୍ଷା କରି ପାରିଲେ ନାହିଁ । କାରଣ ଜଣେ ଦସ୍ୟୁର ପ୍ରଚଣ୍ଡ ଆଘାତରେ ତାଙ୍କର ତରବାରୀ ଦୁଇଖଣ୍ଡ ହୋଇ ସମୁଦ୍ର ଗର୍ଭସ୍ଥ ହେବାରୁ ସେ ମଧ୍ୟ ଶତ୍ରୁଦ୍ୱାରା ବନ୍ଦୀ ହେଲେ । ତତ୍ପରେ ଦସ୍ୟୁମାନେ ବଡ଼ ବଡ଼ ଦଉଡ଼ି ନେଇ ଆମ୍ଭ ସଙ୍ଗୀମାନଙ୍କ ହାତଗୋଡ଼ ବାନ୍ଧି ପକାଇଲେ ଏବଂ ଜାହାଜର ନିମ୍ନତଳରେ ଥିବା ସମମ୍ତ ସମ୍ପତ୍ତି ଅପହରଣ କରି ଉପରକୁ ଉଠାଇ ଆଣିଲେ । ମୁଁ ଦସ୍ୟୁମାନଙ୍କର ଏହିସବୁ କାର୍ଯ୍ୟ ଦେଖି ମନେ ମନେ ବିଚାର କଲି, ସେମାନେ ନିଶ୍ଚୟ ମୋର ସଙ୍ଗୀମାନଙ୍କୁ ପ୍ରାଣରେ ନ ମାରି ସମସ୍ତ ସମ୍ପତ୍ତି ସହ ବନ୍ଦୀ କରି ନେଇଯିବେ ।

 

ଏହି ସବୁ ଦୃଶ୍ୟ ଦେଖୁ ଦେଖୁ ଓ ମନମଧ୍ୟରେ ଏହିପରି ଭାଳୁ ଭାଳୁ ମୁଁ ଆସି ଦସ୍ୟୁମାନଙ୍କ ଯୁଦ୍ଧ ଜାହାଜର ନିକଟବର୍ତ୍ତୀ ହୋଇଗଲି । ଜାହାଜର ପଶ୍ଚାତ୍‌ ଭାଗରେ ଦସ୍ୟୁମାନଙ୍କର ଅନେକଗୁଡ଼ିଏ ଜୀବନନୌକା ମଧ୍ୟ ବଡ଼ ବଡ଼ ସୁଦୃଢ଼ ଦଉଡ଼ିଦ୍ୱାରା ସଂଲଗ୍ନ ଥିଲା । ଦସ୍ୟୁମାନେ ଯେତେବେଳେ ଆଲୋକ ଧରି ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ଲୁଣ୍ଠନ କରୁଥିଲେ, ସେତିକିବେଳେ ମୁଁ ମୋର ଜୀବନ-ନୌକା ଖଣ୍ଡି ଭସାଇ ଦେଇ ଦସ୍ୟୁମାନଙ୍କର ଜାହାଜ ଉପରକୁ ଉଠିଗଲି । ଉପରକୁ ଆସି ଦେଖିଲି, ଶତ୍ରୁମାନଙ୍କ ମଧ୍ୟରୁ କେହିହେଲେ ଜଣେ ଜାହାଜରେ ନାହିଁ । କେବଳ ଜାହାଜର ଉପରେ ଓ ତଳେ ଦୁଇଟି ଆଲୋକ ଜଳୁଅଛି । ମୁଁ ଆଉ କାଳବିଳମ୍ୱ ନ କରି ହଠାତ୍‌ ଜାହାଜର ନିମ୍ନ ତଳରେ ପ୍ରବେଶ କଲି । ଦେଖିଲି ତଳଟି ବେଶ୍‌ ପ୍ରଶସ୍ତ ଓ ଲୁଣ୍ଠିତ ସାମଗ୍ରୀରେ ପୂର୍ଣ୍ଣ ହୋଇଅଛି । ଆହୁରି ଦୃଷ୍ଟି ଫେରାଇ ଦେଖିଲି ଜାହାଜର ଉଭୟ ତରଫର ମଙ୍ଗ ନିକଟରେ ଦୁଇଟି କ୍ଷୁଦ୍ର କୋଠରୀ ଅଛି ଏବଂ ସେହିଗୁଡ଼ିକ ବାହାରୁ ବନ୍ଦ ଅଛି । ଆଲୋକ ସାହାଯ୍ୟରେ ଆହୁରି ଦେଖି ପାରିଲି, ସେଥିରୁ ଗୋଟିଏ କୋଠରୀର ପଛଆଡ଼କୁ ମଙ୍ଗ ପର୍ଯ୍ୟନ୍ତ ଯେଉଁ ସାମାନ୍ୟ ବ୍ୟବଧାନ ଅଛି, ସେଥିରେ ଜଣେ ମନୁଷ୍ୟ ଅନାୟାସରେ ଲୁଚି ରହିପାରେ । ମୁଁ ସେହି ସ୍ଥାନଟିକୁ ମୋର ଗୁପ୍ତ ବାସସ୍ଥାନ ବୋଲି ମନୋନୀତ କରି ବାହାରେ ଆସି ଛପି ରହି ଦସ୍ୟୁମାନଙ୍କର କାର୍ଯ୍ୟକଳାପ ଦେଖିବାକୁ ଲାଗିଲି ।

 

ମୋର ଜୀବିତ ସଙ୍ଗୀମାନେ ବନ୍ଦୀ ହୋଇ ଦ୍ୱିତୀୟ ଜାହାଜକୁ ବୁହା ହେଲେ । କ୍ଷତବିକ୍ଷତ କଳେବର ‘ନରସିଂହ’ ମଧ୍ୟ ବଜରା ପରି ସେହି ଜାହାଜର ପୁଚ୍ଛରେ ଗୁନ୍ଥା ହୋଇ ରହିଲା-। ଏହି ଦୃଶ୍ୟ ଦେଖି ମୋର ଯେତିକି କ୍ରୋଧର ଉଦୟ ହେଉଥିଲା ସେତିକି ମଧ୍ୟ ଦୁଃଖ ଜାତ ହେଉଥିଲା । ମୁଁ ଦୁଃଖରେ ନିତାନ୍ତ କାତର ହୋଇ ବିଚାରିଲି, ମୋର ସଙ୍ଗୀମାନଙ୍କ ସହିତ ହତ, ଆହତ, ଅବା ବନ୍ଦୀ ହୋଇଥିଲେ ଯେଉଁ ଆନନ୍ଦ ହୋଇଥାନ୍ତା, ସେହି ଆନନ୍ଦ ମୋର ଏହି ନିରାପଦ ଅବସ୍ଥାରେ ନାହିଁ । ଯାହାହେଉ, ବାହାରେ ସେହି ଦୁଃଖର ଦୃଶ୍ୟ ଆଉ ବେଶୀସମୟ ନ ଦେଖି, ମୁଁ ତତ୍‌କ୍ଷଣାତ୍‌ ତଳକୁ ଓହ୍ଲାଇ ଆସିଲି ଏବଂ ମୋର ସ୍ଥିରୀକୃତ ସ୍ଥାନରେ ଆତ୍ମଗୋପନ କଲି । ଅଳ୍ପ ସମୟ ପରେ ଦସ୍ୟୁମାନେ ଆମ୍ଭର ସମସ୍ତ ସମ୍ପତ୍ତି ଓ ପଣ୍ୟଦ୍ରବ୍ୟ ଆଣି ସେହି ଯୁଦ୍ଧଜାହାଜରେ ବୋଝାଇ କଲେ । ସେତେବେଳେ ସେମାନଙ୍କର ବୀଭତ୍ସ ହର୍ଷଧ୍ୱନି ଓ କୋଳାହଳ ଶୁଣି ମୋ ଛାତିରେ ଶେଳ ବାଜି ଯାଉଥାଏ ।

 

ଏତିକିବେଳେ ସୂର୍ଯ୍ୟ ଉଦିତ ହେବାରୁ ଦସ୍ୟୁମାନେ ନଙ୍ଗର ଉଠାଇ ଚାଲିଗଲେ । ତାହା ପରେ ମୋର ବନ୍ଧୁମାନଙ୍କର ଆଉ କି ଅବସ୍ଥା ହେଲା, ମୁଁ କହିପାରିବିନାହିଁ । ଜାହାଜ ଗତି କରିବାକୁ ଲାଗିଲା । ମୁଁ ସେହି ସ୍ଥାନଟିରେ ଚୁପ୍‌ ହୋଇ ବସି ଉପରେ ଦସ୍ୟୁମାନଙ୍କର କୋଳାହଳ ଶୁଣୁଥାଏ । ଦିନ ଟିକିଏ ବେଶୀ ହେବାରୁ ସେମାନେ ଉପରେ ପାନଭୋଜନ ଓ ନୃତ୍ୟଗାନରେ ଲିପ୍ତ ହେଲେ । ଭୟରେ, ଘୃଣାରେ ଓ ରାଗରେ ମୋର ଭୋକଶୋଷ କୁଆଡ଼େ ହଜିଯାଇଥିଲା । ମୁଁ ଚୁପ୍‌ ହୋଇ ବସିଛି, ଶୁଣିଲି, ମୋର ପାର୍ଶ୍ୱବର୍ତ୍ତୀ କୋଠରୀ ମଧ୍ୟରେ କିଏ ଜଣେ ଅସ୍ଫଷ୍ଟ କରୁଣକ୍ରନ୍ଦନ କରୁଅଛି । ସେହି କରୁଣ ଶବ୍ଦରେ ମୋର ମଜ୍ଜାପର୍ଯ୍ୟନ୍ତ ଥରିଗଲା । ସେହି ଶବ୍ଦ କିଏ କରୁଅଛି, କାହିଁକି ବା କରୁଅଛି, ଇତ୍ୟାଦି ବିଷୟ ଜାଣିବାକୁ ମୋର କୌତୂହଳ ହେବାରୁ, ମୁଁ ଅତ୍ୟନ୍ତ ସାହସର ସହିତ ଆସ୍ତେ ଆସ୍ତେ ମୋର ବସିବାସ୍ଥାନରୁ ବାହାରିଆସି ଚତୁର୍ଦ୍ଦିଗକୁ ଅନାଇଲି । ଦେଖିଲି, ଜାହାଜ ତଳକୁ ବର୍ତ୍ତମାନ କାହାରି ଆସିବାର ଆଶଙ୍କା ନାହିଁ । ସୁତରାଂ ଧୀର ପାଦରେ ଅତି ସନ୍ତର୍ପଣରେ ଯାଇ, ସେହି କୋଠରୀଟିର ଶିକୁଳୀ ବାହାରୁ ଫିଟାଇ ଦେଲି । ହଠାତ୍‌ ଭିତରକୁ ପଶିଯିବାକୁ ସାହାସ ନ ହେବାରୁ ବାହାରେ ରହି ଭିତରକୁ ଅନାଇଲି । କୋଠାରୀଟି ଛୋଟ ହେଲେ ହେଁ ସେଥିରେ ଜଣେ ମନୁଷ୍ୟ ସ୍ୱଚ୍ଛନ୍ଦରେ ରହିପାରେ ।

 

ଭିତରକୁ ଅନାଇ ଦେଖିବାରେ ସେଥିରେ କେହି ମନୁଷ୍ୟ ଥିଲାପରି ମୋତେ ବୋଧ ହେଲାନାହିଁ । ତଥାପି ପୂର୍ବୋକ୍ତ କରୁଣ କ୍ରନ୍ଦନ ଉପରେ ନିର୍ଭର କରି ମୁଁ ବିଚାରିଲି ହୁଏତ କୌଣସି ହତଭାଗ୍ୟ ବନ୍ଦୀ ଏହି ଗୃହରେ ଆବଦ୍ଧ ରହି ପ୍ରାଣଭୟରେ ନିଜକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଅଛି । ମୁଁ ଆଉ ଟିକିଏ ସାହସରେ ଭିତରକୁ ମୁହଁ ପୂରାଇ ଆସ୍ତେ ଆସ୍ତେ କହିଲି, “ଏହି ଘରେ କିଏ ଅଛ ? ବାହାରକୁ ଆସ, ମୁଁ ଶତ୍ରୁ ନୁହେଁ । ତୁମେ ଯଦି ଦସ୍ୟୁମାନଙ୍କଦ୍ୱାରା ବନ୍ଦୀ ହୋଇଥାଅ, ତାହାହେଲେ ମୋତେ ଭୟ କରିବାର କୌଣସି କାରଣ ନାହିଁ । ମୁଁ ମଧ୍ୟ ତୁମପରି ଜଣେ ହତଭାଗ୍ୟ ବନ୍ଦୀ । ଭୟନାହିଁ, ବାହାରକୁ ଆସ ।” ମୋର ଏହିସବୁ କଥା ଶୁଣି କେହିଜଣେ କବାଟର ପଛଆଡ଼ୁ ମୃଦୁ ପାଦ ପକାଇ ଆସ୍ତେ ଆସ୍ତେ ଦ୍ୱାରଆଡ଼କୁ ଆସିଲେ । ସେହି ଲୋକକୁ ଦେଖିଲାକ୍ଷଣି ମୋର ଚକ୍ଷୁ ସ୍ଥିର ହୋଇଗଲା, ଶରୀରର ସମସ୍ତ ରକ୍ତସ୍ରୋତ ବନ୍ଦ ହୋଇଗଲା । ମୁଁ ମୋର ଚକ୍ଷୁକୁ ସେତେବେଳେ ବିଶ୍ୱାସ କରିପାରିଲି ନାହିଁ, ବା ମୋର ଅସ୍ତିତ୍ୱ ଥିଲାପରି ମୋତେ ବୋଧ ହେଲାନାହିଁ । ଏ ଯେ ଅନିନ୍ଦ୍ୟସୁନ୍ଦରୀ ନାରୀମୂର୍ତ୍ତି । ସେହି ମନୋହର ମୁଖମଣ୍ଡଳ, ସେହି କମନୀୟ କାନ୍ତି, ସେହି ସୁଗୋଲ ଅଥଚ ଈଷତ୍‌ ରକ୍ତଚକ୍ଷୁ ଦୁଇଟି, ସେହି ରକ୍ତଅଧର ଏହା କଣ ମର୍ତ୍ତ୍ୟର ମନୁଷ୍ୟଠାରେ ସମ୍ଭବ ହୁଏ ? ମୁଁ ଜୀବନରେ ଏଡ଼େ ସୁନ୍ଦରୀ ସ୍ତ୍ରୀମୂର୍ତ୍ତି କଦାପି ଦେଖି ନ ଥିଲି । ସ୍ତ୍ରୀଟି ସତେ ଯେପରି ନବୀନଯୌବନର ସୌନ୍ଦର୍ଯ୍ୟ ତରଙ୍ଗରେ ଭାସମାନ ହେଉଥିଲା । ଏପରି ଅଲୌକିକ ସୌନ୍ଦର୍ଯ୍ୟ କେବଳ କବିମାନେ କଳ୍ପନା ସେହାଯ୍ୟରେ ସୃଷ୍ଟି କରିଥାନ୍ତି । ମାତ୍ର ସେହି ସ୍ୱର୍ଗୀୟ କାଳ୍ପନିକ ରୂପଛଟା ମୁଁ ଆଜି ବାସ୍ତବ ଚକ୍ଷୁରେ ଦେଖିବାକୁ ପାଇଲି । ମୋର ମନେ ହେଲା, ସ୍ତ୍ରୀଟି ହୁଏତ ସ୍ୱର୍ଗର କୌଣସି ଅପ୍‌ସରା ଅଥବା କୌଣସି ଉପନ୍ୟାସର ନାୟିକା କିମ୍ୱା ସମୁଦ୍ରଜଳରୁ ଜାତ ହୋଇଥିବା ସ୍ୱୟଂ ଲକ୍ଷ୍ମୀଦେବୀ । ଏହିପରି ସାରାସୃଷ୍ଟିର କେନ୍ଦ୍ରୀଭୂତ ସୌନ୍ଦର୍ଯ୍ୟ ଘେନି ଯେତେବେଳେ ନାରୀଟି ଢଳି ଢଳି ମୋର ସମ୍ମୁଖୀନ ହେଲା, ମୁଁ ଆତ୍ମହରା ହୋଇ ସେହି ମୂର୍ତ୍ତିମତୀ ଶୋଭାର ଅଧିଷ୍ଠାତ୍ରୀ ଦେବୀଙ୍କ ପାଦରେ ଭକ୍ତିପୂର୍ଣ୍ଣ ନମସ୍କାର କରିଥିଲି । ଏପରି ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ନିକଟରେ ମନୁଷ୍ୟମନ ସ୍ୱଭାବତଃ ଅବନତ ହୋଇପଡ଼େ । ମନୁଷ୍ୟ ଜୀବନରେ ସୌନ୍ଦର୍ଯ୍ୟ ଯେ ଗୋଟିଏ ବିଭବ ଓ ବଡ଼ଲୋକୀ, ତାହା ମୁଁ ଏହିଠାରେ ପ୍ରଥମେ ଅନୁଭବ କଲି ।

 

ସମ୍ମୁଖରେ ସେହି ମୂର୍ତ୍ତିକୁ ଦେଖି ମୁଁ ଭକ୍ତି ଓ ବିନୟର ସହିତ ପଚାରିଲି, “ଦେବୀ ! ତୁମେ କିଏ ? ଏହି ଦସ୍ୟୁଜାହାଜରେ ଏପରି ଏକାକିନୀ ଅବସ୍ଥାରେ ଏହି ନିର୍ଜନ ପରିତ୍ୟକ୍ତ କୋଠରୀ ମଧ୍ୟରେ କାହିଁକି ବା କିପରି ଅଛ ? ଯଦି କୌଣସି ଆପତ୍ତି ନ ଥାଏ, ତେବେ ଦୟାକରି ସେହିକଥା କହି ମୋର କୌତୂହଳ ଦୂର କର । ମୁଁ ମନେ କରୁଛି, ତୁମେ ଦସ୍ୟୁମାନଙ୍କଦ୍ୱାରା ଏଠାରେ ବନ୍ଦିନୀ । ପ୍ରକୃତ କଥା କ’ଣ କହ ।”

 

ତାହା ପରେ ସେ କ୍ଷୀଣଭାଷାରେ ପ୍ରଥମେ ମୋର ପରିଚୟ ପଚାରିବାରୁ ମୁଁ ନିଃଶଙ୍କମନରେ ଆମ୍ଭର ଏହି ଜଳଯାତ୍ରାର ସମସ୍ତ-କଥା ଆନୁପୂର୍ବିକ ବର୍ଣ୍ଣନା କଲି । ଜଳଦସ୍ୟୁମାନଙ୍କୁ ଏକାକୀ ନିପାତ କରିବାକୁ ମୁଁ ଯେ କୃତସଙ୍କଳ୍ପ ହୋଇଅଛି, ଏକଥା ମଧ୍ୟ ପ୍ରକାଶ କଲି । ଅନ୍ୟାନ୍ୟ କଥାମଧ୍ୟରେ ମୁଁ ଉତ୍କଳୀୟ ବଣିକ, ମାଳୟ-ରାଜାଙ୍କ ପ୍ରତି ଗଜପତିରାଜାଙ୍କର ଗୋପନପତ୍ର-ବାହକ-ଇତ୍ୟାଦି ଶୁଣିଲାବେଳେ ତାଙ୍କର ମୁଖମଣ୍ଡଳ ସତେ ଯେପରି ଆଶା ଓ ଆନନ୍ଦରେ ଜଳିଉଠିଲା । ମୁଁ ସମସ୍ତ ପରିଚୟ ଦେଇ ସାରିଲାରୁ ତାଙ୍କୁ ପଚାରିଲି, “ଭଦ୍ରେ ! ଏବେ ତୁମ୍ଭର ପରିଚୟ ଦିଅ । ତୁମ୍ଭଙ୍କୁ ଦେଖିଲା ବେଳୁଁ ତୁମ୍ଭର ବିବରଣ ଶୁଣିବାକୁ ମୁଁ ବ୍ୟାକୁଳ ହୋଇ ପଡ଼ିଲିଣି ।”

 

ମୋର ଆଗ୍ରହ ଓ ବିନୟରେ ବିଗଳିତ ହୋଇ ଦେବୀ ତାଙ୍କର ସମସ୍ତ ଶୋଭାର ଆଧାର ଲାଲ ଅଧର ଦୁଇଟି ଟିକିଏ ପ୍ରକମ୍ପିତ କରି କହିବାକୁ ଆରମ୍ଭ କଲେ । ସେହି ଅମୃତ ବଚନରେ ମୃତମନୁଷ୍ୟ ପୁଣି ଜୀଇ ଉଠିପାରେ । ଦେବୀ କହିଲେ, “ତୁମେ ଯେ କେହି ହୁଅ, ତୁମର ସମଦଶା ଓ ବ୍ୟବହାରରେ ମୁଁ ଯଥେଷ୍ଟ ଆଶ୍ୱସ୍ତ ହୋଇଅଛି । ଏହି ଭୟାନକ ଶତ୍ରୁପୁରରେ ଆବଦ୍ଧ ରହି ତୁମ୍ଭର ସଦାଚରଣ ଓ ସମଦଶା ଦେଖି ମୁଁ ମନେ କରୁଛି, ମୁଁ ଏହି ପୃଥିବୀରେ ଏକମାତ୍ର ହତଭାଗିନୀ ନୁହେଁ । ରଣବୀର, ମୁଁ ମାଳୟରାଜାଙ୍କର ଏକମାତ୍ର କନ୍ୟା, ମୋର ନାମ ପରିମଳା । ପିତା ମୋର ଉତ୍କଳର ଗଜପତି ସମ୍ରାଟଙ୍କ ନିମନ୍ତ୍ରଣରେ “ଜଗନ୍ନାଥ” ଦର୍ଶନ କରିବାଲାଗି ମୋତେ ସଙ୍ଗରେ ନେଇ ପୁରୀକୁ ଯାଉଥିଲେ । ସଙ୍ଗରେ ଅନେକ ଦାସଦାସୀ ମଧ୍ୟ ଥିଲେ । ଯାଉ ଯାଉ ବାଟରେ ଦସ୍ୟୁମାନେ ଆମ୍ଭର ଜାହାଜକୁ ଆକ୍ରମଣ କଲେ । କେତେକଦିନ ଧରି ଯୁଦ୍ଧ ହେବା ପରେ ଆମ ପକ୍ଷ ପରାସ୍ତ ହେଲେ । ଦସ୍ୟୁମାନେ ମୋର ପିତା ମାଳୟରାଜାଙ୍କୁ ଦାସଦାସୀ ସହିତ ହତ୍ୟା କରି ସମସ୍ତ ସମ୍ପତ୍ତି ଅପହରଣ କରିନେଲେ । ଏହି ଜାହାଜରେ ତୁମ୍ଭେ ଯେଉଁସବୁ ସମ୍ପତ୍ତି ଜମା ହୋଇଥିବାର ଦେଖୁଛ, ସେଥିରୁ କେତେକ ଆମରି ବୋଲି ମୋର ମନେ ହେଉଛି । ଯେତେବେଳେ ଆମ୍ଭେମାନେ ପରାସ୍ତ ହୋଇଗଲୁଁ, ସେତେବେଳେ ପିତା ମୋର ମାନରକ୍ଷା ଲାଗି ମୋତେ ଗୋଟିଏ ନିଭୃତସ୍ଥାନରେ ଲୁଚାଇ ରଖିଥିଲେ । ମାତ୍ର ଦସ୍ୟୁମାନେ ଆରୋହୀମାନଙ୍କୁ ହତ୍ୟା କରି ଧନ ଲୁଟି କରି ନେବା ସମୟରେ ମୋତେ ସେହି ଗୁପ୍ତସ୍ଥାନରୁ ବାହାର କରି ବନ୍ଦୀ କଲେ । ଏହିପରି ପିତାଙ୍କର ଯେତେବେଳେ ସମୁଦ୍ର ମଝିରେ ଶେଷସମାଧି ହେଲା, ସେତେବେଳେ ମୁଁ ହତଭାଗିନୀ ତାଙ୍କର ପାଦଦୁଇଟି ଦେଖିପାରିଲି ନାହିଁ । କିନ୍ତୁ ତାଙ୍କର ଶେଷ କରୁଣ ଆର୍ତ୍ତନାଦ ମୋର ହାଡ଼ଭିତରେ ପଶି ଯାଇଅଛି । ଦସ୍ୟୁମାନେ କହନ୍ତି, ଆମ ଦେଶରୁ ଆହୁରି ପ୍ରଚୁର ସମ୍ପତ୍ତି ପାଇଲେ ମୋତେ ମୁକ୍ତି ଦେବେ ; ନଚେତ୍‌ ମୋର ଜୀବନ ମଧ୍ୟ ସେମାନଙ୍କ ତରବାରୀରେ”...।

 

ପରିମଳା ତାଙ୍କର କରୁଣ ଦୁଃଖର କାରଣ ଏତିକି ପର୍ଯ୍ୟନ୍ତ କହି ଅଛନ୍ତି, ହଠାତ୍‌ ଶୁଣାଗଲା, ଉପର ତାଲାରୁ ତଳ ତାଲାକୁ କବାଟ ଫିଟୁଅଛି । ସଙ୍ଗେ ସଙ୍ଗେ ଜଣେ ଦସ୍ୟୁ ତଳକୁ ଓହ୍ଲାଇବା ଲାଗି ଗୋଡ଼ ବଢ଼ାଇବାର ଦେଖା ଯିବାରୁ ମୁଁ ତତ୍‌କ୍ଷଣାତ୍‌ ସେହି କୋଠରୀର ଦ୍ୱାର ବନ୍ଦ କରି ଦେଇ ନିସ୍ତବ୍‌ଧ ଭାବରେ ଯାଇ ମୋର ରହିବା ଜାଗାରେ ଲୁଚିରହିଲି । ସେହି ଦସ୍ୟୁ ତାହା ପରେ କେତେକ ଖାଦ୍ୟ ପଦାର୍ଥ ସହ ତଳକୁ ଆସି କୋଠରୀଟିର ଦ୍ୱାର ଫିଟାଇ ସେହି ଖାଦ୍ୟତକ ପରିମଳାଙ୍କ ସମ୍ମୁଖରେ ରଖିଦେଲା । ଖାଦ୍ୟତକ ରଖିଦେଇ ପାଷଣ୍ଡ ରୂପସୀ ରାଜକନ୍ୟାଙ୍କୁ ଲକ୍ଷ୍ୟକରି ଯେଉଁ ଭଣ୍ଡ ଅଶ୍ଳୀଳ ଉପହାସ କଲା, ସେଥିରେ ମୋ ଦେହର ସମସ୍ତ ହାଡ଼ ଓ ରକ୍ତ ଠକ ଠକ କରି ନାଚିଉଠିଲା । ମାତ୍ର ପରିମଳା ପ୍ରତିଦିନ ଏହି ପରି ଗୁଡ଼ାଏ ଭର୍ତ୍ସନା ଓ ଉପହାସ ଶୁଣି ଣୁଣି ପଥର ହୋଇ ଯାଇଥିଲେ । ସୁତରାଂ ସବୁକଥା ଆଜି ମଧ୍ୟ ନିର୍ବିକାର ଚିତ୍ତରେ ଶୁଣିଗଲେ । କେତେକ ସମୟ ସେହି ଦସ୍ୟୁଟା ଏହିପରି ବାହାରେ ଛିଡ଼ା ହୋଇ ଗୁଡ଼ାଏ ବୀଭତ୍ସ ତିରସ୍କାର କରି ଫେରିଗଲା ଏବଂ ପୂର୍ବୋକ୍ତ କବାଟ ପକେଇ ଦେଇ ଉପରେ ରହିଲା । ତତ୍ପରେ ମୁଁ ପୁଣି ନିସ୍ତବ୍‌ଧ ଭାବରେ ଆସି କୋଠରୀଟିର କବାଟ ଫିଟାଇ ଦେବାରୁ ପରିମଳା ଦେବୀ ତତ୍‌କ୍ଷଣାତ୍‌ ଦ୍ୱାରନିକଟକୁ ଚାଲିଆସିଲେ । ଦେବୀ ସେହି ଖାଦ୍ୟତକ ମୋ ହାତକୁ ବଢ଼ାଇ ଦେଉ ଦେଉ କହିଲେ, “ରଣବୀର, ତୁମେ ଆଜି ଏହି ରୁଟିତକ ଖାଅ ।” ମୁଁ କହିଲି, “ଦେବୀ, ତୁମେ ଖାଇ ସାରିବା ପରେ ଯାହା ବଳିବ, ସେ ପ୍ରସାଦକୁ ମୁଁ ଅମୃତତୁଲ୍ୟ ଭୋଜନ କରିବି ।” ମାତ୍ର ପରିମଳା ସେହିଦିନ କିଛି ଖାଇଲେ ନାହିଁ ।

 

ତାହା ପରେ ଆମ୍ଭେ ଦୁହେଁ ଦସ୍ୟୁମାନଙ୍କର ଅଲକ୍ଷରେ ସେହି କୋଠରୀ ନିକଟରେ ବସି ଉଭୟ ଜୀବନର ପ୍ରାଚୀନ କାହାଣୀ ନେଇ କଥାବାର୍ତ୍ତା କଲୁଁ । ମୁଁ ମୋର ପ୍ରଥମ ସମୁଦ୍ରଯାତ୍ରା କଥା, ପୁରୀକଥା, ଗଜପତିଙ୍କ କଥା-ଇତ୍ୟାଦି ବର୍ଣ୍ଣନା କରୁଥିଲି । ପରିମଳା ଅତ୍ୟନ୍ତ ଆଗ୍ରହରେ ତାହାସବୁ ଶୁଣୁଥାନ୍ତି । ବିନିମୟରେ ସେ ମଧ୍ୟ ତାଙ୍କର ଜୀବନ କାହାଣୀ, ମାଳୟରାଜ୍ୟ କଥା ଓ ତାଙ୍କ ପିତାଙ୍କ ବିଷୟ ନେଇ ସମସ୍ତ କଥା ମୋତେ ଶୁଣାଇଲେ । ତାଙ୍କରିଠାରୁ ଶୁଣିଲି, ଯେତେବେଳେ ଗଜପତି ରାଜା ବହୁତ ସୈନ୍ୟ ଓ ଯୁଦ୍ଧ ଜାହାଜ ନେଇ ଜଳଦସ୍ୟୁମାନଙ୍କୁ ଦମନ କରୁଥିଲେ, ସେତେବେଳେ ମାଳୟ ରାଜା ମଧ୍ୟ ତାଙ୍କର ପରିମିତ ଶକ୍ତି ନେଇ ଗଜପତିଙ୍କର ସହାୟତା କରିଥିଲେ । ସେହି ସମୟରେ ମାଳୟରାଜାଙ୍କ ଗହଣରେ ପରିମଳା ଦେବୀ ଓ ଗଜପତିଙ୍କ ଗହଣରେ ଗଜପତି ଯୁବରାଜ ମଧ୍ୟ ଆସିଥିଲେ । ପ୍ରଥମ ସାକ୍ଷାତ୍‌ରେ ଉଭୟ ପ୍ରାଣରେ ଯେଉଁ ନବ ପ୍ରେମ ଅଙ୍କୁରି ଉଠିଥିଲା, ତାହାର ମଧ୍ୟ ତାଙ୍କ କଥାରୁ କିଛି କିଛି ଆଭାସ ପାଇଲି । ଏହାସବୁ ଶୁଣି ମୋର ମନେହେଲା ଗଜପତିଙ୍କର ଗୋପନ ପତ୍ରଖଣ୍ଡି ଅବଶ୍ୟ ଯୁବରାଜ ଓ ପରିମଳାଙ୍କର ପରିଣୟ ପ୍ରସ୍ତାବ-ମୂଳକ । ଯୁବରାଜଙ୍କ ଭାଗ୍ୟରେ ପ୍ରଭୁ ନୀଳାଚଳ ନାଥଙ୍କର ଶୁଭ ଦୃଷ୍ଟିପାତ ହେଲେ, ସେ ପରିମଳାଙ୍କର ପାଣିଗ୍ରହଣ କରିପାରିବେ । ନଚେତ୍‌ ମନୁଷ୍ୟ ଭାଗ୍ୟରେ ଏପରି ସ୍ୱର୍ଗୀୟ ରତ୍ନ ଲାଭ କରିବା ସମ୍ଭବ ନୁହେଁ ।

 

ସେହିଦିନ ଆଉ ଆମର କଥାବାର୍ତ୍ତା ସରିଲା ନାହିଁ । ପରସ୍ପର ପରସ୍ପରକୁ ଆତ୍ମୀୟ ପରି ମନେ କରି ଗଳ୍ପାମୋଦ କରୁଥିଲୁଁ । ଉଭୟ ଯେ ମୃତ୍ୟୁ ସଙ୍କଟରେ ପଡ଼ିଛୁ, ଉଭୟେ ଯେ ଦସ୍ୟୁମାନଙ୍କ ହସ୍ତରେ ବନ୍ଦୀ-ଏହି କଥା ଏକପ୍ରକାର ଭଳି ଯାଇଥିଲୁଁ । ଦୀର୍ଘ କାରାବାସ ପରେ ପରିମଳା ଆଜି ଯେଉଁ ସ୍ୱାଚ୍ଛନ୍ଦ୍ୟ ଓ ଆନନ୍ଦ ଅନୁଭବ କରୁଥିଲେ, ତା’ର ତୁଳନା ନାହିଁ । ମାତ୍ର ତାଙ୍କର ପ୍ରତ୍ୟେକ ଦୁଃଖ କଥାରେ ଓ ତାଙ୍କ ପ୍ରତି ଅତ୍ୟାଚାରରେ ମୋର ପ୍ରତିଶୋଧ ଇଚ୍ଛା ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା-। ପରିମଳା ଦେବୀ ମୋତେ ବହୁଦିନ ପରେ ବନ୍ଧୁଭାବରେ, ବିଶ୍ୱସ୍ତ ଭାବରେ ଓ ଆତ୍ମୀୟଭାବରେ ପାଇ ଆଦୌ ପାଖରୁ ଛାଡ଼ିବାକୁ ରାଜି ହେଉ ନ ଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ମୁଁ ଥରେ ପଚାରିଲି, “ଦେବୀ, ଏହି ଜାହାଜର ଅପର ମଙ୍ଗ ପାଖରେ ଯେଉଁ ଛୋଟ କୋଠରୀଟି ଅଛି, ସେଥିରେ କିଏ ଅଛି ?” ପରିମଳା କହିଲେ, “ମୁଁ ଜାଣିନାହିଁ । ତଥାପି ମୋର ମନେହୁଏ, ସେଥିରେ ମଧ୍ୟ କେହି ଜଣେ ହତଭାଗ୍ୟ ବ୍ୟକ୍ତି ମୋହରି ପରି ବନ୍ଦୀ ହୋଇ ରହିଅଛି । ସେହି ଲୋକକୁ ମୁଁ କଦାପି ଦେଖିନାହିଁ ।”

 

ପରିମଳାଙ୍କର ଏହି କଥାରେ ମୋର ବିଶେଷ କୌତୂହଳ ଜାତ ହେବାରୁ, ମୁଁ ତାଙ୍କଠାରୁ ଅନୁମତି ନେଇ ସେହି ଆବଦ୍ଧ ବ୍ୟକ୍ତି ସମ୍ୱନ୍ଧରେ କିଛି ଜାଣିବାକୁ ବାହାରିଲି । ଯିବା ପୂର୍ବରୁ ପରିମଳାଙ୍କୁ ସେହି ଘରେ ବନ୍ଦ କରି ପୂର୍ବପରି ବାହାରୁ ଜଞ୍ଜୀର ଲଗାଇ ଦେଲି । ତାହା ପରେ ମୁଁ ଆସ୍ତେ ଆସ୍ତେ ଯାଇ ସେହି ଦ୍ୱିତୀୟ କୋଠରୀଟିର କବାଟ ଫିଟାଇ ଦେବାରୁ ଜଣେ ପୌଢ଼ବ୍ୟକ୍ତି ମୋର ସମ୍ମୁଖୀନ ହେଲେ । ତାଙ୍କର ମୁଖ ମଳିନ ଓ ଶରୀର ଶୀର୍ଣ୍ଣ ହୋଇ ଯାଇଥିଲା । ତଥାପି ଲଲାଟରେ ପ୍ରଜ୍ଞା ଓ ପ୍ରତିଜ୍ଞାର ରେଖା ସୁସ୍ପଷ୍ଟ ଭାବରେ ଅଙ୍କିତ ଥିଲାପରି ଜଣାଯାଉଥିଲା । ତାଙ୍କର ସୌମ୍ୟ, ପ୍ରଶାନ୍ତ ଓ ପ୍ରତିଜ୍ଞାର ଆକୃତି ଦେଖି ବୋଧ ହେଉଥିଲା, ସତେ ଯେପରି ସେ ମନୁଷ୍ୟ ଜାତିକୁ ଶାସନ କରିବାଲାଗି ଜାତ ହୋଇଅଛନ୍ତି, ମାତ୍ର କାହାରି ଆଗରେ ହାତ ଯୋଡ଼ିବାଲାଗି ସୃଷ୍ଟ ନୁହନ୍ତି ।

 

ସେ ମୋତେ ଦେଖି ପ୍ରଥମେ ପଚାରିଲେ, “ତୁମେ କିଏ ? ଜଣେ ଦସ୍ୟୁ ? ଏହି ଅସମୟରେ ପୁଣି ମୋତେ ଦର୍ଶନ ଦେଇ ଅନୁଗୃହୀତ କଲ କାହିଁକି ? ହତ୍ୟା କରିବ କି ? ମୋର ତ ସମସ୍ତ ଯାଇଛି, ତେବେ ଶେଷରେ ଘାତକପରି ମୋତେ ବଧ ନ କରି ଥରେ ଯୁଦ୍ଧ ଦେଇ ମୋତେ ବିନାଶ କର ।” ପୌଢ଼ ଏକ ନିଶ୍ୱାସରେ ଏତକ କହିଗଲା ପରେ ମୁଁ ନିତାନ୍ତ ସଙ୍କୁଚିତ ହୋଇ ନମ୍ରତାର ସହିତ କହିଲି, “ମହାଭାଗ, ମୁଁ ଦସ୍ୟୁ ନୁହେଁ । ମୁଁ ଆପଣଙ୍କ ପରି ଦସ୍ୟୁମାନଙ୍କ ହସ୍ତରେ ଜଣେ ବନ୍ଦୀ । ମୁଁ ଉତ୍କଳ-ଦେଶୀୟ ବଣିକ । ଆମ୍ଭେମାନେ ଗଜପତିଙ୍କର.........ପ୍ରାପ୍ତ ହୋଇ ମାଳୟ ଓ ସୁମାତ୍ରା ଦ୍ୱୀପରେ ବାଣିଜ୍ୟ କରିବାକୁ ଯାଉଥିଲୁଁ । ମାତ୍ର ଦସ୍ୟୁମାନେ ଜଳ ଯୁଦ୍ଧରେ ଆମ୍ଭମାନଙ୍କୁ ପରାସ୍ତ କରି ଆମ୍ଭର ସମସ୍ତ ସମ୍ପତ୍ତି ଅପହରଣ କଲେ ଏବଂ ମୋର ସଙ୍ଗୀ ବଣିକମାନଙ୍କୁ ମଧ୍ୟ ବନ୍ଦୀ କରି ଘେନିଗଲେ । ମୁଁ ପ୍ରତିଶୋଧ ନେବା ଇଚ୍ଛାରେ ଶତ୍ରୁମାନଙ୍କ ସମ୍ପୂର୍ଣ୍ଣ ଅଜ୍ଞାତରେ ଏହି ଜାହାଜରେ ପ୍ରବେଶ କରିଅଛି । ଆପଣ କିଏ ? ପରିଚୟ ଦିଅନ୍ତୁ ।”

 

ତାହା ପରେ ସେ ଦୁଃଖିତ ହୋଇ କହିଲେ, “ବାବୁ, ମୁଁ ମାଳୟ ରାଜା । ଗଜପତିଙ୍କର ନିମନ୍ତ୍ରଣରେ ମୋର ଏକମାତ୍ର କନ୍ୟା ଓ ଦାସୀମାନଙ୍କୁ ନେଇ ପୁରୀ ଯାଉଥିଲି । ବାଟରେ ଦସ୍ୟୁମାନେ ଆମ୍ଭ ଜାହାଜକୁ ଆକ୍ରମଣ କରି ଭୟାନକ ଯୁଦ୍ଧ ପରେ ଆମ୍ଭର ସମସ୍ତ ସମ୍ପତ୍ତି ଲୁଟି କରି ନେଲେ । ମୋର ପରିଜନମାନଙ୍କ ମଧ୍ୟରୁ କେତେକ ନିହତ ଓ ଆଉ କେତେକ ବନ୍ଦୀ ହୋଇଅଛନ୍ତି । ମୋ ସହିତ ଯୁଦ୍ଧ କରୁ କରୁ ଜଣେ ଦସ୍ୟୁ ମୋ ପଛଆଡ଼ୁ ବାଡ଼ିରେ ମୋ ମୁଣ୍ଡକୁ ପ୍ରହାର କରିବାରୁ ମୁଁ ଆର୍ତ୍ତନାଦ କରି ମୂର୍ଚ୍ଛିତ ହେଲି । ତାହା ପରେ ମୋର ଜ୍ଞାନ ହେବାରୁ ଦେଖିଲି, ମୁଁ ଏହି କୋଠରୀଟିରେ ବନ୍ଦୀ ଅଛି । ମୋର ଏକମାତ୍ର କନ୍ୟା ପରିମଳାର ଅବସ୍ଥା କ’ଣ ହେଲା, ମୁଁ ଜାଣେନାହିଁ । ହୁଏତ ସେ ଶେଷରେ ସମୁଦ୍ରକୁ ଡେଇଁପଡ଼ି ଅଥବା ଦସ୍ୟୁର ତରବାରୀରେ ପ୍ରାଣ ହରାଇଅଛି । ବାବୁ ତୁମର ଉଦ୍ଦେଶ୍ୟ ମହତ୍‌ । ତୁମ୍ଭର ସାହସକୁ ଧନ୍ୟବାଦ । ବାସ୍ତବିକ୍‌ ତୁମ୍ଭେ ଜଣେ ଓଡ଼ିଆ ବୀର ।” ଏତିକି କହିବା ପରେ ତାଙ୍କ ଚକ୍ଷରୁ ଅବିରତ ଅଶ୍ରୁ ବୋହିବାକୁ ଲାଗିଲା । ମୁଁ ଆଉ ଶୋକାବେଗ ସମ୍ଭାଳି ନ ପାରି ତାଙ୍କର ପାଦ ଧରି ତଳେ ପଡ଼ିଗଲି । ସେ ମୋତେ ଉଠାଇ ସାନ୍ତ୍ୱନା ଦେଲେ ଓ ଆଶୀର୍ବାଦ କଲେ । ମୁଁ ତତ୍‌କ୍ଷଣାତ୍‌ ଗଜପତିଙ୍କ ଭୁର୍ଜପତ୍ରଲିଖିତ ଗୋପନ ପତ୍ର ଖଣ୍ଡି ରାଜାଙ୍କ ହସ୍ତକୁ ବଢ଼ାଇ ଦେଲି । ରାଜା ଅତି ଆଗ୍ରହର ସହିତ ପତ୍ରଖଣ୍ଡି ପଢ଼ୁ ପଢ଼ୁ ନିତାନ୍ତ ଦୁଃଖରେ କହିଲେ, “ଆହା ! ଆଉ ମୋର କନ୍ୟା ଜୀବିତ ଅଛି ଯେ ମୁଁ ଗଜପତି ଯୁବରାଜଙ୍କୁ ବିବାହ ଦେବି । ବହୁଦିନୁ ମୋର ସେହି ସୌଭାଗ୍ୟ ଲୋପ ହୋଇଛି ।”

 

ସେଠାରେ ମୁଁ କହିଲି, “ମହାରାଜ, ଛାମୁଙ୍କ ଦୁଃଖର ଦିନ ଶେଷ ହୋଇଅଛି । ମୋ ସହିତ ଧୀରେ ଧୀରେ ଆସନ୍ତୁ ।” ଏହା କହି ମୁଁ ତାଙ୍କର ହାତ ଧରି ଆସ୍ତେ ଆସ୍ତେ ତାଙ୍କୁ ପ୍ରଥମ କୋଠରୀ ନିକଟକୁ ନେଇ ଆସିଲି । କୋଠରୀର କବାଟ ଫିଟାଇ ଦେଲାକ୍ଷଣି ଅନ୍ଧକାରମୟ ଗୃହକୁ ଆଲୋକିତ କରି ମାଳୟ ରାଜକନ୍ୟା ପରିମଳା ଆବିର୍ଭୂତା ହେଲେ । ପଲକମାତ୍ରେ ପିତା ଓ କନ୍ୟା ପରସ୍ପରକୁ ଦେଖିବାରେ ସେହି ଅପୂର୍ବମିଳନର କରୁଣ ଦୃଶ୍ୟ କବିମାନେ କେବଳ ବର୍ଣ୍ଣନା କରିପାରନ୍ତି । ପରିମଳା ବିଜୁଳିପରି ଦୌଡ଼ିଆସି ପିତାଙ୍କୁ କୁଣ୍ଢାଇ କାନ୍ଦିବାକୁ ଲାଗିଲେ । ରାଜା ମଧ୍ୟ ବାଳକପରି କନ୍ୟାକୁ ଧରି କାନ୍ଦି ପକାଇଲେ । ଏହି ଦୁଃଖର ଦୃଶ୍ୟ ଜଗତରେ ବିରଳ । ମୁଁ ଦେଖିଲି, ସେମାନଙ୍କର କ୍ରନ୍ଦନଶବ୍ଦରେ ଦସ୍ୟୁମାନେ ଆକୃଷ୍ଟ ହୋଇପାରନ୍ତି । ସେଥିଲାଗି ମୁଁ ବାଧ୍ୟ ହୋଇ ସେମାନଙ୍କୁ ପ୍ରବୋଧନ ଦେଇ ନୀରବ ହେବାକୁ ଅନୁରୋଧ କଲି । ତାହା ପରେ ଆମ୍ଭେମାନେ ଏକତ୍ର ବସି ଉଦ୍ଧାରର ଉପାୟ ଚିନ୍ତା କଲୁଁ । ମୁଁ କହିଲି, “ମହାରାଜ, ଆପଣ ଚିନ୍ତା କରନ୍ତୁ ନାହିଁ । ଏହି ଦାସ ନିଜର ପ୍ରାଣପାତ କରି ଶ୍ରୀଛାମୁଙ୍କୁ ପୁଣି ରାଜ୍ୟ ଓ ସମ୍ମାନକୁ ଫେରାଇ ନେବ । ମୋର ଶେଷନିଶ୍ୱାସ ବହିବା ପୂର୍ବରୁ ମୁଁ ଦସ୍ୟୁମାନଙ୍କୁ ନିପାତ କରି ଶ୍ରୀଛାମୁଙ୍କ ଟେକ ରକ୍ଷା କରିବି । ଆପଣ ଦେଖନ୍ତୁ ।” ମହାରାଜା ମୋର ଏହି କଥା ଶୁଣି ମୋତେ କୁଣ୍ଢାଇ ପକାଇ ଆଶୀର୍ବାଦ କଲେ-। ତାହା ପରେ ଯଥାସମୟରେ ପିତାକନ୍ୟା ନିଜ ନିଜର କୋଠରୀକି ଯିବାରୁ ମୁଁ ମଧ୍ୟ ମୋର ଗୁପ୍ତ ସ୍ଥାନରେ ଲୁଚି ରହିଲି ।

 

ଆମ୍ଭର ଏହିସବୁ କାର୍ଯ୍ୟ ମଧ୍ୟରେ ଦସ୍ୟୁଜାହାଜ କ୍ରମାଗତ ଚାଲିଥାଏ । ମୁଁ ଥରେ ଥରେ ମୋର ରହିବାସ୍ଥାନରୁ ବାହାରି ଦସ୍ୟୁମାନଙ୍କର ଗତିବିଧି ଲକ୍ଷ୍ୟ କରୁଥାଏଁ ଏବଂ ସାମାନ୍ୟ ଶବ୍ଦରେ ପୁଣି ଆତ୍ମଗୋପନ କରୁଥାଏଁ । ଏହିପରି ହେଉ ହେଉ ଜାହାଜ ଗୋଟିଏ ସ୍ଥାନରେ ନଙ୍ଗର କଲା । ସଙ୍ଗେ ସଙ୍ଗେ ରାତି ଆସିବାରୁ ଦସ୍ୟୁମାନେ ପାନଭୋଜନରେ ଲିପ୍ତ ହେଲେ । କ୍ରମେ କ୍ରମେ ରାତି ବେଶୀ ହେବାରୁ ଏବଂ କ୍ରମାଗତ ନୃତ୍ୟଗାନ ଓ ପାନଭୋଜନଦ୍ୱାରା କ୍ଳାନ୍ତ ହୋଇ ପଡ଼ିବାରୁ ସେମାନେ ଜାହାଜର ଉପର ତଳରେ ଶୋଇପଡ଼ିଲେ । ସମସ୍ତ ନିସ୍ତବ୍‌ଧ ହେବାରୁ ମୁଁ ଧୀରେ ଧୀରେ ବାହାରିଆସି, ଉପରତଳର କବାଟ ଫିଟାଇ ଉପରକୁ ଅନାଇଲି । ଦେଖିଲି, ଦସ୍ୟୁମାନେ ନିଦ୍ରାରେ ମଲାପରି ପଡ଼ି ରହିଅଛନ୍ତି । କେବଳ ଜଣେମାତ୍ର ପ୍ରହରୀ ଆଲୋକ ନିକଟରେ ବସି ଢୁଳାଉଅଛି । ଏହି ସମୟକୁ ମୁଁ ଶୁଭମୁହୂର୍ତ୍ତ ଜାଣି ତତ୍‌କ୍ଷଣାତ୍‌ ତଳକୁ ଓହ୍ଲାଇ ପଡ଼ିଲି ଏବଂ କୋଠରୀ ଦୁଇଟିର ଦ୍ୱାର ଫିଟାଇ ମାଳୟରାଜାଙ୍କୁ ଓ ପରିମଳା ଦେବୀଙ୍କୁ ଉଦ୍ଧାର କଲି ।

 

ତାହା ପରେ ପିତା ଓ କନ୍ୟାଙ୍କୁ ଗୋଟିଏ ସ୍ଥାନରେ ସତର୍କ ଭାବରେ ଅପେକ୍ଷା କରିବାକୁ କହି, ରାଜାଙ୍କଠାରୁ ଆଶୀର୍ବାଦ ଗ୍ରହଣ କଲି । ରାଜା ମୋର କାର୍ଯ୍ୟପ୍ରଣାଳୀ ବା ଉଦ୍ଧାରର ଉପାୟ ସମ୍ୱନ୍ଧରେ କିଛି ଜାଣୁ ନ ଥିଲେ । ତଥାପି ତାଙ୍କ ଆଗ୍ରହର କୌଣସି ଉତ୍ତର ନ ଦେଇ ମୁଁ ପୂର୍ବପରି ଧୀରେ ଧୀରେ ଉପରକୁ ଉଠିଲି । ମୁଁ ଏକାକୀ ଯେଉଁ ଦୁଃସାହସିକତା ଦେଖାଇବାକୁ ଯାଉଥିଲି ସେଥିରେ ମୋର ପ୍ରାଣନାଶର ସମ୍ଭାବନା ଥିଲେ ସୁଦ୍ଧା, ଅଟଳ ପ୍ରତିଜ୍ଞାରେ ମୋର ହାତଗୋଡ଼ ନାଚି ଉଠୁଥିଲା । ମୁଁ ଆଉ କାଳବିଳମ୍ୱ ନ କରି ଦସ୍ୟୁମାନଙ୍କର ଖଣ୍ଡିଏ ଉଜ୍ଜ୍ୱଳ ତରବାରି ଉଠାଇ ବାୟୁବେଗରେ ପ୍ରଥମେ ସେହି ପ୍ରହରୀର ବକ୍ଷରେ ବିଦ୍ଧ କରିଦେଲି । ସଙ୍ଗେ ସଙ୍ଗେ ପୁଣି ତାକୁ ଏପରି ଜୋରରେ ଧକ୍‌କା ଗୋଟିଏ ଦେଲି ଯେ, ସେ ତୃଣପରି ଜାହାଜ ଉପରୁ ସମୁଦ୍ର ଜଳରେ ଫିଙ୍ଗି ହୋଇ ପଡ଼ିଲା । ତାକୁ ଆଉ ମୃତ୍ୟୁକାଳୀନ ଶେଷ ଆର୍ତ୍ତନାଦ କରିବାକୁ ପଡ଼ିଲାନାହିଁ ବା ତା’ର ହତ୍ୟାରେ ଅନ୍ୟାନ୍ୟ ଦସ୍ୟୁ ଜାଗ୍ରତ ହୋଇ ପାରିଲେ ନାହିଁ ।

 

ଏହି କାର୍ଯ୍ୟ ସାଧନ କରି ମୁଁ ଅଗ୍ନିକଣା ପରି ଚଞ୍ଚଳଗତିରେ ତଳ ତାଳାରେ ପ୍ରବେଶ କଲି । ରାଜା ମୋର କାର୍ଯ୍ୟକଥା ଶୁଣି କହିଲେ, ‘‘ରଣବୀର, ମୋତେ କଣ କରିବାକୁ ହେବ ?” ମୁଁ କହିଲି, “ମୋ ପଛରେ ରହି ମହାରାଜାଙ୍କୁ ମୋର କାର୍ଯ୍ୟାବଳୀ କେବଳ ଦେଖିବାକୁ ହେବ । ଆଉ ଯଦି ଦସ୍ୟୁମାନଙ୍କ ହସ୍ତରେ ମୋର ପ୍ରାଣ ଯାଏ, ତେବେ ଏହି ତରବାରି ସାହାଯ୍ୟରେ ଶ୍ରୀଛାମୁ ନିଜର ତଥା ପରିମଳାଦେବୀଙ୍କର ମାନରକ୍ଷା କରିବେ ।” ଏହା କହି ମୁଁ ଉଭୟଙ୍କର ହସ୍ତ ଧରି ସେମାନଙ୍କୁ ଉପରକୁ ଉଠାଇ ଆଣିଲି ଏବଂ ଧୀରେ ଧୀରେ ନେଇ ତୋପ ରହୁଥିବା ମଙ୍ଗ ନିକଟରେ ଛିଡ଼ା କରାଇଦେଲି । ତାହା ପରେ ମୁଁ ବୁଲି ବୁଲି ତରବାରୀ, ବନ୍ଧୁକ ଓ ବାରୁଦଯାକ ଉଠାଇଆଣି ତୋପ ନିକଟରେ ରଖିଦେଲି । ସମସ୍ତ କାର୍ଯ୍ୟ ଏତେ ଚଞ୍ଚଳ ଓ ଏତେ ନୀରବରେ ହେଉଥିଲା ଯେ, ଦସ୍ୟୁମାନେ କିଛି ଜାଣି ପାରି ନ ଥିଲେ । ମାଳୟରାଜା ଓ ପରିମଳା ଦେବୀ ଉଦ୍‌ବିଗ୍ନଭାବରେ ଅଥଚ ନିର୍ନିମେଷ ଦୃଷ୍ଟିରେ ମୋର ସମସ୍ତ କାର୍ଯ୍ୟ ଲକ୍ଷ୍ୟ କରୁଥିଲେ ।

 

ସମସ୍ତ ଆୟୋଜନ ଠିକ୍‌ ହୋଇଯିବାରୁ ମୁଁ ତୋପର ମୁଖକୁ ଦସ୍ୟୁମାନଙ୍କ ଆଡ଼କୁ ଘୂରାଇ ରଖିଲି । ତାହା ପରେ ଅଗ୍ନିକାଠିକି ନିକଟରେ ଥୋଇ ମହାରାଜାଙ୍କୁ କହିଲି, “ମୁଁ ଦସ୍ୟୁମାନଙ୍କୁ ଉଠାଇବା ସଙ୍ଗେ ସଙ୍ଗେ ଆପଣ ଏହି ବନ୍ଧୁକରେ ଶୂନ୍ୟକୁ ଗୋଟାଏ ଶବ୍ଦ କରିବେ ।” ରାଜା ବନ୍ଧୁକ ଧରି ପ୍ରସ୍ତୁତ ରହିବାରୁ ମୁଁ ତତ୍‌କ୍ଷଣାତ୍‌ ଦୁଇ ତିନିଜଣ ଦସ୍ୟୁଙ୍କ ଶରୀରରେ ମୋର ପାଦଦ୍ୱାରା ପ୍ରଚଣ୍ଡ ଆଘାତ କଲି । ସଙ୍ଗେ ସଙ୍ଗେ ବନ୍ଧୁକର ଆବାଜ ହେଲା । ଦସ୍ୟୁମାନେ ଉଠିପଡ଼ି କୋଳାହଳ କଲେ । ମାତ୍ର ହଠାତ୍‌ ଆବାଜର ବା ବିପଦର କାରଣ କିଛି ବୁଝିପାରି ନ ଥିବାରୁ କେବଳ ଏଣେ ତେଣେ ଦୌଡ଼ା ଦୌଡ଼ି କଲେ । ମୁଁ ଚିତ୍କାର କରି କହିଲି, “ଆରେ ପାଷାଣ୍ଡ ଶୃଗାଳପଲ, ଯଦି ବଞ୍ଚିବାକୁ ଆଶା ଥାଏ, ତେବେ ଅତିଶୀଘ୍ର ଜାହାଜର ତଳ ତାଲାକୁ ପଳାଅ । ନଚେତ୍‌ ଏହି ତୋପମୁଖରେ ଜଳିଯିବ ।” ଏହା କହୁ କହୁ ମୁଁ ତୋପରେ ଅଗ୍ନି ସଂଯୋଗ କରିବାରୁ ତୋପମୁଖରେ ସର୍ବଗ୍ରାସୀ ଅଗ୍ନି ଟଲ୍‍ମଲ କରିଉଠିଲା । ଦସ୍ୟୁମାନେ ତରବାରି ବା ବନ୍ଧୁକ ସାହାଯ୍ୟରେ ଆତ୍ମରକ୍ଷା କରିବାକୁ ଇତସ୍ତତଃ ହୋଇ ଖଣ୍ଡିଏ ହେଲେ ପାଇଲେ ନାହିଁ । ଏଣେ ସମ୍ମୁଖରେ ତୋପମୁଖର ଅଗ୍ନିଶିଖା ଦେଖି ସେମାନେ ନାନା ଗଣ୍ଡଗୋଳ ମଧ୍ୟରେ ଆର୍ତ୍ତନାଦ କରି ମେଲା ଥିବା କବାଟବାଟେ ତଳତାଲାକୁ ଫକ୍‌ ଫକ୍‌ ଡେଇଁଗଲେ । ଏହି ସମୟରେ ସମୁଦ୍ର ଗର୍ଜ୍ଜନକୁ ବୁଡ଼ାଇ ଦେଇ ଏବଂ ରାତ୍ରିର ଅନ୍ଧକାରକୁ ଘଉଡ଼ି ଦେଇ ତୋପର ଆବାଜ ହେଲା । ଯେଉଁ କେତେଜଣ ଦସ୍ୟୁ ହଠାତ୍‌ ତଳକୁ ଯାଇ ନ ପାରି ପଛରେ ରହିଗଲେ, ସେମାନେ ତୋପ ଅଗ୍ନିରେ ଟିକିଟିକି ହୋଇ ଉଡ଼ିଗଲେ । ମୁଁ ତତ୍‌କ୍ଷଣାତ୍‌ ଦୌଡ଼ିଯାଇ ବାହାରୁ ସେହି କବାଟ ବନ୍ଦ କରିଦେଲି । ଏହିରୂପେ ଦସ୍ୟୁମାନେ ଦଳବଦ୍ଧ ହୋଇ ନିଜ ଜାହାଜରେ ବନ୍ଦୀ ହୋଇ ରହିଲେ । ତାହା ପରେ ସବୁ ସ୍ଥିର ଓ ଶାନ୍ତ ହେବାରୁ ବହୁଦିନ ପରେ ଆଶାତୀତ ମୁକ୍ତି ଓ ଉଦ୍ଧାର ଯୋଗୁଁ ମାଳୟରାଜା ମୋତେ ଆନନ୍ଦରେ କୁଣ୍ଢାଇ ପକାଇ ମୋର ଶିର ଚୁମ୍ୱନ କଲେ । ପରିମଳା ଦେବୀ ମୋତେ ‘ଭାଇ’ ବୋଲି କହି ସ୍ନେହରେ ମୋ ପିଠିରେ ହାତ ବୁଲାଇଦେଲେ । ଆମ୍ଭେମାନେ ସେହିଦିନ ରାତ୍ରିର ଅନ୍ଧକାରରେ ତାରକାଶୋଭୀ ଅନନ୍ତ ଆକାଶ ତଳେ ଏକତ୍ର ବସି ଗଳ୍ପାମୋଦରେ ପରମ ଶାନ୍ତି ଅନୁଭବ କଲୁଁ । ରାତ୍ରି ଶେଷରେ ଅନନ୍ତର କାର୍ଯ୍ୟପ୍ରଣାଳୀ ସ୍ଥିର କରିବାକୁ ମନସ୍ଥ କରି ସୂର୍ଯ୍ୟାଦୟକୁ ଅପେକ୍ଷା କରି ରହିଲୁଁ ।

 

ଯଥାସମୟରେ ଦିଗବଳୟକୁ ରଞିତ କରି ସୂର୍ଯ୍ୟଦେବ ଗୋଟିଏ ବୃହତ୍‌ ଗୋଲାକାର ରକ୍ତପିଣ୍ଡ ପରି ସମୁଦ୍ରଗର୍ଭରୁ ଉଠିଆସିଲେ । ଆମ୍ଭେମାନେ ଯଥେଷ୍ଟ ପରିମାଣରେ ପାନହାର କରି ଉଦ୍ଧାରର ଉପାୟ ଚିନ୍ତା କଲୁଁ । ଆପାତତଃ ଦସ୍ୟୁମାନଙ୍କ ହସ୍ତରୁ ମୁକ୍ତିଲାଭ କରିଥିଲେହେଁ ସାମାନ୍ୟ କେତେଜଣଙ୍କ ବଳରେ କୁଆଡ଼େ ଯାଇ ପାରୁଁ ? ରାତ୍ରିର ଅନ୍ଧକାର ଯୋଗୁଁ ଆମ୍ଭେମାନେ ଚତୁର୍ଦ୍ଦିଗ ଦେଖି ପାରୁ ନଥିଲୁଁ । ମାତ୍ର ଦିବାଲୋକରେ ଦେଖିଲୁଁ, ଜାହାଜ ଗୋଟିଏ ପାହାଡ଼ର ଅଳ୍ପ ଦୂରରେ ନଙ୍ଗର କରିଅଛି । ଭଲକରି ଦେଖିଲେ ସେହି ପାହାଡ଼ର ପଛଆଡ଼େ ଆଉ ଗୋଟିଏ ପାହାଡ଼ ଛିଡ଼ା ହୋଇଥିବାର ଦେଖାଯାଉଥିଲା । ଉଭୟ ପାହାଡ଼ର ଅନ୍ତରାଳରେ ସମୁଦ୍ରର ଗୋଟିଏ କ୍ଷୀଣ ରେଖା ପ୍ରବେଶ କରି କ୍ଷୁଦ୍ର ପ୍ରଣାଳୀ ସୃଷ୍ଟି କରିଥିଲା । ମୁଁ ଜାହାଜରୁ ଦୂରଦର୍ଶୀ ଯନ୍ତ୍ର ନେଇ ପାହାଡ଼ ଆଡ଼କୁ ଓ ସମୁଦ୍ର ଚାରିଆଡ଼କୁ ଅନାଇ ଦେଖିଲି । ବହୁଦୂର ଯାଏଁ ସମୁଦ୍ରଜଳରେ କିଛି ଦେଖାଗଲାନାହିଁ । କେବଳ ସେହି ପ୍ରଥମ ପାହାଡ଼ର ନିମ୍ନତମ ଉପତ୍ୟକା ମଧ୍ୟରେ ଗୋଟିଏ କ୍ଷୁଦ୍ର ମନୁଷ୍ୟମୂର୍ତ୍ତି ସଞ୍ଚାଳିତ ହେଉଥିବାର ଜଣାଗଲା । ମୁଁ ବିଚାରିଲି, ଏହି ପାହାଡ଼ରେ ନିଶ୍ଚୟ ମନୁଷ୍ୟ ସମାଗମ ଅଛି-। ସୁତରାଂ ପାହାଡ଼ ପର୍ଯ୍ୟନ୍ତ ଯାଇ ପ୍ରକୃତ ଘଟଣା ଆବିଷ୍କାର କରିବାକୁ ମୁଁ ବାହାରିବାରୁ ପରିମଳା ଦେବୀ ମୋତେ ଏକୁଟିଆ ଯିବାକୁ ବାରଣ କଲେ । ମାତ୍ର ମୁଁ ସେମାନଙ୍କର ସ୍ନେହ ଓ ଅନୁଗ୍ରହରେ ବଳୀୟାନ୍‌ ହୋଇଥିବାର କହି, ବାରଣ ନ ମାନି ଖଣ୍ଡିଏ ଜୀବନ-ନୌକା ଉପରେ ବସିପଡ଼ିଲି । ଗଲାବେଳେ ଖଣ୍ଡିଏ ମଜଭୁତ ତରବାରୀ, ଖଣ୍ଡିଏ ବନ୍ଧୁକ ଓ ଯଥେଷ୍ଟ ପରିମାଣରେ ବାରୁଦ ସଙ୍ଗରେ ନେଇ ବାହାରିଲି । ଆହୁଲା ସାହାଯ୍ୟରେ ଆସ୍ତେ ଆସ୍ତେ ନୌକା ବାହି ନେଇ ଅଳ୍ପ ସମୟ ପରେ ପର୍ବତ ପାଦଦେଶରେ ପହଞ୍ଚିଲି ।

 

ତାହା ପରେ ବହୁ ବେଳଯାଏଁ ପର୍ବତର ଏଣେତେଣେ ବୁଲି ବୁଲି ଆଉ କୌଣସି ମନୁଷ୍ୟ ସମାଗମ ଦେଖିଲି ନାହିଁ । ତେଣୁ ମୁଁ ହତୋତ୍ସାହ ହୋଇ ସେହି ପର୍ବତ ଉପରକୁ ଆରୋହଣ କଲି । ଗୋଟିଏ ଉଚ୍ଚସ୍ଥାନରେ ଛିଡ଼ାହୋଇ ଚାରିଆଡ଼କୁ ଚାହୁଁ ଚାହୁଁ ଦେଖିଲି, ସେହି ପର୍ବତ ତଳେ ସମୁଦ୍ରଜଳରେ କଣ ଦୁଇଟା ପ୍ରକାଣ୍ଡ ପଦାର୍ଥ ଭାସୁ ଅଛି । ମୁଁ ଆସ୍ତେ ଆସ୍ତେ ତଳକୁ ଓହ୍ଲାଇ ଆସି ନିକଟରେ ଦେଖିଲି, ଆମ୍ଭର ‘ନରସିଂହ’ ଜାହାଜ ସେହିଠାରେ ଆବଦ୍ଧ ଅଛି । ଆହୁରି ମଧ୍ୟ ପ୍ରହରୀ ପରି ଦ୍ୱିତୀୟ ଦସ୍ୟୁ ଜାହାଜଟି ତା’ର ପାଖେ ପାଖେ ଛିଡ଼ା ହୋଇଅଛି । ଜାହାଜଟି ଏପରି ସ୍ଥାନରେ ରଖା ହୋଇଅଛି ଯେ, ବାହାରୁ ଦୃଷ୍ଟିପାତ କରି ପ୍ରଣାଳୀ ମଧ୍ୟରେ କେହି ତା’ର ଅସ୍ତିତ୍ୱ ଅନୁଭବ କରି ପାରିବେ ନାହିଁ । ପର୍ବତର ଅଳ୍ପ ଦୂରରେ ଯୁଦ୍ଧଜାହାଜ ନଙ୍ଗର କରିଥିବା, ଅଳ୍ପ ସମୟ ପୂର୍ବରୁ ପର୍ବତର ଏକ ଅଂଶରେ ଗୋଟିଏ ମନୁଷ୍ୟ ଦେଖାଯାଉଥିବା ଏବଂ ଏଠାରେ ‘ନରସିଂହ’ ଆବଦ୍ଧ ଥିବା–ଏହି ସମସ୍ତ ଘଟଣାରୁ ମୁଁ ବିଚାରିଲି, ଏହି ପର୍ବତହିଁ ଦସ୍ୟୁମାନଙ୍କର ଛଦ୍ମବାସସ୍ଥାନ ଓ ପ୍ରଧାନ ଆଡ଼୍‍ଡ଼ା ଜାଗା । ମୋର ଆହୁରି ମନେହେଲା, ଗତ ରାତ୍ରିରେ ଯୁଦ୍ଧ ଜାହାଜରେ ହଠାତ୍‌ ବନ୍ଧୁକ ଓ ତୋପର ଶବ୍ଦ ଶୁଣି ଦସ୍ୟୁମାନଙ୍କ ମଧ୍ୟରେ ନିଶ୍ଚୟ ଗୋଟାଏ ଚଞ୍ଚଳତା ଓ ବିପଦାଶଙ୍କା ଆସିଥିବ । ସେଥିଲାଗି ମୁଁ ଅତି ସତର୍କତା’ର ସହିତ ସେହି ଜଙ୍ଗଲ ମଧ୍ୟରେ ବୁଲିବାକୁ ଲାଗିଲି ।

 

ପ୍ରକୃତରେ ମୋର ଏହି ଧାରଣା ସତ୍ୟରେ ପରିଣତ ହେବାକୁ ବେଶି ଡେରି ହେଲାନାହିଁ-। ଅଳ୍ପ ସମୟ ପରେ ଦେଖିଲି, ଗୁଡ଼ାଏ ଦସ୍ୟୁ ଇତସ୍ତତଃ ହୋଇ ପାହାଡ଼ ଉପରକୁ ଉଠିବାକୁ ଲାଗିଲେ । ମୋର ପାଖ ଦେଇ ଅଳ୍ପ ଦୂରରେ ଜଣେ ଦସ୍ୟୁ ଦମ ଦମ ହୋଇ ଚାଲିଗଲା-। ମୁଁ ଭୟରେ ପଳାଇ ଯାଇ ଗୋଟିଏ ବଡ଼ ପଥର ନିକଟରେ ବୁଦା ଗହଳରେ ଲୁଚିଗଲି-। ମାତ୍ର ମୋର ସେହି ଆତ୍ମଗୋପନ କାର୍ଯ୍ୟ ତା’ର ସଞ୍ଚାଣ ଚକ୍ଷୁକୁ ଏଡ଼ାଇ ପାରିଲାନାହିଁ । ଦସ୍ୟୁଟା ମୋତେ ଅପରିଚିତ ଦେଖି ଏବଂ ଶତ୍ରୁଜ୍ଞାନ କରି ତା’ର ତରବାରୀ ଖୋଲି ମୋ ଆଡ଼କୁ ଧାଇଁ ଆସିଲା । ମୁଁ ଦେଖିଲି, ବିଷମ ବିପଦ ଉପସ୍ଥିତ । ସୁତରାଂ ମୁଁ ଆଉ ବେଶୀକ୍ଷଣ ବୁଦାଗହଳରେ ନ ରହି ସେହି ପଥର ନିକଟକୁ ପଳାଇ ଆସିଲି ଏବଂ ପଥରଟିକୁ ପଛଆଡ଼େ ରଖି ମୋର ତରବାରୀ ମୁକ୍ତ କରି ଆତ୍ମରକ୍ଷା ଲାଗି ସୁଦୃଢ଼ଭାବରେ ଛିଡ଼ା ହୋଇ ରହିଲି । ଦସ୍ୟୁଟା ପ୍ରବଳ ବେଗରେ ତଳକୁ ଓହ୍ଲାଇ ଆସୁ ଆସୁ ଗୋଟିଏ ପଥର ଦେହରେ ଗୋଡ଼ ଖସିଯିବାରୁ ତଳେ ପଡ଼ିଗଲା ଏବଂ ଗଡ଼ି ଗଡ଼ି ମୋର ପାଦ ତଳେ ଉପସ୍ଥିତ ହେଲା । ମୁଁ ସଙ୍ଗେ ସଙ୍ଗେ ମୋର ଉଜ୍ଜ୍ୱଳ ତରବାରୀଖଣ୍ଡି ତା’ର ଗଳାରେ ଲମ୍ୱାଇ ଦେବାରୁ, ଦସ୍ୟୁଟା ଜିଭକାମୁଡ଼ି ଚିରଦିନପାଇଁ ଆଖି ବୁଜିଦେଲା । ମୁଁ ତା’ର ମୃତଦେହକୁ ସେହି ଲତାଗହଳରେ ଲୁଚାଇଦେଇ ପୁଣି ପାହାଡ଼ ତଳେ ତଳେ ଓ ସମୁଦ୍ର ଧାରେ ଧାରେ ଘୂରିବାକୁ ଲାଗିଲି ।

 

ଏହିପରି ଘୂରୁ ଘୂରୁ ମୁଁ ହଠାତ୍‌ ଗୋଟିଏ ଖୋଲାଜାଗାରେ ପହଞ୍ଚିଗଲି । ଦେଖିଲି, ଦ୍ୱିତୀୟ ପାହାଡ଼କୁ ମୁଖକରି ଗୋଟିଏ ପ୍ରକାଣ୍ଡ ଗୁମ୍ଫାର ଦ୍ୱାର ଖୋଲା ହୋଇ ରହିଅଛି । ମୁଁ ବିଚାରିଲି, ଏହି ଗୁମ୍ଫାହିଁ ଦସ୍ୟୁମାନଙ୍କର ରହିବା ଗର୍ତ୍ତ । ସେତେବେଳେ ସେଠାରେ କେହି ନ ଥିବାରୁ ଗୁମ୍ଫାଟିକୁ ଦେଖିନେବାକୁ ମୋର ଭାରି ଆଗ୍ରହ ହେଲା । ଏହି ଭୟାନକ ଇଚ୍ଛା ମନମଧ୍ୟରେ ଉଦିତ ହେବା ସଙ୍ଗେ ସଙ୍ଗେ ମୋ ଛାତି ଦମ ଦମ ହୋଇ ପଡ଼ିବାକୁ ଲାଗିଲା । ତଥାପି ମୁଁ ସେହି ଭୟକୁ ସମ୍ଭାଳିନେଇ ଦ୍ରୁତପାଦରେ ସେହି ଗୁମ୍ଫା ନିକଟରେ ପହଞ୍ଚି ଭିତରକୁ ଅନାଇଲି । ଦେଖିଲି, ଗୁମ୍ଫାଟି ଖୁବ୍‌ ପ୍ରଶସ୍ତ ଏବଂ ଗୋଟାଏ ଘରପରି ହୋଇଅଛି । ମଝିରେ ଗୋଟିଏ ପ୍ରକାଣ୍ଡ ଚଉଡ଼ା ଜାଗା । ତା’ର ପ୍ରତ୍ୟେକ ପାର୍ଶ୍ୱରେ କାନ୍ଥଦେହରେ ଖୋଳା ହୋଇ ଅନେକ କୋଠରୀ ବାହାରୁ ବନ୍ଦ ଅଛି । ଗୁମ୍ଫା ସାମନାରେ ଗୋଟିଏ ବିସ୍ତୁତ ଅଗଣା । ମନେକଲି, ଏହି ଘର ଭିତରେ ଦସ୍ୟୁମାନେ ରହନ୍ତି ଏବଂ ପାର୍ଶ୍ୱବର୍ତ୍ତୀ କୋଠରୀଗୁଡ଼ିକ ହୁଏତ ଧନଭଣ୍ଡାର ହୋଇଥିବ । ଚଞ୍ଚଳଭାବରେ ଏଣେତେଣେ ଅନାଉଅଛି, ଗୋଟିଏ ମୋଡ଼ରେ ଆଉ ଏକ ପ୍ରକାଣ୍ଡ ଗୁମ୍ଫା ଦେଖିଲି । ସେଠାକୁ ଦୌଡ଼ିଯାଇ ଦେଖିଲି, ଗୁମ୍ଫାର କବାଟ ବାହାରୁ ତାଲାଦ୍ୱାରା କିଳା ହୋଇଅଛି । ସେଠାରେ ଟିକିଏ ଛିଡ଼ା ହୋଇ ଭିତରକୁ ମନୁଷ୍ୟମାନଙ୍କର କଥାବାର୍ତ୍ତା, କୋଳାହଳ ଓ ଆର୍ତ୍ତନାଦ ଣୁଣି ପାରିଲି । ବିଚାରିଲି, ଏହି ଗୁମ୍ଫାରେ ନିଶ୍ଚୟ ଅନେକ ହତଭାଗ୍ୟ ବନ୍ଦୀ ଅଛନ୍ତି । ଏହି ସମସ୍ତ ଜାଣି ଓ ଦେଖି ସାରିଲା ପରେ ସେଠାରେ ଆଉ ଏକୁଟିଆ ଛିଡ଼ାହୋଇ ରହିବାକୁ ମୋର ସାହସ ହେଲାନାହିଁ । ମୁଁ ସେଠାରୁ ଭୟରେ ପଳାଇଯାଇ ଉଭୟ ଗୁମ୍ଫା ମଧ୍ୟବର୍ତ୍ତୀ ଗୋଟିଏ ନିଘଞ୍ଚ ଲତାକୁଞ୍ଜ ମଧ୍ୟରେ ନିଜକୁ ଲୁଚାଇରଖି ଦସ୍ୟୁମାନଙ୍କର ଗତିବିଧି ନିରୀକ୍ଷଣ କରିବାକୁ ଲାଗିଲି ।

 

ତାହା ପରେ ମୁଁ ସେହି ସ୍ଥାନରେ ବହୁତ ସମୟ ଲୁଚି ରହିବା ପରେ ଦସ୍ୟୁମାନେ ଗୋଟି ଗୋଟି ହୋଇ ଗୁମ୍ଫାକୁ ଫେରି ଆସିଲେ । ସଙ୍ଗେ ସଙ୍ଗେ ଗୁମ୍ଫାର ସମ୍ମୁଖବର୍ତ୍ତୀ ବଡ଼ ଅଗଣାରେ ସେମାନଙ୍କର ପାନ ଭୋଜନ ଆରମ୍ଭ ହେଲା । ସେହି ବୀଭତ୍ସ ଦୃଶ୍ୟ ଓ ଅନାଚାର ଦେଖି ମୋର ହାଡ଼ ଜଳି ଯାଉଥାଏ । ସେମାନଙ୍କର ଭୋଜନ ଶେଷରେ ଜଣେ ଦସ୍ୟୁ କେତେଗୁଡ଼ିଏ ଖାଦ୍ୟ ନେଇ ଦ୍ୱିତୀୟ ଗୁମ୍ଫା ଉପରେ ଗୋଟିଏ ବଡ଼ ଜଳାବାଟେ ତଳକୁ ଗଳାଇ ଦେଲା । ସେହି ଖାଦ୍ୟରେ କେବଳ ଦଶବାରଜଣ ଲୋକ ସନ୍ତୁଷ୍ଟ ହୋଇ ପାରନ୍ତି । ମାତ୍ର ଏତେଗୁଡ଼ିଏ ବନ୍ଦୀଙ୍କ ଲାଗି ସେହି ଖାଦ୍ୟ ଆଦୌ ଯଥେଷ୍ଟ ନୁହେଁ । ଖାଦ୍ୟ ଦେଇ ସାରିଲା ପରେ ଆଉ ଜଣେ ଲୋକ ଗୁଡ଼ିଏ ଉତ୍ତପ୍ତ ଜଳ ନେଇ ସେହି ଜଳାବାଟେ ତଳକୁ ଢାଳିଦେଲା । ତାହା ନିରୀହ ବନ୍ଦୀଗୁଡ଼ିକ ପାନ କରିବା ଦୂରେ ଥାଉ କେବଳ ଆର୍ତ୍ତନାଦ କରିଉଠିଲେ । ପାଷାଣ୍ଡଗୁଡ଼ାକ ବନ୍ଦୀମାନଙ୍କର ସେହି ଆର୍ତ୍ତନାଦରେ କେବଳ ଠୋ ଠୋ କରି ହସି ଉଠୁଥାନ୍ତି ।

 

ପାନଭୋଜନ ଶେଷରେ ସେମାନେ ନାନା ଗଳ୍ପାମୋଦରେ ଲିପ୍ତ ହେଲେ । ସେମାନଙ୍କ କଥାବାର୍ତ୍ତାରୁ ମୋତେ ଯେତିକି ଶୁଣାଯାଉଥିଲା, ସେଥିରୁ ମୁଁ ବୁଝିଲି, ସେମାନେ ଯୁଦ୍ଧ ଜାହାଜରେ ଥିବା ଅପର ଦସ୍ୟୁମାନଙ୍କର ନିରାପତ୍ତା ବିଷୟରେ ବିଶେଷ ସନ୍ଦେହରେ ପଡ଼ିଛନ୍ତି । କାରଣ, ଆପଦଶୂନ୍ୟ ଥିଲେ ସେମାନେ ନିଶ୍ଚୟ ସେହିଦିନ ସକାଳେ ଆସି ଗୁମ୍ଫାରେ ନିଜର ସଙ୍ଗୀମାନଙ୍କ ସହିତ ଯୋଗ ଦେଇଥାନ୍ତେ । ଗତ ରାତ୍ରିର ତୋପ ଓ ବନ୍ଧୁକ ଶବ୍ଦରୁ ସେମାନେ ଅନୁମାନ କରୁଥିଲେ, ହୁଏତ କୌଣସି ଗୁପ୍ତଶତ୍ରୁ ହଠାତ୍‌ ଜାହାଜରେ ପ୍ରବେଶ କରି ସେମାନଙ୍କୁ ସମୂଳେ ବିନାଶ କରିଅଛି । ସେମାନେ ପର୍ବତ ଉପରେ ଛିଡ଼ାହୋଇ ଗୋଟିଏ ଦୂରଦର୍ଶୀ ଯନ୍ତ୍ର ସାହାଯ୍ୟରେ ଦେଖି ପାରିଥିଲେ ଯେ, ସେହି ଜାହାଜରେ କେବଳ ଦୁଇଜଣ ମାତ୍ର ମନୁଷ୍ୟ ଅଛନ୍ତି ; ମାତ୍ର ଆଉ କୌଣସି ଦସ୍ୟୁଙ୍କର ଚିହ୍ନପର୍ଯ୍ୟନ୍ତ ଜଣାଯାଉ ନ ଥିଲା । ଏହି ସମସ୍ତ କଥା ପରେ ଶେଷରେ ସ୍ଥିର କଲେ, ରାତ୍ରି ହେଲେ ସେମାନେ ଜାହାଜରେ ଅତର୍କିତ ଭାବରେ ଯାଇ ଶତ୍ରୁର ଅଥବା ସଙ୍ଗୀମାନଙ୍କର ହାଲଚାଲ ବୁଝିବେ । ଶତ୍ରୁ ହେଲେ ପ୍ରବଳ ଯୁଦ୍ଧ କରି ତା’ର ବିନାଶ ସାଧନ କରିବାକୁ ମଧ୍ୟ ସ୍ଥିର କଲେ ।

 

ମୁଁ ଦେଖିଲି ପୁଣି ବିଷମ ବିପଦ ଆସି ଉପସ୍ଥିତ । ଯଦି ଦସ୍ୟୁମାନେ ହଠାତ୍‌ ଯାଇ ମହାରାଜାଙ୍କୁ ଆକ୍ରମଣ କରନ୍ତି, ତାହାହେଲେ ଆଉ ରକ୍ଷା ନାହିଁ । ମହାରାଜ ! ଏକାକୀ ଏତେ ଶତ୍ରୁଙ୍କୁ କିପରି ନିବାରଣ କରିବେ ? ଆଉ ଏଥର ଯଦି ମହାରାଜା ଓ ରାଜକନ୍ୟା ପରିମଳା ଶତ୍ରୁହସ୍ତରେ ପୁଣି ବନ୍ଦୀ ହୁଅନ୍ତି, ତାହାହେଲେ ସେମାନଙ୍କର ଜୀବନରକ୍ଷା ହୋଇ ପାରିବ ନାହିଁ । ଏହି ନିକଟବର୍ତ୍ତୀ ବିପଦକୁ ନିବାରଣ କରିବାର ଉପାୟ ମୁଁ ସେତେବେଳେ ହଠାତ୍‌ ଠିକ୍‌ କରି ନ ପାରି କେବଳ ସ୍ଥିର ହୋଇ ସେହି ଗୁପ୍ତସ୍ଥାନରେ ବସିରହିଲି ।

 

ଯଥାସମୟରେ ରାତ୍ରିର ଅନ୍ଧକାରରେ ପୃଥିବୀ ଘୋଡ଼ାଇ ହୋଇଗଲା । ଦସ୍ୟୁମାନେ ଯୁଦ୍ଧଯାତ୍ରା କରିବା ପୂର୍ବରୁ ପାନାହାର କାର୍ଯ୍ୟରେ ପୁଣି ବ୍ୟସ୍ତ ହେଲେ । ସେତେବେଳେ ମୁଁ ମୋର ଗୁପ୍ତସ୍ଥାନରୁ ବାହାରିଆସି ଗୁମ୍ଫାର ଖୁବ୍‌ ନିକଟରେ ବସି ରହିଲି । ହଜୁରୀ ମହାଶୟ ମୋ ପାଖଦେଇ ଚାଲି ଯାଉଥିବାର ଦେଖି, ମୁଁ ତାଙ୍କୁ ଧରି ପକାଇ କହିଲି, “ହଜୁରୀ ମହାଶୟ, ଆପଣଙ୍କୁ ମୁକ୍ତ କରିବାଲାଗି ଆପଣଙ୍କର ପୁତ୍ର ରଣବୀର ଜୀବିତ ଅଛି । ସମସ୍ତକଥା ପରେ ଶୁଣିବେ । ବର୍ତ୍ତମାନ ବିପଦ ଉପସ୍ଥିତ । ଯୁଦ୍ଧଜାହାଜରେ ମାଳୟରାଜା ଓ ତାଙ୍କର କନ୍ୟା ପରିମଳା ଦସ୍ୟୁମାନଙ୍କ ହସ୍ତରେ ଆଜିଯାଏଁ ବନ୍ଦୀ ଥିଲେ । ମୁଁ ତାଙ୍କୁ ଖଲାସ କରିଦେଇ ସମସ୍ତ ଦସ୍ୟୁଙ୍କୁ ସେହି ଜାହାଜରେ ବନ୍ଦୀ କରି ରଖିଛି । ବର୍ତ୍ତମାନ ଅବଶିଷ୍ଟ ଦସ୍ୟୁମାନେ ମାଳୟରାଜାଙ୍କୁ ହତ୍ୟା କରି ନିଜର ସଙ୍ଗୀମାନଙ୍କୁ ଉଦ୍ଧାର କରିବାକୁ ଜାହାଜରେ ବାହାରି ଗଲେଣି । ଆପଣ କାଳବିଳମ୍ୱ ନ କରି ଶୀଘ୍ର ‘ନରସିଂହ’ରେ ଯାଇ ଶତ୍ରୁର ବିନାସ ସାଧନ କରନ୍ତୁ । ସେହି ଜାହାଜରେ ମାଳୟରାଜା ଏକାକୀ ଅଛନ୍ତି ।” ଏହି କଥାତକ ମୁଁ କହି ପକାଇବା ପରେ ଆମ୍ଭର ସଙ୍ଗୀ ବଣିକମାନେ ମୋତେ ଆନନ୍ଦରେ କୁଣ୍ଢାଇ ପକାଇଲେ । ସେଠାରେ ଯେଉଁ ମାଳୟବାସୀମାନେ ଥିଲେ, ସେମାନେ ମାଳୟ ରାଜାଙ୍କ କଥା ଶୁଣି “ଜୟ ମାଳୟ ରାଜାଙ୍କର ଜୟ” “ଜୟ ପରିମଳା ଦେବୀଙ୍କର ଜୟ” ନାଦ କରି ଆକାଶ ଫଟାଇ ଦେଲେ । ମୁଁ ସେମାନଙ୍କୁ କହିଲି, “ଭାଇମାନେ, ଖୁସି ହେବାର ବେଳ ହୋଇନାହିଁ-। ଶୀଘ୍ର ଯୁଦ୍ଧଲାଗି ଅଗ୍ରସର ହୁଅ ।” ଏହା କହି ମୁଁ ତତ୍‌କ୍ଷଣାତ୍‌ ଦୌଡ଼ିଯାଇ ସେହି ଭଣ୍ଡାର ଘରେ ଥିବା ଅବଶିଷ୍ଟ ତରବାରୀଯାକ, ସମସ୍ତ ବନ୍ଧୁକ, ତୋପ ଓ ବାରୁଦ ପଦାକୁ ବାହାର କରିଦେଲି । ଉଭୟ ରାଜ୍ୟବାସୀ ଅସୀମ ଉତ୍ସାହରେ ସେହିସବୁ ଯୁଦ୍ଧ ସରଞ୍ଜାମ ନେଇ ‘ନରସିଂହ’ ଜାହାଜରେ ଆରୋହଣ କଲେ । ଯିବା ପୂର୍ବରୁ ମୁଁ ହଜୁରୀଙ୍କୁ କହିଲି, “ମହାଶୟ, ମୁଁ ଆଗରେ ଖଣ୍ଡିଏ ଜୀବନ ନୌକାରେ ମାଳୟରାଜାଙ୍କର ସାହାଯ୍ୟଲାଗି ସେହି ଯୁଦ୍ଧ ଜାହାଜକୁ ଚାଲି ଯାଉଅଛି । ଆପଣ ଦସ୍ୟୁମାନଙ୍କର ଅନୁସରଣ କରନ୍ତୁ । ମୁଁ ସେହି ଯୁଦ୍ଧ ଜାହାଜରେ ସଙ୍କେତ ଅଗ୍ନି ଜାଳିଲେ, ଆପଣ ‘ନରସିଂହ’ କୁ ଶତ୍ରୁ ଜାହାଜର ନିକଟବର୍ତ୍ତୀ କରାଇ ଦସ୍ୟୁମାନଙ୍କୁ ଏକକାଳୀନ ଆକ୍ରମଣ କରିବେ ।” ଏହା କହି ମୁଁ ବିଦାୟ ନେଲି ଏବଂ ସମୁଦ୍ର ଧାରେ ଧାରେ ଦୌଡ଼ିଆସି ମୋର ଜୀବନ ନୌକା ଖଣ୍ଡି ସମୁଦ୍ର ମଧ୍ୟକୁ ପେଲିଦେଲି । ସେତେବେଳେ ଅନ୍ଧାର, ବିପଦ ବା ସମୁଦ୍ର ତରଙ୍ଗ ମୋତେ କିଛି ଭୟପ୍ରଦ ହେଉ ନ ଥିଲା ।

 

ଅଳ୍ପ ସମୟ ମଧ୍ୟରେ ମୁଁ ନୌକା ବାହି ବାହି ଆସି ସେହି ଜାହାଜ ନିକଟରେ ଉପସ୍ଥିତ ହେଲି । ନୌକାଖଣ୍ଡି ଜାହାଜ ଦେହରେ ଖଟାଇ ଦେଇ ମୁଁ ଯେତେବେଳେ ଦଉଡ଼ି ସାହାଯ୍ୟରେ ଉପରକୁ ଉଠିଯାଉଛି, ସେତେବେଳେ ମାଳୟରାଜା ଭ୍ରମବଶତଃ ଶତ୍ରୁଜ୍ଞାନ କରି ତରବାରୀ ଉଠାଇ ମୋତେ ହାଣି ଦେବାକୁ ଯାଉଥିଲେ । ମାତ୍ର ‘ମୁଁ ରଣବୀର’ ବୋଲି ଚିତ୍କାରକରି କହିବାରୁ ସେ ସେଥିରୁ କ୍ଷାନ୍ତ ହେଲେ । ମୁଁ ଜାହାଜକୁ ଉଠିଯାଇ ମାଳୟରାଜାଙ୍କୁ ସମସ୍ତ ଘଟଣା ଜଣାଇଲି । ସେ ନିଜ ପରିଜନମାନଙ୍କର ମୁକ୍ତି ସମ୍ୱାଦ ପାଇ ଆଶାତୀତ ପ୍ରୀତ ହେଲେ । ପରିମଳା ଦେବୀ ମଧ୍ୟ ଖୁବ୍‌ ଖୁସି ହେଲେ । ମୁଁ କହିଲି, ମହାରାଜ, ଆମ୍ଭମାନଙ୍କର ସୁଖର ବେଳ ଆସିନାହିଁ । ଅବଶିଷ୍ଟ ଦସ୍ୟୁମାନେ ଯୁଦ୍ଧ କରିବାଲାଗି ଆସୁଛନ୍ତି । ଆତ୍ମରକ୍ଷା ଲାଗି ଆମ୍ଭେମାନେ ଶୀଘ୍ର ପ୍ରସ୍ତୁତ ହେବା । ‘ନରସିଂହ’ ଯୁଦ୍ଧ ଜାହାଜରେ ଆମ୍ଭର ସମସ୍ତ ସୈନ୍ୟ ଶତ୍ରୁମାନଙ୍କର ଅନୁସରଣ କରୁଅଛନ୍ତି ।

 

ଏହା ଉତ୍ତାରୁ ଆମ୍ଭେମାନେ ତୋପ ଓ ବନ୍ଧୁକ ସାହାଯ୍ୟରେ ଆତ୍ମରକ୍ଷା କରିବାକୁ ମନସ୍ଥ କରି ଶତ୍ରୁର ପ୍ରତୀକ୍ଷା କଲୁଁ । ଅଳ୍ପ ସମୟ ପରେ ଶତ୍ରୁଜାହାଜରୁ ସଙ୍କେତସୂଚକ ବଂଶୀଧ୍ୱନି ଶୁଣାଗଲା । ମାତ୍ର ଆମ୍ଭେମାନେ ସେହି ସଙ୍କେତଧ୍ୱନିର ପ୍ରତ୍ୟୁତ୍ତରରେ ଦୁଇଟି ବନ୍ଧୁକର ଆବାଜ କଲୁଁ । ଏଥିରୁ ଶତ୍ରୁମାନେ ସହଜରେ ଆମ୍ଭର ଯୁଦ୍ଧଇଚ୍ଛା ଜାଣିପାରି ଆମ୍ଭର ନିକଟବର୍ତ୍ତୀ ହେଲେ ଏବଂ ସଙ୍ଗେ ସଙ୍ଗେ ଅଗ୍ନିକ୍ରୀଡ଼ା ଆରମ୍ଭ କଲେ । ମୁଁ ମଙ୍ଗ ନିକଟରେ ରହି ତୋପ ଚଳାଇବାକୁ ଲାଗିଲି । ମାଳୟ ରାଜା ଓ ପରିମଳା ଦେବୀ ଶତ୍ରୁମାନଙ୍କୁ ଲକ୍ଷ୍ୟକରି ଗୁଳିବର୍ଷଣ କଲେ । ମାଳୟରାଜା ଯେପରି କ୍ଷିପ୍ର ହସ୍ତରେ ଗୁଳିବର୍ଷଣ କରୁଥିଲେ, ସେଥିରେ ମୁଁ ତାଙ୍କ ବୀରତ୍ୱରେ ବିସ୍ମିତ ହୋଇଗଲି । ଉଭୟ ଜାହାଜ ମଧ୍ୟରେ ଏହିପରି ଦ୍ୱନ୍ଦ୍ୱଯୁଦ୍ଧ ହେଉ ହେଉ, ପଛରୁ ‘ନରସିଂହ’ ଗର୍ଜ୍ଜନ କରି ଉଠିଲା ଏବଂ ପଲକମାତ୍ରକେ ଶତ୍ରୁଜାହାଜର ନିକଟବର୍ତ୍ତୀ ହେଲା । ମୁଁ ତତ୍‌କ୍ଷଣାତ୍‌ ସଙ୍କେତ ଅଗ୍ନି ଜାଳିଦେଲି । ଦସ୍ୟୁମାନେ ଦେଖିଲେ, ତାଙ୍କର ଆଗରେ ଓ ପଛରେ ଦୁଇଟି ପ୍ରକାଣ୍ଡ ଯୁଦ୍ଧଜାହାଜ ତାଙ୍କୁ ଗ୍ରାସ କରିବାକୁ ଉଦ୍ୟତ । ସେମାନେ ଅଜ୍ଞାତ ଓ ଅପ୍ରତ୍ୟାଶିତ ଭାବରେ ପଛକୁ ଆକ୍ରାନ୍ତ ହେବାରୁ କାତର ହୋଇ ପଡ଼ିଲେ । ସଙ୍ଗେ ସଙ୍ଗେ ‘ନରସିଂହ’ ତା’ର ପ୍ରକାଣ୍ଡ କଳେବର ଶତ୍ରୁଜାହାଜ ଦେହରେ ଘର୍ଷଣ କଲା । ଆମ୍ଭମାନଙ୍କର ଅଧିକ ସୈନ୍ୟ ତରବାରୀ ଧରି “ମାର” “ମାର” ଶବ୍ଦରେ ଶତ୍ରୁ ଜାହାଜକୁ ଡେଇଁଆସିଲେ । ଚାହୁଁ ଚାହୁଁ ଭୀଷଣ ଯୁଦ୍ଧ ସଂଘଟିତ ହେଲା । ଦସ୍ୟୁମାନେ ଶେଷମୁହୂର୍ତ୍ତରେ ଆତ୍ମରକ୍ଷା କରିବାଲାଗି ତରବାରୀ ଚଳାଇଲେ । ମାତ୍ର ଆମ୍ଭମାନଙ୍କର ଅପରିମିତ ଶକ୍ତି ସମ୍ମୁଖରେ ସେମାନଙ୍କର କ୍ଷୁଦ୍ର ଚେଷ୍ଟା ବିଫଳ ହେଲା । ଅନେକ ଦସ୍ୟୁ ତରବାରି ଆଘାତରେ, କେହି କେହି ବା ସମୁଦ୍ର ଜଳକୁ ଡେଇଁପଡ଼ି ପ୍ରାଣ ହରାଇଲେ । ଅବଶିଷ୍ଟ ଦସ୍ୟୁ ତରବାରି ଛାଡ଼ି ଆମ୍ଭର ପଦାନତ ହେଲେ ଏବଂ ବନ୍ଦୀ ହୋଇ ରହିଲେ । ଏହିରୂପେ ଜଳଦସ୍ୟୁମାନଙ୍କର ବିଷମକ୍ରୀଡ଼ା ସମୁଦ୍ର ଗର୍ଭରୁ ଚିରଦିନ ପାଇଁ ଲୋପ ପାଇଲା ।

 

ତାହା ପରେ ଆମ୍ଭର ସମସ୍ତ ସଙ୍ଗୀ ଆସି ମାଳୟରାଜା ଓ ପରିମଳାଙ୍କ ପାଦରେ ଅଭିବାଦନ କଲେ । ସେତେବେଳର ଜୟଦାନ ଓ ହର୍ଷଧ୍ୱନିରେ ସମୁଦ୍ର ତରଙ୍ଗ ସ୍ଥିର ହୋଇଗଲା ଏବଂ ରାତ୍ରିକାଳୀନ ନୀଳ ଆକାଶ ତାରକାଛଳରେ ଜଳିଉଠିଲା । ସବୁ ଶାନ୍ତ ଓ ସ୍ଥିର ହେବା ପରେ ଆମ୍ଭେମାନେ ପାନାହାର କଲୁଁ । ତାହା ପରେ ଆମ୍ଭମାନଙ୍କର ଯେଉଁ ଆନନ୍ଦମିନଳ ହେଲା, ସେଥିରେ ମୁଁ ମୋର ସମସ୍ତ କାର୍ଯ୍ୟ ବିସ୍ତାରିତରୂପେ ବର୍ଣ୍ଣନା କଲି । ମାଳୟବାସୀ ଓ ଉତ୍କଳବାସୀ ମୋତେ ଅଶେଷ ଆଶୀର୍ବାଦର ସହିତ ଧନ୍ୟବାଦ ଦେଲେ । ଆମ୍ଭେମାନେ ଗଳ୍ପାମୋଦ କରି ସେହି ରାତ୍ରିଯାପନ କଲୁଁ ।

 

ରାତ୍ରି ଶେଷରେ ତିନିଖଣ୍ଡିଯାକ ଜାହାଜ ଯାଇ ଉକ୍ତ ପ୍ରଣାଳୀ ମଧ୍ୟରେ ପ୍ରବେଶ କଲେ । ଆମ୍ଭେମାନେ ଦସ୍ୟୁଭଣ୍ଡାରକୁ ଯାଇ ସମସ୍ତ ଧନ ବୋହିଆଣିଲୁ । ସେଥିରୁ ଅଧିକାଂଶ ଗଜପତି ରାଜାଙ୍କ ପାଖକୁ ଯାଉଥିବା ମାଳୟରାଜାଙ୍କର ଉପଢ଼ୌକନ ସମ୍ପତ୍ତି । ଏହିପରି ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ପୁଣି ଫେରି ପାଇ ତିନିଖଣ୍ଡିଯାକ ଜାହାଜ ମାଳୟରାଜାଙ୍କ ଆଦେଶରେ ମାଳୟରାଜ୍ୟ ଅଭିମୁଖରେ ସାଗର ଭେଦ କଲା । ଆମ୍ଭେମାନେ ସମସ୍ତଦିନ ନୃତ୍ୟଗାନ କରି କରି ଆନନ୍ଦରେ ଯାଉଥିଲୁଁ । ମୋର ଆଦର ଓ ଗୌରବର ସୀମା ନ ଥିଲା । ପରିମଳା ଦେବୀ ମୋତେ ପାଖେ ପାଖେ ରଖି ସମୁଦ୍ରର ଶୋଭା, ଦିଗ୍‌ବଳୟର ସୌନ୍ଦର୍ଯ୍ୟ, ଉଦୟ ଓ ଅସ୍ତକାଳୀନ ସୂର୍ଯ୍ୟର ବିଚିତ୍ରତା ଦେଖାଉଥାନ୍ତି । ମଧ୍ୟେ ମଧ୍ୟେ ପୁଣି ସେ ମୋତେ ପୁରୀ କଥା, ଗଜପତି ରାଜ୍ୟ କଥା ଓ ତାଙ୍କର ପରିବାର କଥା ପଚାରୁଥିଲେ । ମୁଁ ସମସ୍ତ କଥାର ଉତ୍ତର ଦେଉ ଦେଉ ଗଜପତି ଯୁବରାଜଙ୍କ ବିଷୟରେ ବହୁତ କହି ପକାଉଥିଲି । ପରିମଳା ତାହାସବୁ ଅତି ଆଗ୍ରହରେ ଶୁଣୁଥାନ୍ତି । ଏହିପରି ନାନା ଆନନ୍ଦ ଓ ଆମୋଦ ମଧ୍ୟରେ ଯାଇ ଯାଇ ଆମ୍ଭେମାନେ ଦିନେ ମଧ୍ୟାହ୍ନରେ ମାଳୟ ବନ୍ଦରରେ ନଙ୍ଗର କଲୁଁ ।

 

ମହାରାଜାଙ୍କ ଆଦେଶରେ ମାଳୟରାଜ୍ୟର ଅସ୍ତ୍ରଧାରୀ ସୈନିକମାନେ ଆସି ଦସ୍ୟୁମାନଙ୍କୁ ଗୋଟି ଗୋଟି କରି ବାନ୍ଧି ଘେନିଗଲେ । ମହାରାଜାଙ୍କ ବିଚାରରେ ସେମାନେ ଚିରଜୀବନ କାରାଦଣ୍ଡ ଭୋଗ କଲେ । ମାତ୍ର ମୁଁ ପରେ ଶୁଣିଛି, ସେମାନେ ପୁଣି ଦୀର୍ଘ କାରାବାସ ଦୁଃଖ ସମ୍ଭାଳି ନ ପାରି କ୍ଷମାପ୍ରାର୍ଥନା କଲେ । ଦୟାଳୁ ରାଜା ସେମାନଙ୍କର କାତର ପ୍ରାର୍ଥନାର ସୁବିଚାର କରି ସେମାନଙ୍କୁ ମୁକ୍ତି ଦେଲେ ଏବଂ ସେମାନଙ୍କର ଭରଣ ପୋଷଣ ଲାଗି ପ୍ରଚୁର ଭୂସମ୍ପତ୍ତି ଖଞ୍ଜି ଦେଲେ । ସେମାନେ ସେହିଦିନଠାରୁ ଦସ୍ୟୁ ବୃତ୍ତି ଛାଡ଼ି ଆଜିଯାଏଁ ସ୍ୱାଧୀନ କୃଷକଜୀବନ ଯାପନ କରୁଅଛନ୍ତି ।

 

ଉତ୍କଳବାସୀ ବଣିକମାନେ ମାଳୟରାଜ୍ୟରେ ବିଶେଷ ସମାଦର ଲାଭ କଲେ । ବହୁଦିନ ଧରି ବ୍ୟବସାୟ ଫଳରେ ମୋର ସଙ୍ଗୀମାନେ ବିସ୍ତର ଅର୍ଥ ସଞ୍ଚୟ କରିବାକୁ ସମର୍ଥ ହେଲେ । ମାତ୍ର ସେଠାରେ ମୋତେ ଆଉ ବାଣିଜ୍ୟ କରିବାକୁ ପଡ଼ିଲାନାହିଁ । କାରଣ ମୁଁ ନିରନ୍ତର ରାଜା ଓ ରାଜକନ୍ୟାଙ୍କ ଅନୁଗ୍ରହରେ ରାଜଦରବାରେ ବଢ଼ିବାକୁ ଲାଗିଲି । ସମସ୍ତ ପୁନର୍ଲବ୍‌ଧ ଉପଢ଼ୌକନ ସମ୍ପତ୍ତିସହ ମାଳୟରାଜା ମୋତେ ରାଜକୋଷରୁ ଯେଉଁ ପ୍ରଚୁର ଧନ ଦାନ କଲେ, ସେଥିରେ ଚିରଦିନ ପାଇଁ ମୋର ବାଣିଜ୍ୟସ୍ପୃହା ନିବୃତ୍ତ ହେଲା । ପରିମଳା ମଧ୍ୟ ନିଜ ହସ୍ତରୁ ପ୍ରଚୁର ଅର୍ଥ ଦାନ କଲେ । ମୋର ସଙ୍ଗୀ ବଣିକମାନେ ସେମାନଙ୍କର ବିସ୍ତର ବାଣିଜ୍ୟଲବ୍‌ଧ ଲାଭରୁ ପ୍ରତ୍ୟେକେ ଏକ ଚତୁର୍ଥାଂଶ କରି ମୋତେ ଉପହାର ଦେଲେ । ଏହି ସମସ୍ତ ସମ୍ମିଳିତ ସମ୍ପତ୍ତି ଘେନି ମୁଁ ବିଶେଷ ଧନଶାଳୀ ହୋଇ ଉଠିଲି ।

 

ଏହାପରେ ମାଳୟରାଜ୍ୟରେ ଆହୁରି କେତେଦିନ ଅବସ୍ଥାନ ଉତ୍ତାରୁ ଆମ୍ଭମାନଙ୍କର ଉତ୍କଳକୁ ଫେରିଆସିବାର ଦିନ ସ୍ଥିର ହୋଇଗଲା । ମାଳୟରାଜା ବିସ୍ତର ଉପଢ଼ୌକନ ଓ ପରିମଳାଙ୍କୁ ସଙ୍ଗରେ ଧରି ପୁଣି ଉତ୍କଳଯାତ୍ରା କରିବାକୁ ଆୟୋଜନ କଲେ । ଅସଂଖ୍ୟ ସୈନିକ, ତୋପ, ବନ୍ଧୁକ, ବାରୁଦ ଓ ତରବାରୀ ଚାରି ପାଞ୍ଚଖଣ୍ଡି ଯୁଦ୍ଧ ଜାହାଜରେ ସଜ୍ଜିତ ହେଲା । ସମସ୍ତ ଆୟୋଜନ ଠିକ୍‌ ହେବାରୁ ମହାରାଜା କନ୍ୟାଙ୍କୁ ସଙ୍ଗରେ ଧରି ଶୁଭ ମୁହୂର୍ତ୍ତରେ ଜାହାଜକୁ ବିଜେ ହେଲେ । ମୁଁ ମଧ୍ୟ ସେମାନଙ୍କ ସହିତ ଗୋଟିଏ ଜାହାଜରେ ସ୍ଥାନ ପାଇଲି । ମୋର ଅନ୍ୟାନ୍ୟ ସଙ୍ଗୀ ନିଜ ନିଜର ବାଣିଜ୍ୟସମ୍ଭାର ସହ ଜାହାଜରେ ପ୍ରବେଶ କଲେ । ମାଳୟବାସୀମାନେ ଜଣେ ଜଣେ ହୋଇ ଅଶ୍ରୁପୂର୍ଣ୍ଣ ନୟନରେ ମୋତେ ବିଦାୟ ଦେଲେ । ମାଳୟବାସୀମାନଙ୍କର ସେହି ସ୍ନେହ, ସେହି ଉଦାରଭାବ ଓ ସେହି ବନ୍ଧୁତ୍ୱ ଆଉ ମୁଁ ଜୀବନରେ ଭୁଲିପାରିବି ନାହିଁ । ଏହିପରି ହର୍ଷବିଷାଦରେ ଆମ୍ଭେମାନେ ମାଳୟରାଜ୍ୟର ସରକାରୀ ବନ୍ଦର ଛାଡ଼ି ଅନନ୍ତ ନୀଳସମୁଦ୍ର ବକ୍ଷରେ ଜାହାଜଶ୍ରେଣୀ ଭସାଇ ଦେଲୁଁ । ‘ନରସିଂହ’ ପଥପ୍ରଦର୍ଶକ ହୋଇ ସର୍ବାଗ୍ରେ ସାଗରମନ୍ଥନ କରୁଥିଲା ।

 

ମାଳୟରାଜ୍ୟରୁ ବାହାରି ଆମ୍ଭେମାନେ ବହୁଦିନ ସମୁଦ୍ରଯାତ୍ରା ପରେ ଯଥାସମୟରେ “ସ୍ୱର୍ଗଦ୍ୱାର” ବନ୍ଦରଠାରେ ନଙ୍ଗର କଲୁଁ । ଏଥର ନିର୍ବିଘ୍ନରେ ଆସି ସ୍ୱଦେଶରେ ପଦାର୍ପଣ କରିଥିବାରୁ ଆମ୍ଭମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ମାଳୟରାଜାଙ୍କର ଆଗମନ ସମ୍ୱାଦ ପାଇ ସ୍ୱୟଂ ଗଜପତି ମହାରାଜା ସପରିବାର ଆଡ଼ମ୍ୱର ସହ ଆସି ମାଳୟରାଜା ଓ ପରିମଳାଦେବୀଙ୍କୁ ଅଭ୍ୟର୍ଥନା କରି ଘେନିଗଲେ । ଏହି ଅଭ୍ୟର୍ଥନା ଲାଗି ସେହି ସମୟରେ ପୁରୀରେ ଯେଉଁ ବିପୁଳ ଉତ୍ସବ ହୋଇଥିଲା, ତାହା ଆଉ କଦାପି ହୋଇ ପାରିବନାହିଁ । “ଜୟ ଜଗନ୍ନାଥ ଜୟ”, “ଜୟ ଗଜପତିଙ୍କର ଜୟ” ଓ “ଜୟ ମାଳୟରାଜାଙ୍କର ଜୟ” ଗାନ କରି ଆମ୍ଭେମାନେ ଓହ୍ଲାଇଲୁଁ ।

 

ଯଥାସମୟରେ ବଣିକମାନେ ନିଜ ନିଜର ସମ୍ପତ୍ତି ନେଇ ସ୍ୱ ସ୍ୱ ଗୃହକୁ ଫେରିଗଲେ । ମୁଁ ଏଥର ଏତେ ସମ୍ପତ୍ତି ଅର୍ଜନ କରିଥିଲି ଯେ, ସେ ସମସ୍ତ ଘରକୁ ବୋହି ନେବାକୁ ମୋତେ କେତେଦିନ ଲାଗିଥିଲା । ମୁଁ ଘରକୁ ଯାଇ ମାଆଙ୍କର ଚରଣବନ୍ଦନ କରି ପୁତ୍ରକନ୍ୟାଙ୍କର ମୁଖଦର୍ଶନ କଲି । ଏଥର ମୋର ଏତେ ସମ୍ପତ୍ତି ଯତ୍ନରେ ରଖିବାକୁ ଘରର ଅଭାବ ହେବାରୁ ମୁଁ ନୂତନଗୃହ ନିର୍ମାଣ କଲି ।

 

ଯଥାସମୟରେ ମାଳୟରାଜା ସମୁଦ୍ରରେ ମୋର ଅସାମାନ୍ୟ କାର୍ଯ୍ୟର କଥା ଗଜପତିଙ୍କ ଆଗରେ ବର୍ଣ୍ଣନା କଲେ । ମୁଁ ମଧ୍ୟ ନିମନ୍ତ୍ରିତ ହୋଇ ଯାଇ ରାଜମହଲରେ ସମସ୍ତ କଥା ଆନୁପୂର୍ବିକ ବର୍ଣ୍ଣନା କଲି । ଦରବାରର ସମସ୍ତ ଭଦ୍ରବ୍ୟକ୍ତି ମୋର ପ୍ରଶଂସାବାଦ କଲେ । ଗଜପତି ମହାରାଜା ମୋ ଉପରେ ଆଶାତୀତ ପ୍ରୀତ ହୋଇ ବହୁତ ଧନ ଉପହାର ଦେଲେ । ଯଥାସମୟରେ ମୁଁ ମଧ୍ୟ ରାଜକୋଷରୁ ମହାରାଜାଙ୍କର ପ୍ରତିଶ୍ରୁତ ସମ୍ପତ୍ତି ଲାଭ କରିବାକୁ ସମର୍ଥ ହେଲି । ତାହା ପରେ ଗଜପତି ଯୁବରାଜ ଓ ପରିମଳାଦେବୀଙ୍କର ଯେଉଁଦିନ ପରିଣୟ ହେଲା, ସେହିଦିନ ଗଜପତି ସ୍ୱହସ୍ତରେ ମୋତେ ଯେଉଁ ରତ୍ନାଳଙ୍କାର ଓ ସୁବର୍ଣ୍ଣ ଦାନ କଲେ, ତାହା ମୋ ଜୀବନରେ ସରିବାର ନୁହେଁ । ମୁଁ ଏଥର ଏହିସବୁ ପ୍ରଚୁର ସମ୍ପତ୍ତି ଲାଭ କରିଥିବାରୁ କେତେଗୁଡ଼ିଏ ବହୁମୂଲ୍ୟ ଆଭରଣ ପ୍ରସ୍ତୁତ କରାଇ ପ୍ରଭୁ ଜଗନ୍ନାଥ, ବଳଦେବ ଓ ସୁଭଦ୍ରାଙ୍କ ବିଗ୍ରହରେ ପିନ୍ଧାଇଦେଲି ଏବଂ ମହା ସୁଖରେ କାଳତିପାତ କରିବାକୁ ଲାଗିଲି ।

 

ଏହିଠାରେ ରଣବୀର ନୀରବ ହେଲେ । ସମବେଦ ଭଦ୍ରବ୍ୟକ୍ତିମାନେ ତାଙ୍କର ଏହି ଅତ୍ୟାଶ୍ଚର୍ଯ୍ୟମୟ ଜୀବନବୃତ୍ତାନ୍ତ ଓ ଧନାଗମ କାହାଣୀ ଶୁଣି ଆନନ୍ଦ ଓ ବିସ୍ମୟରେ ତାଙ୍କର ଅଶେଷ ସାଧୁବାଦ କଲେ । ତାହା ପରେ ସେମାନେ ପାନହାର କରି ବିଶ୍ରାମ କରିବାକୁ ଯିବାରୁ ସେହିଦିନ ଲାଗି ବୈଠକମହଲ ବନ୍ଦ ହେଲା ।

Image

 

ତୃତୀୟ ଯାତ୍ରା

 

ଯଥାସମୟରେ ତୃତୀୟ ରାତ୍ରିରେ ପୁଣି ବୈଠକମହଲ ନାନା ବର୍ଣ୍ଣର ଆଲୋକମାଳାରେ ଆଲୋକିତ ହୋଇ ଉଠିଲା । ପୂର୍ବପରି ଦାସଗଣ ଧନିକଙ୍କ ଆଦେଶ ଅପେକ୍ଷାରେ ଚତୁର୍ଦ୍ଦିଗରେ ଘେରି ରହିଲେ । ପଣ୍ଡିତ ଓ ଭଦ୍ରବ୍ୟକ୍ତିମାନେ ପୂର୍ବପରି ନିଜ ନିଜର ସ୍ଥାନ ଅଧିକାର କରିବାରୁ ରଣବୀର ସେମାନଙ୍କୁ ଭକ୍ତି ଓ ବିନୟର ସହିତ ପ୍ରଣାମ କଲେ । ଭଦ୍ରବ୍ୟକ୍ତିମାନେ କହିଲେ, “ମହାଶୟ, ଗତ ଦୁଇରାତ୍ରିରେ ଆପଣଙ୍କର ଧନାଗମର ଯେ ଅଲୌକିକ ଓ ଅତ୍ୟାଶ୍ଚର୍ଯ୍ୟମୟ ବୃତ୍ତାନ୍ତ ଶୁଣିଅଛୁଁ, ସେଥିରେ ଆମ୍ଭେମାନେ ଯେପରି ମୁଗ୍‌ଧ, ସେହିପରି ମଧ୍ୟ ବିସ୍ମିତ ହୋଇଅଛୁଁ । ଆପଣଙ୍କ କାହାଣୀମାନ ଶୁଣିବାକୁ ଆମ୍ଭେମାନେ ଯେପରି କୁତୂହଳୀ ହୋଇଅଛୁଁ, ତାହା ଆଉ କ’ଣ କହିବୁଁ ? ଦୟାକରି ଆଜି ଆଉ ଗୋଟିଏ ଯାତ୍ରାର ବିବରଣ ଶୁଣାଇ ଅନୁଗୃହୀତ କରନ୍ତୁ ।” ଭଦ୍ରବ୍ୟକ୍ତିମାନଙ୍କର ଏହିକଥା ଶୁଣି ରଣବୀର ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ନମସ୍କାର କରି ଗଳ୍ପ ଆରମ୍ଭ କଲେ ।

 

ମହୋଦୟଗଣ, ଆପଣମାନେ ବୁଝିଥିବେ ଏବଂ ମୁଁ ମଧ୍ୟ ମୋର ଜୀବନରେ ଅନୁଭବ କରିଛି ଯେ, ଧନଲାଭ କରିବା ମନୁଷ୍ୟ ମନରେ ଗୋଟିଏ ପ୍ରବଳ ପିପାସା । ଜୀବନଧାରଣ ଓ ସୁଖସ୍ୱାଚ୍ଛନ୍ଦ୍ୟ ଲାଗି ଧନ ନିତାନ୍ତ ଲୋଡ଼ା । ଏହି ଧନପ୍ରାପ୍ତି ଲାଗି ମନୁଷ୍ୟ ତା’ର ସମସ୍ତ ଶକ୍ତି ଓ ମନୋବଳ ବ୍ୟୟ କରି ସଚେଷ୍ଟ ହୁଏ, ମାତ୍ର ଅକାତର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଯେତେବେଳେ ସେହି ମନୁଷ୍ୟ ଶେଷରେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇ ବସେ, ସେତେବେଳେ ସେ ସ୍ୱଭାବତଃ ବିଳାସୀ ଓ ଆଳସ୍ୟପରାୟଣ ହୋଇପଡ଼େ । ସୁତରାଂ ଏହା ବିନା ଆପତ୍ତିରେ କୁହାଯାଇପାରେ ଯେ ଜୀବନଧାରଣ ଲାଗି ଧନ ଲୋଡ଼ା ହେଲେହେଁ ତାହା ଶେଷରେ ମନୁଷ୍ୟର ବନ୍ଧନ ଓ ଉନ୍ନତି ପଥରେ ପ୍ରତିବନ୍ଧକ ସ୍ୱରୂପ ହୋଇଉଠେ । ତେଣୁ ଅନ୍ୟପକ୍ଷରେ ଦେଖିଲେ ଧନ ଯେତିକି ଆବଶ୍ୟକ ସେତିକି ଅନାବଶ୍ୟକ । ମୁଁ ଦେଖିଲି, ବିସ୍ତର ସମ୍ପତ୍ତିର ଅଧିକାରୀ ହୋଇ ମୁଁ ନିଶ୍ଚିନ୍ତ ହୋଇ ରହି ପାରୁନାହିଁ । ରୋଗରେ ତୃଷା ଯେପରି କ୍ରମେ କ୍ରମେ ବଢ଼ି ଉଠେ, ଧନଲାଭ କରିବାର ଆଶା ସେହିପରି ମୋ ମନରେ କ୍ରମେ କ୍ରମେ ବଳବତ୍ତର ହୋଇଉଠିଲା-

 

ଗଲା ଦୁଇଥର ଯାତ୍ରା ଫଳରେ ମୁଁ ଯେତେ ସମ୍ପତ୍ତି ଅର୍ଜନ କରିଥିଲି, ସେଥିରେ ଆଉ ବାଣିଜ୍ୟ କରି, ନାନା ବିପଦର ମଧ୍ୟବର୍ତ୍ତୀ ହେବାକୁ ମୋର ଆଉ ଇଚ୍ଛା ନ ହେବାର କଥା । ମାତ୍ର ମୁଁ ସେପରି ନିଶ୍ଚେଷ୍ଟ ରହିବାର ଲୋକ ନ ଥିଲି । ପୁଣି ସମୁଦ୍ର ବାୟୁ ଓ ବିଦେଶଯାତ୍ରା ମୋ ମନକୁ ଆକର୍ଷଣ କଲା । ମୁଁ ଆଉ ସେ ଆକର୍ଷଣର ଶକ୍ତି ଏଡ଼ାଇ ପାରିଲିନାହିଁ । ତେଣୁ ଯେଉଁଦିନ ପୁଣି ବିଦେଶଯାତ୍ରା କରିବି ବୋଲି ମୋର ପରିବାର ମଧ୍ୟରେ ପ୍ରକାଶ କଲି, ସେଦିନ ସମସ୍ତେ କାନ୍ଦି କାନ୍ଦି ମୋତେ ବହୁତ ବାରଣ କଲେ । କିନ୍ତୁ ସ୍ତ୍ରୀ ପିଲାମାନଙ୍କର ସେ ବାଧାକୁ ଲଙ୍ଘନ କରିବାକୁ ମୋର ଯଥେଷ୍ଟ ସାହସ ଓ ଶକ୍ତି ଥିଲା । ତେଣୁ ମୁଁ ଦିନେ ତୃତୀୟଯାତ୍ରା ଲାଗି ପ୍ରକୃତପକ୍ଷେ କୃତସଙ୍କଳ୍ପ ହେଲି, ଏବଂ ତଦନୁଯାୟୀ ମୁଁ ମୋର ଉଦ୍ଦିଷ୍ଟ ବାଣିଜ୍ୟର ସମସ୍ତ ବନ୍ଦୋବସ୍ତ କରିବାକୁ ଲାଗିଲି ।

 

ଏହି ସମୟରେ ପୁରୀସହର ଓ ଉତ୍କଳଖଣ୍ଡର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ସମବ୍ୟବସାୟୀ ଆସି ପୁରୀରେ ସମବେତ ହେଉଥିଲେ । ଆମ୍ଭମାନଙ୍କର ଆବଶ୍ୟକ ସଂଖ୍ୟା ପୂର୍ଣ୍ଣ ହେବାରୁ, ଆମ୍ଭେମାନେ ଦିନେ ଗଜପତିଙ୍କ ରାଜଦରବାରରେ ଉପସ୍ଥିତ ହୋଇ ସମୁଦ୍ରଯାତ୍ରା ଓ ବିଦେଶ ବାଣିଜ୍ୟର ଖେତାପ୍‌ ବା ଅନୁମତି ପ୍ରାପ୍ତ ହେଲୁଁ । ଦୟାଳୁ ରାଜା ଅନୁମତି ଦେବା ସମୟରେ ସ୍ୱୟଂ ଦରବାରରେ ଉପସ୍ଥିତ ହୋଇ ଆମ୍ଭମାନଙ୍କୁ ମଧୁର ଓ କୋମଳ ଭାଷାରେ ବିଶେଷ ଉତ୍ସାହିତ କରିଥିଲେ । ଆମ୍ଭେମାନେ ପବିତ୍ର ଠାକୁର ରାଜାଙ୍କର ବ୍ୟବହାରରେ ମୁଗ୍‌ଧ ହୋଇ ତାଙ୍କର ଯଶୋଗାନ କରି ଫେରିଆସିଲୁଁ ।

 

ଯଥାସମୟରେ ଆମ୍ଭମାନଙ୍କ ବିଦେଶଯାତ୍ରାର ଦିନ ସ୍ଥିର ହୋଇଗଲା । ଦିନେ ପ୍ରଭାତରୁ “ଜଗନ୍ନାଥ”, ନାମକ ଜାହାଜ ସ୍ୱର୍ଗଦ୍ୱାର ବନ୍ଦରଠାରେ ବିଦେଶାଭିମୁଖୀ ହୋଇ ନୀଳଚକ୍ରଚିହ୍ନିତ ପତାକା ଉଡ଼ାଇଲା । ମୋହର ସଙ୍ଗୀ ବଣିକମାନେ ନିଜନିଜର ପଣ୍ୟସମ୍ଭାର ନେଇ ଜାହାଜରେ ପ୍ରବେଶ କଲେ । ମୁଁ ମଧ୍ୟ ଅନୁକୂଳ ସମୟରେ ମୋର ପଣ୍ୟ ଜିନିଷମାନ ବନ୍ଦରଠାକୁ ପଠାଇଦେଲି ଏବଂ ପଛରେ ମୋର ମାଆ ଓ ପିଲାମାନଙ୍କୁ ପ୍ରବୋଧନା ଦେଇ ବିଦାୟ ନେଲି । ଯିବାପୂର୍ବରୁ ଥରେ ବଡ଼ଦେଉଳରେ ପ୍ରବେଶ କରି ପ୍ରଭୁ ନୀଳାଚଳନାଥଙ୍କର ଦର୍ଶନଲାଭ କଲି ଏବଂ ଏଥର ମୋର ବାଣିଜ୍ୟ ଯାତ୍ରା ନିରାପଦ ଓ ନିର୍ବିଘ୍ନ ହେବାଲାଗି ମଧ୍ୟ ନିବେଦନ କଲି । ମନ୍ଦିରରୁ ଫେରିଆସିବା ସମୟରେ ଆନନ୍ଦବଜାର ଦେଇ ଫେରି ଆସୁ ଆସୁ ଜଗନ୍ନାଥଙ୍କର ଗୋଟିଏ କ୍ଷୁଦ୍ର ପିତ୍ତଳମୂର୍ତ୍ତି ମୋର ଦୃଷ୍ଟି ଆକର୍ଷଣ କଲା । ମୁଁ କୌତୁହଳବଶତଃ ସେଇଟା ଖରିଦ କରି ନେଇ ଆସିଲି ଏବଂ ମୋର ପୂଜାର ସାମଗ୍ରୀ ମଧ୍ୟରେ ରଖିଦେଲି । ତାପରେ ମୁଁ ତରତର ହୋଇ ଯାଇ ଜାହାଜରେ ପ୍ରବେଶ କଲି।

 

Unknown

ମୁଁ ଯେତେବେଳେ ବନ୍ଦରଠାରେ ପ୍ରବେଶ କଲି, ସେତିକିବେଳେ ଆଉ ଗୋଟିଏ ଜାହାଜ ଆସି ବନ୍ଦରଠାରେ ନଙ୍ଗର କରିଥିଲା । ମୁଁ ଦେଖିଲି, ଏହା ବାଲେଶ୍ୱର ଉପକୂଳବର୍ତ୍ତୀ ଚାନ୍ଦବାଲି ବନ୍ଦରରୁ ଆସିଥିବା “ବିରଜା” ନାମକ ବାଣିଜ୍ୟ ଜାହାଜ । ମୁଁ ଆହୁରି ମଧ୍ୟ ଦେଖିଲି, ଆରୋହୀ ବାଲେଶ୍ୱରବାସୀମାନେ ଆମ୍ଭମାନଙ୍କପରି ବିଦେଶାଭିମୁଖୀ ହୋଇ ଆସି ଅଛନ୍ତି । ସୁତରାଂ ଆମ୍ଭମାନଙ୍କର ସମ୍ମିଳିତ ଇଚ୍ଛାକ୍ରମେ ଆମ୍ଭେମାନେ ଏକତ୍ର ଯାତ୍ରା କରିବାକୁ ସ୍ଥିର କଲୁଁ । ସେଦିନ ବନ୍ଦରରେ ଅବସ୍ଥାନ କରି ବିଶ୍ରାମ ନେବାରୁ ତହିଁ ଆରଦିନ ପ୍ରଭାତରୁ ଦୁଇଟିଯାକ ଜାହାଜ ନଙ୍ଗର ଉଠାଇ ଅକୂଳ ସମୁଦ୍ର ବକ୍ଷରେ ପାଲ ତୋଳି ଭାସମାନ ହେଲା । ସହରର ଅନେକ ପୁରୁଷ ସ୍ତ୍ରୀ ଆମ୍ଭର ବିଦାୟ ଦୃଶ୍ୟ ଦେଖି “ଜୟ ଜଗନ୍ନାଥ ଜୟ” “ଜୟ ବିରଜାଦେବୀଙ୍କର ଜୟ” ନାଦ କରି କରି ଫେରିଗଲେ ।

 

ତାହା ପରେ ଅନୁକୂଳ ବାଣିଜ୍ୟବାୟୁ ସ୍ରୋତରେ ଉତ୍କଳଦେଶୀୟ ଦୁଇଟିଯାକ ଜାହାଜ ବିଦେଶ ମୁଖରେ ଦରିଆ ଢେଉ କାଟି କାଟି ଚାଲିବାକୁ ଲାଗିଲା । ଆରୋହୀମାନେ ମନ ଆନନ୍ଦରେ ନୃତ୍ୟଗାନ କରି ଦିନହରଣ କରୁଥିଲେ । ବାଲେଶ୍ୱରବାସୀମାନେ ଯେତେବେଳେ ‘ବିରଜା ବନ୍ଦନା’ କୁ ତାନ ଧରି ଗାନ କରୁଥିଲେ, ସେତେବେଳେ ସେମାନଙ୍କର ସମ୍ମିଳିତ ସ୍ୱର ସତେ ଯେପରି ଢେଉରେ ଭାସି ଭାସି ଯାଇ ଦୂର ଦିଗ ଦିଗନ୍ତରେ ମିଶି ଯାଉଥିଲା । ଆମ୍ଭମାନଙ୍କର ଏଥର ଦୁଇଖଣ୍ଡି ଜାହାଜ ଥିବାରୁ ଏବଂ ଆମ୍ଭେମାନେ ସଂଖ୍ୟାରେ ବହୁତ ଥିବାରୁ, ଆମ୍ଭର ଅଧ୍ୟକ୍ଷ ମହାଶୟ ସୁଦୂରସିଂହଳ ଦ୍ୱୀପ ପର୍ଯ୍ୟନ୍ତ ବାଣିଜ୍ୟ କରି ଯିବାକୁ ପ୍ରସ୍ତାବ କଲେ । ଆମ୍ଭେମାନେ ସେଥିରେ ଆନନ୍ଦର ସହିତ ସମ୍ମତ ହେଲୁଁ । ସେଥିଲାଗି ଆମ୍ଭେମାନେ କେତେକାଳ ଲାଗି ଉପକୂଳ ବାଣିଜ୍ୟରେ ଲିପ୍ତ ହେଲେହେଁ, ସେଥିରେ ବେଶୀ ଦିନ କଟାଇଲୁଁ ନାହିଁ । କାରଣ ଆମ୍ଭମାନଙ୍କୁ ବହୁ ଦୂର ଯିବାର ଥିଲା । ସେହି କାରଣରୁ ଆମ୍ଭେମାନେ ଉପକୂଳ ପ୍ରଦେଶମାନଙ୍କରେ ଯତ୍‌ସାମାନ୍ୟ ବାଣିଜ୍ୟ କରି ଅକୂଳ ଦରିଆ ବକ୍ଷରେ ସୁଦୂର ଦକ୍ଷିଣାଭିମୁଖୀ ହେଲୁଁ ।

 

ମେଘ ଯେପରି ନିର୍ମଳ ଥିଲା, ଅନୁକୂଳ ବାୟୁ ମଧ୍ୟ ସେହିପରି ବହୁଥିଲା । ତେଣୁ ଆମ୍ଭମାନଙ୍କ ପରିଶ୍ରମର ବହୁତ ପରିମାଣରେ ଲାଘବ ହେଉଥିଲା । ଏ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଦୁଃଖ ବା କଷ୍ଟର କିଛି କାରଣ ନ ଥିଲା । ମାତ୍ର ସୁଖର ଦିନ ମନୁଷ୍ୟ ଭାଗ୍ୟରେ ସବୁବେଳେ ସମାନ ରହେନାହିଁ । ଦିନରାତି ପରି ସୁଖ ଦୁଃଖ ମନୁଷ୍ୟ ଭାଗ୍ୟରେ ବରାବର ଲାଗି ରହିଅଛି । ସୁଖ ପରେ ଦୁଃଖ କିମ୍ୱା ଦୁଃଖ ପରେ ସୁଖ ନିଶ୍ଚୟ ଆସେ ବୋଲି ଯେବେ ମନୁଷ୍ୟ ସବୁବେଳେ ମନେ ରଖୁଥାନ୍ତା, ତାହାଲେ ଏତେ ଜଞାଳ, ଏତେ ଅଶାନ୍ତି ବୋଧହୁଏ ସଂସାର ମଧ୍ୟରେ ନ ଥାନ୍ତା । ସୁଖର ମଧୁର ଭ୍ରମରେ ପଡ଼ି, ମନୁଷ୍ୟ ଆଗରେ ଦୁଃଖ ଦେଖି ପାରେ ନାହିଁ । ଏଇଟି ମନୁଷ୍ୟର ଭୁଲ ନା ବିଧାତାଙ୍କର ଲୀଳା, ତାହା କିଏ କହିବ ?

 

ମୁଁ କହୁଥିଲି, ଆମ୍ଭେମାନେ ଦୂର ସମୁଦ୍ର ବକ୍ଷରେ ବିଶେଷ ଆରାମ ଓ ସୁଖର ସହିତ ଜାହାଜ ଚଳାଇ ଯାଉଥିଲୁଁ । ମାତ୍ର ଆମ୍ଭେମାନେ ଦିନେ ଗଭୀର ଜଳରାଶି ମଧ୍ୟରେ ଏପରି ଗୋଟିଏ ଜାଗାରେ ଆସି ପହଞ୍ଚିଲୁଁ, ଯେଉଁଠାରେ ଦେଖିଲୁ ସମୁଦ୍ର ଜଳ ଭୟାନକ ରୂପେ ଆନ୍ଦୋଳିତ ଓ ଉଦ୍‌ବେଳିତ ହେଉଅଛି । ଦୂର ଜଳରେ ହଠାତ୍‌ ସମୁଦ୍ରର ଏପରି ଅପ୍ରାକୃତିକ ଓ ଅସମ୍ଭବ ଘୂର୍ଣ୍ଣନଲୀଳା ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲୁଁ । ଦେଖୁ ଦେଖୁ ପ୍ରକାଣ୍ଡ ତରଙ୍ଗସବୁ ଉଠି ଆମ୍ଭର ଜାହାଜ ଦୁଇଟିକୁ ଅସମ୍ଭବ ଭାବରେ ଉଠାଇବାକୁ ଓ ପକାଇବାକୁ ଲାଗିଲା । ଜାହାଜର ସେ ମୁହୂର୍ମୁହୁ ବିଷମ ଉତ୍‌ଥାନ ପତନରେ ସମ୍ଭାଳି ରଖିବା ଅତି କଷ୍ଟକର ହୋଇ ଉଠିଲା-। ସମୟେ ସମୟେ ଏପରି ହେଉଥିଲା ଯେ ବୋଧ ହେଉଥିଲା, ସତେ ଯେପରି ଜାହାଜ ଦୁଇଟି ଓଲଟି ପଡ଼ି ଜଳମଗ୍ନ ହୋଇଯିବ । ଏପରି ଅବସ୍ଥାରେ ଆମ୍ଭମାନଙ୍କର ଭୟ ଓ ବ୍ୟାକୁଳତା’ର ଆଉ ସୀମା ରହିଲା ନାହିଁ । ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ସମୁଦ୍ର ବାଣିଜ୍ୟରେ ତାଙ୍କର ସାରାଜୀବନ କଟାଇ ଦେଇ ଅଛନ୍ତି । ମାତ୍ର କେବେହେଲେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖି ନ ଥିଲେ । ଆମ୍ଭେମାନେ ଏ ଘଟଣାର କୌଣସି କାରଣ ଦେଖି ନ ପାରି କାରଣ ହୋଇ ପଡ଼ିଲୁଁ ।

 

ମାତ୍ର ଏପରି ସମୟରେ ହଠାତ୍‌ ଦେଖିଲୁଁ, ସତେ ଯେପରି ସମୁଦ୍ରର ପ୍ରାୟ ଅଧେ ଜଳ ଉପରକୁ ଠେଲି ଦେଇ ଗୋଟିଏ ଅତି ପ୍ରକାଣ୍ଡ ଜୀବ ତାହାର ସୁବିସ୍ତୃତ ପୃଷ୍ଠଭାଗ ଉପରକୁ ଉଠାଇ ମୁଣ୍ଡ ଦେଖାଇ ଦେଲା । ଏତେ ପ୍ରକାଣ୍ଡ ଜୀବ ସମୁଦ୍ରରେ କାହାରି କେବେ ଦୃଷ୍ଟିଗୋଚର ହୋଇ ନ ଥିଲା । ତାହାର ଭୟାନକ ମୁଖ ମେଲାଇବା ଦେଖି ଆମ୍ଭେମାନେ ମନେ କଲୁଁ, ସେ ଜୀବ ଅନାୟାସରେ ଦୁଇଟିଯାକ ଜାହାଜ ଏକକାଳୀନ ଗିଳି ଦେଇପାରେ । ସେ ଜୀବକୁ ଥରେ ଜଳ ଉପରେ ଦେଖି ଆମ୍ଭେମାନେ ଭୟରେ କୋଳାହଳ କରି ଉଠିଲୁଁ । ଆମ୍ଭମାନଙ୍କର ଆଉ ଉଦ୍ଧାରର ଆଶା ରହିଲା ନାହିଁ । ଥରେ ସେ ବିପଦରେ ନ ପଡ଼ି ବା ସେ ଭୟଙ୍କର ଜଳଜନ୍ତୁ ନିଜ ଆଖିରେ ନ ଦେଖି କେହି କିଛି ଅନୁମାନ କରି ପାରିବ ନାହିଁ । ଦେଖୁ ଦେଖୁ ସେ ଜୀବଟା ପୁଣି ଅଗାଧ ଜଳଗର୍ଭରେ ବୁଡ଼ି ଗଲା । ଗଭୀର ଜଳ ଭିତରକୁ ତା’ର ପ୍ରବଳ ଗତି ସଙ୍ଗେ ସଙ୍ଗେ ଯେ ଗୋଟିଏ ଗର୍ତ୍ତର ସୃଷ୍ଟି ହୋଇଥିଲା, ସେଥିରେ ବହୁତ ତଳକୁ ଦେଖା ଯାଇପାରେ ଏବଂ ସେ ଶୂନ୍ୟସ୍ଥାନରେ ଗୋଟିଏ ଜାହାଜ ଅକ୍ଳେଶରେ ରହି ଯାଇ ପାରେ ।

 

ଆମ୍ଭେମାନେ ମନେକଲୁଁ, ଜୀବଟା ଏଥର ବୋଧହୁଏ ଚାଲିଗଲା । ମାତ୍ର ଆମ୍ଭମାନଙ୍କର ସେ ଆଶ୍ୱସ୍ତିଭାବ ବେଶୀ ସମୟ ସ୍ଥାୟୀ ହୋଇ ପାରିଲା ନାହିଁ । ମୁହୂର୍ତ୍ତକ ପରେ ପୁଣି ସେ ଜାହାଜର ଏତେ ନିକଟରେ ଉଠିଲା ଯେ, ତା’ର ଧକ୍‌କାରେ ଜାହାଜ ବୁଡ଼ିଯିବା ପରି ବୋଧ ହେଲା-। ପରେ ପରେ ଜୀବଟା ଏପରି ଭୟାନକ ବେଗରେ ଚତୁପାର୍ଶ୍ୱରେ ଘୂରିବାକୁ ଲାଗିଲା ଯେ, ତାହାର ଘୂର୍ଣ୍ଣନ ବେଗରେ ତାହା ପଛେ ପଛେ ସମୁଦ୍ର ଜଳରେ ଗୋଟାଏ ପ୍ରବଳ ସ୍ରୋତର ଉତ୍ପତ୍ତି ହେଲା । ଜାହାଜ ଦୁଇଟି ସେ ସ୍ରୋତରେ ପଡ଼ି ବରାବର ଘୂରିବାକୁ ଲାଗିଲା । ନାଉରୀମାନେ ସେତେବେଳେ ଜାହାଜ ଦୁଇଟିର ଗତିରୋଧ କରି ନ ପାରି କେବଳ ଭାରକେନ୍ଦ୍ର ସ୍ଥିର ରଖିବା ବିଷୟରେ ସେମାନଙ୍କର ସମସ୍ତ ଶକ୍ତି ବ୍ୟୟ କରୁଥିଲେ ।

 

ଏପରି ପ୍ରକାଣ୍ଡ ଅଥଚ ଭୟାନକ ଜୀବ ଆମ୍ଭମାନଙ୍କ ମଧ୍ୟରୁ ପୂର୍ବରୁ କେହି କେବେ ଦେଖି ନ ଥିଲେ । କିଏ କହିଲା, ସେଟା ତିମିମାଛ, କିଏ କହିଲା, ତିମିଙ୍ଗିଳ, କିଏ କହିଲା, ଏଇଟା ରାଘବ ମାଛ । ଆମ୍ଭେମାନେ ଏହିପରି ନାନା କଳ୍ପନା କରି ଅତ୍ୟଧିକ ଭୟରେ ଜଡ଼ସଡ଼ ହୋଇଗଲୁଁ-। ଯାହାହେଉ, ଜୀବଟା ଜାହାଜ ଦୁଇଟିର ତଳେ ତଳେ ପ୍ରବଳ ବେଗରେ ଘୂରି ଘୂରି ଶେଷରେ ଏକଦିଗରେ ପଳାଇଗଲା । ତା’ର ଗତି ସଙ୍ଗେ ସଙ୍ଗେ ସମୁଦ୍ରଜଳ ଗୋଟାଏ ସ୍ରୋତରେ ଧାଇଁବାରୁ ଜାହାଜ ଦୁଇଟି ମଧ୍ୟ ସେ ସ୍ରୋତରେ ପଡ଼ି ଅସମ୍ଭବ ବେଗରେ ଧାଇଁବାକୁ ଲାଗିଲା । ସାଧାରଣ ସମୟରେ ଜାହାଜକୁ ସମୁଦ୍ରଜଳରେ ଏତେ ବେଗରେ ଚଳାଇବା ମନୁଷ୍ୟର ସାଧ୍ୟାତୀତ-। ଜୀବଟା ଆମ୍ଭମାନଙ୍କୁ କେଉଁଆଡ଼େ ତା’ର ପଛେ ପଛେ ଟାଣି ନେଇ ଯାଉଥିଲା, ତାହା ଆମ୍ଭଙ୍କୁ ଜଣା ନ ଥିଲା । ଆମ୍ଭେମାନେ ବହୁବେଳ ଯାଏଁ ଏହିପରି ପ୍ରବଳ ବେଗରେ ଗତି କଲୁଁ । ଯାଉ ଯାଉ ସମ୍ମୁଖରେ ଦେଖିଲୁଁ, ଗୋଟିଏ ଘନବନାଚ୍ଛାଦିତ ଦ୍ୱୀପଭୂମି ସମୁଦ୍ରଜଳ ଉପରକୁ ମୁଣ୍ଡ ଟେକି ଛିଡ଼ା ହୋଇଛି । ଆମ୍ଭମାନଙ୍କର ଆଶଙ୍କା ହେଲା, ଜାହାଜ ଦୁଇଟି ସେ ଦ୍ୱୀପ କୂଳରେ ପଥର ଦେହରେ ପିଟି ହୋଇ ଫାଟିଯିବ ଏବଂ ସେହିଠାରେ ସାଗର ଗର୍ଭସ୍ଥ ହେବ ।

 

ଆମ୍ଭମାନଙ୍କର ମୃତ୍ୟୁର ଏହି ଭୀଷଣ ଅବସ୍ଥା ଦେଖି ଭୟରେ “ଜୟ ଜଗନ୍ନାଥ ଜୟ”, “ଜୟ ବିରଜାଦେବୀଙ୍କର ଜୟ” ବୋଲି ଚିତ୍କାର କରିବାକୁ ଲାଗିଲୁଁ । ସତେ ଯେପରି ଆମ୍ଭମାନଙ୍କ କରୁଣ ପ୍ରାର୍ଥନାରେ ବିଗଳିତ ହୋଇ ଆମ୍ଭମାନଙ୍କର ପ୍ରାଣରକ୍ଷା ଲାଗି ପ୍ରଭୁ ତାଙ୍କର କରୁଣାମୟ ହସ୍ତ ବଢ଼ାଇଦେଲେ । ସେ ଦ୍ୱୀପର ଅନତିଦୂରରେ ଜୀବଟା ଆଉ ଆଗକୁ ଗତି ନ କରି ହଠାତ୍‌ ଅତଳ ସମୁଦ୍ରଗର୍ଭରେ ବୁଡ଼ିଗଲା ଏବଂ ତଳେ ତଳେ କେଉଁଆଡ଼େ ଲୁଚିଗଲା । ତାହା ପରେ ଆମ୍ଭେମାନେ ଆଉ ତା’ର ରୂପ ଦେଖିଲୁ ନାହିଁ ବା ତା’ର ଅସ୍ତିତ୍ୱ ଅନୁଭବ କଲୁନାହିଁ । ଦେଖୁ ଦେଖୁ ସମୁଦ୍ର ପୁଣି ସ୍ଥିର ଓ ଶାନ୍ତ ହୋଇଗଲା ଏବଂ ଜାହାଜ ଦୁଇଟି ପୁଣି ଧୀର ଓ ଆୟତ୍ତାଧୀନ ହୋଇ ପଡ଼ିଲା । ଏହିପରି ଗୋଟିଏ ଆଶୁ ମୃତ୍ୟୁ ମୁଖରୁ ରକ୍ଷା ପାଇ ଆମ୍ଭେମାନେ ନିତାନ୍ତ କାତର ଓ କ୍ଳାନ୍ତ ହୋଇଥିବାରୁ, ଆମ୍ଭମାନଙ୍କର ଅଧ୍ୟକ୍ଷମାନଙ୍କ ଆଦେଶରେ ସେହି ଅପରିଚିତ ସ୍ଥାନରେ ଅନ୍ତତଃ ସେଦିନ ବିଶ୍ରାମ ନେବାଲାଗି ଜାହାଜ ଦୁଇଟି ଦ୍ୱୀପ ନିକଟରେ ନଙ୍ଗର କଲା ।

 

ଆମ୍ଭେମାନେ ଜାହାଜରୁ ସ୍ଥଳଭାଗକୁ ପଳାଇଆସି ଟିକିଏ ଆଶ୍ୱସ୍ତି ଅନୁଭବ କଲୁଁ । ସେ ଜଳଜନ୍ତୁର ଆକ୍ରମଣରେ ଆମ୍ଭେମାନେ ଯେପରି ଭୟ ପାଇଥିଲୁଁ, ସେଥିରେ ପୁଣି ଆଉ ସମୁଦ୍ରକୁ ଗୋଡ଼ କାଢ଼ିବାକୁ ଆମ୍ଭମାନଙ୍କର ସାହସ ନ ଥିଲା । ବାସ୍ତବିକ ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ କହୁଥିଲେ, ଆଜି ସେମାନେ ଘର ନିକଟରେ ଏପରି ବିପଦରେ ପଡ଼ିଥିଲେ, ଆଉ ବାଣିଜ୍ୟଲାଗି ଜୀବନକୁ ସଂଶୟାପନ୍ନ କରି ନ ଥାନ୍ତେ । ମନୁଷ୍ୟ ସେ ଭୟାନକ ବିଷମ ସଂକଟରେ ପଡ଼ିଲେ ଏପରି କାତର ହେବା ସ୍ୱାଭାବିକ ବୋଲି ମନେହୁଏ । ଉଭୟ ଅଧ୍ୟକ୍ଷ ଏକମତ ହୋଇ କହିଲେ, ଜନ୍ତୁଟା ନିଶ୍ଚୟ ଦ୍ୱୀପର ନିକଟରେ ବୁଲି ବୁଲି ଆମ୍ଭମାନଙ୍କର ଅପେକ୍ଷା କରୁଥିବ । ତେଣୁ ପୁଣି ହଠାତ୍‌ ଜଳଯାତ୍ରା କଲେ ମୃତ୍ୟୁ ସୁନିଶ୍ଚିତ । ସେଥିଲାଗି ସେମାନଙ୍କର ଆଦେଶରେ ସେ ଦ୍ୱୀପରେ ଆମ୍ଭମାନଙ୍କୁ ଅନ୍ତତଃ ତିନି ଚାରିଦିନ ଅପେକ୍ଷା କରିବାକୁ ପଡ଼ିଲା ।

 

ସେ ଦ୍ୱୀପରେ ଯେତେବେଳେ କିଛିଦିନ ବିଶ୍ରାମ ନେବା ସ୍ଥିର ହୋଇଗଲା, ମୁଁ ଆଉ କେବଳ ତୂନୀ ହୋଇ ରହିପାରିଲି ନାହିଁ । ଦ୍ୱୀପଟିର ଚାରିଆଡ଼େ ବୁଲି ବୁଲି ନୂଆ ନୂଆ କଥା ଦେଖିବାକୁ ମୋର ଭାରି ଇଚ୍ଛା ହେଲା । ସୁତରାଂ ମୁଁ ମୋର କେତେକ ବନ୍ଧୁଙ୍କୁ ସାଙ୍ଗରେ ନେଇ ଏଣେତେଣେ ବୁଲିବାକୁ ଲାଗିଲି । ଅନ୍ୟ ଯାତ୍ରୀମାନେ ଗୋଟିଏ ଜାଗାରେ ରହି କ୍ରିଡ଼ାମୋଦରେ ଦିନ କଟାଇବାକୁ ଲାଗିଲେ । ଆମ୍ଭେମାନେ ଏଣେ ତେଣେ ଗୁଡ଼ାଏ ବୁଲି ବୁଲି ଭୋଜନ ସମୟକୁ ପୁଣି ଫେରି ଆସୁ, ଏହିପରି ବୁଲୁ ବୁଲୁ ଆମ୍ଭେମାନେ ଥରେ ଦ୍ୱୀପର ପଶ୍ଚିମପ୍ରାନ୍ତକୁ ଚାଲିଗଲୁଁ । ଦ୍ୱୀପଟି ଏତେ ବୃହତ୍‌ ବୋଲି ଆମ୍ଭମାନଙ୍କର ପ୍ରଥମରୁ ବିଶ୍ୱାସ ନ ଥିଲା । ମଝିରେ ଗୋଟିଏ ଉଚ୍ଚ ପର୍ବତ ଛିଡ଼ା ହୋଇ ସେ ପ୍ରକାଣ୍ଡ ଭୂଭାଗଟିକୁ ଉଭୟଦିଗରେ ସମାନଭାଗରେ ଦ୍ୱିଖଣ୍ଡିତ କରୁଥିଲା । ଆମ୍ଭେମାନେ ଅତି କଷ୍ଟରେ ସେ ପର୍ବତ ପାର ହୋଇ ଅପର ପାର୍ଶ୍ୱକୁ ଯାଇଥିଲୁଁ ।

 

ଦ୍ୱୀପର ଏହି ପଶ୍ଚିମ ପାର୍ଶ୍ୱରେ ନାନାବିଧ ଲତା ଓ ଫୁଲଗଛପୂର୍ଣ୍ଣ ଗୋଟିଏ ମନୋହର ପରିଷ୍କୃତ ସ୍ଥାନ ଦେଖି ଆମ୍ଭେମାନେ ସେ ଆଡ଼କୁ ଆକୃଷ୍ଟ ହୋଇ ଗଲୁଁ । ମାତ୍ର ଚତୁର୍ଦ୍ଦିଗରେ ମନୁଷ୍ୟହସ୍ତର ଯଥେଷ୍ଟ କାରିଗରୀର ପ୍ରମାଣ ମିଳୁଥିଲେ ମଧ୍ୟ ସେଠାରେ କୌଣସି ମନୁଷ୍ୟର ସଞ୍ଚାର ଦେଖାଯାଉ ନ ଥିଲା । ଆମ୍ଭମାନେ ଯତ୍‌ପରୋନାସ୍ତି ସନ୍ତୁଷ୍ଟ ହୋଇ ଚତୁର୍ଦ୍ଦିଗରେ ନିର୍ଭୀକ ଭାବରେ ବୁଲିବାକୁ ଲାଗିଲୁଁ । କିନ୍ତୁ ଆମ୍ଭମାନଙ୍କର ସେ ଭ୍ରମ ବେଶୀ ସମୟ ସ୍ଥାୟୀ ହୋଇ ପାରିଲାନାହିଁ । ଲତାଗହଳରୁ ଗୋଟିଏ ମୁକ୍ତ ସ୍ଥାନକୁ ବାହାରିପଡ଼ି ଦେଖିଲୁଁ, ଗେରୁଆବସ୍ତ୍ର ପିନ୍ଧି ଜଣେ ସନ୍ୟାସୀ ଗୋଟିଏ ପଥର ଉପରେ ବସି ଧ୍ୟାନମଗ୍ନ ଅଛନ୍ତି । ତାଙ୍କର ମୁଣ୍ଡିତ ମସ୍ତକ, ଖର୍ବାକୃତି, ଚେପ୍‌ଟା ନାକ, ହଳଦିଆ ବର୍ଣ୍ଣ, ଦଣ୍ଡ ଓ କମଣ୍ଡଳୁ ଦେଖି ତାଙ୍କୁ ଜାପାନଦେଶୀୟ ବୌଦ୍ଧ ଭିକ୍ଷୁ ବୋଲି ଆମ୍ଭମାନଙ୍କର ମନେ ହେଲା । ଯାହାହେଉ, ଆମ୍ଭେମାନେ ଭକ୍ତି ଓ ବିନୟ ଅବଲମ୍ୱନ କରି ସାହସର ସହିତ ତାଙ୍କର ନିକଟବର୍ତ୍ତୀ ହେଲୁଁ । ଆମ୍ଭମାନଙ୍କୁ ନିକଟରେ ଦେଖି ସନ୍ୟାସୀ ଆଖି ଫିଟାଇ ଅନାଇଲେ ଏବଂ ନିକଟରେ ବସିବାକୁ ଇଙ୍ଗିତ କଲେ ।

 

ଆମ୍ଭେମାନେ ସନ୍ୟାସୀଙ୍କ ବ୍ୟବହାରରେ ବିଶେଷ ସନ୍ତୁଷ୍ଟ ହୋଇ ତାଙ୍କ ନିକଟରେ ଘେରି ବସିଲୁଁ । ସେ ଆମ୍ଭମାନଙ୍କୁ ତାଙ୍କ ନିଜ ଭାଷାରେ ଅନେକ କୁଶଳପ୍ରଶ୍ନ ପଚାରିଲେ । ଆମ୍ଭେମାନେ ସେ ସବୁ ଯଥାଯଥ ଭାବରେ ବୁଝି ପାରୁ ନ ଥିଲେ ସୁଦ୍ଧା ତାଙ୍କର ଭାବଭଙ୍ଗୀ ଓ ଆକାର ଇଙ୍ଗିତରୁ ତାଙ୍କର କେତେକ ମନୋଭାବ ବୁଝିପାରି କଥଞ୍ଚିତ ଉତ୍ତର ଦେଉଥିଲୁଁ । ସନ୍ୟାସୀ ବିଦେଶୀ ହେଲେହେଁ, ତାଙ୍କର ଭଦ୍ର ଓ ମଧୁର ବ୍ୟବହାରରେ ଆମ୍ଭେମାନେ ଏପରି ପ୍ରୀତ ହୋଇଥିଲୁଁ ଯେ, ତାଙ୍କ ପାଖ ଛାଡ଼ି ଯିବାକୁ ଆମ୍ଭମାନଙ୍କର ଇଚ୍ଛା ହେଉ ନ ଥିଲା । ଆମ୍ଭେମାନେ ଏହି ଜଳଯାତ୍ରାର ଆନୁପୂର୍ବିକ ବିବରଣ ତାଙ୍କ ନିକଟରେ ବର୍ଣ୍ଣନା କରି କହିଲୁଁ, “ମହାଭାଗ ! ଆମ୍ଭେମାନେ ଏଠାରେ ଆଉ ଦିନେ ଦିଦିନ ରହିବୁଁ । ଏଠାରେ ଥିଲାଯାଏଁ ପ୍ରତିଦିନ ଆପଣଙ୍କ ନିକଟକୁ ଆସୁଥିବୁଁ । ଆମ୍ଭମାନଙ୍କ ସଙ୍ଗୀମାନେ ଅପେକ୍ଷା କରିଥିବେ । ଆମ୍ଭେମାନେ ଭୋଜନ ସମୟକୁ ଫେରି ଯାଉଅଛୁଁ ।” ଏକଥା ଶୁଣି ସନ୍ନ୍ୟାସୀ ମୁଣ୍ଡ ନୁଆଇଁ ସମ୍ମତି ଦେବାରୁ ଆମ୍ଭେମାନେ ଆସିବା ପୂର୍ବରୁ ତାଙ୍କୁ ନମସ୍କାର କଲୁଁ । ତାହା ପରେ ସେ ଛିଡ଼ା ହୋଇପଡ଼ି ତାଙ୍କର ଦଣ୍ଡର ଧାତୁନିର୍ମିତ ମୁଣ୍ଡଟିକୁ ଆମ୍ଭ ପ୍ରତ୍ୟେକଙ୍କ ମୁଣ୍ଡରେ ଛୁଆଇଁ ଛୁଆଇଁ ଆଶୀର୍ବାଦ କଲେ । ସେ ପୁଣି ନିଜ ଆସନରେ ବସିବାରୁ ଆମ୍ଭେମାନେ ଧୀରେ ଧୀରେ ଫେରି ଆସିଲୁଁ ।

 

ମାତ୍ର ଏ କି ଅଦ୍ଭୁତ କାଣ୍ଡ ! ଆମ୍ଭେମାନେ ସନ୍ନ୍ୟାସୀଙ୍କ ନିକଟରୁ ଦଶବାର ପାଦ ଆସିଚୁ କି ନାହିଁ, ଆମ୍ଭମାନଙ୍କର ମୁଣ୍ଡ ଘୂରିବାକୁ ଲାଗିଲା । ଦଶଦିଗ କ୍ରମେ କ୍ରମେ ଅନ୍ଧକାରମୟ ଦେଖାଗଲା । ଆମ୍ଭମାନଙ୍କର ଗୋଡ଼ଠାରୁ ମୁଣ୍ଡପର୍ଯ୍ୟନ୍ତ ସମୁଦାୟ ଶରୀର ଏପରି ଥରିବାକୁ ଲାଗିଲା ଯେ, ଆମ୍ଭେମାନେ ଆଉ ଆଗକୁ ପାଦେ ଘୁଞ୍ଚି ପାରିଲୁ ନାହିଁ । ଦେଖୁ ଦେଖୁ ମୋର ସଙ୍ଗୀମାନେ ଜଣ ଜଣ ହୋଇ ସେ ମେଲା ସ୍ଥାନରେ ତଳେ ପଡ଼ିଗଲେ । ମୁଁ ମଧ୍ୟ ସେମାନଙ୍କ ସହିତ ତଳେ ପଡ଼ିଗଲି । ସମସ୍ତେ ମୂର୍ଚ୍ଛିତ ହୋଇଯିବାରୁ ତାହାପରେ ଆମ୍ଭମାନଙ୍କର କି ଅବସ୍ଥା ହେଲା, ଆଉ ଜାଣି ହେଲାନାହିଁ ।

 

ଆମ୍ଭମାନଙ୍କୁ ଏପରି ବଶୀଭୂତ ଓ ଅଚଳ କରିବାରେ ସନ୍ନ୍ୟାସୀର କି ଗୁପ୍ତ ଅଭିପ୍ରାୟ ଥିଲା ? ତା’ର ସେ ବାଡ଼ିଖଣ୍ଡିକ ଏପରି କି ବିଷାକ୍ତ ପଦାର୍ଥଦ୍ୱାରା ନିର୍ମିତ ଯେ, ତା’ର ସାମାନ୍ୟ ସ୍ପର୍ଶରେ ଆମ୍ଭମାନଙ୍କର ଜ୍ଞାନଲୋପ ହୋଇଗଲା ? ସେ ଆମ୍ଭମାନଙ୍କୁ ଏପରି ସଙ୍କଟ ଅବସ୍ଥାରେ ରଖି କଣ କରିବାକୁ ଇଚ୍ଛା କରେ ? ଆମ୍ଭମାନଙ୍କର ଏ ଅବସ୍ଥାରୁ କିପରି ରକ୍ଷା ମିଳିବ ? ଏହି ସମସ୍ତ ପ୍ରଶ୍ନ ସେତେବେଳେ ମନମଧ୍ୟରେ କିପରି କିପରି ନିର୍ଜୀବ ଭାବରେ ଉଠି ଏ ବିଷମ ଅବସ୍ଥାକୁ ଆହୁରି ଗାଢ଼ତର କରି ପକାଇଲା । ମୋର ସଙ୍ଗୀମାନେ ମୃତବତ୍‌ ଅଚେତନ ହୋଇ ପଡ଼ିଲେ । ମାତ୍ର ସୁଖର ବିଷୟ, ସେ ଦଣ୍ଡ ସ୍ପର୍ଶରେ ମୋର ଗୋଡ଼ଠାରୁ ମୁଣ୍ଡଯାଏ ଥରୁ ଥିଲେହେଁ ମୋର ଜ୍ଞାନ ପୂରା ଲୋପ ହୋଇ ନ ଥିଲା । ମୁଁ ଟିକିଏ ଟିକିଏ ଆଖି ଫିଟାଇ ଥରେ ଥରେ ଚାହିଁ ପାରୁଥିଲି । ତଥାପି ବେଶି ସମୟ ଚାହିଁ ରହିବାକୁ ଆଖିରେ ବଳ ନ ଥିଲା କିମ୍ୱା କଥା କହିବାକୁ ବା ହାତଗୋଡ଼ ହଲାଇବାକୁ ଦେହରେ ଶକ୍ତି ନ ଥିଲା । ଏତିକି ଯେ, ତାହା ପରେ ପରେ କି କି ଘଟନା ଘଟୁଥିଲା, ମୁଁ କେବଳ ସେତିକି ବୁଝି ପାରୁଥିଲି ।

 

ଆମ୍ଭେମାନେ ଏପରି ମୃତ ଅବସ୍ଥାରେ ପଡ଼ିବାର ଦେଖି, ସନ୍ନ୍ୟାସୀ ଧ୍ୟାନଭଗ୍ନ କରି ଆମ୍ଭ ନିକଟକୁ ଆସିଲା ଏବଂ ଗୋଟି ଗୋଟି କରି ଆମ୍ଭମାନଙ୍କୁ ପରୀକ୍ଷା କରିବାକୁ ଲାଗିଲା । ଏସବୁ କାର୍ଯ୍ୟରେ ସନ୍ନ୍ୟାସୀର ନିଶ୍ଚୟ କିଛି ଦୂରଭିସନ୍ଧି ଥିବ ମୁଁ ଅନୁମାନ କରି ମୃତବତ୍‌ ପଡ଼ି ରହିଲି । ସେ ଆମ୍ଭମାନଙ୍କୁ ଥରେ ଥରେ ଦେଖିନେଇ ଗୋଟିଏ ଗୁପ୍ତ ସ୍ଥାନରୁ କେତେଗୁଡ଼ିଏ ସୁଦୃଢ଼ ଓ ବଡ଼ ବଡ଼ ଦଉଡ଼ି ଆଣି ଆମ୍ଭମାନଙ୍କର ହସ୍ତପଦ ବାନ୍ଧି ପକାଇଲା । ଆମ୍ଭମାନଙ୍କର ବନ୍ଧନ ସରିଲାରୁ ତାହାର ସାମାନ୍ୟ ସଙ୍କେତ ଶବ୍ଦରେ ପ୍ରାୟ ପାଞ୍ଚ ଛଅ ଜଣ ପର୍ଯ୍ୟନ୍ତ ଯମଦୂତ ପରି ଖର୍ବ ଓ ଭୀଷଣାକୃତି ଲୋକ ଏଣୁ ତେଣୁ ଗୁପ୍ତ ସ୍ଥାନମାନଙ୍କରୁ ଦୌଡ଼ିଆସି ଆମ୍ଭମାନଙ୍କୁ ଘେରି ରହିଲେ । ଆମ୍ଭେମାନେ ସନ୍ନ୍ୟାସୀଦ୍ୱାରା ଏହିପରି ଯେ ଆବଦ୍ଧ ଓ ଅବରୁଦ୍ଧ ହେଲୁଁ, ତାହା ଆଉ ବୁଝିବାକୁ ମୋର ବାକି ରହିଲା ନାହିଁ । ଅଜ୍ଞାତ ମୃତ୍ୟୁ ଯେପରି ତା’ର ହାତ ବଢ଼ାଇ ଆମ୍ଭମାନଙ୍କର ପ୍ରାଣ-ପୁରୁଷକୁ ଆକର୍ଷଣ କରି ନେବାକୁ ଉଦ୍ୟତ,-ଏହିପରି ମୋତେ ବୋଧ ହେବାରୁ ମୁଁ ଭୟରେ କାତର ହୋଇ ପଡ଼ିଲି ।

 

ତାହା ପରେ ସନ୍ନ୍ୟାସୀର ଇଙ୍ଗିତରେ ଯମଦୂତ ପରି ବଳିଷ୍ଠ ସେହି ଲୋକଗୁଡ଼ିକ ଆମ୍ଭମାନଙ୍କୁ ଗୋଟି ଗୋଟି କରି ବୁହାଇ ନେଇ ସମୁଦ୍ରକୂଳରେ ବନ୍ଧାଥିବା ସେମାନଙ୍କର ଗୋଟିଏ ବଡ଼ ଡଙ୍ଗାରେ ରଖିଦେଇ ଆସିଲେ । ସନ୍ନ୍ୟାସୀ ତା’ର ପୂଜାର ଉପକରଣ ଓ ଅନ୍ୟାନ୍ୟ ପଦାର୍ଥ ନେଇ ନିଜେ ଡଙ୍ଗାରେ ବସିବାରୁ, ଭୃତ୍ୟମାନେ ଦଉଡ଼ି ଫିଟାଇ ଡଙ୍ଗାକୁ ସମୁଦ୍ର ମଧ୍ୟକୁ ଚଳାଇନେଲେ । ସେତେବେଳେ ସନ୍ନ୍ୟାସୀ ଛଞ୍ଚାଣ ପରି ଚଞ୍ଚଳ ନେତ୍ରରେ ଥରେ ଆମ୍ଭମାନଙ୍କୁ ଥରେ ଚାରିଆଡ଼କୁ ଅନାଇ ଦେଇ ଯେ ଖଳଖଳ ଭୟାନକ ହାସ୍ୟ କରୁଥାଏ, ସେଥିରେ ଏ ଅବସ୍ଥାରେ ଥିବା କୌଣସି ରକ୍ତମାଂସ ବିଶିଷ୍ଟ ମନୁଷ୍ୟ ଧୈର୍ଯ୍ୟଧରି ରହିବା ଅସମ୍ଭବ ।

 

ବୋଇତ ଚାଲିଲା, ମାତ୍ର କେଉଁଦିଗକୁ ବା କେଉଁସ୍ଥାନକୁ ଚାଲିଲା ତାହା କିଏ କହିବ ? ଆମ୍ଭେମାନେ ମଲାପରି ବୋଇତର ତଳତାଲାରେ ପଡ଼ିଥିଲୁଁ । ମଧ୍ୟେ ମଧ୍ୟେ ସନ୍ନ୍ୟାସୀ ଓ ନାବିକମାନଙ୍କ ମଧ୍ୟରେ କଣ କଥାବାର୍ତ୍ତା ହେଉଥାଏ, ସେ ଭାଷା ବୁଝିବା ଆମ୍ଭମାନଙ୍କ ପକ୍ଷରେ କଠିନ । କାରଣ ସେ ଭାଷା ଗୋଟିଏ ନୂତନ ବିଦେଶ ଭାଷା । ଏହିପରି କିଛିଦିନ କଟିଗଲା । ବୋଇତ ଦିନରାତି ଚାଲିଥାଏ । ଶେଷରେ ଦିନେ ସନ୍ଧ୍ୟାସମୟରେ ସନ୍ନ୍ୟାସୀ ଆମ୍ଭମାନଙ୍କୁ ନେଇ ଗୋଟିଏ ଦ୍ୱୀପରେ ପହଞ୍ଚିଲା ।

 

ଦ୍ୱୀପଟିର ବସତି କେଉଁଠାରେ ଅବସ୍ଥିତ, କେଉଁ ଦେଶର ନିକଟବର୍ତ୍ତୀ, ତାହା ମୋତେ ସେତେବେଳେ ଜଣା ନ ଥିଲା । ମାତ୍ର ମୁଁ ପରେ ବୁଝି ପାରିଥିଲି, ଏହି ଦ୍ୱୀପଟି ଭାରତର ଦକ୍ଷିଣାଞ୍ଚଳବର୍ତ୍ତୀ ଦ୍ୱୀପପୁଞ୍ଜ ମଧ୍ୟରୁ ଗୋଟିଏ । ସନ୍ନ୍ୟାସୀର ପ୍ରଧାନ ରହିବା ଜାଗା ଏହିଠାରେ । ଏହିଠାରେ ତା’ର ମନ୍ଦିର ଓ ଘରବାଡ଼ି ଅଛି । ଆମ୍ଭେମାନେ ଯେତେବେଳେ ପୂର୍ବପରି ବନ୍ଧା ହୋଇ ସେ ଦ୍ୱୀପ ଭିତରକୁ ବୁହା ହେଲୁଁ, ସେତେବେଳକୁ ରାତି ଟିକିଏ ବେଶୀ ହୋଇ ଯାଇଥିଲା । ସୁତରାଂ ଅନ୍ଧାରରେ କୌଣସି ଜିନିଷ ପରିଷ୍କାର ରୂପେ ଦେଖା ଯାଉ ନ ଥିଲା । ସନ୍ନ୍ୟାସୀର ସେହି ଖର୍ବାକୃତି ଚାକରଗୁଡ଼ାକ ଆମ୍ଭମାନଙ୍କୁ ଟେକାଟେକି କରି ନେଇ ତିନି ବଖରା ଘର ମଧ୍ୟରେ ଆବଦ୍ଧ କରି ରଖିଲେ । ଘରଗୁଡ଼ିକ ପଥରରେ ତିଆରି । କୌଣସି ବଖରାରେ ଗୋଟିଏ ହେଲେ ଝରକା ନ ଥିଲା । କେବଳ କାନ୍ଥର ବହୁତ ଉପରକୁ ଉଭୟ ଦିଗରେ ଦୁଇ ଦୁଇଟି କରି ଛୋଟ ଛୋଟ ଜଳା ଥିଲା । ଜଳାଗୁଡ଼ିକ ପ୍ରାୟ ଏକରେଖାରେ ଥିବାରୁ, ସେହିବାଟରେ ଟିକିଏ ଟିକିଏ ପବନ ଅନାୟାସରେ ଯାଇ ଆସି ପାରୁଥିଲା । ପ୍ରତି ବଖରାରେ ଗୋଟିଏ ଗୋଟିଏ ପ୍ରକାଣ୍ଡ ଓ ମଜବୁତ କବାଟ । ଘରଗୁଡ଼ିକ ସେତେ ଲମ୍ୱା କିମ୍ୱା ଓସାରିଆ ନ ଥିଲା ବା ସେଥିରେ ସେତେ ଆଲୋକ ପ୍ରବେଶ କରି ପାରୁ ନ ଥିଲା । ଏହିପରି ଅବସ୍ଥାରେ ଆମ୍ଭେମାନେ ଏକପ୍ରକାର ଅନ୍ଧକୂପ ମଧ୍ୟରେ ପଡ଼ି ରହିଲୁଁ ।

 

ସେହିଦିନ ଅଧରାତିରେ ସନ୍ନ୍ୟାସୀ ପୁଣି ସେହି ବାଡ଼ିଟି ଧରି ପ୍ରତ୍ୟେକ ବଖରାକୁ ଆସିଥିଲା । ତା ସାଙ୍ଗରେ ଜଣେ ଚାକର ଗୋଟିଏ ଆଲୁଅ ଓ ଆଉ ଜଣେ ଗୋଟିଏ ବଡ଼ ବୋତଲ ଧରି ପଛେ ପଛେ ଚାଲୁଥିଲେ । ସନ୍ନ୍ୟାସୀ ଆସି ସେହି ବୋତଲରୁ ଟିକିଏ ଟିକିଏ ରସ ପ୍ରତ୍ୟେକଙ୍କୁ ପିଆଇଦେଲା । ରସଟିକକ ପାଟିକୁ ବେଶ୍‌ ଥଣ୍ଡା ଓ ମିଠା ଲାଗୁଥାଏ । ନିଜ ହାତରେ ଜଣ ଜଣ କରି ରସ ପିଆଇ ସାରିଲା ପରେ ସେ ପ୍ରତ୍ୟେକ ବଖରାର କବାଟ ବନ୍ଦ କରି ଫେରିଗଲା । ଆଶ୍ଚର୍ଯ୍ୟ ବିଷୟ, ରସ ପିଇବାର ପ୍ରାୟ ଘଡ଼ିକ ମଧ୍ୟରେ ଆମ୍ଭେମାନେ ସତେଜ ହୋଇ ଉଠିଲୁଁ । ଦେହ ଝିମି ଝିମି ହେବା, ମୁଣ୍ଡ ବୁଲାଇବା-ସବୁ ବନ୍ଦ ହୋଇଗଲା । ଅନେକ ସମୟ ସୁଖନିଦ୍ରା ପରେ ଉଠିଲେ ଯେପରି ଭଲ ଲାଗେ, ଆମ୍ଭମାନଙ୍କୁ ସେହିପରି ଭଲ ଲାଗିଲା । ମୋର ଯେଉଁ ସଙ୍ଗୀମାନେ ସେହି ବଖରାରେ ଥିଲେ, ସେମାନେ ଚେତା ପାଇ କେବଳ ଆବାକାବା ହୋଇ ଅନାଇଲେ । ପ୍ରତ୍ୟେକଙ୍କ ମୁଖରେ ବିରସଭାବ, ପ୍ରତ୍ୟେକଙ୍କ ଭିତରେ ମହା ଭୟ ଜାତ ହେଲା । ମାତ୍ର ଆର ଦୁଇଟି ବଖରାରେ ଆମର ଯେଉଁ ସଙ୍ଗୀମାନେ ରହିଥିଲେ, ସେମାନଙ୍କ ସମ୍ୱନ୍ଧରେ କିଛି ହାଲଚାଲ ବୁଝିବା ଆମର ସୁବିଧା ନ ଥିଲା । ତେବେ ଅନୁମାନ କରାଯାଇପାରେ, ସେମାନେ ଆମରି ପରି ସତେଜ ଓ ଜାଗ୍ରତ ଥିଲେ ।

 

ଆମ୍ଭେମାନେ ସେହି ଯେଉଁ ରସ ପିଇଲୁଁ, ତାହା କି ଏକ ଅଦ୍ଭୁତ ରସ କେଜାଣି, ଆମର ଆଉ ଭୋକ ଶୋଷ ରହିଲା ନାହିଁ । ଏହି ରସର ଆହୁରି ଏକ କ୍ଷମତା ଏହି ଯେ, ଆମ୍ଭେମାନେ କିଛି ନ ଖାଇଲେ ମଧ୍ୟ ଆଦୌ ଦୁର୍ବଳତା ବୋଧ କରୁ ନ ଥିଲୁଁ । ମାତ୍ର ଏ ଅନ୍ଧକୂପରୁ କିପରି ରକ୍ଷା ମିଳିବ ? ଆମ୍ଭମାନଙ୍କୁ ଏପରି ଭାବରେ କଏଦୀ କରି ରଖିବାରେ ସନ୍ନ୍ୟାସୀର କି ଅଭିପ୍ରାୟ ଥିଲା କେଜାଣି ? ନିତି ଦିନ ଓ ରାତିରେ ଅଧିକାଂଶ ସମୟରେ ଧୂପ ଓ ଗୁଗୁଳର ଗନ୍ଧ କାନ୍ଥର ଜଳା ବାଟେ ଓ କବାଟ ଛିଦ୍ର ଦେଇ ଆମ କୋଠରୀ ଭିତରକୁ ବହିଆସେ । ଦିନ ଦ୍ୱିପ୍ରହର ବେଳେ, ସକାଳେ, ସନ୍ଧ୍ୟା ଓ ଅଧରାତିରେ ହଠାତ୍‌ ଘଣ୍ଟା ଓ ମର୍ଦ୍ଦଳ ଟାଇଁ ଟାଇଁ ହୋଇ ବାଜି ଉଠେ । ସେ ଶବ୍ଦରେ ଆମର କଲିଜା ପର୍ଯ୍ୟନ୍ତ ଥରି ଯାଏ । ଏସବୁ କ’ଣ ? ସନ୍ନ୍ୟାସୀ ଏପରି ଗୋଟିଏ ନିର୍ଜ୍ଜନ ଦ୍ୱୀପରେ ରହି କଣ କରୁଅଛି । ଆମ୍ଭେମାନେ ପରସ୍ପରକୁ ଏହିକଥା ବରାବର ଚୁପଚାପ ପଚାରୁ ଥାଉଁ କିନ୍ତୁ କେହି ତା’ର ଉତ୍ତର ଦେଇ ପାରେନାହିଁ । ଫଳରେ ଏକ ଅଜ୍ଞାତ ଆଶଙ୍କାରେ ଆମର ଆଉ ଜୀବନର ଆଶା ନ ଥିଲା ।

 

ମୁଁ ପୁରୀ ଛାଡ଼ି ଗଲାଦିନ ବାଇଶୀ ପାହାଚରୁ ଗୋଟିଏ ଜଗନ୍ନାଥ ମୂର୍ତ୍ତି କିଣି ନେଇଥିଲି-। ସେଇଟି ମୋର କୁରୁତାରେ ଥିଲା । ଏପରି ବିପଦ ବେଳେ ସେଇଟି ବାହାର କରି ମୁଁ ଓ ମୋର ସଙ୍ଗୀମାନେ ମୁଣ୍ଡରେ ଲଗାଇଲୁଁ ଏବଂ ପ୍ରାର୍ଥନା କରି କହିଲୁଁ, “ପ୍ରଭୁ ନୀଳାଚଳନାଥ ! ଆପଣଙ୍କର ଗୋଲ ଗୋଲ ଆଖି ଦୁଇଟି ପୃଥିବୀର ସମସ୍ତ ଘଟଣା ଦେଖି ପାରୁଚି । ଆମ୍ଭମାନଙ୍କର ଦୁଃଖ କ’ଣ ଆପଣଙ୍କ ଆଖିରେ ପଡ଼ୁନାହିଁ ? ପ୍ରଭୁଁ ! ଏ ସନ୍ନ୍ୟାସୀର କବଳରୁ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ ।” ଏହିପରି ବାରମ୍ୱାର ପ୍ରାର୍ଥନା କରୁଥାଉଁ । ଆଶ୍ଚର୍ଯ୍ୟର ବିଷୟ ଯେ, ଆମ୍ଭେମାନେ ଯେତେଥର ପ୍ରାର୍ଥନା କରୁ ଥିଲୁଁ, ଆମ ମନରେ ଗୋଟିଏ ଦମ୍ଭ ଓ ସାହସ ଆସୁଥାଏ । ମୋର ମନେ ହେଉଥାଏ, ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ଏପରି ଅବହେଳାରେ କଦାପି ପ୍ରାଣ ହରାଇ ନ ପାରେ ।

 

ଏହିପରି ଭାବରେ କିଛିଦିନ କଟିଗଲା । ଦିନେ ଠିକ୍‌ ଅଧରାତି ବେଳେ ଅତି ମୃଦୁ ନାଦରେ କେବଳ ମର୍ଦ୍ଦଳ ବାଜିଉଠିଲା । ସଙ୍ଗେ ସଙ୍ଗେ ମନ୍ଦିର ଚାରିପାଖ ବେଢ଼ାରେ ଆଲୁଅ ଜଳି ଉଠିଲା । ମୁଁ କବାଟର ଛିଦ୍ର ବାଟେ ଦେଖିଲି, ସନ୍ନ୍ୟାସୀର ଚାକରମାନେ ଧଳା ଲୁଗା ପିନ୍ଧି ମୁଣ୍ଡ ଓ ପାଟି ଧଳା କନାରେ ଘୋଡ଼ାଇ ହୋଇ ନୀରବରେ ଏଣେ ତେଣେ ଯିବା ଆସିବା କରୁଛନ୍ତି । ତାହାପରେ ହଠାତ୍‌ ସନ୍ନ୍ୟାସୀ ଦେଉଳର ଗୋଟିଏ ଅଂଶରୁ ତା ବାଡ଼ିଖଣ୍ଡି ଧରି ବାହରି ପଡ଼ିଲା । ସେ ଦେହର ସମସ୍ତ ଅଂଶ କଳା କନାରେ ଘୋଡ଼ାଇ ହେଇଥିଲା । ଦେଖିଲି, ସେ କିପରି ହଲି ହଲି ଆମର ନିକଟବର୍ତ୍ତୀ ଗୋଟିଏ କୋଠରୀ ନିକଟରେ ଆସି ପହଞ୍ଚିଲା । ମୋତେ ଭାରି ଭୟ ଲାଗିବାରୁ ମୁଁ ମୋର ବନ୍ଧୁମାନଙ୍କୁ ଟିକିଏ ସାବଧାନ କରିଦେଲି । ସେମାନେ ହଠାତ୍‌ ଉଠିପଡ଼ି ମୋ ସହିତ କବାଟର ଛିଦ୍ରବାଟେ ବାହାରର ଦୃଶ୍ୟ ଦେଖିବାକୁ ଲାଗିଲେ ।

 

କେତେକ ସମୟ ପରେ ଭୃତ୍ୟମାନେ ନିକଟବର୍ତ୍ତୀ ବଖରାରୁ ଆମ୍ଭର ଜଣେ ସଙ୍ଗୀକୁ ଅଚେତନ ଅବସ୍ଥାରେ ବୁହାଇ ନେଉଥିବାର ଆମ୍ଭେମାନେ ଦେଖିଲୁଁ । ଆକୃତିରୁ ଜଣାଗଲା, ଆମର ସେ ସଙ୍ଗୀଜଣକ ନିଶ୍ଚୟ ବାଲେଶ୍ୱରବାସୀ । ଲୋକଟି ଯେଉଁପରି ବଳିଷ୍ଠ ଓ ସୁଗଠିତ ସେହିପରି ମଧ୍ୟ ହୃଷ୍ଟପୁଷ୍ଟ । ପ୍ରଥମେ ସନ୍ନ୍ୟାସୀ ସେ ଲୋକଟିକୁ କାହିଁକି ବୁହାଇନେଲା, କିଛି ବୁଝି ହେଲାନାହିଁ । ଆଜି ଏ ନୂତନ ଘଟନାରେ ଓ ଗୋଟିଏ ନୂତନ ବିପଦ ଆଶଙ୍କାରେ ମୋର ବନ୍ଧୁମାନେ କାତର ହୋଇପଡ଼ିଲେ । ମାତ୍ର ମୁଁ ନିଜେ ସେପରି ଭୀତ ନ ହୋଇ ପରବର୍ତ୍ତୀ ଘଟଣାମାନ ଜାଣିବାଲାଗି ଉପାୟ ସ୍ଥିର କରି ବସିଲି । ମୁଁ ମୋର ବନ୍ଧୁମାନଙ୍କୁ କହିଲି, “ଭାଇମାନେ, ଜଣକ କାନ୍ଧରେ ଜଣେ ଲେଖାଏଁ ଛିଡ଼ା ହୋଇ କାନ୍ଥର ଜଳା ବାଟେ ସନ୍ନ୍ୟାସୀର କାର୍ଯ୍ୟକଳାପ ଦେଖିବା । ଏ ପ୍ରସ୍ତାବ ଠିକ୍‌ ହେବାରୁ ପ୍ରଥମେ ଆମ ଭିତରୁ ଜଣେ କାନ୍ଥକୁ ଆଉଜି ଦୃଢ଼ ଭାବରେ ବସିଲେ । ତାଙ୍କ କାନ୍ଧରେ ଭାର ଦେଇ ମୁଁ ଉପରକୁ ଛିଡ଼ା ହେଲି ଏବଂ ଜଳାବାଟେ ମୁଣ୍ଡଟିକୁ ଅନାୟାସରେ ବାହାର କରି ସବୁ ଘଟଣା ଦେଖିବାକୁ ଲାଗିଲି ।

 

ଭୃତ୍ୟମାନେ ସେ ଲୋକଟାକୁ ଟେକାଟେକି କରି ନେଇ ଦେଉଳ ସମ୍ମୁଖରେ ଗୋଟିଏ ପକ୍‌କା ଚଟାଣ ଉପରେ ଶୁଆଇ ଦେଲେ ଏବଂ ସଙ୍ଗେ ସଙ୍ଗେ ଦେଉଳର ପଛ ପଟକୁ ଚାଲିଗଲେ । ସନ୍ନ୍ୟାସୀ ଦେଉଳ ଭିତରୁ କେତେ କଣ ପୂଜାର ଜିନିଷ ଆଣି ସେଠାରେ ରଖିଲା । ସମସ୍ତ ଆୟୋଜନ ଠିକ୍‌ କରି ସେ ଯେତେବେଳେ ଲୋକଟିର ଖୋଲା ଛାତି ଉପରେ ବସିପଡ଼ିଲା, ମୁଁ ସ୍ଥିର କଲି, ଏ ନିଶ୍ଚୟ ଜଣେ କାପାଳିକ । ଏପରି ଗୋଟିଏ ନିର୍ଜ୍ଜନ ଦ୍ୱୀପରେ ନରହତ୍ୟା କରି ଦେବୀ ପୂଜା କରୁଅଛି । ଆଜି ଜଣେ ବନ୍ଧୁଙ୍କର ପ୍ରଥମ ମେରିଆ ହେଲା । କାଲି ଆଉ ଜଣଙ୍କର ହେବ । ଏହିପରି ଦିନେ ଦିନେ ପ୍ରତ୍ୟେକେ ଏ ଦେବୀ ପୀଠରେ ମେରିଆ ପାଇବେ । ମୋ ମନରେ ଯେତେବେଳେ ଏ ଧାରଣା ହେଲା, ମୁଁ ଭୟ ଓ ଆତଙ୍କରେ ତଳକୁ ଖସି ପଡ଼ିଲା ପରି ହୋଇଗଲି, ମାତ୍ର ଟିକିଏ ଧୈର୍ଯ୍ୟ ଧରି ଘଟଣାର ଶେଷପର୍ଯ୍ୟନ୍ତ ଦେଖିବାକୁ ରହିଲି ।

 

ସନ୍ନ୍ୟାସୀ ମନୁଷ୍ୟର ଛାତିଉପରେ ବସି ବହୁତସମୟ କ’ଣ ଗୁଡ଼ାଏ ପୂଜା କଲା । କ୍ଷୀଣ ଦୀପ ଆଲୋକରେ ତା’ର ଆଖି ଓ ଚେହେରା ବଡ଼ ଭୟଙ୍କର ଦେଖା ଯାଉଥାଏ । ମନୁଷ୍ୟ ଭାଗ୍ୟରେ କଦାଚିତ୍‌ ଏପରି ନୃଶଂସ ଓ ଭୟାନକ ଦୃଶ୍ୟ ଦେଖିବା ଘଟିଥାଏ । କେତେକ ସମୟ ପର୍ଯ୍ୟନ୍ତ ପୂଜା ପୂଜି କରି ଶେଷକୁ ସେ ଅଣ୍ଟାରେ ଝୁଲୁଥିବା ଖାପ ଭିତରୁ ଗୋଟିଏ ତୀକ୍ଷ୍‌ଣ ଛୁରିକା ବାହାର କଲା । ସେହି ଅନ୍ଧାର ରାତିରେ, ସେହି କ୍ଷୀଣ ଆଲୋକରେ ସୁଦ୍ଧା ଛୁରୀଟି ଅତିମାତ୍ରାରେ ଜକଜକ ଦିଶୁଥିଲା । ଦେଖୁ ଦେଖୁ ମୋର ଗୋଡ଼ହାତ ଥରି ଯାଉଥାଏ । ଦେଖୁ ଦେଖୁ ସନ୍ନ୍ୟାସୀ ସେ ତୀକ୍ଷ୍‌ଣ ଛୁରୀଟି ମୋ ବନ୍ଧୁର ଗଳାରେ ଆମୂଳ ବିଦ୍ଧ କରିଦେଲା । ଲୋକଟି ପୂର୍ବରୁ ଅଚେତନ ଥିବାରୁ କିଛି ଜାଣି ପାରୁ ନ ଥିଲା । ତାହାପରେ ତା’ର କଣ୍ଠ ଦେଇ ଯେ ସଦ୍ୟ ରକ୍ତପ୍ରବାହ ପିଚିକି ଆସିଲା, ନୃଶଂସ ସନ୍ନ୍ୟାସୀ ରାକ୍ଷସ ପରି ସେ ସବୁ ପିଇନେଲା । କି ବୀଭତ୍ସ, କି ଭୟାନକ ଦୃଶ୍ୟ ସେ ! ରକ୍ତ ପିଇସାରି ସେ ଅନେକ ସମୟ ଯାଏଁ ଶବ ଉପରେ ବସି ପୁଣି ପୂଜା କଲା । ପୂଜା ଶେଷରେ ଶବ ଦେହରୁ ମୁଣ୍ଡଟି କାଟି ନେଇ ମନ୍ଦିର ମଧ୍ୟରେ ପ୍ରବେଶ କଲା ଏବଂ ସଶବ୍ଦରେ ଭିତର ପଟୁ କବାଟ ବନ୍ଦ କଲା । କବାଟ ପଡ଼ିବା ଶବ୍ଦରେ ଭୃତ୍ୟମାନେ ଦୌଡ଼ିଆସି ମୁଣ୍ଡବିହୀନ ସେ ଶବକୁ ଧରି ନିକଟବର୍ତ୍ତୀ ଜଙ୍ଗଲ ବାଟେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ତାହାପରେ କ’ଣ ହେଲା, ଜାଣିବାକୁ ମୁଁ ଆଉ ଛିଡ଼ା ହୋଇ ପାରିଲି ନାହିଁ । ହଠାତ୍‌ ତଳକୁ ଖସି ପଡ଼ି ଭୟରେ ମୋର ସଙ୍ଗୀମାନଙ୍କୁ କୁଣ୍ଢେଇ ପକାଇଲି । ମୋ ପାଟିରୁ କଥା ବାହାରୁ ନ ଥାଏ । ଅନେକ ସମୟ ପରେ ମୁଁ ବନ୍ଧୁମାନଙ୍କୁ ସମସ୍ତ ଘଟଣା ଗୋଟି ଗୋଟି କରି ଜଣାଇଲି । ମୋ କଥା ଶୁଣି ସମସ୍ତେ ଭୟରେ ‘ଜଗନ୍ନାଥ, ଜଗନ୍ନାଥ’ ବୋଲି ଉଚ୍ଚାରଣ କଲେ । ସମସ୍ତଙ୍କ ମୁହଁ ଶୁଖିଗଲା । ମୁଁ କହିଲି “ଭାଇମାନେ, ଯେତେବେଳେ ଏପରି ମୃତ୍ୟୁ ସଙ୍କଟରେ ପଡିଥାଇଁ ଦିନେ ହେଲେ ସନ୍ନ୍ୟାସୀର ଛୁରୀ ଆଘାତରେ ପ୍ରାଣ ଯିବ । ତେବେ ମରିବା ପୂର୍ବରୁ ଧୈର୍ଯ୍ୟ ଧରି ଉଦ୍ଧାରର ଉପାୟ ସ୍ଥିର କର ଏବଂ ନୀଳାଚଳନାଥଙ୍କୁ ପ୍ରାର୍ଥନା କର । କେଜାଣି ଅବା ମୁକ୍ତି ପାଇ ପାରିବା ।” ମୋ କଥାରେ ବନ୍ଧୁମାନେ ଟିକିଏ ଆଶ୍ୱସ୍ତ ହେଲା ପରି ଜଣାଗଲା ।

 

ଅଳ୍ପ ସମୟ ପରେ ସକାଳ ହୋଇଗଲା । ଆମ ବଖରାର କାନ୍ଥ ଜଳା ବାଟେ ସୂର୍ଯ୍ୟଙ୍କର ଆଲୋକରେଖା ଭିତରକୁ ପ୍ରବେଶ କଲା । ବାସ୍ତବିକ ସେ ଭୟଙ୍କର ରାତି ପରେ ପୁଣି ସୂର୍ଯ୍ୟକିରଣ ଦେଖି ଆମ ମନରେ ବହୁତ ବଳ ଜାତ ହେଲା । ଦିନ ହେବା ସଙ୍ଗେ ସଙ୍ଗେ ସନ୍ନ୍ୟାସୀ ଓ ତାହାର ଭୃତ୍ୟମାନେ ବୋଧହୁଏ ରାତ୍ରି ଜାଗରଣ କ୍ଳାନ୍ତି ଦୂର କରିବାଲାଗି ଶୋଇ ପଡ଼ିଥିଲେ । ସେଥିପାଇଁ ବାହାରେ ସମସ୍ତ ନୀରବ ଜଣା ଯାଉଥିଲା । ଆମ୍ଭେ କେତେଜଣ ସେ ବଖରାରେ ନିର୍ଜୀବ ପରି ବସି ଆପଣା ଆପଣା ଭିତରେ ଉଦ୍ଧାର ପାଇବା ଲାଗି ନାନା ଉପାୟ ସ୍ଥିର କରିବାକୁ ଲାଗିଲୁଁ । କିଏ କେତେ ପ୍ରକାର କଥା କହିଲେ, ତା’ର ଠିକଣା ନାହିଁ । ଯେତେ ପ୍ରକାର ଉପାୟ ସ୍ଥିର କରାଗଲା, ସେସବୁ ପ୍ରାୟ ଆଶାଛଡ଼ା ଉପାୟ । ସେଥିରେ ହୁଏତ ମୁକ୍ତି ମିଳୁ, ନଚେତ୍‌ ପ୍ରାଣ ଯାଉ । ଏପରି ସୁଦୃଢ଼ ପଥରଘରୁ କି ଉପାୟରେ ରକ୍ଷା ମିଳିବ ? ପୁଣି ରାତି ହେଲେ ସନ୍ନ୍ୟାସୀ ଆଉ ଜଣକୁ ନେଇ ଦେବୀପୀଠରେ ବଳି ଦେବ । ଆମେମାନେ ଜୀଇଁ ଥାଉଁ ଥାଉଁ ଜଣ ଜଣ କରି ଆମ ନିଜ ଲୋକଙ୍କର ମେରିଆ ଦେଖିବାଠାରୁ ନିଜେ ନିଜେ ମୃତ୍ୟୁକୁ ଡାକିଆଣିବା ବରଂ ଭଲ ।

 

ଏହିପରି ନାନା ତର୍କ ବିତର୍କ କରୁ କରୁ ଦିନ ଅଧିକ ହୋଇଗଲା । ଆମ୍ଭେମାନେ ଶେଷରେ ଯେତେ ଉପାୟ ସ୍ଥିର କଲୁଁ, ସେଗୁଡ଼ିକ କାର୍ଯ୍ୟସିଦ୍ଧି ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଲେଖାଏଁ ପ୍ରୟୋଗ କରିବାକୁ ଠିକ୍‌ କଲୁଁ । ବାସ୍ତବିକ ବିପଦ ବେଳେ କାତର ନ ହୋଇ ଧୀର ସ୍ଥିର ମନରେ ଉଦ୍ଧାରର ଉପାୟ ସ୍ଥିର କଲେ ଭଗବାନ ନିଶ୍ଚୟ ସାହସ ଓ ଦମ୍ଭ ଆଣି ଦେଇଥାନ୍ତି । ମୃତ୍ୟୁ ସଙ୍କଟରେ ସୁଦ୍ଧା ଆଶାର ସଞ୍ଚାର ହୋଇଥାଏ । କିନ୍ତୁ କାପୁରୁଷ ପରି ବିପଦକୁ ନିଜ ଉପରେ ମାଡ଼ି ବସିବାକୁ ଛାଡ଼ି ଦେବା ନିତାନ୍ତ ଅନ୍ୟାୟ । ସେଥିରେ ପ୍ରକୃତରେ ବିପଦ ଆସିବା ପୂର୍ବରୁ ଲୋକ ଆତ୍ମହରା ହୋଇପଡ଼େ । ସୁତରାଂ ଯେତେବେଳେ ବିପଦ ଆସେ ମନୁଷ୍ୟ ତାହା ଆଗରୁ ନିଜକୁ ବିପଦର ଶିକାର କରି ପକାଇଥାଏ । ଆଜି ଆମ୍ଭେମାନେ ଆଦୌ କାତର ନ ହୋଇ ଉଦ୍ଧାର ହେବା ଲାଗି ସୁଯୋଗ ଅପେକ୍ଷାରେ ରହିଲୁଁ । କିନ୍ତୁ ଏ ଅନ୍ଧ କୂପ ମଧ୍ୟରେ ବସି ଗୋଟିଏ କଳ୍ପିତ ସୁଯୋଗ ଅପେକ୍ଷାରେ ବସି ରହିବା ବାତୁଳତା ମାତ୍ର । ସୁଯୋଗ ଆପେ ଆପେ ଆସିବନାହିଁ । ସୁଯୋଗକୁ ବୁଦ୍ଧି ବଳରେ ଟାଣି ଆଣିବାକୁ ହେବ ।

 

ଏହିସବୁ କଥା ମନରେ ସ୍ଥିର କରି ମୁଁ ପୂର୍ବରାତ୍ରି ପରି ମୋର ସଙ୍ଗୀମାନଙ୍କ କାନ୍ଧରେ ଉଠି କାନ୍ଥ ଜଳାବାଟେ ପଦାକୁ ଅନାଇଲି । ଜଣେହେଲେ ଜୀବନ୍ତ ଲୋକ ଦେଖା ଗଲେ ନାହିଁ । କିନ୍ତୁ ମୋତେ ବୋଧ ହେଲା ସତେ ଯେପରି ମେରିଆ ପାଇଥିବା ଲୋକମାନଙ୍କର ପ୍ରେତାତ୍ମାଗୁଡ଼ିକ ଅଦୃଶ୍ୟରେ ମନ୍ଦିରର ଚତୁର୍ଦ୍ଦିଗରେ ବୁଲି ବୁଲି ସେ ସ୍ଥାନରେ ନୀରବତାକୁ ଆହୁରି ଭୟଙ୍କର କରି ପକାଉଛନ୍ତି । ସତେ ଯେପରି ଗତରାତିରେ ହାଣ ଖାଇଥିବା ଆମର ବାଲେଶ୍ୱରବାସୀ ବନ୍ଧୁଟିର ଆତ୍ମା ମୋତେ ପ୍ରତିଶୋଧ ଲାଗି ହାତ ଠାରି ଡାକୁଅଛି । ଦେବୀ ବିରଜା ଠାକୁରାଣୀଙ୍କର ଭକ୍ତ, ପ୍ରଭୁ ଜଗନ୍ନାଥଙ୍କର ରକ୍ଷିତ ଓ ପବିତ୍ର ଗଜପତିଙ୍କର ଶାସିତ ଜଣେ ଓଡ଼ିଆର ରକ୍ତ ଆଜି ଗୋଟାଏ ଅନାମଧେୟ ନରପିଶାଚଦ୍ୱାରା ବାହାରି ଯାଇଛି ଏବଂ ସେ ଦୃଶ୍ୟ ଆଉ ଜଣେ ଓଡ଼ିଆ କେବଳ ଲୁହ ଢାଳି ତୂନୀ ହୋଇ ଦେଖିଚି । ଏ ତ କମ ଭୟାନକ କଥା ନୁହେଁ ! ବାହାରକୁ ଚାହୁଁ ଚାହୁଁ ରାଗରେ ମୋର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ଅଗ୍ନି ସ୍ରୋତ ବହିଗଲା । ଭୟର ସ୍ଥାନ କ୍ରୋଧ ଓ ପ୍ରତିହିଂସା ଅଧିକାର କଲା । ମୁଁ ମନେ କଲି, ସତେ ଯେପରି ସେ ପଥର ଘରକୁ ଭାଙ୍ଗି ଚୂନା କରି ଦେବାକୁ ମୋ ଦେହରେ ଯଥେଷ୍ଟ ବଳ ଅଛି ।

 

ଯେତେବେଳେ ପରେ ଦେଖିଲି, ଜଣେ ଭୃତ୍ୟ ଦେଉଳର ଆମରି ପାଖ ବେଢ଼ା ଦେଇ ଚାଲି ଯାଉଅଛି । ମୁଁ ଆଉ କାଳବିଳମ୍ୱ ନ କରି କାନ୍ଥକୁ ବାଡ଼ାଇବାରୁ , ସେ ମୋ ଆଡ଼କୁ ଆଶ୍ଚର୍ଯ୍ୟରେ ବଲ ବଲ କରି ଅନାଇଲା । ତାହା ମନରେ କଣ ହେଲା କେଜାଣି ସେ ଆଉ ଚାଲି ନ ଯାଇ ବା ପାଟି ନ କରି କେବଳ ଏକଦୃଷ୍ଟିରେ ମୋ ଆଡ଼କୁ ଅନାଇ ରହିଲା । ମୁଁ ସଙ୍ଗେ ସଙ୍ଗେ ମୋ ‘ଜଗନ୍ନାଥ’ ମୂର୍ତ୍ତି କାଢ଼ି ତାକୁ ଦେଖାଇଲି । ସେ ଆହୁରି ନିକଟକୁ ଆସି ମୂର୍ତ୍ତି ଭଲ କରି ଦେଖି ଦେଖି ଶେଷରେ ଗୋଟିଏ ନମସ୍କାର କଲା । ତା’ର ଏହି କାର୍ଯ୍ୟକଳାପ ଦେଖି ମୋ ମନରେ ଭାରି ସାହାସ ହେଲା । ମୁଁ ତାକୁ କବାଟ ଫିଟାଇ ଘର ଭିତରକୁ ଆସିବା ଲାଗି ସଙ୍କେତ ଦେଲି । ମାତ୍ର ସେ ସନ୍ନ୍ୟାସୀର ବିନାନୁମତିରେ ବା ତା’ର ଅନୁପସ୍ଥିତିରେ ବନ୍ଦୀ ଘରର କବାଟ ଫିଟାଇ ପାରେ କି ନା, ଏହି ବିଷୟ ନେଇ ବହୁତ ସମୟ ବୋଧହୁଏ ଚିନ୍ତା କଲା । ମୁଁ ବରାବର ସେ ମୂର୍ତ୍ତି ତାହା ଆଡ଼କୁ ଦେଖାଇ ଧରିଥାଏଁ । ଯାହାହେଉ ଶେଷରେ ସେ କବାଟ ଫିଟାଇବାକୁ ଯିବାରୁ ମୁଁ ତତ୍‌କ୍ଷଣାତ୍‌ ତଳକୁ ଡେଇଁ ପଡ଼ିଲି ।

 

ଲୋକଟି ଘର ମଧ୍ୟରେ ପ୍ରବେଶ କଲା । ତାହା ପଛରେ କବାଟଟି ଅଧା ମେଲା ହୋଇ ରହିଥାଏ, ଆଉ ସେ ମେଲା ଅଂଶକୁ ନିଜେ ଛିଡ଼ା ହେବାଦ୍ୱାରା ଏକ ପ୍ରକାର ବନ୍ଦ କରି ଦେଇଥାଏ । ମୁଁ ଜଗନ୍ନାଥ ମୂର୍ତ୍ତିଟି ଧରି ତାହା ନିକଟରେ ଠିଆ ହୋଇଥାଏ । ମୁଁ ସ୍ଥିର କରିଥିଲି, ଯେ କୌଣସି ଉପାୟରେ ହେଉ ତାକୁ ଆଉ ପଛକୁ ଫେରିଯାଇ କବାଟ ବନ୍ଦ କରିବାକୁ ଦେବିନାହିଁ । ସେଥିଲାଗି ମୁଁ ଖୁବ୍‌ ସାବଧାନ ହୋଇ ରହିଥାଏଁ । ମାତ୍ର ସେ ଠିକ୍‌ ଗୋଟିଏ ଜାଗାରେ ଠିଆ ହୋଇ ଜଗନ୍ନାଥଙ୍କୁ ଥରକୁଥର ନମସ୍କାର କରୁଥାଏ । ଏପରି ନୃଶଂସ ପୈଶାଚିକ କାର୍ଯ୍ୟରେ ଯେଉଁ ଲୋକ ସହାୟତା କରୁଚି, ଯେ ଆଜୀବନ ଏ ଦୂରବର୍ତ୍ତୀ ସମୁଦ୍ର ମଧ୍ୟରେ ଗୋଟିଏ ନିର୍ଜନ ଦ୍ୱୀପରେ ବାସ କରି ଆସିଚି, ତା’ର ଜଗନ୍ନାଥଙ୍କ ପ୍ରତି ଏତେ ଭକ୍ତି କିପରି ହେଲା ବୁଝିବା କଠିନ । ମାତ୍ର ଯାହା ହେଉ, ଆଜି ଏଇ ଅସମୟରେ ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତିଟି ମଧ୍ୟ ଆମର ଖୁବ୍‌ ଉପକାରରେ ଆସିଲା ।

 

କିଛି ସମୟ ଏହିପରି ଭାବରେ ଛିଡ଼ା ହେବା ପରେ ଲୋକଟି ପୁଣି ହଠାତ୍‌ ପଦାକୁ ଡେଇଁପଡ଼ି ସଙ୍ଗେ ସଙ୍ଗେ କବାଟଟା ଭିଡ଼ି ନେଲା । ମାତ୍ର ମୁଁ ପୂର୍ବରୁ ସାବଧାନ ଥିବାରୁ ଖୁବ୍‌ ଜୋରରେ କବାଟକୁ ଭିଡ଼ି ରଖି ପଦାକୁ ବାହାରିଗଲି । ସେ ଆଉ ସେଠାରେ ନ ରହି ପଳାଇଯିବାର ଉପକ୍ରମ କରିବାରୁ, ମୁଁ ତତ୍‌କ୍ଷଣାତ୍‌ ତାହା ଉପରକୁ ଡେଇଁପଡ଼ି ତା’ର ଗଳାକୁ ଏପରି ଭାବରେ ଚିପି ଧରିଲି ଯେ, ସେ ଆଉ ପାଟି କରି ପାରିଲା ନାହିଁ । ତାହାପରେ ମୋର ସଙ୍ଗୀମାନେ ଆସିବାରୁ ସମସ୍ତେ ମିଶାମିଶି ହୋଇ ସେ ଲୋକଟିକୁ ଘର ଭିତରକୁ ଟେକି ନେଲୁଁ । ମୁଁ ସେ ପର୍ଯ୍ୟନ୍ତ ତା’ର ତଣ୍ଟି ଚିପି ଧରିଥାଏଁ । ଫଳରେ ତା’ର ଶ୍ୱାସରୋଧ ହେବାରୁ ସେ ବେହୋସ ହୋଇ ପଡ଼ିଲା । ମୁଁ ସଙ୍ଗେ ସଙ୍ଗେ ତାହା ତୋଟିରୁ ହାତ ଛାଡ଼ି ଦେଲି । ନୋହିଲେ ଲୋକଟି ସେହି ମୁହୂର୍ତ୍ତରେ ମରିଯାଇଥାନ୍ତା ।

 

ବନ୍ଦୀଘରର କବାଟ ମେଲା ରଖି ସନ୍ନ୍ୟାସୀର ଗୋଟିଏ ଚାକର ଉପରେ ଏତେଗୁଡ଼ାଏ ଜୋର ଜବରଦସ୍ତି କରିବା ଭାରି ବିପଜ୍ଜନକ । ମୁଁ ସଙ୍ଗୀମାନଙ୍କୁ କହିଲି, “ଭାଇମାନେ, ଆଉ ବେଶି ବିଳମ୍ୱ କଲେ ମୁକ୍ତି ପାଇ ପାରିବା ନାହିଁ । ମୁଁ ଏଇ ମୁହୂର୍ତ୍ତରେ ଘରୁ ବାହାରି ଯାଉଚି । ତୁମ୍ଭେମାନେ ଏ ଲୋକଟିକୁ ବରାବର ଜଗି ବସିଥାଅ । ତା’ର ଚେତନା ହେଲେ ତାକୁ ବରାବର ଭୟ ଦେଖାଇବ-। ଆଉ ଯଦି ସେ ପାଟି କରିବାକୁ ଚେଷ୍ଟା କରେ, ତାହା ହେଲେ ତାହା ପାଟିରେ ଲୁଗାବିଣ୍ଡା ଦେଇ ଧରି ରଖିବ । ସବୁ କାର୍ଯ୍ୟ ଯେତେ ନୀରବରେ କରି ପାରିବ, ସେତେ ଭଲ । ସାବଧାନ ।”

 

ଏତିକି କହି ମୁଁ ତତ୍‌କ୍ଷଣାତ୍‌ ଘରର କବାଟ ବନ୍ଦ କରି ପଦାକୁ ଚାଲିଆସିଲି । ଆର ବଖରାମାନଙ୍କରେ ଥିବା ଆମର ଅନ୍ୟାନ୍ୟ ବନ୍ଧୁଙ୍କ ଦୁଃଖକଷ୍ଟ ଦେଖି ସେମାନଙ୍କୁ ସାନ୍ନ୍ୱନା ଦେଇଯିବାକୁ ମୋର ସମୟ ବା ସାହାସ ନ ଥିଲା । ସେତେବେଳକୁ ସୂର୍ଯ୍ୟ ମୁଣ୍ଡ ଉପରୁ ଟିକିଏ ତଳକୁ ଖସି ପଡ଼ିଥିଲେ । ସେତେବେଳଯାଏ ସୁଦ୍ଧା ସନ୍ନ୍ୟାସୀ ମନ୍ଦିରର ଦ୍ୱାର ବନ୍ଦ କରି ଶୋଇ ରହିଥିଲା । ଅନ୍ୟ ଲୋକଗୁଡ଼ାକ ମଧ୍ୟ ଯିଏ ଯେଉଁଆଡ଼େ ଶୋଇ ରହିଥିଲେ । ମୁଁ ସାଙ୍ଗେ ସାଙ୍ଗେ ମନ୍ଦିର ବେଢ଼ା ପାର ହୋଇ ନିକଟବର୍ତ୍ତୀ ଜଙ୍ଗଲମଧ୍ୟକୁ ପଳାଇଆସିଲି ଏବଂ ଗୋଟିଏ ଗହଳ ଲତାକୁଞ୍ଜ ମଧ୍ୟରେ ନିଜକୁ ଲୁଚାଇ ରଖିଲି । ସେହି ଲତାକୁଞ୍ଜରେ ଅନେକଗୁଡ଼ିଏ ପାରିଜାତ ଫୁଲ ଫୁଟିଥିଲା । ହସମାଡ଼େ, ଏତେବେଳେ ଏ ବିପଦ ସମୟରେ ସୁଦ୍ଧା ପାରିଜାତ ଫୁଲର ବାସନାରେ ମୋ ମନରେ ଟିକିଏ ଆନନ୍ଦ ହେଉଥାଏ । ଆହୁରି ମଧ୍ୟ ଯେତେବେଳେ ଗୋଟିଏ ଗୋଟିଏ ଫୁଲ ଖସି ମୋ ଉପରେ ପଡ଼ିଯାଏ, ମୁଁ ତାକୁ ବଡ଼ ଆଦର ଓ ଯତ୍ନରେ ମୋ ଲୁଗାରେ ସଜାଡ଼ି ରଖୁଥାଏଁ । ଭଗବାନଙ୍କର ଇଏ ମଧ୍ୟ ଏକ ବିଚିତ୍ର ଲୀଳା !

 

ମୋର ସେହି କ୍ଷଣିକ ରସିକତା ଭାଙ୍ଗିଦେଇ ଦେଉଳ କବାଟ ଫିଟିଲା । ସାଙ୍ଗେ ସାଙ୍ଗେ ସନ୍ନ୍ୟାସୀ ପଦାକୁ ବାହାରି ଆସିଲା । ତା’ର ସେତେବେଳର ଚେହେରା ଦେଖିଲେ ପଥର ସୁଦ୍ଧା ଭୟରେ ପାଣି ହୋଇ ଯାଇଥାନ୍ତା । ଲତାଗହଳରେ ଲୁଚିରହି ସୁଦ୍ଧା ମୋର ଭାରି ଭୟ ହେଲା । ସନ୍ନ୍ୟାସୀ ପଦାକୁ ଆସି ଗୋଟିଏ ଘଣ୍ଟି ବଜାଇବାରୁ ଚାକରମାନେ ନିଦରୁ ଉଠି ତାହା ନିକଟକୁ ଦୌଡ଼ିଆସିଲେ । ସେତିକିବେଳୁ ପୁଣି ଦିନର କାମ ଆରମ୍ଭ ହେଲା । ମୋରି ଆଗରେ ସେମାନଙ୍କର ଗାଧୋଇବା, ଖାଇବା ସମସ୍ତ କାମ ହୋଇଗଲା । ଆସ୍ତେ ଆସ୍ତେ ସୂର୍ଯ୍ୟ ଅସ୍ତ ହୋଇଗଲେ । ମନ୍ଦିରର ଚତୁର୍ଦ୍ଦିଗରେ ପୁଣି ଘଣ୍ଟ ଓ ମର୍ଦ୍ଦଳ ବାଜି ଉଠିଲା । ସନ୍ନ୍ୟାସୀ ଠାକୁରାଣୀ ଆଗରେ ବସି ପୂଜାରେ ନିଯୁକ୍ତ ରହିଲା । ସେ ପୂଜା କେତେ ସମୟ କଲା କେଜାଣି, ଦେଖୁ ଦେଖୁ ଅନ୍ଧାର ଗାଢ଼ରୁ ଗାଢ଼ତର ହେବାକୁ ଲାଗିଲା । ମୋର ହାତଗୋଡ଼ ଭୟ ଓ ରାଗରେ ଥରୁଥାଏ । ମୁଁ ବେଳେ ବେଳେ ବିଚାରୁଥାଏଁ ଦେଉଳ ଭିତରେ ପ୍ରବେଶ କରି ସନ୍ନ୍ୟାସୀକି ଆକ୍ରମଣ କରିବି । କିନ୍ତୁ ଶେଷରେ ସେ ପଥ ନିତାନ୍ତ ବିପଦପୂର୍ଣ୍ଣ ମନେକରି ତୂନୀ ହୋଇ ରହିଲି ଏବଂ ପରବର୍ତ୍ତୀ ସୁଯୋଗକୁ ଅପେକ୍ଷା କଲି ।

 

ଠିକ୍‌ ରାତିଅଧ ସମୟରେ ସନ୍ନ୍ୟାସୀ ଓ ତା’ର ଚାକରମାନେ ନିଜ ନିଜର ବେଶଭୂଷାରେ ଭୂଷିତ ହୋଇ ବାହାରିଲେ । ସେଦିନ ମଧ୍ୟ ଗୋଟିଏ ମନୁଷ୍ୟ ମେରିଆ ଦେବାର ସପୂର୍ଣ୍ଣ ବନ୍ଦୋବସ୍ତ ହୋଇଥିଲା । ସେ ସବୁ ଆୟୋଜନ ଦେଖିଲେ ଭୟରେ ପ୍ରାଣ ଥରିଯାଉଥାଏ । ମନୁଷ୍ୟ ହାଣ ଖାଉଥିବା ଜାଗାରେ ନିସ୍ତବ୍‌ଧ ଅନ୍ଧକାର ରାତିରେ ଜଙ୍ଗଲ ଭିତରେ ବସି ରହିବାକୁ ହେଲେ ରକ୍ତ ମାଂସର ଦେହ ଧରି କୌଣସି ମନୁଷ୍ୟ ବୋଧହୁଏ ସମ୍ଭାଳି ପାରିବ ନାହିଁ । ସ୍ଥାନର ନୀରବତା, ମର୍ଦ୍ଦଳର ମୃଦୁ ମୃଦୁ କାନ୍ଦଣା ଶବ୍ଦ, ସେହି ଲୋକଗୁଡ଼ାଙ୍କର ବେଶଭୂଷା ଏତେବେଳେ ସୁଦ୍ଧା ମନେ ପଡ଼ିଲେ ମୋର ରୋମ ଟାଙ୍କୁରି ଉଠୁଚି ।

 

ସମସ୍ତ ଆୟୋଜନ ଶେଷରେ ପୂର୍ବରାତ୍ରି ପରି ସନ୍ନ୍ୟାସୀ ତା’ର କେତେକ ଚାକରଙ୍କ ସହିତ ଗୋଟିଏ କୋଠରୀରେ ପ୍ରବେଶ କଲା । ମୁଁ ସେହି ଜଙ୍ଗଲ ମଧ୍ୟରେ ଥାଇ ଦେଖିଲି, ଅଳ୍ପ ସମୟ ମଧ୍ୟରେ ଆମର ଜଣେ ବନ୍ଧୁ ଅଚେତନ ଅବସ୍ଥାରେ ବୁହା ହୋଇ ଦେଉଳର ସମ୍ମୁଖସ୍ଥ ଚଟାଣକୁ ଆସିଲେ । ତାହାପରେ ଚାକରମାନେ ସେ ସ୍ଥାନରୁ ଦୂରକୁ ଚାଲି ଯିବାରୁ ସନ୍ନ୍ୟାସୀ ତା’ର ନିଶାର୍ଦ୍ଧ ପୂଜା ଆରମ୍ଭ କଲା । ସେ ମୋ ବନ୍ଧୁର ଖୋଲା ଛାତି ଉପରେ ବସି ପଡ଼ିବାରୁ ମୁଁ ଆଉ ସମ୍ଭାଳି ପାରିଲି ନାହିଁ । କ୍ରୋଧରେ ମୋର ସର୍ବାଙ୍ଗ ଥରିଉଠିଲା । ମୁଁ ମନେ ମନେ କହିଲି, “ପ୍ରଭୁ ଜଗନ୍ନାଥ ! ତୁମେ କ’ଣ ତୁମର ଜଣେ ଭକ୍ତର ଏ ଦୁର୍ଦ୍ଦଶା ଦେଖୁନାହଁ ? ତୁମର ଚକ୍ର ଏ ସନ୍ନ୍ୟାସୀର ଛାତିରୁ ଉଷ୍ମରକ୍ତ ପାନ କରୁନାହିଁ କାହିଁକି ? ହେ ପବିତ୍ର ଗଜପତି ରାଜା ! ହେ ନରସିଂହ ଦେବ ! ତୁମର ପ୍ରତାପ କଣ ଏତେ ଶୀତଳ ହୋଇଗଲା ଯେ, ତୁମର ଜଣେ ପ୍ରଜାକୁ ଗୋଟିଏ ବିଜାତୀୟ ନର ପିଶାଚ ତା’ର ଛାତି ଉପରେ ବସି ବଧ କରୁଚି ? ଆସ, ସହାୟ ହୁଅ ।”

 

ଏହିପରି ମନେ ମନେ କହୁ କହୁ ମୁଁ ଭାବିଲି, ମହାପରାକ୍ରମୀ ଗଜପତିଙ୍କର ପ୍ରଜା ଜଣେ ଓଡ଼ିଆର ରକ୍ତପାନ କରିଥିବା ଦୋଷରେ ସନ୍ନ୍ୟାସୀକୁ ତା’ର ପ୍ରାଣ ଦେଇ ପ୍ରାୟଶ୍ଚିତ କରିବାକୁ ହେବ । ମୁଁ ଆଉ ତୁନୀ ହୋଇ ସେ ଜଙ୍ଗଲରେ ବସି ପାରିଲି ନାହିଁ । ଧୀରେ ଧୀରେ ଅନ୍ଧାରେ ପଦାକୁ ବାହାରି ଆସି ସନ୍ନ୍ୟାସୀର ଅଳ୍ପ ପଛରେ ଛିଡ଼ା ହୋଇ ଅପେକ୍ଷା କଲି । ମୋ ବନ୍ଧୁର ଏ ଦୁର୍ଦ୍ଦଶା ଦେଖି ରାଗରେ ମୋର ସର୍ବାଙ୍ଗ ଥରୁଥାଏ । ସନ୍ନ୍ୟାସୀ ତା’ର ବାଡ଼ିଟିକୁ ପାଖରେ ଥୋଇ ଦେଇ ପୂଜାରେ ଲାଗିଥିଲା । ପୂଜା ଶେଷରେ ଯେତେବେଳେ ସେ ତା’ର ଅଣ୍ଟାରେ ଝୁଲୁଥିବା ଜକଜକ ଛୁରିକାଖଣ୍ଡି ଖୋଳରୁ ବାହାର କରି ଶୋଇଥିବା ଲୋକର ଗଳାରେ ବିଦ୍ଧ କରିବାକୁ ଉଦ୍ୟତ ହେଲା, ମୁଁ ସେତିକିବେଳେ ଦୌଡ଼ିଆସି ତଳୁ ବାଡ଼ିଖଣ୍ଡି ଉଠାଇ ତାହା ମୁଣ୍ଡରେ ଏକାଥରେ ଗୋଟିଏ ବ୍ରହ୍ମପାହାର ଦେଲି । ସେହି ପାହାରକେ ସନ୍ନ୍ୟାସୀ ହତଜ୍ଞାନ ହୋଇ ତଳକୁ ଖସିପଡ଼ିଲା । ତାହା ହାତରୁ ଛୁରୀଖଣ୍ଡି ଦୂରକୁ ଫିଙ୍ଗିହୋଇ ପଡ଼ିଲା ।

 

ମୁଣ୍ଡରେ ପାହାର ପାଇ ସନ୍ନ୍ୟାସୀ ଗୋଟିଏ ବଡ଼ ଆର୍ତ୍ତନାଦ କରିଥିଲା । ମାତ୍ର ସେ ଶବ୍ଦରେ କୌଣସି ଚାକର ସେଠାକୁ ଆସିଲେ ନାହିଁ । ମୁଁ ବିଚାରିଥିଲେ ସେଇ ମୁହୂର୍ତ୍ତରେ ସନ୍ନ୍ୟାସୀର ପ୍ରାଣ ନେଇ ଯାଇଥାନ୍ତି । କିନ୍ତୁ ଭୁଲ କରି ପ୍ରଥମେ ମୋ ବନ୍ଧୁକୁ ଉଠାଇ ଘର ଭିତରକୁ ନେଇଯିବାକୁ ଚେଷ୍ଟାକଲି । ମାତ୍ର ଜଣକରେ ପାରିଲି ନାହିଁ । ମୁଁ ଲୋକଟିକୁ ମୋର ସମସ୍ତ ଶକ୍ତି ଲଗାଇ ଟେକାଟେକି କରୁଚି, ଏହି ସମୟରେ ସେ ସନ୍ନ୍ୟାସୀ ପୁଣି ଜାଗ୍ରତ ହୋଇ ଉଠିଲା । କି ପ୍ରକୃତି ବା କି ଧାତୁରେ ସେ ଗଢ଼ା ହୋଇଥିଲା କେଜାଣି ! ଆଉ କେହି ହୋଇଥିଲେ ସେଠାରୁ ଆଉ ଜୀବନରେ ଉଠି ନ ଥାନ୍ତା ।

 

ସେ ଉଠିପଡ଼ି ମୋତେ ଖୁବ୍‌ ଜୋରରେ ଆକ୍ରମଣ କଲା । ଅନେକ ସମୟ ଯାଏଁ ଖୁବ୍‌ ମରାମରି ହେଲୁ । ସେ ଆଦୌ କଥା ନ କହିବା ସତେ ଯେପରି ତା’ର ଗୋଟାଏ ବ୍ରତ ଥିଲା । ଏଇ କଥା ନ କହିବାଟା ମୋର ଭାରି ଉପକାରରେ ଆସିଲା । ତାହା ନ ହେଲେ ଯଦି ଚାକରମାନେ ତାକୁ ସାହାଯ୍ୟ କରିବାକୁ ଆସି ଯାଇଥାନ୍ତେ, ମୋର ଆଉ କିଛି ଉପାୟ ନ ଥିଲା । ସନ୍ନ୍ୟାସୀ ବୋଧହୁଏ ମନେ କରିଥିଲା, ମୋତେ ଅନାୟାସରେ ପରାସ୍ତ କରିଦେବ । କିନ୍ତୁ ପାରିଲା ନାହିଁ । ତଳୁ ତା’ର କୁହୁକବାଡ଼ି ଖଣ୍ଡି ବା ଛୁରୀଖଣ୍ଡ ଗୋଟାଇ ମୋତେ ଆକ୍ରମଣ କରିବାଲାଗି ସେ ଯେତେ ଚେଷ୍ଟାକଲା, ମୁଁ ତାହା କରାଇ ଦେଲି ନାହିଁ । ମୋର ପ୍ରଚଣ୍ଡ ବିଧାମାଡ଼ ଓ ଝିଙ୍କାଝିଙ୍କିରେ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଲା । ତାହା ପରେ ନିଜକୁ ସମ୍ଭାଳିବା ବା ମୋତେ ପରାସ୍ତ କରିବାର ତତ୍‌କ୍ଷଣାତ୍‌ କୌଣସି ବାଟ ନ ଦେଖି, ସେ କେଜାଣି କାହିଁକି ହଠାତ୍‌ ଦୌଡ଼ିଯାଇ ଦେଉଳ ଭିତରେ ପଶିଗଲା । ମୁଁ ବିଚାରିଲି, ଏ ସନ୍ନ୍ୟାସୀ ବଡ଼ ମାୟାବୀ । ନିଶ୍ଚୟ ସାଙ୍ଗେ ସାଙ୍ଗେ ଆଉ କିଛି କୌଶଳ କରି ବସିବ । ସେଥିପାଇଁ ମୁହୂର୍ତ୍ତମାତ୍ର ବିଳମ୍ୱ ନ କରି ତାହା ପଛେ ପଛେ ଦୌଡ଼ିଯାଇ ଦେଉଳଦ୍ୱାର ବାହାରୁ ବନ୍ଦ କରିଦେଲି । କ୍ଷଣକଲାଗି ସନ୍ନ୍ୟାସୀ ବନ୍ଦୀ ହୋଇ ରହିଲା ।

 

ଏହି ଅବସରରେ ମୁଁ ଦୌଡ଼ିଯାଇ ପ୍ରତି ବନ୍ଦୀ ଘର ଖୋଲିଦେଇ ମୋର ସଙ୍ଗୀମାନଙ୍କୁ ବାହାର କରି ଆଣିଲି । ସେମାନଙ୍କୁ ଘଟଣାର ସାମାନ୍ୟ ସୂଚନା ଦେଇ ମୁଁ ସେମାନଙ୍କୁ ସନ୍ନ୍ୟାସୀ ବିଷୟରେ ସାବଧାନ ହେବାକୁ କହିଲି । ମୁଁ ଯେତେବେଳେ ମୋର ବନ୍ଧୁମାନଙ୍କୁ ପୂର୍ବବର୍ତ୍ତୀ ଘଟଣାମାନ କହୁଥିଲି, ସେହି ସମୟରେ କେତେବେଳେ ଆମର ପୂର୍ବକଥିତ ବନ୍ଦୀ ଚାକରଟି ପଳାଇଯାଇ ଅନ୍ୟ ଚାକରମାନଙ୍କୁ ସାବଧାନ କରାଇ ଦେଇଥିଲା । ସେମାନେ ଦଳବଦ୍ଧ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରିବାଲାଗି ଦୌଡ଼ିଆସିଲେ । ଆମର ସଙ୍ଗୀମାନେ ମୁକ୍ତିଲାଭ କରି ବୀରବିକ୍ରମରେ ସେମାନଙ୍କ ଉପରେ ପଡ଼ିଲେ । ଓଡ଼ିଆ ବଣିକମାନେ ଶତ୍ରୁର ଶାରୀରିକ ବଳ ଦେଖି ହଟି ଯିବାର ଲୋକ ନୁହନ୍ତି । ଶତ୍ରୁମାନଙ୍କର ସଂଖ୍ୟା ଆମଠାରୁ ସେପରି କିଛି ବେଶି ନ ଥିଲା-। ଫଳରେ ସେଦିନ ଅଧରାତିରେ ଆଚ୍ଛାକରି ଗୋଟାଏ ଯୁଦ୍ଧ ଘଟିଗଲା ! କିଏ କାହାକୁ କେତେ ମାରିଲା, ତା’ର ହିସାବ ନାହିଁ । କିଏ କାହାକୁ ତଳେ ପକାଇଦେଲା ତା’ର ଉଲ୍ଲେଖ କରିବା କଠିନ ।

 

ମୁଁ ଏତେବେଳଯାଏଁ ସେ ବାଡ଼ି ଓ ଛୁରୀର କଥା ଭୁଲି ଯାଇଥିଲି । ଏ ହାତାହାତି ଯୁଦ୍ଧ ଭିତରେ ମନେ ପଡ଼ିଯିବାରୁ ସେଠାରୁ ହଠାତ୍‌ ଖସିଯାଇ ପ୍ରଥମେ ସେ ଦୁଇଟି ହସ୍ତଗତ କରି ପକାଇଲି । ମୁଁ ପୁଣି ବିଜୁଳି ପରି ଯୁଦ୍ଧଜାଗାକୁ ଫେରିଆସି କୁହୁକବାଡ଼ି ସାହାଯ୍ୟରେ ଜଣେ ଦୁଇଜଣ ଚାକରଙ୍କର ମୁଣ୍ଡ ସ୍ପର୍ଶ କରିବାରୁ ସେମାନେ ମୂର୍ଚ୍ଚିତ ହୋଇ ତଳେ ପଡ଼ିଗଲେ । ମୋ ହାତରେ ବାଡ଼ିଖଣ୍ଡି ଦେଖି ଏବଂ ଜଣେ ଦୁଇଜଣ ଚାକର ଅଚେତନ ହୋଇ ପଡ଼ିବାର ଦେଖି, ଆମର ଶତ୍ରୁମାନେ କୁକୁରପରି ଆସି ଆମ ଗୋଡ଼ତଳେ ପଡ଼ିଗଲେ । ମୁଁ ବିଚାରିଲି, ଏମାନେ ବରାବର ଏ ବାଡ଼ି ଭୟରେ ସନ୍ନ୍ୟାସୀର ଅଧୀନତା ସ୍ୱୀକାର କରି ପଡ଼ି ରହିଛନ୍ତି । ତାହା ପରେ ସେମାନଙ୍କୁ ଗୋଟିଏ ଜାଗାରେ ତୂନୀ ହୋଇ ବସି ରହିବାକୁ ଇଙ୍ଗିତ ଦେବାରୁ, ସେମାନେ ତତ୍‌କ୍ଷଣାତ୍‌ ତାହା ପାଳନ କଲେ । ଆମ ଭିତରୁ ଜଣେ ଜଣେ ବନ୍ଧୁ ସେ କୁହୁକ ବାଡ଼ିଟି ଧରି ଚାକରମାନଙ୍କୁ ଜଗି ରହିଲେ । ବାକି ଆମେ କେତେଜଣ ଯାଇ ସେ ଚଟାଣ ଉପରେ ମେରିଆ ପାଇବା ଲାଗି ପଡ଼ି ରହିଥିବା ବନ୍ଧୁଙ୍କୁ ଉଠାଇ ଆଣି ସେହିପରି ଅଚେତନ ଅବସ୍ଥାରେ ଘରଭିତରେ ଶୁଆଇଦେଲୁଁ ।

 

ଏ ସମସ୍ତ କାର୍ଯ୍ୟ କରିସାରିବା ପରେ ମୁଁ କହିଲି, “ଭାଇମାନେ, ଯେତେବେଳଯାଏ ସନ୍ନ୍ୟାସୀଟା ଜୀବିତ ହୋଇ ମନ୍ଦିର ଭିତରେ ଅଛି, ସେ ପର୍ଯ୍ୟନ୍ତ ଆମର ରକ୍ଷା ନାହିଁ । ସେ କେତେବେଳେ କ’ଣ କରିଦେବ, ତା’ର ଠିକଣା ନାହିଁ । ଚାଲ, ଏହି ମୁହୂର୍ତ୍ତରେ ତାକୁ ଆକ୍ରମଣ କରିବା ।” ବନ୍ଧୁମାନେ ମୋ କଥାରେ ଏକମତ ହେବାରୁ, ଆମ୍ଭେମାନେ ଦେଉଳ ଦ୍ୱାର ଫିଟାଇବାକୁ ଗଲୁଁ । ମୁଁ ସେ ଛୁରୀଟି ହାତରେ ଧଇଲି । ଆଉଜଣେ ଗୋଟିଏ ଉଜ୍ନ୍ୱଳ ଆଲୋକ ଧଇଲେ । ଏହିପରି ଭାବରେ କୋଳାହଳ କରି ଆମ୍ଭେମାନେ ଦେଉଳ ଭିତରକୁ ପଶିଗଲୁଁ । ମୁଁ ଛୁରୀ ଧରି ଦେଉଳ ଭିତରେ ଥିବା ଗୋଟିଏ ବଡ଼ ପଥର ଖମ୍ୱର ପଛପଟେ ଅନ୍ଧାରରେ ଲୁଚିରହିଲି । ଅନ୍ୟମାନେ ଆଲୁଅ ଧରି ସନ୍ନ୍ୟାସୀକି ଖୋଜିବାରେ ରହିଲେ ।

 

କିନ୍ତୁ ସନ୍ନ୍ୟାସୀ କାହିଁ ? ସେ ଯେ ବଡ଼ ମାୟାବୀ । ଖୋଜି ଖୋଜି ତାକୁ କାହିଁ ପାଇଲୁ ନାହିଁ । ମୁଁ ମନେକଲି, ସେ ନିଶ୍ଚୟ କୌଣସି ଗୋଟିଏ ଗୁପ୍ତ ସୁଡ଼ଙ୍ଗ ପଥରେ ପଦାକୁ ପଳାଇ ଯାଇଛି । ମୋ ମନରେ ଏ ଭାବ ଉଦିତ ହେବାରୁ ମୁଁ ସାଙ୍ଗେ ସାଙ୍ଗେ ଛୁରୀଟି ଧରି ପଦାକୁ ପଳାଇଆସି ଗୋଟିଏ ଅନ୍ଧାରୁଆ ଜାଗାରେ ଛିଡ଼ା ହୋଇ ରହିଲି । ସତକୁ ସତ ସନ୍ନ୍ୟାସୀ ହଠାତ୍‌ ପଦାରେ ଦେଖା ଦେଲା । ତା’ର ବ୍ରତଭଙ୍ଗ ହୋଇଥିଲା । ସେ କେବଳ ଚତୁର୍ଦ୍ଦିଗ ବୁଲି ବୁଲି ତା’ର ଚାକରମାନଙ୍କୁ ଖୋଜି ପକାଉଥିଲା । ଯେତେବେଳେ ସେ ବନ୍ଦୀଶାଳର ସାମନାରେ ଆମର ଜଣେ ସଙ୍ଗୀଦ୍ୱାରା ତା’ର ଚାକରମାନଙ୍କୁ ଅବରୁଦ୍ଧ ଅବସ୍ଥାରେ ଦେଖିଲା, ସେ କାଳବିଳମ୍ୱ ନ କରି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା । ବନ୍ଧୁ ମଧ୍ୟ ଖୁବ୍‌ ସାହସରେ ସେ କୁହୁକବାଡ଼ିଟି ଧରି ତାକୁ ଗୋଡ଼ାଇଲେ । ସନ୍ନ୍ୟାସୀ ପଲକମାତ୍ରେ ସେଠାରୁ ପୁଣି ଅଦୃଶ୍ୟ ହୋଇ ଅନ୍ଧାରରେ ମିଶିଗଲା । ବନ୍ଧୁ ତାଙ୍କର ନିଜ ଜାଗାରେ ଛିଡ଼ା ହୋଇ ରହିଲେ ।

 

ମୁଁ ମୋର ସେହି ସ୍ଥାନରେ ଛିଡ଼ା ହୋଇ ସମସ୍ତ ଦେଖୁଥିଲି । ଅଳ୍ପସମୟ ପରେ ସନ୍ନ୍ୟାସୀ ହାତରେ ଗୋଟିଏ ବଡ଼ ବୋତଲ ଧରି ଧୀରେ ଧୀରେ ଆସି ଦେଉଳ ସାମନାରେ ଛିଡ଼ାହେଲା । ଭିତରେ ଥିବା ଲୋକମାନେ ତାକୁ ଦୁଆର ନିକଟରେ ଛିଡ଼ା ହୋଇଥିବାର ଦେଖି ପାଟିକରି ଗୋଡ଼ାଇ ଆସିଲେ । ସେମାନେ ନିକଟକୁ ଆସିବାରୁ ସନ୍ନ୍ୟାସୀ ହଠାତ୍‌ ବୋତଲ ଭିତରେ ଥିବା ରସ ସେମାନଙ୍କ ଆଡ଼କୁ ଫିଙ୍ଗିଦେଲା । ସେହି ରସ ଯାହା ଉପରେ ପଡ଼ିଲା, ସେ ଆର୍ତ୍ତନାଦ କଲା । ଆଉ ତା’ର ସେ ଜାଗାଖଣ୍ଡ ଉତ୍ତପ୍ତ ରସ ପ୍ରଭାବରେ ପୋଡ଼ିଗଲା । ଆମ ଲୋକମାନେ ଭୟରେ ପଛକୁ ହଟିଗଲେ । ସନ୍ନ୍ୟାସୀ ଏହି ଅବସରରେ ଦେଉଳଦ୍ୱାର ବନ୍ଦ କରି ଦେଉଥିଲା । ମୁଁ ଦେଖିଲି, ଆଉ ବିଳମ୍ୱ କଲେ ରକ୍ଷା ନାହିଁ । ସୁତରାଂ ଆସ୍ତେ ଆସ୍ତେ ପଛକୁ ଦୌଡ଼ିଯାଇ ଖୁବ୍‌ ସାହାସର ସହିତ ମୋ ସମସ୍ତଶକ୍ତି ସଞ୍ଚୟକରି ସେ ତୀକ୍ଷ୍‌ଣ ଛୁରିକାଟି ତା’ର ପିଠିପଟେ ଆମୂଳ ବିଦ୍ଧ କରିଦେଲି । ସେ ବିଷମ ଆଘାତ ପାଇ ତଳେ ଝଡ଼ିପଡ଼ିଲା । ମୁଁ ସାଙ୍ଗେ ସାଙ୍ଗେ ତାହା ଉପରେ ବସି ଯାଇ ତା’ର ମୁଣ୍ଡ ଓ ଛାତିରେ ଭୀଷଣ ବିଧାମାଡ଼ ବର୍ଷା କରିଦେଲି । ନରହନ୍ତା ନରପିଶାଚ ବାରମ୍ୱାର ଆଘାତ ପାଇ ଗୋଟିଏ ଲମ୍ୱା ଜିଭ କାଢ଼ି ଶେଷନିଃଶ୍ୱାସ ଛାଡ଼ି ଦେଲା । ଏହିରୂପେ ସେହି ମେରିଆ ପୀଠରେ ତା’ର ଶେଷ ମେରିଆ ଲୀଳା ସମାପ୍ତ ହେଲା ।

 

ମୁଁ ତାହାପରେ ଦେଉଳଦ୍ୱାର ଫିଟାଇ ଦେବାରୁ ମୋର ସଙ୍ଗୀମାନେ ପଦାକୁ ବାହାରିଆସି ସନ୍ନ୍ୟାସୀର ଶବଦେହରେ ଭୀଷଣ ଗୋଇଠା ମାରି ମାରି ପ୍ରତିଶୋଧ ନେଲେ । ଆମ୍ଭେମାନେ ମାୟାବୀ ସନ୍ନ୍ୟାସୀର କାର୍ଯ୍ୟରେ ଏତେ ସନ୍ଦିହାନ ହୋଇଥିଲୁଁ ଯେ, ତା’ର ମୃତ୍ୟୁକୁ ଆଦୌ ବିଶ୍ୱାସ କରିପାରିଲୁଁ ନାହିଁ । ସେଥିଲାଗି ସାଙ୍ଗେ ସାଙ୍ଗେ ତାହା ଦେହରୁ ମୁଣ୍ଡଟି କାଟି ଅଲଗା କରିଦେଲୁଁ । ଏହିପରି ସନ୍ନ୍ୟାସୀର କାର୍ଯ୍ୟ ଶେଷ କରି ଆମ୍ଭେମାନେ ଏକ ମେଳ ହୋଇ ଚାକରମାନଙ୍କ ନିକଟକୁ ଆସିଲୁଁ । ମୁଁ ସେମାନଙ୍କୁ ଭୟ ଦେଖାଇ ଇଙ୍ଗିତରେ ଔଷଧ କଥା ପଚାରିବାରୁ ଆମର ପ୍ରଥମ ବନ୍ଦୀ ଚାକରଟି ଦେଉଳ ଭିତରକୁ ପଶିଗଲା ଏବଂ ସାଙ୍ଗେ ସାଙ୍ଗେ ଦୁଇଟି ଛୋଟ ଔଷଧ ଶିଶି ଧରି ଫେରିଆସିଲା । ସେଥିମଧ୍ୟରୁ ଗୋଟିକରୁ ଔଷଧ ରସ ବାହାରକରି ସେ ପ୍ରଥମେ ମୋ ବନ୍ଧୁମାନଙ୍କ ପୋଡ଼ି ଯାଇଥିବା ଦେହର ଅଂଶମାନଙ୍କରେ ବୋଳିଦେବାରୁ, ସେମାନେ ବେଶ ଆରାମ ବୋଧ କଲେ । ଜଳା ପୋଡ଼ା ସପୁର୍ଣ୍ଣ ବନ୍ଦ ହୋଇଗଲା-। ତାହାପରେ ଅନ୍ୟ ଶିଶିର ରସ ଅଜ୍ଞାନ ହୋଇଥିବା ଲୋକମାନଙ୍କର ମୁହଁରେ ଢାଳିଦେବାରୁ ସେମାନେ ମଧ୍ୟ ସତେଜ ହୋଇ ଉଠିଲେ । ଆମ୍ଭମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଏହି ସମସ୍ତ କାର୍ଯ୍ୟ ଶେଷ ହେଲାବେଳକୁ ଦିନ ହୋଇ ଯାଇଥିଲା । ଆମ୍ଭେମାନେ ସନ୍ନ୍ୟାସୀର ଖାଦ୍ୟଭଣ୍ଡାରରୁ ପ୍ରଚୁର ଖାଦ୍ୟ ଆଣି ସୁଖରେ ପାନାହାର କଲୁଁ ।

 

ତତ୍ପରେ ଆମ୍ଭେମାନେ ଏହି ଅଜ୍ଞାତପୂର୍ବ ଦ୍ୱୀପକୁ ପ୍ରଥମଥର ପାଇଁ ଗଜପତିଙ୍କର ରାଜ୍ୟରୂପେ ଅଧିକାର କଲୁଁ । ଆମ୍ଭେମାନେ ସ୍ଥିର କଲୁଁ, ଓଡ଼ିଆ ଜାତିର ଉପନିବେଶ ରୂପେ ଏହି ଦ୍ୱୀପ ଆଜିଠାରୁ ଗଜପତିଙ୍କର ରାଜ୍ୟଭୁକ୍ତ ହେଉ । ସେହି ମୁହୂର୍ତ୍ତରେ ରାଜ୍ୟ ଅଧିକାର ଚିହ୍ନସ୍ୱରୂପ ଆମ୍ଭେମାନେ “ନୀଳଚକ୍ର” ଚିହ୍ନିତ ଉତ୍କଳ ସମ୍ରାଟଙ୍କର ଜାତୀୟ ପତାକା ସେଠାରେ ଉଡ଼ାଇଦେଲୁଁ । ଆମ୍ଭମାନଙ୍କର ସମୂହ ଇଚ୍ଛାନୁସାରେ ଏହି ସ୍ଥାନର ନାମ ଗଙ୍ଗଦ୍ୱୀପ ବୋଲି ରଖାଗଲା । ଏହି ସମସ୍ତ କାର୍ଯ୍ୟ ଶେଷ କରି ଆମ୍ଭେମାନେ ପ୍ରଭୁ ଜଗନ୍ନାଥ ଓ ଗଜପତି ରାଜାଙ୍କ ନାମରେ ଜୟନାଦ କଲୁଁ । ସେ ଦେଉଳରେ ଯେଉଁ ଠାକୁରାଣୀ ପୂଜା ପାଉଥିଲେ, ସେ ବହୁକାଳରୁ ନରରକ୍ତ ପାନ କରି କରି ଅପବିତ୍ର ହୋଇ ଯାଇଥିଲେ । ଆମ୍ଭେମାନେ ତାଙ୍କୁ ପୀଠରୁ ଉଠାଇଆଣି ମନ୍ଦିର ବେଢ଼ାରେ ଗୋଟିଏ ସ୍ଥାନରେ ପ୍ରତିଷ୍ଠା କରି ରଖିଦେଲୁଁ । ମନ୍ଦିରଟି ପରିଶୁଦ୍ଧ କରି ସେହି ପୀଠରେ ମୋର ଜଗନ୍ନାଥ ମୂର୍ତ୍ତିଟି ସ୍ଥାପନ କରି ପ୍ରଥମ ପୂଜା ଶେଷ କଲୁଁ । ପୂଜା ଶେଷରେ ଦେଉଳ ଉପରେ “ନୀଳଚକ୍ର” ଚିହ୍ନିତ ପତାକା ଫରଫର ହୋଇ ଉଡ଼ିବାକୁ ଲାଗିଲା ।

 

ଆମ୍ଭେମାନେ ଗଙ୍ଗଦ୍ୱୀପରେ କିଛିକାଳ ରହି ଚାକରମାନଙ୍କୁ ଜଗନ୍ନାଥ ଓ ଠାକୁରାଣୀଙ୍କର ପୂଜାକାର୍ଯ୍ୟରେ ଅଭ୍ୟସ୍ତ କରିନେଲୁଁ । ତାହାପରେ ଯେଉଁଦିନ ସ୍ୱଦେଶକୁ ଫେରିଯିବାଲାଗି ବନ୍ଦୋବସ୍ତ କଲୁ, ସେହିଦିନ ଆମ୍ଭର ପ୍ରଥମ ପରିଚିତ ଚାକରଟି ସନ୍ନ୍ୟାସୀର ଗୁପ୍ତ ଧନଭଣ୍ଡାର ସମ୍ୱନ୍ଧରେ ସୂଚନା ଦେଲା । ତା’ର ନିର୍ଦ୍ଦେଶ ଅନୁସାରେ ଆମ୍ଭେମାନେ ଯାଇ ଦେଖିଲୁଁ, ମନ୍ଦିର ବେଢ଼ାରେ ମାଟିତଳେ ପୋତାହୋଇ ପ୍ରଚୁର ବହୁମୂଲ୍ୟ ସମ୍ପତ୍ତି ରହିଅଛି । ନରପିଶାଚ ସନ୍ନ୍ୟାସୀ ଲକ୍ଷ ଲକ୍ଷ ଟଙ୍କାର ଏତେ ସୁନାରୂପା ଓ ଅଷ୍ଟଧାତୁର ପଦାର୍ଥମାନ କେଉଁଠାରୁ ପାଇଲା ? ଉପରର ଲୁହାକବାଟ ଖୋଲି ଦେଲାକ୍ଷଣି ଧାତୁଗୁଡ଼ିକର ଉଜ୍ଜ୍ୱଳତାରେ ଭୂଗର୍ଭସ୍ଥ ଅନ୍ଧାରୁଆ ପ୍ରକୋଷ୍ଠଟି ଆଲୋକିତ ହେଉଥିବାର ଦେଖାଗଲା । ଆମ୍ଭେମାନେ ଆନନ୍ଦର ସହିତ ସେସବୁ ସମ୍ପତ୍ତି ଉପରକୁ ଉଠାଇ ଆଣିଲୁଁ ।

 

ସମସ୍ତ ସମ୍ପତ୍ତି ଏକତ୍ର ଠୁଳ କରିବା ପରେ ପ୍ରଥମେ ଗଙ୍ଗଦ୍ୱୀପର ଭବିଷ୍ୟତ ଉନ୍ନତିସାଧନ ଓ ଠାକୁର ଠାକୁରାଣୀଙ୍କର ସେବାପୂଜାଲାଗି କେତେକ ସମ୍ପତ୍ତି ଅଲଗା କରି ରଖିଲୁଁ । ତାହା ପରେ ପୁରୀରେ ବଡ଼ଦେଉଳର ଠାକୁରମାନଙ୍କର ଓ ଗଜପତିରାଜାଙ୍କର ଉପହାର ବାଦ୍‌ ଗଲା ପରେ ଅବଶିଷ୍ଟ ସମ୍ପତ୍ତି ଆମ୍ଭମାନଙ୍କର ମଧ୍ୟରେ ସମାନ ଅଂଶରେ ବିଭକ୍ତ କରାଗଲା । ତାହାପରେ ଆମ୍ଭେମାନେ ନିଜ ଅଂଶରୁ କିଛି ଯାଜପୁର ବିରଜା ଠାକୁରାଣୀଙ୍କ ପାଇଁ ଓ ଆଉ କିଛି ସ୍ଥାନୀୟ ଚାକରମାନଙ୍କ ପାଇଁ ଅଲଗା କରିଦେଲୁଁ । ଏତେଗୁଡ଼ିଏ ସମ୍ପତ୍ତି ବାଦ ଗଲା ପରେ ଯାହା ଆମ ଅଧିକାରରେ ରହିଲା, ସେତିକିରେ ସୁଦ୍ଧା ଯେ କେହି ନିଜକୁ ଧନକୁବେର ବୋଲି ମନେ କରିପାରେ । ମୃତ୍ୟୁସଙ୍କଟରେ ପକାଇ, ଘୋର ବିପଦପଥରେ ପେଲିଦେଇ ଶେଷରେ ପ୍ରଭୁ ଆମ୍ଭମାନଙ୍କୁ ଯେ ପ୍ରଚୁରଧନ ଦାନ କଲେ, ସେଥିଲାଗି ଆମ୍ଭେମାନେ ତାଙ୍କୁ ବିଶେଷ ଧନ୍ୟବାଦ ଦେଲୁଁ ଏବଂ କୃତଜ୍ଞ ହୋଇ ରହିଲୁଁ ।

 

ତତ୍ପରେ ସ୍ଥାନୀୟ ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ଦେବତାମାନଙ୍କର ସେବା ପୂଜା କରିବାଲାଗି କେବଳମାତ୍ର ଦୁଇଜଣ ଚାକର ସେ ଦ୍ୱୀପରେ ରଖି, ଅବଶିଷ୍ଟ ଲୋକମାନଙ୍କ ସହ ଆମ୍ଭେମାନେ ସ୍ୱଦେଶାଭିମୁଖୀ ହେଲୁଁ । ଆମ୍ଭମାନଙ୍କ ସମ୍ପତ୍ତି ସନ୍ନ୍ୟାସୀର ଦୁଇ ଖଣ୍ଡିଯାକ ବୋଇତରେ ଲଦା ହେଲା । ଯଥାସମୟରେ ଆମ୍ଭେମାନେ ବୋଇତ ଉପରେ ଉତ୍କଳୀୟ ପତାକା ଉଡ଼ାଇ ସମୁଦ୍ରବକ୍ଷରେ ଭାସମାନ ହେଲୁଁ । ଗଙ୍ଗଦ୍ୱୀପରେ ରହିଯାଉଥିବା ଲୋକଗୁଡ଼ିକ ଆମର ସସ୍ନେହ ବ୍ୟବହାରରେ ଏତେ ମୁଗ୍‌ଧ ହୋଇଥିଲେ ଯେ, ସେମାନେ ସରଳପ୍ରାଣରେ କାନ୍ଦି କାନ୍ଦି ଆମ୍ଭମାନଙ୍କଠାରୁ ବିଦାୟ ନେଲେ । ସେତେବେଳର ସେ ବିଦାୟ ଦୃଶ୍ୟ ବାସ୍ତବିକ ବଡ଼ ଦୁଃଖପ୍ରଦ ହୋଇଥିଲା । ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରି ବୋଇତ ଚଳାଇଲୁଁ । ଅନ୍ୟ ଲୋକଗୁଡ଼ିକ ଆମ ବୋଇତର ନାବିକର କାର୍ଯ୍ୟ କରୁଥିଲେ ।

 

ଅନୁକୂଳ ବାୟୁ ସ୍ରୋତରେ ଆମର ବୋଇତ ଦୁଇଖଣ୍ଡି ବେଶ ଭଲଭାବରେ ଚାଲିଥାଏ । ତେବେ ମଧ୍ୟେ ମଧ୍ୟେ ଟିକିଏ ତୋଫାନ ହେଉଥିଲା । ସେଥିରେ ଆମର ବିଶେଷ କିଛି ଅସୁବିଧା ବା କଷ୍ଟ ହୋଇନାହିଁ । ଏହିପରି ମାସାବଧି ପରିଶ୍ରମ କରି ଆମ୍ଭେମାନେ ଶେଷରେ ଆସି ସିଂହଳଦ୍ୱୀପର ପୂର୍ବାଞ୍ଚଳବର୍ତ୍ତୀ ପ୍ରଧାନତମ ବନ୍ଦରଠାରେ ବୋଇତ ଲଗାଇଲୁଁ । ଆଶ୍ଚର୍ଯ୍ୟ ଓ ଆନନ୍ଦର ବିଷୟ ଯେ, ଆମ୍ଭମାନଙ୍କର ‘ଜଗନ୍ନାଥ’ ଓ ‘ବିରଜା’ ଜାହାଜ ଦୁଇଖଣ୍ଡି ଏହିଠାରେ ଆସି ଆଗରୁ ନଙ୍ଗର କରିଥିଲା-। ବନ୍ଦର ନିକଟରେ ଆମ୍ଭର ପ୍ରଥମ ସହଯାତ୍ରୀ ବଣିକମାନଙ୍କୁ ଦେଖି ଆମ୍ଭେମାନେ ଆଶାତୀତ ସୁଖୀ ହେଲୁଁ । ଆମ୍ଭମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ବଣିକମାନେ ଆମର ବିଚିତ୍ର ଓ ଭୟାବହ ଘଟଣାମାନ ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଏବଂ ମେରିଆ ପାଇଥିବା ବନ୍ଧୁଟି ଲାଗି ଶୋକପ୍ରକାଶ କଲେ । ବହୁଦିନରୁ ଏହିଠାରେ ରହି ଆମ୍ଭର ବନ୍ଧୁ ବଣିକମାନେ ସିଂହଳ ଉପକୂଳର ପ୍ରସିଦ୍ଧ ମୁକ୍ତାଫଳ ସଂଗ୍ରହ କରୁଥିଲେ । ଆମ୍ଭେମାନେ ନିଜ ନିଜର ପ୍ରଥମ ସମ୍ପତ୍ତିମାନ ଫେରି ପାଇ, ନୋଳିଆ ବାଳକମାନଙ୍କ ସାହାଯ୍ୟରେ ଓ ନିଜ ପରିଶ୍ରମରେ ପ୍ରଚୁର ମୁକ୍ତା ସଂଗ୍ରହ କଲୁଁ । ଏହିପରି ମୁକ୍ତା ସଂଗ୍ରହ ଓ ସିଂହଳ ବାଣିଜ୍ୟରେ ଆହୁରି ପ୍ରଚୁର ଧନ ସଞ୍ଚୟ କରି ଆମ୍ଭେମାନେ ସେ ଦେଶ ପରିତ୍ୟାଗ କଲୁଁ । ଯଥାସମୟରେ ଆମ୍ଭମାନଙ୍କର ଜାହାଜଶ୍ରେଣୀ ଭାରତର ଦକ୍ଷିଣାଞ୍ଚଳବର୍ତ୍ତୀ ଆନ୍ଧ୍ର ଉପକୂଳରେ ନଙ୍ଗର କଲା । ସେଠାରେ ଆମ୍ଭେମାନେ କିଛିଦିନ ରହି ଆନ୍ଧ୍ର ରାଜ୍ୟରେ ବ୍ୟବସାୟ ଚଳାଇଲୁ । ତାହାପରେ ଫେରିଆସିବା ପଥରେ କଳିଙ୍ଗ ପାଟଣା, ବିଶାଖପାଟଣା ଓ ଗୋପାଳପୁର ବନ୍ଦରମାନ ଛୁଇଁ ଛୁଇଁ ବାଣିଜ୍ୟର ଆଦାନପ୍ରଦାନ କଲୁଁ । ତାହାପରେ ଆମ୍ଭେମାନେ ସୁଖରେ ସାଗରଭେଦ କରି ପ୍ରଚୁର ସମ୍ପତ୍ତି ସହ ‘ସ୍ୱର୍ଗଦ୍ୱାର’ ବନ୍ଦରଠାରେ ନଙ୍ଗର କଲୁଁ । ଆମ୍ଭମାନଙ୍କର ଫେରିଆସିବା ଖବର ପୁରୀ ସହରରେ ରାଷ୍ଟ୍ର ହୋଇଗଲା । ବହୁତ ଲୋକ ଆସି ଆମ୍ଭମାନଙ୍କୁ ଅଭିବାଦନ କଲେ । ଯଥାସମୟରେ ଆମ ଘରର କୁଳସ୍ତ୍ରୀମାନେ ଆସି ବୋଇତ ବନ୍ଦାଇ ଫେରିଗଲେ । ଆମ୍ଭେମାନେ ନିଜ ନିଜର ସମ୍ପତ୍ତି ସହ ଘରକୁ ଫେରିଗଲୁଁ ।

 

ତାହା ପରଦିନ ଆମ୍ଭେମାନେ ଯାଇ ରାଜଦରବାରରେ ଗଜପତି ମହାରାଜାଙ୍କୁ ଅଭିବାଦନ କଲୁଁ । ଠାକୁରରାଜା ଆମ୍ଭ କାର୍ଯ୍ୟକଳାପର କଥା ଦେଶ ଅଧିକାର କଥା ଶୁଣି ଓ ଉପଢ଼ୌକନ ସମ୍ପତ୍ତି ପାଇ ବିଶେଷ ସୁଖୀ ହେଲେ ଓ ଆମ୍ଭମାନଙ୍କୁ ଧନ୍ୟବାଦ ଦେଲେ । ଅଳ୍ପଦିନ ମଧ୍ୟରେ ଠାକୁରରାଜାଙ୍କ ଆଦେଶରେ କେତେଗୁଡ଼ିଏ ସରକାରୀ ଜାହାଜ ଗଙ୍ଗଦ୍ୱୀପ ଅଭିମୁଖରେ ଯାତ୍ରା କଲା । ଅନେକ ଓଡ଼ିଆ ଲୋକ ସେ ଦ୍ୱୀପରେ ଘର କରି ରହିବାଲାଗି ନିଜ ନିଜର ପିଲାପିଲି ନେଇ ସେହି ସବୁ ଜାହାଜରେ ଯାତ୍ରା କଲେ । ସେହି ଦିନୁ ଗଙ୍ଗଦ୍ୱୀପ ଗଜପତିଙ୍କ ରାଜ୍ୟଭୁକ୍ତ ହେବାରୁ ଓଡ଼ିଆ ଜାତିର ଉପନିବେଶ ହୋଇ ଆସିଅଛି ।

 

ମୁଁ ଏହିଥର ଯେତେ ସମ୍ପତ୍ତି ଅର୍ଜନ କରିଥିଲି ସେଥିରୁ ଯଥେଷ୍ଟ ବ୍ୟୟ କରି ବଡ଼ ଦାଣ୍ଡରେ ଗୋଟିଏ ଧର୍ମଶାଳା ତୋଳାଇଲି ଏବଂ ଚିକିତ୍ସାଳୟ ଓ ବିଦ୍ୟାଳୟମାନ ବସାଇଲି । କୃଷି ଓ ବାଣିଜ୍ୟ ପାଇଁ ଗରିବ ଲୋକମାନଙ୍କୁ ଅକାତର ଭାବରେ ଅର୍ଥଦାନ କଲି । ଆମ୍ଭମାନଙ୍କର ଠାକୁର ରାଜା ପ୍ରକାଶ୍ୟ ଦରବାରରେ ମୋର କାର୍ଯ୍ୟବଳୀର ବିଶେଷ ପ୍ରଶଂସା କରି ସମୁଚିତ ରୂପେ ମୋତେ ପୁରସ୍କୃତ କଲେ ଏବଂ ରାଜକୀୟ ଉଚ୍ଚସମ୍ମାନ ଦାନ କଲେ । ମୁଁ ମୋର ପରିବାରଙ୍କ ସହିତ ପରମ ଆନନ୍ଦରେ କାଳଯାପନ କରିବାକୁ ଲାଗିଲି ।

 

ଏହିଠାରେ ରଣବୀର ନୀରବ ହେବାରୁ ସମବେଦ ପଣ୍ଡିତଗଣ ଓ ଭଦ୍ରମଣ୍ଡଳୀ ତାଙ୍କର ଅଶେଷ ସାଧୁବାଦ କଲେ । ସେମାନେ ଧନିକଙ୍କର ବିଚିତ୍ର ଓ ଭୟଙ୍କର ଧନାଗମ କାହାଣୀ ଶୁଣି ବିସ୍ମତ ହୋଇଗଲେ । ତାହାପରେ ସେମାନେ ପାନଭୋଜନ ଓ ବିଶ୍ରାମ କରିବାଲାଗି ନିଜ ନିଜର ବସାକୁ ଫେରି ଯିବାରୁ ସେଦିନ ବୈଠକମହଲ ବନ୍ଦ ହେଲା ।

Image

 

ଚତୁର୍ଥ ଯାତ୍ରା

 

ଚତୁର୍ଥ ଦିନର ସନ୍ଧ୍ୟାବେଳେ ବୈଠକ-ମହଲ ପୁଣି ନାନା ବର୍ଣ୍ଣର ଆଲୋକମାଳାରେ ଉଜ୍ଜ୍ୱଳ ହୋଇ ଉଠିଲା । ପୂର୍ବରାତି ପରି ଭୃତ୍ୟସମୂହ ଯଥାସମୟରେ ଆଦେଶ ପାଳନ କରିବାଲାଗି ଚତୁର୍ଦ୍ଦିଗରେ ଘେରି ରହିଲେ । ବାହାରେ ନିର୍ମଳ ଚନ୍ଦ୍ରକିରଣରେ ସମୁଦ୍ରର ଖେଳ ବୈଠକ-ମହଲରୁ ବଡ଼ ସୁନ୍ଦର ଦେଖା ଯାଉଥିଲା । ପବନ ଧୀରେ ଧୀରେ ପ୍ରବାହିତ ହୋଇ ଉପସ୍ଥିତ ଲୋକମାନଙ୍କର ମନକୁ ଉଲ୍ଲସିତ କରୁଥିଲା । ପୂର୍ବବତ୍‌ ଭଦ୍ରବ୍ୟକ୍ତିଗଣ ଓ ପଣ୍ଡିତମାନେ ଉତ୍ତମ ଆସନରେ ବସିବାରୁ ରଣବୀର ସେମାନଙ୍କୁ ବିନୟ ଓ ଭକ୍ତିର ସହିତ ପ୍ରଣାମ କଲେ ।

 

ଉପସ୍ଥିତ ବ୍ୟକ୍ତିମାନେ କହିଲେ, “ମହାଶୟ, ଦିନକୁ ଦିନ ଆପଣଙ୍କର କାହାଣୀ ଶୁଣି ଆମ୍ଭମାନଙ୍କର ଆଉ ଆଶ୍ଚର୍ଯ୍ୟର ସୀମା ରହୁ ନାହିଁ । ଆପଣଙ୍କର ବହୁମୂଲ୍ୟ କର୍ମମୟ ଜୀବନରେ ଆପଣ ଯେ ଅଦ୍ଭୁତ କାର୍ଯ୍ୟମାନ କରି ଆସିଛନ୍ତି, ତାହା ଖୁବ୍‌ କମ ଲୋକେ କରି ପାରନ୍ତି । ଆପଣଙ୍କର ଅପୂର୍ବ ଓ ଅଲୌକିକ ଧନାଗମ କାହାଣୀ ଶୁଣିବା ଲାଗି ଦିନକୁ ଦିନ ଆମର କୌତୂହଳ ଓ ଆକାଙ୍‌କ୍ଷା ଅଧିକରୁ ଅଧିକତର ହେଉଅଛି । ଅନୁରୋଧ କରୁଅଛୁଁ, ଆଜି ଆମ୍ଭମାନଙ୍କୁ ଆଉ ଗୋଟିଏ ଯାତ୍ରାର ବିବରଣ ଶୁଣାଇ ଅନୁଗୃହୀତ କରନ୍ତୁ ।” ରଣବୀର ପଣ୍ଡିତମାନଙ୍କ କଥା ଶୁଣି ପ୍ରଥମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ପ୍ରଣାମ କଲେ ଏବଂ ତାହାପରେ ଗଳ୍ପ ଆରମ୍ଭ କଲେ ।

 

ମହୋଦୟଗଣ, ମୁଁ ଜୀବନରେ ଅନେକଗୁଡ଼ାଏ ବାଣିଜ୍ୟଯାତ୍ରା କରିଚି । ସେଥି ମଧ୍ୟରୁ ଆପଣଙ୍କୁ ତିନୋଟି ଯାତ୍ରାର ବିବରଣୀ ଶୁଣାଇଚି । ଆଜି ଆଉ ଗୋଟିଏ ଶୁଣାଇବି । ମୋର ଗଲା ତିନୋଟି ଯାତ୍ରାର ବିବରଣରୁ ଆପଣମାନେ ବୁଝିଥିବେ, ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟରେ ଭଗବାନଙ୍କ ହାତ ବରାବର ଅଦୃଶ୍ୟ ଭାବରେ ଥାଏ । ସେ ଇଚ୍ଛାମୟ ସର୍ବଶକ୍ତିମାନ ପ୍ରଭୁ ସର୍ବଦା ପଛେ ପଛେ ରହି ମନୁଷ୍ୟର ଭାଗ୍ୟକୁ ପ୍ରତି ମୁହୂର୍ତ୍ତରେ ପରିଚାଳିତ କରୁ ଅଛନ୍ତି । ତାଙ୍କୁ ଛାଡ଼ି ମନୁଷ୍ୟ କିଛି କରିପାରେ ନାହିଁ ବା କରି ପାରୁନାହିଁ । କିନ୍ତୁ ଅନ୍ଧ ଅବିଶ୍ୱାସୀ ମନୁଷ୍ୟ ଏକଥା ସବୁ ସମୟରେ ମନେ ରଖି ପାରେ ନାହିଁ । ସେଥିଲାଗି ସେ ପଦେ ପଦେ ଦୁଃଖ କଷ୍ଟ ଭୋଗ କରେ ।

 

ମୁଁ ଗଲାଥରର ବାଣିଜ୍ୟରେ ପ୍ରଚୁର ସମ୍ପତ୍ତି ଲାଭ କରିଥିଲି । କ୍ରମେ କ୍ରମେ ମୋର ଖୁବ୍‌ ସମ୍ପତ୍ତି ହୋଇଗଲା । ତତ୍ପରେ ମୁଁ ଆଉ ଧନର ଆବଶ୍ୟକତା ଦେଖୁ ନ ଥିଲି । ମୋର ମାଆ ଓ ପିଲାମାନଙ୍କର ବାରମ୍ୱାର ପ୍ରାର୍ଥନା ଫଳରେ ମୁଁ ଆଉ ପୁଣି ବାଣିଜ୍ୟଯାତ୍ରା କରିବାକୁ ଇଚ୍ଛା କରୁ ନ ଥିଲି । କିନ୍ତୁ ଆପଣମାନେ ଜାଣନ୍ତି, ମନୁଷ୍ୟର ଧନଲାଭ କରିବା, ବଡ଼ ହେବାର ଆଶା ଅସୀମ । ସେ ଯେତେ ବଡ଼ ହେଲେ ବା ଯେତେ ପାଇଲେ ସୁଦ୍ଧା ସନ୍ତୁଷ୍ଟ ହୁଏ ନାହିଁ । ମୁଁ ବା କିପରି ସନ୍ତୁଷ୍ଟ ହୁଅନ୍ତି ? ମୁଁ ଏଥର ଘରେ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଆରାମରେ କଟାଇଦେଲି । ତାହାପରେ ମୋର ଘରେ ବସି ରହିବା ଜୀବନ ମୋତେ ବଡ଼ ଭାର ବୋଧ ହେଲା । ମୁଁ ଦିନରାତି ସମୁଦ୍ରର ଡାକ ଶୁଣିଲି ଓ ବିଦେଶର ସ୍ୱପ୍ନ ଦେଖିବାକୁ ଲାଗିଲି । ଓଡ଼ିଆ ବଣିକମାନଙ୍କର ନିରନ୍ତର ବାଣିଜ୍ୟଚେଷ୍ଟା, ସମୁଦ୍ର ପଥରେ ବିଦେଶ ଯିବା ଏବଂ ଧନ ନେଇ ପୁଣି ନିଜ ଦେଶକୁ ଫେରି ଆସିବା–ଇତ୍ୟାଦି ଘଟଣାମାନଙ୍କରେ ମୋ ପ୍ରାଣରେ ବିଷମ ଚଞ୍ଚଳତା ଆସିଲା । ପ୍ରତିଦିନ ସ୍ୱର୍ଗଦ୍ୱାର ବନ୍ଦରରୁ କେତେ ଉତ୍କଳୀୟ ବୋଇତ ବିଦେଶକୁ ଚାଲିଯାଏ, କେତେ ସୁଦୂର ବିଦେଶୀ ବୋଇତ ବାଣିଜ୍ୟ ସମ୍ଭାର ନେଇ ପୁରୀଘାଟରେ ଲାଗିଯାନ୍ତି । ଏ ସବୁ ଦେଖି ଦେଖି ମୁଁ ଆଉ ଥୟ ହୋଇ ପାରିଲି ନାହିଁ । ମୋର ଶୁଖିଲା ସୁଖ୍ୟାତି ଓ ଧନ ଦଉଲତକୁ ମୁଁ ମନେ ମନେ ନିନ୍ଦା କଲି ।

 

ଦିନେ ପୁରୀରେ ଗୋଟିଏ ବିରାଟ ବଣିକସଭା ବସିଲା । ସେଥିରେ ଆମ ଦେଶବାସୀ ଓ ବିଦେଶାଗତ ସାଧବମାନେ ଶତସଂଖ୍ୟାରେ ଯୋଗ ଦେଇଥିଲେ । ଆମ୍ଭମାନଙ୍କର ପରମ ଭକ୍ତିଭାଜନ ରାଜା ନରସିଂହ ଦେବ ସ୍ୱୟଂ ସେ ସଭାରେ ସଭାପତିର ଆସନ ଗ୍ରହଣ କରି ସାଧବମାନଙ୍କୁ ବିଶେଷ ଉତ୍ସାହ ଦେଇଥିଲେ । ସେ କହିଥିଲେ, “ରାଜ୍ୟର କର୍ତ୍ତବ୍ୟ, ସେ ଦେଶରେ ସୁଶାସନ ରଖି ପ୍ରଜାମାନଙ୍କୁ ସୁଖ ଶାନ୍ତିରେ ପାଳନ କରିବ । କିନ୍ତୁ ପ୍ରଜାର କର୍ତ୍ତବ୍ୟ ସେ ଦେଶର ଧନ ବଢ଼ାଇବ । ଯେଉଁ ଲୋକ ନିଜ ଦେଶରେ ରହି ଜଟିଳ ବାଣିଜ୍ୟ ବଳରେ ତା’ର ଗରିବ ଭାଇମାନଙ୍କର ସର୍ବସ୍ୱ ଅପହରଣ କରି ନିଜକୁ ଲାଭବାନ ଓ ଧନବାନ ବୋଲି ମନେକରେ, ବା ଯେଉଁଲୋକ କେବଳ ଘରେ ବସିରହି ଅଯଥା ଦେଶର ଅନ୍ନଧ୍ୱଂସ କରେ ସେ ତା’ର ଜନ୍ମଭୂମିର ଉପଯୁକ୍ତ ପୁତ୍ର ନୁହେଁ । ଯାହାର ହାତଗୋଡ଼ ଅଛି, ବୁଦ୍ଧି ଅଛି, ଯେ ସୁସ୍ଥ ଓ ସବଳ, ସେ ବିଦେଶ ଯାଇ ନାନା ବାଧାବିଘ୍ନ ଭିତରେ ନିଜ ଘରକୁ ଧନ ବହି ଆଣୁ । ହେ ମୋର ପ୍ରିୟ ସାଧବ ପ୍ରଜାମାନେ ! ତୁମ୍ଭେମାନେ ନିରଳସ ଭାବରେ ବାଣିଜ୍ୟ କରି ଦେଶର ଧନ ବଢ଼ାଅ । ଆଉ ତୁମର ଗରିବ ଭାଇମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କର ବାଣିଜ୍ୟ ଇଚ୍ଛା ଓ ଶକ୍ତି ବଢ଼ାଅ । ସେଥିରେ ତୁମର ମଙ୍ଗଳ ଓ ଦେଶର ମଙ୍ଗଳ ।”

 

ଗଜପତିଙ୍କର ଏହି ଉତ୍ସାହପୂର୍ଣ୍ଣ ବାକ୍ୟ ମୋର ପ୍ରାଣେ ପ୍ରାଣେ ଭେଦକଲା । ମୁଁ ଆଉ ସମ୍ଭାଳି ହୋଇ ରହି ପାରିଲି ନାହିଁ । ସାଧବସଭା ପରେ ବିଦେଶ ଯାତ୍ରା କରିବାକୁ ସଙ୍କଳ୍ପ କଲି । ଘରେ ଯିଏ ଯେତେ ବାଧା ଦେଲେ, କିଛି ଶୁଣିଲି ନାହିଁ ।

 

ଯଥାସମୟରେ ମୋର ସମୁଦ୍ର ଯାତ୍ରା କରିବାର ସମସ୍ତ ଆୟୋଜନ ଠିକ୍‌ ହୋଇଗଲା । ଏଥର ମୁଁ ଅନ୍ୟ ଲୋକର ଜାହାଜରେ ଦେଶାନ୍ତରକୁ ଯିବାକୁ ଇଚ୍ଛା କରି ନ ଥିଲି । ଗଲାଥର ବାଣିଜ୍ୟ ଯାତ୍ରାରୁ ଫେରିଆସି ମୁଁ ଏଇ ଯେ କେତେଦିନ ଘରେ ରହିଗଲି, ତାହାରି ମଧ୍ୟରେ ସମୁଦ୍ର କୂଳରେ ବସିବସି ନିଜର ଗୋଟିଏ ଜାହାଜ ଗଢ଼ାଇଥିଲି । ସେଥିରେ ମୋର ବହୁତ ଧନ, ସମୟ ଓ ପରିଶ୍ରମ ଖର୍ଚ୍ଚ ହୋଇଥିଲା । ଅତି ସ୍ନେହରେ ଜାହାଜଟିର ନାମ ରଖିଥିଲି “ପାରିଜାତ” । ପାରିଜାତ ସମୁଦ୍ର ବାଣିଜ୍ୟ ଲାଗି ସମ୍ପୂର୍ଣ୍ଣ ଉପଯୋଗୀ ରୂପେ ଗଢ଼ା ଯାଇଥିଲା । ଯେଉଁ ସମୟକୁ ପୁରୀରେ ସାଧବସଭା ବସିଥିଲା, ସେତେବେଳକୁ ପାରିଜାତର ଗଠନକାର୍ଯ୍ୟ ସରି ଯାଇଥିଲା । ସଭା ଶେଷରେ ମୁଁ ଗଜପତି ମହାରାଜା ଓ ସଭାକୁ ଆସିଥିବା ସାଧବମାନଙ୍କୁ ନେଇ ପ୍ରତିଷ୍ଠା କାର୍ଯ୍ୟ କରାଇନେଲି । ସ୍ୱୟଂ ଠାକୁର ରାଜା ଓ ସାଧବମାନେ ଏକବାକ୍ୟରେ ମୋ ଜାହାଜଟିର ପ୍ରଶଂସା କରିବାକୁ ଲାଗିଲେ । ଜାହାଜଟି ଯେପରି ସୁନ୍ଦର, ସେପରି ସଦୃଢ଼ ଓ ସୁବୃହତ୍‌ ଥିଲା ।

 

ଯେଉଁଦିନ ମୋର ପୁରୀ ବନ୍ଦର ଛାଡ଼ିବା ଠିକ୍‌ ହୋଇଥିଲା, ସେହିଦିନ ସକାଳୁ ମୋର ସ୍ତ୍ରୀ, ମାଆ ଓ ସହରର କେତେକ କୁଳସ୍ତ୍ରୀ ସମୁଦ୍ରକୂଳକୁ ଯାଇ ଜାହାଜଟିକୁ ବନ୍ଦାଇଥିଲେ । ବଡ଼ ଦେଉଳର ବଡ଼ପଣ୍ଡା ବେଦମନ୍ତ୍ର ପାଠକରି ପାରିଜାତର ‘ନିଳଚକ୍ର’ ଚିହ୍ନିତ ପତାକା ଉପରେ ଜଗନ୍ନାଥଙ୍କର ଗୋଟିଏ ଫୁଲଧଣ୍ଡା ବାନ୍ଧିଦେଇ ଆସିଲେ । ଯଥାସମୟରେ ମୁଁ ମୋର ପଣ୍ୟସମ୍ଭାର ନେଇ ଜାହାଜରେ ପ୍ରବେଶ କଲି । ମୋର ସଙ୍ଗୀ ବଣିକ ଓ ନାଉରୀମାନେ ନିଜ ନିଜର ସ୍ଥାନ ଅଧିକାର କଲେ । ଦୁଃଖର ବିଷୟ, ଘରଛାଡ଼ି ଯିବା ପୂର୍ବରୁ ମୋର ସାନ ପିଲାଟା ମୋତେ କୁଣ୍ଢାଇ ଧରି ବହୁତ କାନ୍ଦିବାକୁ ଲାଗିଲା ଏବଂ ମୋର କାଖରୁ ଆଦୌ ଓହ୍ଲାଇଲା ନାହିଁ । ମୁଁ ଏହି ଘଟଣାକୁ ଗୋଟିଏ ଅଶୁଭ ଚିହ୍ନ ବୋଲି ମନେ କରୁଥିଲେ ସୁଦ୍ଧା, ପିଲାଟାକୁ ତା’ର ମାଆ ହାତକୁ ଦେଇ ଚାଲିଗଲି । ସମୁଦ୍ର ଓ ପାରିଜାତର ଅସ୍ପଷ୍ଟ ଆହ୍ୱାନ ସଙ୍ଗୀତ ମୋ ପ୍ରାଣରେ ବାଜିଉଠିଲା । ମୁଁ ବନ୍ଦରକୁ ଯିବା ସମୟରେ ସହରର ଅନେକ ପୁରୁଷ ଓ ସ୍ତ୍ରୀ, ବାଳକ ଓ ବାଳିକା ମୋ ସାଙ୍ଗେ ସାଙ୍ଗେ ଗୋଡ଼ାଇ ଆସିଲେ । ମିଳିତ ଜନତାର କୋଳାହଳ ଓ ଜୟଧ୍ୱନି ମଧ୍ୟରେ ପାରିଜାତ ଆମ୍ଭମାନଙ୍କୁ ବକ୍ଷରେ ଧାରଣ କରି ଅକୂଳ ସମୁଦ୍ର ମୁଖରେ ପାଲ ତୋଳି ଭାସମାନ ହେଲା । ସମୁଦ୍ର ମଧ୍ୟରେ ମୋ ନିଜ ଜାହାଜର ଅବାଧ ଗତି ଦେଖି ମୋ ହୃଦୟ ଆନନ୍ଦରେ ନାଚି ଉଠୁଥାଏ ।

 

ଜାହାଜ ଚାଲିଲା । ଆମ୍ଭେମାନେ କିଛିଦିନ ସୁଖରେ ଯାତ୍ରା କରି ଦିନେ ଆସି ଚିଲିକାର ମୁହାଣ ନିକଟରେ ନଙ୍ଗର କଲୁଁ । ସେ ସମୟରେ ପବନ ଟିକିଏ ଜୋରରେ ବହୁଥିବାରୁ ସମୁଦ୍ର ଅଶାନ୍ତ ଓ ତରଙ୍ଗସଙ୍କୁଳ ଥିଲା । ଆମ୍ଭେମାନେ ମନେ କରିଥିଲୁଁ, ଯଦି ପବନ ଆହୁରି ଜୋରରେ ବହେ ଓ ଆହୁରି ବଡ଼ ବଡ଼ ଢେଉମାନ ଉଠେ, ତେବେ ମୁହାଣବାଟେ ଚିଲିକା ଭିତରକୁ ଯାଇ ସାତପଡ଼ା ବା ଗୁରୁବାୟୁ ନିକଟରେ ଆଶ୍ରୟ ନେବୁଁ । କିନ୍ତୁ ପବନ ବା ଢେଉ ସେତେ ପ୍ରବଳ ହୋଇ ନ ଥିବାରୁ, ଆମ୍ଭମାନଙ୍କୁ ଆଉ ଚିଲିକା ଭିତରକୁ ଯିବାକୁ ପଡ଼ି ନ ଥିଲା । ତେବେ ଦିନ ଦ୍ୱିପ୍ରହରେ ଓ ରାତିଅଧ ବେଳେ ଚିଲିକା ଭିତରକୁ ଜୁଆର ଉଠିବାବେଳେ ଆମ୍ଭମାନଙ୍କୁ ବିଶେଷ ସାବଧାନ ହେବାକୁ ପଡ଼େ ।

 

ଚିଲିକା ମୁହାଣରେ ଆମର ଏହିପରି ପ୍ରାୟ ଏକ ସପ୍ତାହ କଟିଗଲା । ଦିନେ ଠିକ୍‌ ସକାଳ ବେଳା ସମୁଦ୍ରଭଟ୍ଟାରେ ପଡ଼ି ଦୁଇଖଣ୍ଡି ଜାହାଜ ଫସ୍‌ କରି ସମୁଦ୍ର ଭିତରକୁ ବାହାରି ଆସିଲା-। ଆମ୍ଭେମାନେ ଦେଖିଲୁଁ, ଭଟ୍ଟା ଓ ଅନୁକୂଳ ପବନ ସତ୍ତ୍ୱେ ନାଉରୀମାନେ ଖୁବ୍‌ ଜୋରରେ ଆହୁଲା ଚଳାଉ ଅଛନ୍ତି । ସେମାନଙ୍କର ଏହି ବ୍ୟଗ୍ରଭାବ ଦେଖି ମୁଁ ସେମାନଙ୍କୁ ନିକଟକୁ ଆସିବାକୁ ସଙ୍କେତ ଦେଲି । ସେମାନେ ମୋର ସଙ୍କେତ ଓ ଆଶ୍ୱାସନା ପାଇ ନିକଟକୁ ଆସିଲେ ଏବଂ ଆମ ଜାହାଜ ନିକଟରେ ନଙ୍ଗର କଲେ । ସେମାନଙ୍କଠାରୁ ଶୁଣିଲି, ସେମାନେ ଚାରିତ୍ର ବନ୍ଦରରୁ ଫେରିବା ସମୟରେ ବାଲୁଗାଁ ନିକଟବର୍ତ୍ତୀ “ଦୀପମୁଣ୍ଡିଆ” ନିକଟରେ ଦସ୍ୟୁଜାହାଜ ଦ୍ୱାରା ଆକ୍ରାନ୍ତ ହେଲେ । ତାହାପରେ ଚିଲିକା ଭିତରେ ନିଜର ଧନପ୍ରାଣ ରକ୍ଷା କରିବାର କୌଣସି ଉପାୟ ନ ଦେଖି ସେମାନେ ଭଟ୍ଟା ବଳରେ ସମୁଦ୍ର ଭିତରକୁ ପଳାଇ ଆସିଲେ । ସେମାନଙ୍କଠାରୁ ଶୁଣିଲି ଦସ୍ୟୁମାନେ ସେମାନଙ୍କୁ ଚିଲିକା ମୁହାଣ ପର୍ଯ୍ୟନ୍ତ ଗୋଡ଼ାଇ ଆସିଥିଲେ । କହିବା ବାହୁଲ୍ୟ, ଏହି ବଣିକମାନେ ତାମ୍ରଲିପ୍ତବାସୀ ଓ ଜାହାଜ ଦୁଇଖଣ୍ଡି ତାମ୍ରଲିପ୍ତ କୂଳରୁ ରୂପନାରାୟଣ ନଦୀବାଟେ ବାଣିଜ୍ୟ ପଥରେ ଆସିଥିଲା ।

 

ମୋଠାରୁ ବଳ ଓ ସାନ୍ନ୍ୱନା ପାଇବାରୁ ତାମ୍ରଲିପ୍ତବାସୀମାନେ ଚିଲିକା ବାଣିଜ୍ୟ ଛାଡ଼ି ସମୁଦ୍ର ବାଣିଜ୍ୟରେ ମନ ବଳାଇଲେ । ସେମାନେ ସ୍ଥିର କଲେ, ମୋ ସହିତ ସମୁଦ୍ରପଥରେ ସୁଦୂର ବିଦେଶକୁ ଯାଇ ବାଣିଜ୍ୟ ଚଳାଇବେ । ଆମ୍ଭମାନଙ୍କର ଏହି ପ୍ରସ୍ତାବ ଠିକ୍‌ ହୋଇଯିବାରୁ, ଆମ୍ଭେମାନେ ଅନୁକୂଳ ପାଗ ଅପେକ୍ଷାରେ ଚିଲିକା ମୁହାଣ ନିକଟରେ ବିଶ୍ରାମ ନେଲୁଁ । ଆମ୍ଭେମାନେ ଏପରି ଗୋଟିଏ ଜାଗାରେ ରହିଥାଉଁ, ଯେଉଁଠାରେ କି ପାଣି ବା ପାଗ ଆମ୍ଭମାନଙ୍କୁ ବେଶୀ କିଛି କଷ୍ଟ ଦେଉ ନ ଥାଏ । କିଛି ଦିନ ପରେ ସମୁଦ୍ର ଶାନ୍ତ ହୋଇଗଲା । ଦିନେ ଆମ୍ଭେମାନେ ସ୍ଥିର କଲୁଁ, ତହିଁ ଆରଦିନ ସକାଳୁ ଜାହାଜ ଚଳାଇବୁଁ । ଆମର ଅନେକଗୁଡ଼ିଏ ଲୋକ ଓ ତିନିଖଣ୍ଡି ଜାହାଜ ଥିଲା । ଏଥିପାଇଁ ଆମ୍ଭେମାନେ ନିର୍ଭୀକ ଭାବରେ ସେ ରାତି ଆମୋଦ ପ୍ରମୋଦରେ କଟାଇଲୁଁ ।

 

ସେଦିନ ଠିକ୍‌ଅଧରାତି ବେଳେ ଆଉ ତିନି ଚାରିଖଣ୍ଡି ଜାହାଜ ଚିଲିକା ମୁହାଣ ବାଟେ ସମୁଦ୍ର ଗର୍ଭକୁ ପ୍ରବେଶ କଲା । ସେ ସବୁ ଜାହାଜର ଆଲୋକ ଦେଖି ମୋର ସଙ୍ଗୀମାନେ ସାବଧାନ ହୋଇ ରହିଲେ । ତାମ୍ରଲିପ୍ତବାସୀମାନେ କହିଲେ, “ଏ ଗୁଡ଼ାକ ନିଶ୍ଚୟ ଦସ୍ୟୁ ଜାହାଜ ।” ଡକାଏତ ନାମ ଶୁଣି ମୋ ନିଜର ନାବିକ ଓ ଅନ୍ୟାନ୍ୟ ବଣିକ କୋଳାହଳ କରି ଉଠିଲେ । ମୁଁ କହିଲି, “କିଛି ଭୟ ନାହିଁ । ସେମାନେ ଯଦି ଡକାଏତ ହୋଇଥାନ୍ତି ତାହେଲେ ଯୁଦ୍ଧ କରି ଆତ୍ମରକ୍ଷା କରିବା ।” କିନ୍ତୁ ତାମ୍ରଲିପ୍ତବାସୀମାନେ ଆଗରୁ ଡକାଏତମାନଙ୍କ ହାବୁଡ଼େ ପଡ଼ି ଖୁବ୍‌ ଭୟ ପାଇ ଯାଇଥିଲେ । ସେଥିଯୋଗୁଁ ସେମାନେ ଆଉ ସେଠାରେ ବେଶି ବିଳମ୍ୱ କରି ଶତ୍ରୁମାନଙ୍କ ହାତରେ ନିଜର ଧନ ପ୍ରାଣ ଦେବାକୁ ଆଦୌ ରାଜି ହେଲେ ନାହିଁ । ତାମ୍ରଲିପ୍ତବାସୀମାନଙ୍କର ଏହି ଅନିଚ୍ଛା ଓ କାପୁରୁଷତାରୂପ ବିଷ କ୍ରମେ କ୍ରମେ ମୋର ସଙ୍ଗୀ ବଣିକମାନଙ୍କ ମଧ୍ୟରେ ପ୍ରବେଶ କଲା । ଦେଖୁ ଦେଖୁ ଆମ୍ଭମାନଙ୍କ ଭିତରେ ବିଷମ ଚଞ୍ଚଳତା ଉପସ୍ଥିତ ହେଲା ।

 

ଏଣେ ଦସ୍ୟୁଜାହାଜଗୁଡ଼ିକ କ୍ରମେ କ୍ରମେ ଆମର ନିକଟବର୍ତ୍ତୀ ହେଉଥାଏ । ମୁଁ ମୋର ସଙ୍ଗୀମାନଙ୍କୁ ସାହସ ଓ ଉତ୍ସାହ ଦେବା ଲାଗି ହଠାତ୍‌ ଦସ୍ୟୁମାନଙ୍କୁ ଲକ୍ଷ୍ୟ କରି ଅନ୍ଧାରେ ଅନ୍ଧାରେ ତୋପ ଚଳାଇଲି । ଦସ୍ୟୁଜାହାଜରୁ ମଧ୍ୟ ପ୍ରତିବଦଳରେ ତୋପ ଓ ଗୁଳି ଗର୍ଜନ କରି ଉଠିଲା । ଉଭୟ ତରଫରୁ ଯେ ତୋପର ଆବାଜ ହେଉଥିଲା, ସେଥିରେ କ୍ଷଣକାଳ ଲାଗି ସମୁଦ୍ର ଗର୍ଜନ ଆଉ ଶୁଣାଗଲା ନାହିଁ । କିନ୍ତୁ ମୁଁ ଜଣେ କ’ଣ କରିବି ? ମୋ ସାଙ୍ଗରେ ଯେତେ ଲୋକ ଥିଲେ, ସମସ୍ତେ ଜାହାଜ ଭିତରେ ନିଜ ନିଜର ନିରାପଦ କରି ବସିଲେ । କେହି ଜଣେ ମୋତେ ସାହାଯ୍ୟ ଦେବାକୁ ଆସିଲେ ନାହିଁ । କିନ୍ତୁ ମୁଁ ଏକା ଏକା ପ୍ରାଣପଣେ ତୋପ ଚଳାଉଥିବାରୁ ଡକାଏତମାନେ ହଠାତ୍‌ ଆମ ନିକଟକୁ ଆସିବାକୁ ସାହସ କରୁ ନଥିଲେ ।

 

ଏହି ଅବସରର ମଧ୍ୟରେ ପ୍ରାଣରଙ୍କ ବଣିକ ଗୁଡ଼ାକ ଆପଣା ଆପଣା ଭିତରେ ବିଚାର କରିନେଲେ, “ଆମ୍ଭେମାନେ କିଛି ଯୁଦ୍ଧ କରି ଦେଶଜୟ କରିବା ଲାଗି ଆସି ନ ଥାଇଁ । ବାଣିଜ୍ୟ କରି କିଛି ଧନଲାଭ କରିବା, ନିଜେ ଚଳିବା, ପିଲାମାନଙ୍କୁ ସୁଖରେ ଚଳାଇବା ଆମର କାମ । ଏଠାରେ ରଣବୀରଙ୍କ କଥାରେ ପଡ଼ି ଯୁଦ୍ଧ କରିବା, ଶେଷରେ ଡକାୟତମାନଙ୍କ ଖଣ୍ଡାଦାଢ଼ରେ ବେକଟିମାନଙ୍କୁ ଦେଇ ନିଜର ଯାନ୍‌ ହରାଇବା ସାର ହେବ । ରଣବୀର ଭେଣ୍ଡିଆ ଲୋକ । ସେ ଖାଲି ଗୁଡ଼ାଏ ଯୁଦ୍ଧ ଯୁଦ୍ଧ ହେଉଛନ୍ତି, କିନ୍ତୁ ଯୁଦ୍ଧ କାହାକୁ କହନ୍ତି, ତାଙ୍କୁ ମୋଟେ ଜଣା ନାହିଁ । ଧନ ପ୍ରାଣକୁ ଆଶା ଥିଲେ ଅତିଶୀଘ୍ର ଉଠାଅ ନଙ୍ଗର, ଚଳାଅ ଡଙ୍ଗା, ଏଠାରୁ ପଳାଇ ଯିବା ।”

 

ଯେତେବେଳେ ବଣିକମାନଙ୍କ ଭିତରେ ଏ ପ୍ରସ୍ତାବ ଠିକ୍‌ ହୋଇଗଲା, ସେମାନେ କୋଳାହଳ କରି ଉଠିଲେ । ନାଉରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଲେ । ମୋ ନିଜର ବେତନଭୋଗୀ ନାଉରୀମାନେ ମଧ୍ୟ ମୋ ବିରୁଦ୍ଧରେ ବିଦ୍ରୋହୀ ହୋଇ ଉଠିଲେ । ମୋର ଆଦେଶ ବା ଉପଦେଶକୁ କେହି ଜଣେ ହେଲେ ଅପେକ୍ଷା କଲେ ନାହିଁ । ମୁଁ ଯେତେବେଳେ ଉପରେ ରହି ମୋ କାର୍ଯ୍ୟରେ ଲାଗିପଡ଼ି ଦସ୍ୟୁମାନଙ୍କୁ ଦୂରରେ ଅଟକାଇ ରଖିଚି, ସେତେବେଳେ ଦେଖିଲି, ସବୁଯାକ ଜାହାଜ ଏକାବେଳକେ ଚାଲିବାକୁ ଆରମ୍ଭକଲେ । ମୋର ବିନା ହୁକୁମରେ ନଙ୍ଗର ଉଠାଇ ରଥିବାରୁ ନାଉରୀମାନଙ୍କୁ ଚିତ୍‌କାର କରି ଡାକି ପକାଇଲି । କିନ୍ତୁ ସେ ଗଣ୍ଡଗୋଳ ଭିତରେ ମୋ କଥା କେହି ଶୁଣିଲା ନାହିଁ । ମୁଁ ମନେ କଲି, ଡକାତ୍‌ମାନେ ଆମର ସମ୍ପୂର୍ଣ୍ଣ ଅଜ୍ଞାତରେ ଆମ ଜାହାଜ ଭିତରେ ପ୍ରବେଶ କରି ଏ କାଣ୍ଡ ଘଟାଇଅଛନ୍ତି ।

 

ମୋ ମନରେ ଏହି ଧାରଣା ହେବାରୁ, ମୁଁ ତତ୍‌କ୍ଷଣାତ୍‌ ତୋପ ନିକଟରୁ ଚାଲିଯାଇ ସଙ୍ଗୀମାନଙ୍କ ମଧ୍ୟରେ ପ୍ରବେଶ କଲି । ଯାହାକୁ ଯାହା ପଚାରିଲି, କେହି କିଛି ଉତ୍ତର ଦେଲାନାହିଁ । ସମସ୍ତଙ୍କ ମୁହଁରେ ଦେଖିଲି କେବଳ ବ୍ୟଗ୍ରଭାବ, କେବଳ ଆତଙ୍କ । ମୋର ପାଟି ବା ଆଦେଶ ପ୍ରତି କେହି ଭ୍ରୂକ୍ଷେପ କଲାନାହିଁ । ଆମର ଜାହାଜଗୁଡ଼ିକ କେବଳ ରାତ୍ରିର ଅନ୍ଧକାର ଭିତରେ ଦୂର ସମୁଦ୍ର ଗର୍ଭକୁ ପକ୍ଷୀପରି ପଳାଇବାକୁ ଲାଗିଲା । ଚାହୁଁ ଚାହୁଁ ଜାହାଜସବୁ ଏତେ ଦୂରକୁ ପଳାଇଲା ଯେ, ଦସ୍ୟୁଜାହାଜର ଆଲୋକ ଆଉ ଦେଖାଗଲା ନାହିଁ । ମନେ ହେଲା, ସତେ ଯେପରି ସେମାନେ ଆମର ଅଗ୍ନିବର୍ଷଣ ଦେଖି ନିକଟକୁ ଆସିବାକୁ ସାହସ କଲେ ନାହିଁ । ସେଥି ଯୋଗୁଁ ବୋଧହୁଏ, ସେମାନେ ସକାଳ ହେବା ପୂର୍ବରୁ ମୁହାଣବାଟେ ଚିଲିକା ଭିତରକୁ ପଳାଇ ଯାଇଥିଲେ ।

 

ତଥାପି ସେ ପର୍ଯ୍ୟନ୍ତ ଆମ ଜାହାଜରେ ଗଣ୍ଡଗୋଳ ଦବିଲା ନାହିଁ । ମୁଁ ଯାଇ ମୋର ନାଉରୀ ବେହେରା ହରି ଜାଲିର ଡେଣା ଝିଙ୍କି ଧରି ସେମାନଙ୍କର ଅବାଧ୍ୟତାର କାରଣ ପଚାରିଲି । ଉତ୍ତର ପାଇବା ତେଣିକି ଥାଉ, ମୋର ଏଇ ସାମାନ୍ୟ ଝିଙ୍କିଟାକୁ ଛଳନା କରି କେତେକ ନାଉରୀ ଓ କେତେକ ବଣିକ ମୋତେ ଜବରଦସ୍ତ ଟେକି ନେଇ ଜାହାଜର ଗୋଟିଏ ମାସ୍ତୁଲଦଣ୍ଡରେ ବାନ୍ଧିଦେଲେ । ବିନାକାରଣରେ ମୋ ନିଜ ଜାହାଜରେ ଏପରି ଅବାଧ୍ୟତା, ବିଦ୍ରୋହ ଓ ଗଣ୍ଡଗୋଳ ଦେଖି ମୁଁ ଅତିମାତ୍ରାରେ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲି । କଥା କହିଲେ କାଳେ ବେଶି କିଛି ବିପଦ ଘଟିବ ଏଥିଲାଗି ମୁଁ ମୁଁ ଆଉ କିଛି ନ କହି ତୂନୀ ହୋଇ ରହିଲି । ମୁଁ ଧାରଣା କରି ପାରିଲି ନାହିଁ ମୋର ଜାତିଭାଇ, ମୋର ଦେଶବାସୀ ବଣିକମାନେ ଏଡ଼େ ପ୍ରାଣରଙ୍କ ଓ ମୂଢ଼ ହୋଇ ପାରନ୍ତି । ମୁଁ କେତେ ବାଣିଜ୍ୟ କରିଚି, କେତେ ଓଡ଼ିଆ ବଣିକଙ୍କ ସହିତ ବିଦେଶ କରିଚି, କିନ୍ତୁ ଏପରି ଗୁଡ଼ାଏ ଅପଦାର୍ଥ କାପୁରୁଷଙ୍କ ସହିତ କଦାପି ମିଶି ନ ଥିଲି । ଏମାନେ ନିଜର ତୁଚ୍ଛ ପ୍ରାଣ ଲାଗି ଓଡ଼ିଆ ନାମରେ, ନିଜ ଦେଶ ନାମରେ ଓ ଗଜପତି ରାଜାଙ୍କ ନାମରେ କାଳି ଲଗାଇ ଦେଇ ପାରନ୍ତି । କଥାଗୁଡ଼ାକ ମୂଳରୁ ଶେଷଯାଏ ଭାବୁ ଭାବୁ ମୋର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ରାଗରେ ଜଳିବାକୁ ଲାଗିଲା ।

 

ଯଥାସମୟରେ ସକାଳ ହୋଇଗଲା । ଆମର ଜାହାଜଗୁଡ଼ାକ ଏତେବେଳକୁ ସମୁଦ୍ରର ବହୁଦୂର ଭିତରକୁ ଆସି ଯାଇଥିଲା । ଚାରିଆଡ଼କୁ ଅନାଇଲେ କେବଳ ଦିଗ୍‌ବଳୟ ଛଡ଼ା ଦୂର ଭୂମିର କୌଣସି ଚିହ୍ନ ପର୍ଯ୍ୟନ୍ତ ଦେଖା ଯାଉ ନ ଥିଲା । ଦସ୍ୟୁ ଜାହାଜ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ଆମ୍ଭେମାନେ ଦୂର ସମୁଦ୍ର ଗର୍ଭରେ ସମ୍ପୂର୍ଣ୍ଣ ନିରାପଦ ହେଲେ ସୁଦ୍ଧା, ପାଷାଣ୍ଡଗୁଡ଼ାକ ମୋର ବନ୍ଧନ ଖୋଲି ଦେଲେ ନାହିଁ । ମୁଁ ବହୁବେଳରୁ ମାସ୍ତୁଲ ଖୁଣ୍ଟଟାରେ ବନ୍ଧା ହୋଇ ବଡ଼ କଷ୍ଟ ପାଇବାକୁ ଲାଗିଲି । ଆଉ ସହି ପାରିଲି ନାହିଁ । ରାଗରେ କହିଲି “ତାମ୍ରଲିପ୍ତବାସୀମାନେ, ମୁଁ ମନେ କରିଥିଲି, ତୁମେମାନେ ନିରୀହ ବଣିକ । କିନ୍ତୁ ଦେଖୁଚି, ତୁମେମାନେ ବଣିକ ନୁହଁ, ଗୁଡ଼ାଏ ଦସ୍ୟୁ । ତୁମେମାନେ ସେହି ଦସ୍ୟୁମାନଙ୍କର ସଙ୍ଗରେ ରହି ଆମ୍ଭମାନଙ୍କୁ ଠକିବାକୁ ଆସିଥିଲ । ତୁମରିମାନଙ୍କ ମନ୍ତ୍ରଣାରେ, ତୁମରିମାନଙ୍କ ଠକାମିରେ ମୋର ସଙ୍ଗୀ ବଣିକମାନେ ଓ ନିଜର ନାଉରୀମାନେ ମୋର ଶତ୍ରୁ ହୋଇଅଛନ୍ତି । ଯେତେବେଳେ ସମସ୍ତେ ମିଳିମିଶି ଦସ୍ୟୁମାନଙ୍କୁ ଦମନ କରିବାର କଥା, ତୁମେମାନେ ସେତେବେଳେ ଜାହାଜଗୁଡ଼ିକ ଏତେ ଭିତରକୁ ନେଇ ଆସିଚ-ଆମକୁ ମାରି ଆମ ଧନସମ୍ପତ୍ତି ଲୁଟି କରିନେବାପାଇଁ । ମୋର ସଙ୍ଗୀମାନେ ନିତାନ୍ତ ପାଗଳ, ନିତାନ୍ତ ମୂର୍ଖ । ତାହା ନ ହେଲେ ତୁମ କଥାରେ ପଡ଼ି ତୁମର ସହାୟ ହୁଅନ୍ତେ ? ଆଚ୍ଛା ହଉ, ଏହାର ଉଚିତ ଫଳ ପାଇବ । ଠକାମିର ଠିକ୍‌ ପୁରସ୍କାର ତୁମ ହାତେ ହାତେ ଧରାଇ ଦେବି ।”

 

ତାହା ପରେ ମୋର ସଙ୍ଗୀ ବଣିକ ଓ ନାଉରୀମାନଙ୍କୁ ଲକ୍ଷ୍ୟ କରି କହିଲି, “ତୁମ୍ଭେମାନେ ମୋ ଜାହାଜରେ ଆସିଥିଲ । ଏ ଜାହାଜର ମୁଁ ମାଲିକ, ମୁଁ ଅଧ୍ୟକ୍ଷ । ତୁମ୍ଭମାନଙ୍କର ମୋ ଆଦେଶ ଓ ଉପଦେଶ ଅନୁସାରେ କାର୍ଯ୍ୟ କରିବା ଉଚିତ ଥିଲା । ତାହା ପରିବର୍ତ୍ତେ ତୁମେ ଗୁଡ଼ାଏ ଦସ୍ୟୁଙ୍କ କଥାରେ ପଡ଼ି ମୋ ଉପରେ ଅତ୍ୟାଚାର କରିଚ, ମୋତେ ଏ ପର୍ଯ୍ୟନ୍ତ ବାନ୍ଧି ରଖିଚ । ଗଜପତିଙ୍କର ସମୁଦ୍ର ବାଣିଜ୍ୟ ଆଇନ ଓ କଟୁଆଳର ବେତ, ଏଥିପ୍ରତି ସ୍ମରଣ ରଖିଥାଅ । ନାଉରୀଗୁଡ଼ାକ ମୋର ଖାଇ ମୋର ଶତ୍ରୁ ହୋଇଛନ୍ତି । ରହ, ରହ, ପୁରୀରୁ ଫେରିଲେ ତୁମ୍ଭଙ୍କୁ ଗୋଟି ଗୋଟି କରି ଫାଶୀ ଦିଆଇବି ।”

 

ମୋର ଏଇସବୁ କଥା ଶୁଣି ସମସ୍ତେ ଉତ୍ତେଜିତ ହେଲେ । କେତେଜଣ ତାମ୍ରଲିପ୍ତବାସୀ ମୋତେ ମାରିବାକୁ ଦୌଡ଼ି ଆସିଲେ । ନାଉରୀମାନେ ମଧ୍ୟ ତାଙ୍କ ତରଫ ଧରିଲେ । ଗୋଟାଏ ଲୋକକୁ ବେଢ଼ି ଏତେଗୁଡ଼ାଏ ଲୋକ ଯେତେବେଳେ ମାଡ଼ ମାରିଲେ, ସେତେବେଳେ ସେଠାରେ ମୋ ପାଇଁ ଟିକିଏ ଆହା ବୋଲିବାକୁ କେହି ନ ଥିଲା । ମୋତେ ମାଡ଼ ମାରିବାପରେ କଥାଟା ଆହୁରି ମୋଟ ହେଲା । ଆହୁରି ଗୁରୁତର ହେଲା । କ୍ରମେ ଜାହାଜଯାକ ଚାରିଆଡ଼େ ବିଷମ ଗଣ୍ଡଗୋଳ ଉପସ୍ଥିତ ହେଲା । ନିଜର ଧନପ୍ରାଣ ରକ୍ଷା କରିବାକୁ ଯାଇ ଶେଷରେ ଏଇ ଯେ କାଣ୍ଡଟି ଘଟିଗଲା, ଗଜପତିଙ୍କ ହାତରେ ତା’ର କି ଫଳ ଫଳିବ ଏଇ ବିଷୟ ନେଇ ଅନେକେ ଚିନ୍ତିତ ହେଲେ । ଚାରିଆଡ଼େ ତର୍କ ବିତର୍କ ଚାଲିଲା । ମୁଁ କିନ୍ତୁ ମାଡ଼ ଖାଇ, ଖୁଣ୍ଟରେ ବାନ୍ଧି ହୋଇ ତୁନୀ ହୋଇ ପଡ଼ିଥାଏଁ । କିଛିସମୟ ପରେ ମୋ ମନରେ ଉଠିଲା, ମୋ ଦେଶବାସୀ ମୋର ଜାତିଭାଇ ଓ ମୋର ନିଜର ଲୋକ ମୋ ଉପରେ କି ଅଯଥା ଅତ୍ୟାଚାର ନ କଲେ ! ଏ କଥା ଭାବୁ ଭାବୁ ମୋତେ କାନ୍ଦ ମାଡ଼ିଲା । ମୁଁ ବଡ଼ ପାଟିରେ କାନ୍ଦିବାକୁ ଲାଗିଲି । ଗଜପତିଙ୍କ ରାଜ୍ୟର ପବନ, ତାଙ୍କ ରାଜ୍ୟର ସମୁଦ୍ର ପାଣି ଓ ତାଙ୍କ ରାଜ୍ୟର ସୂର୍ଯ୍ୟ କିରଣ ମୋର ସେ ବ୍ୟସ୍ତ ବିକଳ କ୍ରନ୍ଦନ ଶୁଣିଥିଲେ-

 

ମୁଁ ଭାବିଥିଲି, ମୋର କାନ୍ଦିବା ଦେଖି ନିର୍ଦ୍ଦୟ ଲୋକଗୁଡ଼ାକ ତରଳି ଯାଇ ପାରନ୍ତି । କିନ୍ତୁ ତାହା ହେଲା ନାହିଁ । କ୍ରମେ କ୍ରମେ ଅବସ୍ଥା ଗରୁତର ହେବାକୁ ଲାଗିଲା । ଆହୁରି ଦୂର ବିଦେଶରେ ଏପରି ଘଟଣା ଘଟିଥିଲେ, ସେମାନେ ମୋତେ ଜୀବନରେ ମାରି ଦେଇଥାନ୍ତେ । ତାହାହେଲେ ସେମାନଙ୍କର ଆଉ ଆଇନ ଭୟ ନ ଥାନ୍ତା । କିନ୍ତୁ ନିଜ ରାଜ୍ୟ ସୀମାରେ ଏତେ ବଡ଼ କାଣ୍ଡ କରିଦେବାକୁ ସେମାନଙ୍କର ସାହସ ହେଲାନାହିଁ । ସେଠାରେ ମୋତେ ଜୀବନରେ ମାରି ଦେଇଥିଲେ ବୋଧହୁଏ ଭଲ ହୋଇଥାନ୍ତା । ଶେଷରେ ମୋ ପ୍ରତି ନିଷ୍ଠୁର ବ୍ୟବହାର କଲେ, ସେଥିରେ କୌଣସି ମନୁଷ୍ୟ ଧୈର୍ଯ୍ୟ ଧରି ରହି ପାରିବ ନାହିଁ । ସେ କଥା କୌଣସି ମନୁଷ୍ୟ ବିଶ୍ୱାସ କରିବ ନାଇଁ ।

Unknown

 

ମୋତେ ଜୀବନରେ ନ ମାରି ସେମାନେ ସ୍ଥିର କଲେ, ମୋତେ ଏକାକୀ ଛାଡ଼ି ଚାଲିଯିବେ । ମୁଁ ମୋ ଜାହାଜରେ ମୋର ଭାଗ୍ୟ ଆଦରି ରହିବି । ସେମାନେ ଆହୁରି ସ୍ଥିର କଲେ, ଆବଶ୍ୟକ ହେଲେ ସେମାନେ ଗଜପତିଙ୍କ ଦରବାରରେ ମୋ ସମ୍ୱନ୍ଧରେ ନାନା କାଳ୍ପନିକ କଥା କହି ଆତ୍ମରକ୍ଷା କରିବେ । ସେମାନେ ମନେ କଲେ, ମୁଁ ଏକାକୀ ଜାହାଜରେ ରହିଲେ ଜାହାଜଟି ଛାଏଁ ଛାଏଁ ବୁଡ଼ିଯିବ ଓ ମୁଁ ମଧ୍ୟ ମରିଯିବି । ତା’ହେଲେ ମୁଁ ଆଉ ଗଜପତିଙ୍କ ପାଖରେ ନାଲିଶ କରିବାର ବିପଦ ନ ଥିବ ।

 

ସମସ୍ତେ ଏ ପ୍ରସ୍ତାବରେ ଭିତରେ ଭିତରେ ରାଜି ହୋଇଗଲେ । ସୁଦୂର ସମୁଦ୍ର ଗର୍ଭରେ ଜାହାଜଗୁଡ଼ିକ ନଙ୍ଗର କଲା । ମୋର ସଙ୍ଗୀ ବଣିକମାନେ ସେମାନଙ୍କ ନିଜ ନିଜର ସମ୍ପତ୍ତି ନେଇ ତାମ୍ରଲିପ୍ତବାସୀଙ୍କର “କଳିଙ୍ଗ” ନାମକ ଜାହାଜରେ ରଖିଲେ । ନାଉରୀ ଓ ବଣିକମାନଙ୍କ ମଧ୍ୟରୁ କେତେକ କଳିଙ୍ଗରେ, ଆଉ କେତେକ “ତାମ୍ରଲିପ୍ତ” ନାମକ ଜାହାଜରେ ଆଶ୍ରୟ ନେଲେ । ଦେଖୁ ଦେଖୁ ମୋ ଜାହାଜରୁ ଜିନିଷ ଓ ମନୁଷ୍ୟ ଶୂନ୍ୟ ହୋଇଗଲେ । ଶେଷ ନାଉରୀଟି ପାରଜାତର ନଙ୍ଗର ଉଠାଇ ଦେଇ ଓ ମୋର ବନ୍ଧନ ଫିଟାଇ ଦେଇ ଅନ୍ୟ ଜାହାଜକୁ ଚାଲିଗଲା । ମୁଁ ବନ୍ଧନମୁକ୍ତ ହୋଇ ଜାହାଜଯାକ ଏଣେ ତେଣେ ଦୌଡ଼ି ଦୌଡ଼ି ସେମାନଙ୍କୁ ପ୍ରାର୍ଥନା କଲି । ମୋତେ ସାଙ୍ଗରେ ନେବାଲାଗି ସେମାନଙ୍କୁ ଯେତେ ନମ୍ର ଓ କାତର ଭାବରେ ଡାକିଲି, କେହି ମୋ କଥାରେ କାନ ଦେଲା ନାହିଁ । ସେମାନଙ୍କ ଜାହାଜ କ୍ରମାଗତ ଚାଲିଲା । କ୍ରମେ କ୍ରମେ ସେମାନେ ଦୂରରୁ ଦୂରତର ହେଲେ । ଦେଖୁ ଦେଖୁ ଜାହାଜ ଦୁଇଖଣ୍ଡି ଦୂର ଦିଗ୍‌ବଳୟର ଅସୀମ ରେଖାତଳେ ଲୁଚିଗଲା ।

 

ମୁଁ ଏକା ହୋଇ ରହିଲି । ଏତେ ବଡ଼ ଜାହାଜଟାଏ ! ଦୂର ସମୁଦ୍ରଗର୍ଭରେ ରହି ଏକୁଟିଆ କ’ଣ କରିବି ? କେଉଁଆଡ଼େ ଯିବି ? କିଏ ମୋତେ ରକ୍ଷା କରିବ ? ଏହି କଥାଗୁଡ଼ାକ ଭାଳୁ ଭାଳୁ ମୋ ଛାତି ଭୟରେ ଥରିବାକୁ ଲାଗିଲା । ମୋର ଅତି ଆଦରର, ଅତି ସ୍ନେହର ‘ପାରିଜାତ’ ତରଙ୍ଗମାଡ଼ରେ କାତର ହୋଇ ଏଣେତେଣେ ଘୂରିବାକୁ ଲାଗିଲା । ମୋର ଯେଉଁ ବୋଇତଟି ସମୁଦ୍ରର ଭୀଷଣତା ଓ ଅଟ୍ଟହାସ୍ୟ ପ୍ରତି ଭ୍ରୂକ୍ଷେପ ନ କରି ଅଗାଧ ଜଳରାଶିକୁ ଆଲୋଡ଼ନ କରି ଚାଲିଥିଲା, ତା’ର ଆଜି ଏ ଦଶା ! ମୋତେ ପୁଣି କାନ୍ଦ ମାଡ଼ିଲା । ମୁଁ ବିକଳ ହୋଇ ଏକୁଟିଆ ବସି କାନ୍ଦିଲି । ପାଣିର କଳକଳ ଶବ୍ଦ ଶୁଣି ମୋତେ ବୋଧ ହେଲା, ସତେ ଯେପରି ପାରିଜାତ ମୋର କାନ୍ଦ ଦେଖି ନିଜେ କାନ୍ଦିବାକୁ ଲାଗିଲା । ସତେ ଯେପରି ମାସ୍ତୁଲ ଚକ୍ରଦେହରେ ପବନ ସାଇଁ ସାଇଁ ଶବ୍ଦରେ ଘଷି ହୋଇ କାନ୍ଦିବାକୁ ଲାଗିଲା ।

 

ମାସ୍ତୁଲ ଦେହରେ ପବନ ପିଟି ହେବାରୁ ଜାହାଜଟି ମୋର କେତେବେଳେ ଦକ୍ଷିଣକୁ, କେତେବେଳେ ପୂର୍ବକୁ ବରାବର ଗତି କରୁଥାଏ । ମୋର କିଛି ବଳ ନ ଥିଲା । ମୁଁ କେବଳ ଥରେ ଥରେ ଦିଗବାରଣ ଯନ୍ତ୍ରକୁ ଦେଖି ଜାହାଜ କେଉଁଦିଗକୁ ଭାସି ଯାଉଚି, ସେତିକି ଠିକ୍‌ କରୁଥାଏଁ । ଆଜି ଏ ଅକୂଳ ସମୁଦ୍ର ମଧ୍ୟରେ ପାରିଜାତ ମୋର ଏକମାତ୍ର ଆଶ୍ରୟ । ତାରି ବକ୍ଷରେ ହୁଏତ ମୋର ଜୀବନ ସମାଧି, ନଚେତ୍‌ ମୁକ୍ତି । ପବନ ବେଶୀ ହେଲେ କିମ୍ୱା ତରଙ୍ଗ ମାଡ଼ ଦେଖିଲେ ମୁଁ ଦୌଡ଼ିଯାଇ ଜାହାଜ ମଙ୍ଗରେ ଥିବା ଠାକୁର ଠାକୁରାଣୀଙ୍କ ଆଗରେ ଲମ୍ୱହୋଇ ପଡ଼ିଯାଏଁ ଏବଂ କାତର ଭାବରେ ପ୍ରାର୍ଥନା କରି କହେଁ, “ପ୍ରଭୁ, ଏ ଅକୂଳ ସମୁଦ୍ରରୁ, ଏ ନିରାଶ୍ରୟ ଅବସ୍ଥାରୁ ମୋତେ ରକ୍ଷା କର, ମୋର ପାରିଜାତକୁ ରକ୍ଷା କର । ନାହିଁ ଯଦି ସବୁ ଧ୍ୱସଂ ହେବା ଆପଣଙ୍କର ବରାଦ ଥାଏ, ତାହାହେଲେ ପାରିଜାତ ସମୁଦ୍ରଗର୍ଭରେ ଲୀନ ହେବା ପୂର୍ବରୁ ମୋର ଅନ୍ତିମ ନିଃଶ୍ୱାସ ଯେପରି ଅନନ୍ତ ଆକାଶତଳେ ସୀମାହୀନ ବାୟୁମଣ୍ଡଳ ମଧ୍ୟରେ ମିଶିଯାଏ ।”

 

ମୋର ଏହିପରି କାତର ପ୍ରାର୍ଥନା ପରେ ବତାସର ଜୋର ଓ ଢେଉର ଚାପ କମିଯାଏ । ତାହା ପରେ ମୋତେ ଜଣା ଯାଏ, ପାରିଜାତ ଯେପରି କହୁଅଛି, “ବାବୁ, ଭୟ କରନାହିଁ , କାତର ହୁଅନାହିଁ, କାନ୍ଦ ନାହିଁ । ମୁଁ ତୁମ୍ଭଙ୍କୁ ଛାତିରେ ଧରି ଏ ବିପଦପୂର୍ଣ୍ଣ ଅକୂଳ ସମୁଦ୍ର ପାର ହୋଇଯିବି ।” ଏହିପରି ଗୋଟିଏ କାଳ୍ପନିକ ଆଶ୍ୱାସନାରେ ମୁଁ ପାଗଳଙ୍କ ପରି ଜାହାଜର ଏ ମୁଣ୍ଡୁ ସେ ମୁଣ୍ଡ ଯାଏଁ ଗଡ଼ିଯାଏଁ । ଦିନ ଚାଲିଯାଏ, ରାତି ଆସେ । ରାତି ଚାଲିଯାଏ, ପୁଣି ଦିନ ଆସେ । ସୂର୍ଯ୍ୟ ଚାଲିଯାଏ, ଚନ୍ଦ୍ର ଆସେ । ଚନ୍ଦ୍ର ବୁଡ଼ିଯାଏ, କିନ୍ତୁ କୋଟି କୋଟି ତାରା ଆକାଶରେ ମିଟି ମିଟି କରନ୍ତି । କାଳର ଗତି ବନ୍ଦ ନାହିଁ । ମୋ ଗତିର ମଧ୍ୟ ବିରାମ ନାହିଁ । ବିଷମ ଜଳଜନ୍ତୁମାନଙ୍କର ସାମୟିକ ଡିଆଁଡ଼େଇଁ, ସମୁଦ୍ରର ଅଟ୍ଟହାସ୍ୟ ଓ ଥରେ ଥରେ ପବନର ଗର୍ଜ୍ଜନ ଶୁଣି ଶୁଣି ମୋ ପିଣ୍ଡର ପ୍ରାଣ ବାହାରିଗଲା ପରି ହେଉଥାଏ ।

 

ମୁଁ ଖରାବେଳେ ମାସ୍ତୁଲ ଛାୟାରେ ପଡ଼ିଥାଏଁ । ରାତି ହେଲେ ଉପରେ ଶୋଇ ରହେଁ କିମ୍ୱା ତଳକୁ ଖସିପଡ଼େଁ । ନିର୍ଧୁମ ଭୋକ ହେଲେ ପୋଡ଼ାପେଟରେ କିଛି ଖାଦ୍ୟ ଭର୍ତ୍ତି କରେଁ । ମନୁଷ୍ୟ ମନୁଷ୍ୟକୁ କ’ଣ ନ କରେ ? ମୋର ନିଜର ଭାଇମାନେ ମୋତେ ସତକୁ ସତ ଅକୂଳ ଦରିଆ ଭିତରେ ଏକା କରି ଛାଡ଼ି ଦେଇଗଲେ । ମୋ ବେକରେ ଛୁରୀ ଦେଇଗଲେ । ମୁଁ ମୋର ଏକମାତ୍ର ପାରିଜାତଟିକି ଧରି ସଂସାର ଓ ସମୁଦ୍ର ପାରି ହେବାକୁ ବସିଚି ସିନା ! ମନକୁ ମନ ଯେତେ ଆଶ୍ୱାସନା ଦେଲେ ସୁଦ୍ଧା କେଜାଣି କାହିଁକି ଧୈର୍ଯ୍ୟ ଧରି ହେଉ ନ ଥାଏ । ମୁଁ କୁଆଡ଼କୁ ଯାଉଚି, କଣ କରିବି–ଏସବୁ କଥା ଯେତେବେଳେ କିଛି ଜାଣି ପାରୁନାହିଁ, ସେତବେଳେ ମୋର ଶାନ୍ତି କାହିଁ ? ମୁଁ ଚରିଆଡ଼କୁ ଚାହଁ ଚାହିଁ ଅଜସ୍ର ଅଶ୍ରୁଜଳ ଢାଳିଦିଏଁ । ସେଥିରେ ପାରିଜାତର ଛାତି ବା ମୁଣ୍ଡ ଓ ମଙ୍ଗ ଓଦା ହୋଇଯାଏ ।

 

ମହୋଦୟଗଣ ! ଆଉ ସେ ଦୁଃଖର କାହାଣୀ କେତେ କହିବି ? ସେ ସମୟର ମନର ବେଦନା ଓ ଭାବନା କହିଲେ ସରିବ ନାହିଁ । ଅଦ୍ୟାପି ସେ କଥା ମନେ ପଡ଼ି ଦେହ ଥରି ଯାଉଚି । ମୁଁ ଏହିପରି ନିରାଶ୍ରୟ ଅବସ୍ଥାରେ କେତେଦିନ କଟାଇଲି, ତା’ର ହିସାବ ଦେଇ ପାରିବି ନାହିଁ । ଦିନ ପରେ ଦିନ, ମାସ ପରେ ମାସ ବିତିଗଲା । ତଥାପି ମୋର ଦୁଃଖ ସରିଲା ନାହିଁ । ଜାହାଜଟି ବରାବର ପୂର୍ବ ଦିଗକୁ ମାଡ଼ି ଚାଲିଥାଏ । ବେଳେବେଳେ ଦକ୍ଷିଣକୁ ମଧ୍ୟ କିଛି ଦୂର ଚାଲିଥାଏ । ଜାହାଜର ଗତି କେବଳ ପବନବଳରେ ହେଉଥାଏ । ସେଥିରେ ମୋର କିଛି ହାତ ନଥିଲା । ଏତେଦିନ ଚାଲିଲି, ତଥାପି ଗୋଟିଏ ଦ୍ୱୀପ ଦେଖିଲି ନାହିଁ ବା କୌଣସି ଦେଶର ଚିହ୍ନ ପାଇଲି ନାହିଁ-। ମନେକଲି, ମୁଁ କ୍ରମେ କ୍ରମେ ଦରିଆ ଭିତରକୁ ଭିତରକୁ ଯାଉଚି । ହୁଏତ ଦିନେ ପୃଥିବୀର ଶେଷସୀମାରେ ପହଞ୍ଚିବି । ତା’ହେଲେ ସେହିଠାରେ ପାରିଜାତକୁ ସାଙ୍ଗରେ ଧରି ଅନନ୍ତ ମୁକ୍ତି ଲାଭ କରିବି । ମୁଁ କଣ କରିବି ? ଆସୁ ମୃତ୍ୟୁ ! ଆସୁ ସର୍ବନାଶ ! ଆସୁ ଧ୍ୱଂସ ! ନୀଳାଚଳନାଥ ଦେଖୁଥାନ୍ତୁ, ନୀଳଚକ୍ର ଦେଖୁଥାଉ, ଏକାମ୍ରକାନନର ତ୍ରିଶୂଳ ଦେଖୁଥାଉ, ବୀର ଶ୍ରୀ ଗଜପତିଙ୍କର ଅଟଳ ବାତ୍ସଲ୍ୟ ପୂର୍ଣ୍ଣ ଶାସନ ଦେଖୁଥାଉ, ସୂର୍ଯ୍ୟ, ଚନ୍ଦ୍ର ଓ ଅଗଣିତ ତାରକା ଦେଖୁଥାନ୍ତୁ, ରଣବୀର ମନୁଷ୍ୟର ଅତ୍ୟାଚାରରେ, ନିଜ ଦେଶବାସୀଙ୍କ ଅବିଚାରରେ, ପୃଥିବୀର ସେ ପାଖେ ନିଜର ଏକମାତ୍ର ଆଶ୍ରୟ ପାରିଜାତ ଖଣ୍ଡିକି ସାଙ୍ଗରେ ନେଇ ହସି ହସି ମୃତ୍ୟୁକୁ ବରଣ କରିବ । ଆଉ ଭୟ କଅଣ ? ସବୁ ଚାଲିଯାଇଛି ! ମାୟା, ମମତା, ସ୍ନେହ, ସଂସାର-ସବୁ ଆଜି ମୋ ପଛରେ ପଡ଼ି ସାରିଲାଣି । ଆଉ ପଛକୁ ଫେରି ଚାହିଁବି କାହିଁକି ? ଚାଲ ପାରିଜାତ, ସାଗର ଭେଦ କରି ଚାଲ; ତୋହରି ବକ୍ଷରେ, ମୋର ଜୀବନର ଲୀଳା ଶେଷ ହେଉ; ମାୟା, ମମତା ଓ ଜଞ୍ଜାଳର ଚିରସମାଧି ହେଉ ।

 

ଏହିପରି ବିପଦ, ଦୁଃଖ ଯନ୍ତ୍ରଣା ମଧ୍ୟରେ କେତେଦିନ କଟିଗଲା, ତା’ର ହିସାବ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ଅନୁଗ୍ରହରୁ ମୋତେ ଜଣାଗଲା, ଯେପରି କି ମୋର ଦୁଃଖର ଦିନ ସରିଯାଇଚି । ଦିନେ ଦ୍ୱିପ୍ରହର ସମୟରେ ମୁଁ ମାସ୍ତୁଲ ଛାୟାରେ ଶୋଇ ପଡ଼ିଥିଲି । ହଠାତ୍‌ କାହିଁକି ନିଦ ଭାଜିଗଲା-। ଉଠିପଡ଼ି ଜାହାଜ ଉପରେ ଏଣେତେଣେ ବୁଲିବାକୁ ଲାଗିଲି । ବୁଲୁ ବୁଲୁ ଦେଖିଲି, କେତେଗୁଡ଼ାଏ ଘାସ ପାଣିରେ ଭାସୁଚି । ପୁଣି କିଛି ସମୟ ପରେ ଦେଖିଲି, କେତେଗୁଡ଼ାଏ ସ୍ଥଳ ଲତାପତ୍ର ଓ ଗଛର ଡାଳ ଏଣେତେଣେ ଭାସୁଚି । ଆହୁରି ଦେଖିଲି, ମାଟିଆଚିଲ, କୁଆ, ମାଛରଙ୍କା ପ୍ରଭୁତି କେତେକ ସ୍ଥଳଚର ପକ୍ଷୀ ସମୁଦ୍ର ଉପରେ ଉଡ଼ି ଉଡ଼ି ବୁଲୁଚନ୍ତି । ଏ ସବୁ ଦେଖି ମୁଁ ମନେକଲି, ନିକଟରେ ନିଶ୍ଚୟ କୌଣସି ସ୍ଥଳଭାଗ ଅଛି । ମୁଁ ଆନନ୍ଦରେ ଚିତ୍କାର କରି ଉଠିଲି । ଏତେଦିନ ପରେ ପୁଣି ମାଟି ଓ ମନୁଷ୍ୟ ଦେଖି ପାରିବି ବୋଲି ଆଶା କରି ଆନନ୍ଦରେ ଅଧୀର ହୋଇ ପଡ଼ିଲି ।

 

ଏତିକି ବେଳକୁ ପୂର୍ବପବନ ବନ୍ଦ ହୋଇ ବରାବର ଦକ୍ଷିଣା ପବନ ବହିଲା । ମୁଁ ସେହି ପବନ ବଳରେ ସ୍ଥଳଭାଗ ଅର୍ଥାତ୍‌ ଉତ୍ତର ଆଡ଼କୁ ଆକୃଷ୍ଟ ହେଲି । କ୍ରମେ କ୍ରମେ ଯହୁଁ ଯହୁଁ ସେହି ଦିଗରେ ଦୂରକୁ ଗଲି, ସ୍ଥଳଭାଗର ଚିହ୍ନ ମୋତେ ଅଧିକରୁ ଅଧିକତର ଦେଖାଗଲା । ମୁଁ ଆଶା ଓ ଆନନ୍ଦରେ ନାଚି ଉଠିଲି । ସତକୁ ସତ ଦିନେ ସୂର୍ଯ୍ୟ ପ୍ରାୟ କିଛି ଉପରକୁ ଉଠିଚନ୍ତି, ଏହି ସମୟରେ ଏକ ପ୍ରକାଣ୍ଡ ଦେଶ ମୋତେ ଦୂରରୁ ଦେଖାଗଲା । ପାରିଜାତ ପବନ ବଳରେ କ୍ରମେ କ୍ରମେ ଏହି ଦେଶର ନିକଟବର୍ତ୍ତୀ ହେବାରୁ ମୁଁ ଦେଖିଲି, ଏହିଠାରେ ଗୋଟିଏ ପ୍ରକାଣ୍ଡ ନଦୀ ନିଜର ଜଳ ନେଇ ସମୁଦ୍ର ସହିତ ମିଶିଯାଉଚି । ନଦୀଜଳ ଗୋଟିଏ ପ୍ରକାଣ୍ଡ ସ୍ରୋତରେ ମିଶି ଯାଉଥିଲା । ମାତ୍ର ସ୍ରୋତ ଓ ତରଙ୍ଗର ଆଘାତ ଫଳରେ ଆହୁରି ଗୋଟିଏ ଲେଉଟା ସ୍ରୋତ କୂଳ ଆଡ଼କୁ ବହି ଯାଉଥିଲା । ପାରିଜାତ ଏହି ସଙ୍ଗମସ୍ଥଳରେ ପଡ଼ି ଅନେକବେଳଯାଏଁ ଏପଟ ସେପଟ ହେଲା । ଶେଷରେ ଭାଗ୍ୟବଳରୁ ମୁଁ ଲେଉଟା ସ୍ରୋତରେ ପଡ଼ି ହଠାତ୍‌ କୂଳକୁ ଲାଗିଗଲି । ମୁଁ ଆଗରୁ ସାବଧାନ ଥିଲି-। ସୁତରାଂ ଜାହାଜଟି ମାଟିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ହଠାତ୍‌ ତଳକୁ ଡେଇଁ ପଡ଼ିଲି । ନଦୀର ମୁହାଣ ନିକଟରେ ମାଟିକୁ ଲାଗି ଏହି ସ୍ଥାନରେ ଖୁବ୍‌ ଗଭୀର ଜଳ ଥିଲା । ନଚେତ୍‌ ଜାହାଜଟି କୂଳରେ ବାଜି ନିଶ୍ଚୟ ଫାଟି ଯାଇଥାନ୍ତା । ଯାହାହେଉ, ମୁଁ ନିର୍ବିଘ୍ନରେ ତଳକୁ ଆସି ଲୁହା ଜଞ୍ଜିର ସାହାଯ୍ୟରେ ଜାହାଜକୁ ନିକଟରେ ଥିବା ଗୋଟିଏ ପ୍ରକାଣ୍ଡ ଗଛ ଦେହରେ ବାନ୍ଧି ରଖିଲି । ତାହା ପରେ ନଙ୍ଗର ପକାଇ ଦେଲି । ଜାହାଜଟି ଆଉ କେଉଁ ଆଡ଼େ ଭାସିଯିବାର ଭୟ ନ ଥିଲା ।

 

ମୁଁ ଏ ଯେଉଁସ୍ଥାନରେ ଓହ୍ଲାଇଲି, ସେଠାରୁ ମନୁଷ୍ୟର ବିନା ସାହାଯ୍ୟରେ ଆଉ ସମୁଦ୍ର ଭିତରକୁ ଗୋଡ଼ କାଢ଼ିବାକୁ ସାହାସ କଲି ନାହିଁ । ମାତ୍ର ଗୋଟିଏ ବିପଦରୁ ଉଦ୍ଧାର ପାଇ ଆଉ ଗୋଟିଏ ବିପଦରେ ପଡ଼ିଲି । ଏହି ସ୍ଥାନକୁ ଘେରି ନିବିଡ଼ ଜଙ୍ଗଲ ଛିଡ଼ା ହୋଇଚି । ମନୁଷ୍ୟର ଆଦୌ ସମାଗମ ନାହିଁ । ଯେଉଁଠାରେ ମନୁଷ୍ୟର ପାଦ ପଡ଼େ ନାହିଁ, ସେପରି ନିବିଡ଼ ଜଙ୍ଗଲରେ, ନଦୀ ମୁହାଣରେ, ସମୁଦ୍ର କିନାରାରେ ନାନା ହିଂସ୍ରଜନ୍ତୁ ରହିଥିବା ସ୍ୱାଭାବିକ । କେତେବେଳେ କେଉଁ ଜନ୍ତୁର ହାବୁଡ଼ରେ ପଡ଼ି ପ୍ରାଣ ବାହାରି ଯାଇ ପାରେ, ଏଥିପାଇଁ ମୁଁ ଜଙ୍ଗଲ ଭିତରେ ଖୁବ୍‌ ସାବଧାନ ଭାବରେ ବୁଲେଁ ଏବଂ ବିଶ୍ରାମ ନେଲାବେଳେକୁ ଜାହାଜ ଉପରକୁ ଚାଲିଆସେଁ ।

 

କିନ୍ତୁ ଏ କେଉଁ ଦେଶ ବା କେଉଁ ନଦୀ, ତାହା ଠିକ୍‌ କରିବା କଠିନ । ମୁଁ ନାନାକଥା କଳ୍ପନା କରୁଥିଲି । ସେ ଯାହାହେଉ ମାଟିର ମଣିଷ ମୁଁ । ମାସ ମାସ ଧରି ସମୁଦ୍ରରେ ଭାସିଲା ପରେ ଯେତେବେଳେ ଦେଶ ପାଇଲି, ମାଟି ପାଇଲି, ଆଉ ଚିନ୍ତା କ’ଣ ? ମୋ ମନରେ ସାହସ ଓ ଉତ୍ସାହ ଆସିଲା । ମୁଁ ଦୁଇଚାରିଦିନ ପର୍ଯ୍ୟନ୍ତ ତୂନୀ ହୋଇ ବିଶ୍ରାମ ନେଲା ପରେ ଟିକିଏ ଏଣେତେଣେ ବୁଲି ଏହି ଦେଶ ସମ୍ୱନ୍ଧରେ କିଛି ନୂଆ କଥା ଆବିଷ୍କାର କରିବାକୁ ବାହାରିଲି । ପ୍ରତିଦିନ ଖୁବ୍‌ ଗୁଡ଼ାଏ ଏଣେତେଣେ ବୁଲି ବୁଲି ଆସେଁ । କିନ୍ତୁ ଯେତେଦୂର ଗଲି, ଜଙ୍ଗଲ ଭେଦ କରି ଆଉ ଖୋଲା ଜାଗା, ଗ୍ରାମ ବା ମନୁଷ୍ୟର ସଞ୍ଚାର କିଛି ଦେଖିଲି ନାହିଁ । ପ୍ରତିଦିନ ବୁଲି ବୁଲି ନିରାଶ ହୋଇ ଜାହାଜକୁ ଫେରି ଆସେଁ ।

 

ଏହିପରି ପ୍ରାୟ ଦଶବାର ଦିନ କଟିଗଲା । ଦିନେ ସକାଳୁ ଖାଇସାରି ଖୁବ୍‌ ସାହସରେ ଜଙ୍ଗଲର ବହୁଦୂରକୁ ଚାଲିଗଲି । ଏଣେତେଣେ ବୁଲୁ ବୁଲୁ କାହିଁ କେତେ ଦୂରରେ ମୋତେ ଗୋଟିଏ ମନୁଷ୍ୟର କାନ୍ଦଣା ଶବ୍ଦ ଶୁଣାଗଲା । ସେହି ଶବ୍ଦକୁ ଲକ୍ଷ୍ୟ କରି ମୁଁ ଚାଲିଲି । ସେ ମନୁଷ୍ୟକୁ ଖୋଜି ବାହାର କରିବାରେ ମୋର କିଛି ଉପକାର ନ ଥିଲା । ତଥାପି ଜଣେ କେହି ମନୁଷ୍ୟ ତ ବିପଦରେ ପଡ଼ି କାନ୍ଦୁଅଛି । ବିପଦବେଳେ ମନୁଷ୍ୟ ମନୁଷ୍ୟକୁ ସାହାଯ୍ୟ କରିବା ମହତ୍‌ ଧର୍ମ । ତାହାପରେ ଏତେଦିନ ଉତ୍ତାରୁ ଯେ କୌଣସି ମନୁଷ୍ୟର ମୁଖ ଦେଖିବା ଲାଗି ମୁଁ ଭାରି ବ୍ୟାକୁଳ ଥିଲି । ଏଥିପାଇଁ ସେ ଶବ୍ଦକୁ ଅନୁସରଣ କରି ଚାଲିଲି । ମାତ୍ର ମୁଁ ସେ ମନୁଷ୍ୟର ଯେତିକି ନିକଟବର୍ତ୍ତୀ ହେଉଥାଏଁ, ଜଙ୍ଗଲ ଅଧିକ ଅଧିକ ଘଞ୍ଚ ହେଉଥାଏ । ଆଉ ଦୂରକୁ ପଶି ହେଲାନାହିଁ । ତାହାପରେ ମୁଁ ବୁଦ୍ଧି କରି ଗୋଟିଏ ବଡ଼ ଗଛରେ ଚଢ଼ିଗଲି ଏବଂ ଚାରିଆଡ଼କୁ ଅନାଇଲି । ଦେଖିଲି, ଆଉ ଅଳ୍ପଦୂରରେ ଜଣେ ମନୁଷ୍ୟ ଗୋଟିଏ ପଥର ଉପରେ ଏକାକୀ ବସି କାନ୍ଦୁଅଛି ।

 

ଗଛରୁ ଓହ୍ଲାଇ ପଡ଼ିଲି । ସେ ଘୋର ଜଙ୍ଗଲ ଭିତରେ ଗଳି ଗଳି ଯାଇ ଲୋକର ଅଳ୍ପଦୂରରେ ପହଞ୍ଚିଲି । ହଠାତ୍‌ ନିକଟକୁ ଯିବାକୁ ସାହସ ନ ହେବାରୁ ମୁଁ ଆଉ ଗୋଟିଏ ପଥର ଉପରେ ଜଙ୍ଗଲ ପଛରେ ଛିଡ଼ା ହୋଇ ଅନାଇଲି । ଦେଖିଲି ଜଣେ ସ୍ତ୍ରୀ ଲୋକ ଏ ଘୋର ଜଙ୍ଗଲ ମଧ୍ୟରେ ବସିଛି । ତା’ର ବେଶଭୂଷା, ଆକାର ଓ ରୂପରୁ ବୋଧହେଲା, ସେ ଜଣେ କୌଣସି ଭଦ୍ରଲୋକର କନ୍ୟା । ତା’ର ଚନ୍ଦ୍ରକିରଣ ପରି ଗୋରା ଦେହ ଓ ସୁନ୍ଦର ମୁଖମଣ୍ଡଳରେ ପ୍ରସ୍ଫୁଟିତ ଯୌବନର ଲାବଣ୍ୟ ସତେ ଯେପରି ଢଳ ଢଳ ହେଉଥିଲା । ପଛପଟେ ଗୋଛାଏ କଜ୍ଜଳ ପରି କଳା ବାଳ ଲମ୍ୱିତ ହୋଇ ମାଟିରେ ବିଞ୍ଚି ହୋଇ ପଡ଼ିଥିଲା । ତା ରୂପର ଆଲୋକରେ ସେ ଗହଳ ଓ ଅନ୍ଧାରିଆ ବନଭୂମି ସତେ ଯେପରି ଆଲୋକିତ ହୋଇ ଯାଉଥିଲା । ସେ ଯେତେବେଳେ ଲୋତକଭରା ଆଖିରେ ଯେଉଁଦିଗକୁ ଚାହିଁ ଦେଉଥିଲା ସେ ଦିଗରେ ସତେ ଯେପରି ଗୋଟିଏ ନୂଆ ଜୀବନ ଓ ନୂଆ ସଂସାର ଛିଡ଼ାହୋଇ ଯାଉଥିଲା । ମୁଁ ବିଚାରିଲି, ଏ ନିଶ୍ଚୟ ଏହି ଜଙ୍ଗଲ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ । ପୁଣି ମନେ କଲି, ସତେ ଅବା ପୁରାଣ ବର୍ଣ୍ଣିତ ସୀତାଦେବୀ ଅଯୋଧ୍ୟାରୁ ନିର୍ବାସିତା ହୋଇ ଏହି ବାଲ୍ମୀକିଙ୍କ ଆଶ୍ରମ ବନରେ ଏକାକିନୀ କାନ୍ଦୁଅଛନ୍ତି । ଅଥବା ସ୍ୱର୍ଗର କୌଣସି ଅପ୍‌ସରୀ ଶାପଗ୍ରସ୍ତା ହୋଇ ଭୂତଳକୁ ଖସି ପଡ଼ିଅଛି । ମୋ ମନରେ ଏହିପରି ଅନେକ କଳ୍ପନା ହେଲା । ମୁଁ ବିଚାରିଲି, ଏପରି ସୌନ୍ଦର୍ଯ୍ୟ ନିକଟରେ କୌଣସି ଆଶଙ୍କା ନାହିଁ । ବରଂ ତାଙ୍କର ଦୁଃଖ ଦୂର କରିବା ମୋର ଉଚିତ । ସୁତରାଂ ମୁଁ ଆସ୍ତେ ଆସ୍ତେ ତାଙ୍କର ନିକଟବର୍ତ୍ତୀ ହେଲି ।

 

ସେତେବେଳେକୁ ତାଙ୍କର କାନ୍ଦ ବନ୍ଦ ହୋଇ ଯାଇଥିଲା । କିନ୍ତୁ କଣ ଗୁଡ଼ିଏ କେଜାଣି ଦରସ୍ଫୁଟ ଭାବରେ ଗଣୁ ଗୁଣୁ ହେଉଥିଲେ । ମୁଁ ତାଙ୍କର ପଛ ପଟରୁ ପାଖକୁ ଯାଉଥିଲି । ସେ ମୋତେ ଦେଖି ନ ଥିଲେ । ତାଙ୍କର ଆଖି ଦୁଇଟି କେବଳ ସାମନାପଟେ ଏଣେ ତେଣେ ବୁଲୁଥିଲା-। ସେ ଯେଉଁ ପଥର ଉପରେ ବସିଥିଲେ ସେ ପଥରର ଚାରିପଟେ ଗୁଡ଼ାଏ ବୁଦା ଓ ଲତା ଘେରି ରହିଥିଲା । ମୁଁ ତାଙ୍କ ନିକଟକୁ ଆସୁ ଆସୁ ଟିକିଏ ଦୂରରେ ଛିଡ଼ା ହୋଇପଡ଼ି ନୀରବରେ ଦେଖିବାକୁ ଲାଗିଲି । ଏହି ସମୟରେ ଦେଖିଲି, ତାଙ୍କ ପଛପଟର ଲତାପତ୍ର ଖୁବ୍‌ ଜୋରରେ ହଲିବାକୁ ଲାଗିଲା-। ସେ ହଠାତ୍‌ ବୁଲିପଡ଼ି ପଛପଟକୁ ଚାହିଁ ଦେଇ ଛିଡ଼ା ହୋଇ ପଡ଼ିଲେ, ଏବଂ ସଙ୍ଗେ ସଙ୍ଗେ ଗୋଟିଏ ଆର୍ତ୍ତ ଚିତ୍କାର କଲେ । ସେଥିରେ ମୋର ସର୍ବାଙ୍ଗ ଥରିଗଲା । ହଠାତ୍‌ ଏପରି ଚିତ୍କାରର କୌଣସି କାରଣ ଜାଣି ନ ପାରି ମୁଁ ଥକା ହୋଇ ରହିଛି, ଦେଖିଲି, ସେ ପଥର ଉପରୁ ଫିଙ୍ଗି ହୋଇ ତଳେ ପଡ଼ିଗଲେ । ତାହା ପରେ ଦେଖିଲି ମସ୍ତ ବଡ଼ ମୋଟା ଧୂସରା ସାପ ପଥରବାଟେ ତାଙ୍କ ଉପରକୁ ଡେଇଁ ପଡ଼ିଲା ।

 

ସାପଟା ଯେପରି ଲମ୍ୱା, ସେହିପରି ମଧ୍ୟ ମୋଟା । ତା’ର ଆଁଟାକୁ ଦେଖିଲେ ମନେ ହେବ ଯେ, ସେ ମନୁଷ୍ୟ, ମୃଗ, ଛେଳି, ମେଣ୍ଢା, ବାଛୁରୀ ପ୍ରଭୁତି ଜୀବମାନଙ୍କୁ ଧରି ଅନାୟାସରେ ଗିଳି ଦେଇପାରେ । ସାପଟାକୁ ଦେଖି ମୋ ଦେହରେ ରକ୍ତ ପ୍ରବାହ କ୍ଷଣକପାଇଁ ବନ୍ଦ ହୋଇଗଲା । ବାଳିକାର ସୌନ୍ଦର୍ଯ୍ୟ ଦେଖି ଆତ୍ମହରା ହେବାର ଯେ ଆନନ୍ଦ ତାହା ପଲକମାତ୍ରେ ହଜିଗଲା । ମୁଁ ଦେଖିଲି, ସାପଟା ବାଳିକାକୁ ଆସ୍ତେ ଆସ୍ତେ ଲାଙ୍ଗୁଡ଼ରେ ବାନ୍ଧି, ଟାଣି ଟାଣି ଜଙ୍ଗଲ ଭିତରକୁ ଚାଲିଯିବାକୁ ବସିଲା । ମୁଁ ଦେଖିଲି ବିଷମ ବିପଦ ହେଲା । ଯଦି ଏତେବେଳେ ଚେଷ୍ଟା ନ କରେଁ, ତାହାହେଲେ ସାପଟା ନିକଟବର୍ତ୍ତୀ କୌଣସି ଗୁମ୍ଫା ଭିତରକୁ ଚାଲି ଗଲେ ଆଉ ପ୍ରତିକାରର ବାଟ ରହିବ ନାହିଁ । “ପ୍ରଭୁ ଜଗନ୍ନାଥ ରକ୍ଷା କର” ଏତିକି କହି ମୁଁ ବିଜୁଳିପରି ପଥରକୁ ପଥର ଡେଇଁ ଆସିଲି । ପ୍ରଥମେ ଖଣ୍ଡିଏ ବଡ଼ ପଥର ଉଠାଇ ସାପର ମୁଣ୍ଡପଟକୁ ଲକ୍ଷ୍ୟ କରି ଛାଡ଼ି ଦେଲି । ସେଥିରେ ସାପର କିଛି କ୍ଷତି ହେଲା ନାହିଁ । ବରଂ ପଥରଟା ଖସି ଆସି ତଳେ ପଡ଼ିଗଲା ।

 

ସାପଟା ମୋତେ ଦେଖି ପାରି ଆଉ ଟିକିଏ ଜୋରରେ ଚାଲିଲା । ମୁଁ ଯେଉଁ ବଳରେ ସାପ ନିକଟକୁ ଦୌଡ଼ିଗଲି, ତାକୁ ଠିକ୍‌ ସାହସ ବୋଲି କହି ପାରିବି କି ନାହିଁ ସନ୍ଦେହ । ଗୋଟାଏ ଭୟ ଓ ଉତ୍ତେଜନା ସହିତ କିଞ୍ଚିତ୍‌ ସାହସ ମିଶି ମୋତେ ହତଜ୍ଞାନ କରି ପକାଇଲା । ସେ ମୂହୁର୍ତ୍ତରେ ମୁଁ ଯାହା କରିଚି, କେବଳ ଉତ୍ତେଜନା ବଳରେ କରି ପକାଇଚି । ମୋର ପ୍ରଥମ ପଥରଟା ତା’ର କୌଣସି କ୍ଷତି ନ କରିବାରୁ, ମୁଁ ଆଉ ଗୋଟିଏ ବଡ଼ ପଥର ନେଇ ତା ମୁଣ୍ଡରେ ଛେଚି ଦେଲି । ସେ ପଥରଟାକୁ ମଧ୍ୟ ସେ ନ ମାନି ପୁଣି ପଳାଇବାକୁ ଲାଗିଲା । ମୁଁ ତାହା ସଙ୍ଗେ ସଙ୍ଗେ ଗୋଡ଼ାଇଲି, ଏବଂ ସେ ପଥରଟାକୁ ଥରକୁ ଥର ଉଠାଇ ତାହା ମୁଣ୍ଡରେ ଛେଚିବାକୁ ଲାଗିଲି । ଏହିପରି ବାରମ୍ୱାର ଛେଚାଛେଚିରେ ସାପଟା ବାଳିକାକୁ ଲାଙ୍ଗୁଡ଼ରୁ ଖସାଇ ଦେଇ ମୋ ଆଡ଼କୁ ବୁଲିପଡ଼ି ଅନାଇଲା । ତା’ର ସେତେବେଳର ଫଁ ଫଁ ଶବ୍ଦ ପ୍ରଳୟ ଗର୍ଜ୍ଜନ ପରି । ତା’ର ଜକ ଜକ ଆଖି ଦୁଇଟା ଦେଇ ପ୍ରଳୟ ଅଗ୍ନି ବାହାରି ଆସୁଥିଲା ।

 

ଆଶ୍ଚର୍ଯ୍ୟର ବିଷୟ, ତା’ର ସେ ଆଖି ଦୁଇଟାକୁ ଚାହିଁ ଦେଲା ବେଳୁଁ, ମୁଁ ମୋର ଆଖି ଦୁଇଟାକୁ ଆଉ ଫେରାଇ ନେଇ ପାରିଲି ନାହିଁ, ମୋର ହାତଗୋଡ଼ ଆଉ ଆଙ୍ଗୁଳିଏ ମାତ୍ର ଘୁଞ୍ଚିଲା ନାହିଁ । ଏଡ଼େ ବଡ଼ ସାପଟା ମୋ ଆଖିରେ ପଡ଼ି ବଡ଼ ବଡ଼ ନାସାରନ୍ଧ୍ର ବାଟେ ଫଁ ଫଁ ନିଃଶ୍ୱାସ ଛାଡ଼ୁଥାଏ ଏବଂ ବରାବର ଲାଙ୍ଗୁଡ଼ଟାକୁ ଆସ୍ତେ ଆସ୍ତେ ଏପଟ ସେପଟକୁ ହଲାଉଥାଏ । ମୁଁ ଆଖି ପିଛଳା ନ ପକାଇ ଏକ ଦୃଷ୍ଟିରେ ତାହା ଆଡ଼କୁ ଚାହିଁ ରହିଥାଏ । ମୋର ଏକ ପ୍ରକାର ଚକ୍ଷୁବନ୍ଧନ ଅବସ୍ଥା । ଏହିପରି ଅବସ୍ଥାରେ କିଛି ସମୟ ଅପେକ୍ଷା କଲା ପରେ ସାପଟା ତା’ର ଲମ୍ୱ ଲାଙ୍ଗୁଡ଼କୁ ମୋ ଆଡ଼କୁ ବୁଲାଇ ପିଟିଦେଲା । ଲାଙ୍ଗୁଡ଼ଟା ମୋ ଆଡ଼କୁ ଫିଙ୍ଗିଦେବା ସମୟରେ ଭାଗ୍ୟ ବଳରୁ ଗୋଟିଏ ଖୁଣ୍ଟ ଦେହରେ ଲାଙ୍ଗୁଡ଼ଟା ଅଟକି ଯିବାରୁ ମୁଁ ରକ୍ଷା ପାଇଗଲି । ନଚେତ୍‌ ଏକା ପାହାରକେ ମୋ କଥା ଶେଷ ହୋଇ ଯାଇଥାନ୍ତା । ମୁଁ ସାଙ୍ଗେ ସାଙ୍ଗେ ଦୂରକୁ ପଳାଇଲି ଏବଂ ଗୋଟିଏ ବଡ଼ ଗଛର ଡାଳରେ ଓହଳି ରହିଲି ।

 

ସାପଟା ତାହା ପରେ ପୁଣି ବାଳିକାଟିକୁ ଲାଙ୍ଗୁଡ଼ରେ ଘୋଷାରି ଘୋଷାରି ଜଙ୍ଗଲ ଭିତରକୁ ଚାଲିଗଲା । ମୁଁ ଆଉ ବେଶୀ ବିଳମ୍ୱ ନ କରି ଗୋଟିଏ ଲମ୍ୱ ଶୁଖିଲା କାଠ ଧରି ତାକୁ ଗୋଡ଼ାଇଲି । ଚାରିଆଡ଼େ ଲଟା, ଗଛ, ଡାଳ ପ୍ରଭୃତି ଥିବାରୁ ପିଟିବାକୁ ସୁବିଧା ହେଉ ନ ଥାଏ । ଟିକିଏ ସୁବିଧା ଥାନ ପାଇବାରୁ, ସାଙ୍ଗେ ସାଙ୍ଗେ ତା’ର ମୁଣ୍ଡପଟକୁ ଲକ୍ଷ୍ୟ କରି ଗୋଟିଏ ଶକ୍ତ ପାହାର ଦେଲି । ସେଇ ପାହାରକେ ସେ ପୁଣି ବାଳିକାଟିକୁ ଛାଡ଼ିଦେଇ ମୋତେ ଗୋଡ଼ାଇଲା । ମୁଁ ପଛକୁ ହଟି ଯିବା ସାଙ୍ଗେ ସାଙ୍ଗେ ତା’ର ମୁଣ୍ଡରେ ପାହାରକୁ ପାହାର ଦେଉଥାଏଁ । ବାରମ୍ୱାର ଆଘାତ ଫଳରେ ସେ ଆଉ ମୋତେ ନ ଗୋଡ଼ାଇ, ପୁଣି ପୂର୍ବପରି ମୋତେ କଟମଟ କରି ଚାହିଁ ମୋ ଆଗରେ ପଡ଼ି ରହିଲା । ମୁଁ ଆଉ ତା’ର ଆଖି ଦୁଇଟାକୁ ଚାହିଁ ନ ରହି ତଳୁ ମୁଠାଏ ଧୂଳି ଉଠାଇଲି । ଟିକିଏ ଅପେକ୍ଷା କରି ସେ ଫଁ ଫଁ ହେଉଥିବା ସମୟରେ ତା’ର ଆଖି ଦୁଇଟାକୁ ଲକ୍ଷ୍ୟ କରି ଧୂଳି ମୁଠାକ ଛାଡ଼ି ଦେଲି ଏବଂ ପଛେ ପଛେ ଗୋଟାଏ ପାହାର ତା ମୁଣ୍ଡରେ ପକାଇଲି । ସାପଟା ଏତିକିରେ ଗୋଟାଏ ପ୍ରବଳ ଗର୍ଜନ କରି ପଳାଇଲା । ତା’ର ପଳାଇଯିବା ବାଟରେ ଥିବା ଲତା, ଗୁଳ୍ମ ଓ ଘାସସବୁ ବଡ଼ ଜୋରରେ ଦୋହଲି ଯାଉଥାଏ । ଘାସ ଓ ଲଟା ଭିତର ଦେଇ ଗୋଟାଏ ବାଟ ଫିଟିଗଲା ପରି ଦେଖାଗଲା । ମୁଁ ବିଚାରିଲି, ସାପଟା ଆଉ ଫେରିବ ନାହିଁ ।

 

କିନ୍ତୁ ସେ ଭୀଷଣ ସ୍ଥାନରେ ଆଉ ବେଶୀ ସମୟ ରହିବାକୁ ମୁଁ ଆଉ ଉଚିତ ମନେ କଲି ନାହିଁ । ସାପଟା ଚାଲିଯିବା ପରେ ମୋତେ ଭାରି ଭୟ ହେଲା । ବୋଧ ହେଲା, ଯେପରି ଚତୁର୍ଦ୍ଦିଗରୁ ମୋତେ ବଡ଼ ବଡ଼ ସାପସବୁ ଗୋଡ଼ାଇ ଆସୁଚନ୍ତି । ମୁଁ ଥରି ଥରି ଚାରି ଆଡ଼କୁ ଚାହିଁ ଚାହିଁ ବାଳିକାଟିର ନିକଟକୁ ଆସିଲି । ଦେଖିଲି, ସେ ଏକବାର ସଂଜ୍ଞାଶୂନ୍ୟ । ହାତ, ଗୋଡ଼ ଓ ଦେହର ଅନେକ ଅଂଶ ଛିଣ୍ଡି ଯାଇଚି । ମୁଖ ଓ ଦେହର ରଙ୍ଗ ମଉଳିଲା ଫୁଲ ପରି ମଳିନ ପଡ଼ି ଯାଇ ଅଛି । ତେବେ ବଞ୍ଚିଚି କି ନାହିଁ, ଜାଣିବା ଲାଗି ନାକ ଆଗରେ ଆଙ୍ଗୁଠି ଦେଇ ଦେଖିଲି ନିଶ୍ୱାସ ଟିକିଏ ଟିକିଟି ବହୁଅଛି । ମନରେ ଟିକିଏ ଆଶ୍ୱାସନା ଆସିଲା । କାନବାଟେ ଖୁବ୍‌ ଜୋରରେ ଫୁଙ୍କିଲି, ବଡ଼ ପାଟିରେ ଡାକିଲି । କିନ୍ତୁ କାହିଁରେ ତା’ର ସଂଜ୍ଞା ଫେରିଲା ନାହିଁ । ନିକଟରେ ମୁନ୍ଦେ ପାଣି ନ ଥିଲା । ସୁତରାଂ ତାକୁ ସଚେତ କରିବାର ଆଉ କୌଣସି ଉପାୟ ନ ଦେଖି ବିଚାରିଲି କୌଣସିମତେ ତାକୁ ବୁହାଇ ନେଇ ଜାହାଜକୁ ଚାଲିଯିବି ।

 

ଏହିକଥା ମନେ ମନେ ସ୍ଥିର କରି ମୁଁ ତାକୁ ତା’ର ଲୁଗାପଟା ଭଲକରି ପିନ୍ଧାଇ ଦେଲି । ତାହା ପରେ ସେ ଅପୂର୍ବ ଭାରଟିକୁ ଖୁବ୍‌ ଯତ୍ନରେ କାନ୍ଧରେ ପକାଇ ଜଙ୍ଗଲ ଭିତରେ ଗଳିଗଳି, ନଇଁ ନଇଁ, ଅତି କଷ୍ଟରେ ପଳାଇ ଆସିଲି । ତାକୁ ବୀଭତ୍ସ ମୃତ୍ୟୁ ମୁଖରୁ ରକ୍ଷା କରି ପାରିଥିବାରୁ, ଅଇଲା ବେଳେ ମୋ ମନ ଆନନ୍ଦରେ ନାଚି ଉଠୁଥାଏ । ମୋତେ ବୋଧ ହେଉଥାଏ, ଯେପରି ସେ ମୋର କେହି ଜଣେ ପରମ ଆତ୍ମୀୟ ଲୋକ । ଯାହାହେଉ, ଅଳ୍ପ ସମୟରେ ଆସି ଜାହାଜରେ ପହଞ୍ଚିଲି । ଗୋଟିଏ ପାତ୍ରରେ ନଦୀ ମୁହାଣରୁ ଜଳ ଆଣି ଟିକିଏ ଟିକିଏ ତା’ର ପାଟିରେ ଢାଳିଲି ଏବଂ ମୁହଁକୁ ଥରେ ଧୋଇଦେଇ ଆଖି ପତାରେ ବାରମ୍ୱାର ପାଣିର ଛିଟା ଦେଲି । ସମୁଦ୍ରର ଥଣ୍ଡା ପବନରେ ଓ ଅବିରତ ଜଳ ଚିକିତ୍ସାରେ ତା’ର ଟିକିଏ ସଂଜ୍ଞା ଫେରି ଆସିଲା । ସେ ଥରେ ଆଖି ଫିଟାଇ ଅନାଇଦେଲା ଏବଂ ସାଙ୍ଗେ ସାଙ୍ଗେ ପୁଣି ଆଖି ମୁଦିଦେଲା । ମୁଁ ବିଚାରିଲି, ପୂରାସଂଜ୍ଞା ଆସି ନ ଥିବାରୁ ଏପରି ଅବସ୍ଥା ଘଟୁଛି । ମୁଁ ଦ୍ୱିଗୁଣ ଉତ୍ସାହରେ ମୋର ଚିକିତ୍ସାରେ ଲାଗିଗଲି ।

 

କିଛି ସମୟ ପରେ ବାଳିକାଟି ପୁଣି ଥରେ ଆଖି ଫିଟାଇଲା । ଆଖି ଦୁଇଟି ସେତେବେଳେ ବଡ଼ ମଳିନ-ବଡ଼ ନିସ୍ତେଜ । ଆଖି ଫିଟାଇଦେଇ ସେ ଅଜ୍ଞାନ ଭାବରେ ମୋର ଗୋଟାଏ ହାତ ଓ ଗୋଟାଏ ଗୋଡ଼କୁ କୁଣ୍ଢାଇ ଧରି, ମାଳୟ ଭାଷାରେ ପାଟି କଲା, “ମୋତେ ସାପ ଖାଇ ଯାଉଚି ରକ୍ଷା କର । ମୋତେ ସାପ ଖାଇଯାଉଚି, ରକ୍ଷା କର ।” ମୁଁ ମଧ୍ୟ ସେହିପରି ମାଳୟ ଭାଷାରେ କହିଲି, “ଆଉ ଭୟ କର ନାହିଁ । ସାପ ଆଉ ନାହିଁ । ମୁଁ ତାକୁ ମାରି ତୁମକୁ ତା’ର ମୁହଁରୁ ଛଡ଼ାଇ ଆଣିଚି । ମୁଁ ତୁମର ରକ୍ଷାକର୍ତ୍ତା ତୁମ ପାଖେ ପାଖେ ଅଛି । ତୁମେ ଭଲ ଜାଗାରେ ନିରାପଦରେ ଅଛ ।” ମୋର ଏଇ କଥାଗୁଡ଼ିକ ତା’ର କାନ ଭିତରେ ପ୍ରବେଶ କଲା । ସେ ପୁଣି ଥରେ ଆଖି ଫିଟାଇ ସ୍ଥିର ଦୃଷ୍ଟିରେ ଅନାଇଲା । ମୋ ମୁହଁକୁ, ଜାହାଜକୁ, ସମୁଦ୍ରକୁ ଓ ଚାରିଆଡ଼କୁ ଚାହିଁ ଚାହିଁ ମୋତେ ପଚାରିଲା, “ତୁମେ କିଏ ?” ମୁଁ କହିଲି, “ସେ ସବୁ କଥା ପରେ ବୁଝିବ । ବର୍ତ୍ତମାନ ଆଉ ଟିକିଏ ପାଣି ନିଅ ।” ଏହା କହି ଖୁବ ଧୀରେ ଧୀରେ ଟିକିଏ ପିଆଇ ଦେଲି । ସେ ସେହିପରି ଅବସ୍ଥାରେ ଅନେକ ସମୟ ଶୋଇରହିଲା ।

 

ଯେତେବେଳେ ତା’ର ପୂର୍ଣ୍ଣ ବିଶ୍ରାମ ହେଲା, ସେ ଆଉ ଶୋଇ ନ ରହି ଉଠି ବସିଲା । ସେତେବେଳକୁ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡ଼ି ଯାଉଥିଲେ । ବାଳିକାଟି କଣ ବିଚାରି ସେ ଅସ୍ତ ସୂର୍ଯ୍ୟଙ୍କ ଆଡ଼କୁ ଅନାଇ ରହିଲା । ତା’ର ଆଖି ଦେଇ ଅବିରତ ଲୋତକ ଧାରା ବୋହିବାକୁ ଲାଗିଲା । ମୁଁ ଆଶ୍ୱାସନା ଦେଇ କହିଲି, “ଦେବୀ, କାନ୍ଦ ନାହିଁ । ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ପୁଣି ତୁମକୁ ନେଇ ତୁମ ପରିବାର ମଧ୍ୟରେ ଛାଡ଼ି ଦେଇ ଆସିବି । ବର୍ତ୍ତମାନ ଦୟାକରି ମୋ କଥା ମାନ । କିଛି ଖାଅ ଏବଂ ଜାହାଜର ତଳ ତାଲାରେ ମୋର ଯେ ଶୋଇବାଘର ଅଛି, ସେଥିରେ ଆରାମରେ ସାରା ରାତି ବିଶ୍ରାମ କର ।” ସେ ମୋ ପାଖରେ ବସି କିଛି ଖାଇ ସାରିଲା ପରେ ମୁଁ ତାକୁ ସାଙ୍ଗରେ ନେଇ ଶୋଇବା କୋଠରୀରେ ରଖାଇ ଦେଇ ଆସିଲି । ତାହାପରେ ମୁଁ ନିଜେ କିଛି ଖାଇ ଉପର ପଟତନରେ ଶୋଇ ରହିଲି । ମୋର ସୁଖନିଦ୍ରା ହେଲାନାହିଁ । ବେଳେବେଳେ ମୁଁ ସର୍ପ ଭୟରେ ଚମକି ଉଠୁଥାଏଁ ।

 

ଯଥାସମୟରେ ରାତି ପାହିଲା । ସକାଳର ଥଣ୍ଡାପବନ ଦେହରେ ବାଜିବାରୁ ଓ ଟିକିଏ ଟିକିଏ ଆଲୋକ ଆଖିରେ ପଡ଼ିବାରୁ ମୁଁ ଉଠିପଡ଼ିଲି । ଦେଖିଲି, ବାଳିକାଟି କେତେସମୟ ପୂର୍ବରୁ ଉଠିଆସି ମୋ ଶେଯ ପାଖରେ ବସିଚି । ମୁଁ ହଠାତ୍‌ ତାକୁ ଦେଖି ଆନନ୍ଦରେ ପଚାରିଲି, “ରାତିରେ ଭୟ କରିନାହଁ ତ ? ଭଲରେ ଶୋଇଥିଲ ? କେତେବେଳୁଁ ଆସି ମୋ ପାଖରେ ବସିଲଣି ?” ମୋର ଏଇସବୁ ପ୍ରଶ୍ନ ଶୁଣି ସେ କହିଲା, “କାଲି ରାତିରେ ଭଲ କରି ଶୋଇ ପାରିଲି ନାହିଁ । ଚାରିଆଡ଼େ ସାପ ଭୟ ହେଲା । ଟିକିଏ ନିଦ ହେଲେ ସାପଟା ସ୍ୱପ୍ନରେ ଦେଖାଗଲା । ମୁଁ ଅନେକ ରାତି ଥାଉଁ ଥାଉଁ ଉଠି ଆସି ମୋର ରକ୍ଷାକର୍ତ୍ତାଙ୍କ ନିକଟରେ ବସିଚି ।” ମୁଁ କହିଲି, “ମୋର ମଧ୍ୟ ସେପରି ଭଲ ନିଦ ହୋଇ ପାରିଲା ନାହିଁ । ତୁମର ଦୁଃଖ ଅବସ୍ଥା ଓ ସାପର ଭୟ ମୋତେ ସ୍ୱପ୍ନରେ ସୁଦ୍ଧା ଅଧୀର କରି ପକାଇଲା । ତଥାପି ମୁଁ କହୁଚି, ଆଉ ଭୟ କରନାହିଁ । ଆଉ ସାପ ଆସିବ ନାହିଁ-। ମନୁଷ୍ୟ ଜୀବନରେ ଅନେକ ବିପଦ ଘଟେ । ମାତ୍ର ଭଗବାନଙ୍କ ଦୟାରୁ ଥରେ ବିପଦ ହଟିଗଲେ ଆଉ ପୁଣି ଫେରେ ନାହିଁ । ଯାହା ହେବାର ହୋଇଗଲାଣି । ଏଣିକି ସେ ସବୁ କଥା ମନେ ପକାଇ ଆଉ କାତର ହୁଅନାହିଁ ।”

 

ମୋ କଥାରେ ଓ ବ୍ୟବହାରରେ ତା’ର ଭୟ କ୍ରମେ କ୍ରମେ ଦୂର ହୋଇଗଲା । ଧୀରେ ଧୀରେ ତା’ର ପୂର୍ବ ଆନନ୍ଦ ଫେରିଆସିଲା । ତା’ର ଅପରୂପ ସୌନ୍ଦର୍ଯ୍ୟ, ତରଳ ଚଞ୍ଚଳ ଯୌବନଲୀଳା ଓ ମଧୁର ହାସ୍ୟ ମୋର ବିପଦ୍‌ଗ୍ରସ୍ତ ନୈରାଶ୍ୟମୟ ଜାହାଜ ଖଣ୍ଡିକୁ ଯେପରି ସଜୀବ କରି ପକାଇଲା । ଆମ୍ଭେମାନେ ଦିନର ଅନେକ ସମୟ ଜାହାଜ ଉପରେ ବା ନଦୀ ମୁହାଣରେ କୌଣସି ଗୋଟିଏ ସ୍ଥାନରେ ବସି ଗଳ୍ପ କରୁଁ । ମୁଁ କ୍ରମେ କ୍ରମେ ତାକୁ ମୋ ଜୀବନର ଅତୀତ ଇତିହାସ ଭଲ କରି ଶୁଣାଇଲି । ସେ ମଧ୍ୟ ମୋତେ ତା’ର ସମସ୍ତ ପୂର୍ବ ଚରିତ ଶୁଣାଇଲା । ତା’ର କଥାରୁ ବୁଝିଲି, ସେ ଶ୍ୟାମ ରାଜ୍ୟର ମନ୍ତ୍ରୀଙ୍କର ଏକମାତ୍ର କନ୍ୟା । ତା’ର ନାମ ‘ପାରିଜାତ’ । ନାମଟି ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । କହିଲି, “ଦେବୀ ! ଭଗବାନଙ୍କର ଏହି ଗୋଟିଏ ବିଚିତ୍ର ଲୀଳା । ମୁଁ ମୋର ଏଇ ଜାହାଜଟିକୁ ଅତି ସ୍ନେହରେ ଓ ଅତି ଆଦରରେ ସେହି ‘ପାରିଜାତ’ ନାମ ଦେଇଚି । ମୋର ପୂର୍ବ ଚରିତ ଶୁଣି ତୁମେ ବୁଝିଥିବ, ମୁଁ ମୋର ଏ ଜାହାଜଟିକୁ କେଡ଼େ ଆଦର ଓ ଯତ୍ନରେ ତିଆରି କରିଚି । ଆଉ ମୋର ସ୍ନେହର ବଦଳରେ ସେ କିପରି ମୋତେ ଏ ଅଗାଧ ସମୁଦ୍ର ନିରାପଦରେ ପାର କରାଇ ଆଣିଚି । ମୋ ଜାହାଜଟି ମୋଠାରୁ ଯେତିକି ସ୍ନେହ, ଆଦର ଓ ଯତ୍ନ ଟାଣି ପାରିଚି, ତୁମ ‘ପାରିଜାତ’ ନାମଟି ମଧ୍ୟ ସେତିକି ଆଦର ଓ ସ୍ନେହ ଟାଣି ପାରିଚି । ମୋ ଜାହାଜଟି ତୁମ ଯୋଗୁଁ ଏକପ୍ରକାର ରୂପ ଧାରଣ କଲା ।” ମୋ କଥା ଶୁଣି ସେ ଟିକିଏ ହସିଦେଇ ଏଣେତେଣେ ଅନାଇଲା ।

 

ତତ୍ପରେ ସେ କହିଲା, “ତୁମେ ଏ ଯେଉଁ ଜାଗାରେ ରହିଚ, ତାହା ଶ୍ୟାମ ରାଜ୍ୟ ମଧ୍ୟରେ ଯାଏ । ସମୁଦ୍ରର ଏହି ଅଂଶକୁ ଆମ୍ଭେମାନେ ‘ଶ୍ୟାମ ସାଗର’ ବୋଲି କହିଥାଉଁ । ଏଠାରେ ଏ ଯେଉଁ ପ୍ରକାଣ୍ଡ ନଦୀଟି ସମୁଦ୍ର ସହିତ ମିଶିଅଛି, ତାହା ଶ୍ୟାମ ରାଜ୍ୟର ସୁପ୍ରସିଦ୍ଧ ‘ମେନାମ’ ନଦୀ । ଏ ନଦୀ ଉତ୍ତରରେ ବ୍ରହ୍ମଦେଶ ସୀମାରୁ ବାହାରି ସମସ୍ତ ଶ୍ୟାମ ରାଜ୍ୟ ମଧ୍ୟରେ ପ୍ରବାହିତ ହୁଏ । ଏହିଠାରୁ କେତେ କୋଶ ଉତ୍ତରରେ ଶ୍ୟାମରାଜ୍ୟର ରାଜଧାନୀ ‘ବାଙ୍ଗକକ୍‌’ ନଗର ଅବସ୍ଥିତ । ସହରଟି ଖୁବ୍‌ ବଡ଼ ଓ ଲୋକବସତିରେ ପୂର୍ଣ୍ଣ ।

 

“ବର୍ତ୍ତମାନ ଏ ଦେଶର ରାଜା ଭାରି ଅତ୍ୟାଚାରୀ । ତାଙ୍କ ନିଜର କିଛି ବୁଦ୍ଧି ନାହିଁ । ତାଙ୍କର କାର୍ଯ୍ୟକଳାପ ଦେଖିଲେ ଯେ କେହି ମନେ କରିବ–ଏ ଗୋଟାଏ ପାଗଳ ଲୋକ । ଏତେବଡ଼ ରାଜ୍ୟଟାକୁ ସେ କେବଳ କେତେଗୁଡ଼ାଏ ଅପରିଣତ-ବୟସ୍କ ଅପରିପକ୍ୱବୁଦ୍ଧିସମ୍ପନ୍ନ ଲୋକଙ୍କ କଥାରେ ପଡ଼ି ଛାରଖାର କରୁଅଛନ୍ତି । ସେହି ନୀଚ ଖୋସାମତିଆ ଲୋକଙ୍କ ପ୍ରଶଂସା ଶୁଣି ଶୁଣି ସେ ନିଜକୁ ଭାରି ବଡ଼ ମନେ କରନ୍ତି । ନିଜର ଭୋଗ ବିଳାସରେ ରାଜ୍ୟର ସମସ୍ତ ଅର୍ଥ ବ୍ୟୟ କରି, ପ୍ରଜାର ଦୁଃଖ ଆଦୌ ବୁଝୁନାହାନ୍ତି । ଏତେବଡ଼ ରାଜ୍ୟଟାରେ ଶାସନ ନାହିଁ, ଶୃଙ୍ଗଳା ନାହିଁ । ରାଜ୍ୟରେ ଦସ୍ୟୁଭୟ ପ୍ରବଳ । ପ୍ରଜାମାନେ ନିଜ ନିଜ ଇଚ୍ଛାରେ କାମ କରୁଚନ୍ତି । ରାଜ୍ୟରେ ଘୋର ଅରାଜକତା । ରାଜାଙ୍କର ସେଥିପ୍ରତି ଦୃଷ୍ଟି ନାହିଁ ; ସେ କେବଳ ରାଜଧାନୀରେ ନିଜର ପ୍ରିୟଲୋକଗୁଡ଼ାଏ ନେଇ ଭୋଗ ବିଳାସରେ ବୁଡ଼ି ରହିଚନ୍ତି । ରାଜାଙ୍କର ଏହି ମନ୍ଦ ଆଚରଣ ଓ ବୋକାମୀ ଦେଖି ପ୍ରବଳପ୍ରତାପୀ ଚୀନ ରାଜା ଆସ୍ତେ ଆସ୍ତେ ଏ ଦେଶରୁ ଖଣ୍ଡେ ଖଣ୍ଡେ ଆତ୍ମସାତ୍‌ କରୁଚି ।

 

“ଶ୍ୟାମରାଜ୍ୟର ଏହି ରାଜାଙ୍କ ଅମଳରେ କୌଣସି ଭଦ୍ରଲୋକ ନିଜ ନିଜ ପରିବାରର ଉଜ୍ଜତ ରଖି ପାରୁନାହାନ୍ତି । ରାଜାର ପଶୁ ଇଚ୍ଛାର ଅଧୀନ ହୋଇ କେତେ ପିତା କେତେ ପୁତ୍ର, କେତେ କୁଳସ୍ତ୍ରୀ ଓ କନ୍ୟା ପ୍ରାଣ ଦେଲେଣି, ତାହା କହି ହେବନାହିଁ । ଆମ ରାଜ୍ୟଟାଯାକ ଏଇ ଲୀଳା ଚାଲିଚି । ସୁଖର ବିଷୟ ମନ୍ତ୍ରୀ ପରିବାରରେ ଏ ପର୍ଯ୍ୟନ୍ତ ରାଜାର ପାପଦୃଷ୍ଟି ପଡ଼ି ନ ଥିଲା । କିନ୍ତୁ ଆମର ସେ ସୁଖର ବା ଦୁଃଖର ଦିନ ବେଶୀକାଳ ରହିଲା ନାହିଁ । କାନକୁହାଙ୍କ କଥାରେ ରାଜା ମୋତେ ନଅରକୁ ବାରମ୍ୱାର ଡକାଇଲା । ମୋର ପିତା ରାଜ୍ୟର ମନ୍ତ୍ରୀ । ସେ ଏଇ ଘଟଣାରେ ଅଗ୍ନୀଶର୍ମା ହୋଇ ଉଠିଲେ ଏବଂ ରାଜାଙ୍କୁ ଯାଇ ଗାଳି ଦେଲେ । ଫଳ ହେଲା–ରାଜାଙ୍କ କ୍ରୋଧରେ ପିତାଙ୍କର ଆଜୀବନ କାରାବାସ ଦଣ୍ଡ । ବାପା ଗଲେ । ରାଜା ପୁଣି ଡକାଇଲା । ଦିନେ ରାତିରେ ତା’ର ଲୋକମାନେ ମୋତେ ବଳପୂର୍ବକ ନେଇଯିବାକୁ ଆସିଲେ । ମୋର ଭାଇ ସେଥିରେ ବାଧା ଦେବାରୁ, ରାଜାର ଲୋକମାନେ ତା’ର ମୁଣ୍ଡ କାଟି ତଳେ ଗଡ଼ାଇ ଦେଲେ । ମୁଁ ଯେତେବେଳେ ଦେଖିଲି ଆଉ ରକ୍ଷା ନାହିଁ, ସେତେବେଳେ ଆମ ଘରର ପଛପଟ ଦୁଆର ବାଟେ ଅନ୍ଧାରେ ଅନ୍ଧାରେ ପଳାଇ ଆସିଲି । ସେଇ ରାତି ଭିତରେ ଗଡ଼ ପାର ହୋଇ ଏ ଘୋର ଜଙ୍ଗଲରେ ପଶିଲି । ମନେ କରିଥିଲି, ଅତ୍ୟାଚାରୀ ରାଜାର ମୁଖରୁ ରକ୍ଷା ପାଇ ବରଂ ହିଂସ୍ରଜନ୍ତୁଙ୍କ ମୁହଁରେ ପ୍ରାଣ ଦେବି । ନାହିଁ ଯଦି କୌଣସି ଜନ୍ତୁ ମୋତେ ନ ଖାଏ, ତେବେ ମେନାମ ନଦୀର ସମୁଦ୍ର-ସଙ୍ଗମ ସ୍ଥାନରେ ଝାସ ଦେବି । ଭାଗ୍ୟବଳରୁ ମୋତେ ସାପ ଖାଇ ଯାଉଥିଲା । ତୁମେ ମୋତେ ରକ୍ଷା କଲ । ମୁଁ କାହିଁକି ପୁଣି ଜୀବନ ପାଇଲି ତାହା ଭଗବାନ ଜାଣନ୍ତି ।”

 

ପାରିଜାତର ଏହି ଦୁଃଖର କାହାଣୀ ଶୁଣୁ ଶୁଣୁ ମୋ ଆଖିରୁ ଲୋତକ ଗଳି ପଡ଼ିଲା । ମୁଁ କହିଲି, “ଦେବୀ, ତୁମ କଥା ଶୁଣି ମୋ ମନରେ ଦୁଃଖ ଆସୁଚି । ତୁମ ଉପକାର ପାଇଁ କ’ଣ କରିବି, କୁହ ।” ସେ କହିଲା, “ମୋର ତ ସବୁ ଯାଇଚି । ବାପ ଭାଇ ଓ ଆତ୍ମୀୟମାନେ ରାଜାର କ୍ରୋଧାଗ୍ନିରେ ପଡ଼ି ଜଳିପୋଡ଼ି ଯାଇଚନ୍ତି । ଆଉ କାହାରି ପାଖକୁ ଯିବାକୁ ମୋର ଇଚ୍ଛା ନାହିଁ । ମୋତେ ଯେବେ ଦୟା କରି ଆଉ କୌଣସି ଦେଶରେ ଛାଡ଼ିଦେବ, ତାହାହେଲେ ମୁଁ ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ପ୍ରାଣ ବଞ୍ଚାଇବି । ସେଥିରେ ମୋର ଆନନ୍ଦ ହେବ । ମୁଁ ଆଉ ସେ ପାପୀ ଅତ୍ୟାଚାରୀ ଓ ନରାଧମ ରାଜାର ରାଜ୍ୟକୁ ଫେରିବି ନାହିଁ ।” ମୁଁ କହିଲି, “ତାହାହେଲେ ତୁମର ଇଚ୍ଛା ପୂର୍ଣ୍ଣ ହେବ-।” ଏହିପରି କେତେକଣ କଥାବାର୍ତ୍ତା ହେଲୁଁ । କଥା ହେଉ ହେଉ ଖାଇବା ବେଳ ଗଡ଼ିଯାଏ–କେବେ କେବେ ରାତି ବେଶୀ ହୋଇଯାଏ । ରାତି ବେଶୀ ହୋଇଗଲେ, ପାରିଜାତ ତଳ କୋଠରୀରେ ଯାଇଁ ବିଶ୍ରାମ ନିଏ । ମୁଁ ଉପର ପଟତନରେ ଶୋଇପଡ଼େ ।

 

ଏହିପରି ଭାବରେ କିଛିଦିନ କଟିଗଲା । ମୁଁ ଦିନେ କହିଲି, “ପାରିଜାତ, ତୁମେ ଏଇ ଜାହାଜରେ ଥାଅ । ଏଠାକୁ କୌଣସି ମନୁଷ୍ୟ ଆସିବେ ନାହିଁ । ତୁମେ ନିର୍ଭୟରେ ଥାଅ । ମୁଁ ଯାଇ ଏ ରାଜ୍ୟରୁ ନାବିକ ଖୋଜି ଆଣେ । ରାଜା ଅତ୍ୟାଚାରୀ ହେଲା ବୋଲି ରାଜ୍ୟର ନାଉରୀ ଶ୍ରେଣୀୟ ଲୋକେ ଖରାପ ହୁଅନ୍ତି ନାହିଁ । ପ୍ରଚୁର ଧନ ପାଇଲେ ଯେ କୌଣସି ଲୋକ ବଶୀଭୂତ ହୁଏ । ଏ ଦେଶର ନାବିକମାନେ ଆମ ଜାହାଜକୁ ସେଲିବିସ୍‌, ମାଳୟ କିମ୍ୱା ଗଙ୍ଗଦ୍ୱୀପରେ ଛାଡ଼ି ଦେଇ ଆସିଲେ, ଆମେ ସେଠାରେ ନିଶ୍ଚୟ ଓଡ଼ିଆ ଜାହାଜ ଓ ଓଡ଼ିଆ ମନୁଷ୍ୟ ପାଇବା । ତାହାହେଲେ ଆମର ସୁବିଧା ହେବ ।” ମୋ କଥା ଶୁଣି ପାରିଜାତ କହିଲା, “ତୁମର ଯାହା ଇଚ୍ଛା କିନ୍ତୁ ଯାହା କରିବାକୁ ଯାଉଚ, ସେଥିରେ ବିପଦ ନ ଆସିଲେ ରକ୍ଷା ।” ଏତିକି କହି ସେ ତୂନୀ ହେଲା ।

 

ପାରିଜାତର ସମ୍ମତ୍ତି ପାଇ ମୁଁ ଦେଶ ଭିତରକୁ ଯିବାକୁ ସ୍ଥିର କଲି । ଯିବା ପୂର୍ବରୁ ସେ ଯେପରି ଜାହାଜରେ ଏକୁଟିଆ ନିରାପଦରେ ରହିପାରିବ, ତାର ସବୁ ବନ୍ଦୋବସ୍ତ କରିଦେଲି । ଯିବାପୂର୍ବରୁ କହିଗଲି, “ଦେଖ ପାରିଜାତ ! ମୁଁ ଫେରିବାପର୍ଯ୍ୟନ୍ତ ତୁମେ ଏ ଜାହାଜରୁ ଓହ୍ଲାଇ ତଳକୁ ଯିବ ନାହିଁ । ମୁଁ ନଥିବା ଭିତରେ ଯଦି କୌଣସି ଦୃଷ୍ଟଲୋକ ତୁମକୁ ଆକ୍ରମଣ କରିବାକୁ ଆସେ, ତାହାହେଲେ ମୁଁ ଏଇ ଯେ ବାଟ ବତାଇ ଦେଇ ଯାଉଚି, ସେଇ ବାଟେ ଆତ୍ମରକ୍ଷା କରିବ । ତୁମେ ଗୁଳି ଚଳାଇଲେ ବା ତୋପ ଧରି ଛିଡ଼ା ହେଲେ କୌଣସି ଲୋକ ଭରସି ଜାହାଜସୀମାକୁ ମାଡ଼ିବ ନାହିଁ । ମୁଁ ଯାଉଚି ସତ, କିନ୍ତୁ ଜାଣିରଖ, ଫେରିବାଯାଏଁ ତୁମର ଭଲ ବା ମନ୍ଦ ଅବସ୍ଥା ମୋ ମନକୁ ବରାବର ଅଧିକାର କରି ରଖିବ ।”

 

ଏତିକି କହି ମୁଁ ମୋର ଆବଶ୍ୟକ କେତୋଟି ଜିନିଷ ସାଙ୍ଗରେ ଧରି ଜାହାଜରୁ ଓହ୍ଲାଇ ପଡ଼ିଲି । ବଣବାଟରେ ଲୁଚି ଯିବାଯାଏଁ ପାରିଜାତ ଜାହାଜ ମଙ୍ଗରେ ଛିଡ଼ା ହୋଇ ମୋତେ ଚାହିଁ ରହିଥାଏ । ସ୍ତ୍ରୀଗୁଡ଼ିକ ସାଧାରଣତଃ କୋମଳପ୍ରାଣା । ସେମାନେ ତାଙ୍କର କୋମଳ ବ୍ୟବହାରରେ ପୁରୁଷର ପଥର ହୃଦୟକୁ ସୁଦ୍ଧା ତରଳାଇ ଦେଇ ପାରନ୍ତି । ମୁଁ ଚାଲିଗଲା ବେଳେ ପାରିଜାତ ଏକୁଟିଆ ରହି ଯାଉଥିବାରୁ ତୂନୀ ତୂନୀ ଲୁହ ଢାଳୁଥିଲା । ତାହାର ସେ ଅବସ୍ଥାଟା ମୋ ମନରେ ଲାଖି ରହିଗଲା । ତେବେ ନିଷ୍ଠୁର କର୍ତ୍ତବ୍ୟ ଆଗରେ ମାୟାମମତାର ସ୍ଥାନ ନାହିଁ । ମୁଁ ଭିତରେ ଭିତରେ ବ୍ୟଥିତ ହେଉଥିଲେ ସୁଦ୍ଧା ଏକମୁହାଁ ହୋଇ ଜଙ୍ଗଲ ପଥରେ ମିଶିଗଲି ।

 

ଯାଉ ଯାଉ ବିଚାରିଲି, ଜଙ୍ଗଲବାଟେ ଚାଲିଲେ ବନ୍ୟଜନ୍ତୁଙ୍କ କବଳରେ ପ୍ରାଣ ଚାଲି ଯାଇପାରେ । ଏଥିଲାଗି ମୁଁ ବରାବର ମେନାମ ନଦୀର ଧାରେ ଧାରେ ଚାଲିଲି । ଦିନକ ଭିତରେ ମୋତେ ବହୁଦୂର ଯିବାକୁ ହେଲା । ତଥାପି ମୁଁ ଜଙ୍ଗଲ ପାର ହୋଇପାରିଲି ନାହିଁ ବା ସହରର ନିକଟବର୍ତ୍ତୀ ହୋଇପାରିଲି ନାହିଁ । ସୂର୍ଯ୍ୟ ମୁଣ୍ଡଉପରୁ ତଳକୁ ଖସିଗଲେ । ମୋର ଭାରି ଭୟ ହେଲା । ମୁଁ ବିଚାରିଲି, ରାତିପୂର୍ବରୁ ଯଦି ଜଙ୍ଗଲ ପାର ହୋଇ ନ ପାରେଁ, ତେବେ ମୃତ୍ୟୁ ନିଶ୍ଚିତ । ଏହିପରି ନାନା ଚିନ୍ତା ଓ ଦୁଃଖ ମଧ୍ୟରେ ଯାଉ ଯାଉ ଆଗରେ ଗୋଟିଏ ମନୁଷ୍ୟ ଡଗର ଉତ୍ତରକୁ ଚାଲି ଯାଇଥିବାର ଦେଖିଲି । ମନେ କଲି, ଏହି ବାଟେ ଗଲେ ନିଶ୍ଚୟ କୌଣସି ଗ୍ରାମରେ ପହଞ୍ଚିଯିବି । ସୁତରାଂ ସେହି ରାସ୍ତା ଧରି ଜଙ୍ଗଲେ ଜଙ୍ଗଲେ ଅନେକ ଦୂର ଚାଲିଲି ।

 

ଏତେବେଳକୁ ସୂର୍ଯ୍ୟ ପଶ୍ଚିମ ଦିଗରେ ଢଳ ଢଳ ହେଉଥିଲେ । ବାହାରେ ଦିନ ଥିଲେ ସୁଦ୍ଧା ଜଙ୍ଗଲ ଭିତରେ ଅନ୍ଧାର କ୍ରମେ କ୍ରମେ ଘୋଟି ଆସୁଥିଲା । ମୁଁ ଦୌଡ଼ିବାକୁ ଲାଗିଲି । କିନ୍ତୁ ଯାହାହେଉ, ମୋତେ ଆଉ ବେଶୀଦୂର ଦୌଡ଼ିବାକୁ ପଡ଼ିଲା ନାହିଁ । ସେହି ଡଗରେ ଡଗରେ ଆସି ଗୋଟିଏ ମେଲାସ୍ଥାନରେ ପହଞ୍ଚିଗଲି । ଦେଖିଲି, ସେଠାରେ ଅନେକଗୁଡ଼ିଏ ବଡ଼ ବଡ଼ କୋଠାଘର, କୋଠାଘରକୁ ଲାଗି ପଛପଟେ ଧାଡ଼ି ଧାଡ଼ି ଚାଳଘର । ଘରବାଡ଼ି ଦେଖି ମୋ ମନରେ ସାହସ ଓ ଆନନ୍ଦ ଆସିଲା । ମନୁଷ୍ୟର ସାହାଯ୍ୟ ପାଇବାଲାଗି ମୁଁ ସେ ସବୁ ଘରଆଡ଼କୁ ଆସିଲି । ମୋତେ ଦେଖି ହଠାତ୍‌ ଚାରି ପାଞ୍ଚଜଣ ଲୋକ ପାଟିକରି ମୋ ଆଡ଼କୁ ଦୌଡ଼ି ଆସିଲେ । ଏମାନେ ସିପାହୀ ଲୋକ । ମୋ ନିକଟକୁ ଦୌଡ଼ିଆସି ଏମାନେ ମୋ ସହିତ କୌଣସି କଥାବାର୍ତ୍ତା କଲେ ନାହିଁ ; କେବଳ ମୋତେ ଘେରିଯାଇ ମାଡ଼ ମାରିବାକୁ ଲାଗିଲେ । ମୁଁ ମାଡ଼ରେ ବିକଳ ହୋଇ ଯେତେ ପ୍ରାର୍ଥନା କଲି, କେହି ମୋର କଥା ଶୁଣିଲା ନାହିଁ । ମାଡ଼ ମାରି ମାରି ସେମାନେ ମୋତେ କୋଠାଘର ନିକଟକୁ ଆଣିଲେ । ସେଠାରେ କେହି ଜଣେ ବଡ଼ଲୋକ ବାସ କରୁଥିଲେ । ତାଙ୍କୁ ମଧ୍ୟ ମୁଁ ବହୁତ ପ୍ରାର୍ଥନା କଲି । ସେ ମୋ କଥା ଆଡ଼କୁ ଆଦୌ କାନ ନ ଦେଇ କହିଲେ, “ଆରେ ! ଶ୍ୟାମରାଜ୍ୟରେ ଭାରି କଡ଼ା ଜଙ୍ଗଲ ଆଇନ । ତୁ ବିନାନୁମତିରେ ଧଣ୍ଡି ପାର ହୋଇ ରାଜାଙ୍କର ଶିକାର ଜଙ୍ଗଲରେ ପ୍ରବେଶ କଲୁ । ତୁ ଆଜି ଏଠାରେ କଏଦୀ ରହିବୁ । କାଲି ତୋତେ ଦଣ୍ଡ ପାଇବାଲାଗି ଗଡ଼କୁ ପଠାଇ ଦିଆଯିବ । ସିପାହୀ, ଏହାର ହାତଗୋଡ଼ ବାନ୍ଧି ବନ୍ଦୀ କରି ରଖ ।”

 

ମୁଁ ବୁଝିଲି, ଏ ଲୋକ ଶ୍ୟାମରାଜ୍ୟର ଜଣେ ଜଙ୍ଗଲ କର୍ମଚାରୀ । ସିପାହୀଗୁଡ଼ାକ ତାର ସହକାରୀ । ଉପର ହାକିମର ଆଦେଶ ଶୁଣି ମୋ ମୁଣ୍ଡରେ ବଜ୍ର ଭାଜିପଡ଼ିଲା । ଆତ୍ମରକ୍ଷା କରିବାକୁ ଆସି, ମନୁଷ୍ୟର ଆଶ୍ରୟ ପାଇବାକୁ ଆସି ଶେଷରେ କଏଦୀ ହୋଇ ରହିଲି ! କିଏ ଜାଣେ, ବିଚାରରେ ପାଗଳ ଶ୍ୟାମରାଜା କି ଦଣ୍ଡ ଦେବ ! ଭଗବାନ୍‌ ! ଗୋଟାଏ ଲୋକକୁ ବାରମ୍ୱାର ଏତେ ବିପଦ କାହିଁକି ଦେଉଛ ? ବନ୍ଦୀଘରେ ଏକୁଟିଆ ପଡ଼ି ରହି ମୁଁ ମନେ ମନେ ବହୁତ କାନ୍ଦିଲି । ମାଡ଼ରେ ମୋର ଦେହ ପୀଡ଼ା ହୋଇଗଲା । ଏ ବିପଦ ଅବସ୍ଥାରେ ପାରିଜାତଙ୍କ ଦୁଃଖ କଥା ମନେ ପଡ଼ିଯିବାରୁ ଆହୁରି ବେଶୀ ବେଶୀ କାନ୍ଦିବାକୁ ଲାଗିଲି । ମୋର ନିଦ ହେଲା ନାହିଁ । ଆଖି ଆଗରେ ମୋର ଅତୀତ ଓ ଭବିଷ୍ୟତ ଦୁଃଖମୟ ଜୀବନର ଛବି ଗୋଟି ଗୋଟି ହୋଇ ନାଚିବାକୁ ଲାଗିଲା ।

 

ଯଥାସମୟରେ ରାତି ପାହିଗଲା । ଜଙ୍ଗଲ କର୍ମଚାରୀ ମୋତେ ନେଇ ଗଡ଼କୁ ବାହାରିଲେ । ସେ ଘୋଡ଼ାରେ ବସି ଆଗେ ଆଗେ ଓ ସିପାହୀମାନେ ମୋତେ ବାନ୍ଧି ପଛେ ପଛେ ଚାଲୁଥାନ୍ତି । ବାଟରେ ଆମ୍ଭେମାନେ କେତେବେଳେ ସଡ଼କରେ, କେତେବେଳେ ଗହୀର ବିଲ ଓ ଗ୍ରାମମାନଙ୍କ ଭିତର ଦେଇ ଯାଉଥିଲୁଁ । ଗ୍ରାମବାସୀମାନେ ସ୍ଥାନେ ସ୍ଥାନେ ମୋତେ ଦେଖି, ମୋ ଦୋଷର କଥା ଶୁଣି, ଦୁଃଖ ପ୍ରକାଶର ଚିହ୍ନ ଦେଖାଉଥିଲେ । କ୍ଷୁଧା, ଦେହପୀଡ଼ା, ପ୍ରାଣଭୟ ସବୁଯାକ ଏକାବେଳେ ମିଶି ଯାଇଥିବାରୁ, ମୋର ସର୍ବାଙ୍ଗ କଳା ପଡ଼ି ଯାଇଥିଲା ।

 

ଦିନେ ପ୍ରାୟ ଦେଢ଼ପ୍ରହର ବେଳେ ଆମ୍ଭେମାନେ ବାଙ୍ଗକକ୍‌ ସହରରେ ପହଞ୍ଚିଲୁଁ । ଜଙ୍ଗଲ କର୍ମଚାରୀ ସିପାହୀମାନଙ୍କ ସହିତ ମୋତେ ନେଇ ସିଧା ସିଧା ରାଜାଘରକୁ ଗଲା । ରାଜା ସେତେବେଳକୁ ପ୍ରଚୁର ମଦ୍ୟ ପିଇ ନିଜର ପ୍ରିୟଲୋକମାନଙ୍କ ସହିତ ଦରବାର ସଜାଇ ବସିଥିଲା । ନିଜର କର୍ମଚାରୀଠାରୁ ସେ ମୋର ଦୋଷର ବିବରଣ ଶୁଣି ରାଗରେ ହୁକୁମ କଲା, “ଏହାକୁ ସଙ୍ଗେ ସଙ୍ଗେ ବନ୍ଦୀ ଘରକୁ ପଠାଇ ଦିଅ । ସେ ଆମର ଶିକାର ଜଙ୍ଗଲରେ ବିନା ଆଦେଶରେ ପଶିଥିବାରୁ ଯଥାସମୟରେ ଶୂଳୀ ପାଇବ । ତେବେ ଏଇଟା ବିଦେଶୀ ଲୋକ ବୋଲି କହୁଥିବାରୁ ତା’ର ଆଖି ତଡ଼ା ନ ହୋଇ କେବଳ ଶୂଳୀ ଦିଆଯିବ । ଯାଅ, ତାକୁ ସାଙ୍ଗେ ସାଙ୍ଗେ ଏଠାରୁ ନେଇଯାଅ ।” ରାଜା ଏହିପରି ଆଖି ପିଛୁଳାକେ ମୋର ଗୁରୁତର ଦୋଷ ଲାଗି ଶେଷ ହୁକୁମ ଦେଇ ପୁଣି ମଜଲିସରେ ମାତିଗଲା । ମୁଁ କିଛି କହିବାକୁ ଯାଉଥିଲି । ମାତ୍ର ସିପାହୀମାନେ ମୋତେ ମାଡ଼ ମାରି ସେଠାରୁ ଟାଣି ଟାଣି ନେଇଗଲେ । ମୁଁ ଯାଇ ଗୋଟିଏ ବନ୍ଦୀଘରେ ପଡ଼ିରହିଲି ।

 

ଏଠାରେ କହି ରଖୁଚି ଯେ, ମୋହରି ପରି କେତେଗୁଡ଼ିଏ ହତଭାଗ୍ୟ ବନ୍ଦୀ ମଧ୍ୟ ସେ କଏଦୀଖାନାରେ ଆଗରୁ ସଢ଼ୁଥିଲେ । ସେମାନଙ୍କ ଭିତରୁ କେତେକ ଶ୍ୟାମରାଜ୍ୟର ଲୋକ, ଆଉ କେତେକ ବିଦେଶୀ ଲୋକ । ଏମାନେ ଯେ କୌଣସି ଗୁରୁତର ଅପରାଧ କରିବା ଦ୍ୱାରା ଏ ଦେଶର ଆଇନ ଭାଙ୍ଗିଚନ୍ତି, ତାହା ନୁହେଁ ; ଏମାନେ କେବଳ ରାଜାର କ୍ରୋଧରେ ପଡ଼ି ପ୍ରାଣ ଦେବେ । ରାଜା କାହାଘରୁ ସୁନ୍ଦରୀ ସ୍ତ୍ରୀ ଜଣେ, ଧନରତ୍ନ ବା ଗାଈଗୋରୁ ଟାଣି ନେଉଥିଲା, ସେଥିରେ ଘରର ମାଲିକ ବାଧା ଦେଇଚି, ତେଣୁ ସେ ଶୂଳୀ ପାଇବ । ମୋଟ କଥା, ଯେଉଁ ଲୋକ ରାଜାର ସଉକୀରେ ବାଧା ଦେବ, ତା’ର ଶୂଳୀ ପାଇବା ନିଶ୍ଚିତ । ଏସବୁ ଦୋଷ ଲାଗି ଶୂଳୀଟି ଏକମାତ୍ର ଦଣ୍ଡ ।

 

ମୁଁ ସେ ବନ୍ଦୀଘରେ ରହି ଅନ୍ୟ ଲୋକମାନଙ୍କଠାରୁ ଯେଉଁସବୁ କଥା ଶୁଣିଲି, ସେଥିରେ ମୋର ମହା ଭୟ ଜାତ ହେଲା । ମୁଁ ମନେ ମନେ କହିଲି, “ହେ ପ୍ରବଳପ୍ରତାପୀ ପବିତ୍ର ଗଜପତି ସମ୍ରାଟ ! ଆପଣ କୋମଳ ବାତ୍ସଲ୍ୟ ଶାସନରେ ଏତେବଡ଼ ଓଡ଼ିଶା ସମ୍ରାଜ୍ୟକୁ ନିଜର ପରିବାର ବୋଲି ମନେ କରୁଚନ୍ତି । ଆପଣ ଏ ପୃଥିବୀର ଅଳଙ୍କାର ସ୍ୱରୂପ ; କିନ୍ତୁ ଆପଣଙ୍କର ଜୀବିତ କାଳରେ ଏପରି ଗୋଟାଏ ପାଷଣ୍ଡ, ପାଗଳ ଓ ନିର୍ଦ୍ଦୟ ରାଜା ଲକ୍ଷ ଲକ୍ଷ ପ୍ରଜାଙ୍କର ରକ୍ତ ଶୋଷି ସେମାନଙ୍କର ପ୍ରାଣ ନେଉଚି । ଆପଣ କିପରି ତୂନୀ ହୋଇ ବସି ଦେଖୁଚନ୍ତି ? ଆପଣ ପ୍ରଭୁ ନୀଳାଚଳନାଥଙ୍କର ସେବକ ହୋଇ ପବିତ୍ର ଆର୍ଯ୍ୟ ସଭ୍ୟତାକୁ ନିଜର ହାତରେ ଧରି ବସିଚନ୍ତି । କିନ୍ତୁ ଆପଣଙ୍କ ଆଖି ଆଗରେ ପୃଥିବୀ ଉପରେ ଏ ଯେଉଁ ପୈଶାଚିକତା ଓ ଅତ୍ୟାଚାରର ନିଷ୍ଠୁର ଲୀଳା ହେଉଚି, ତା’ର କିଛି ପ୍ରତିକାର କରି ପାରୁନାହାନ୍ତି ? ମନୁଷ୍ୟ ଜାତିକୁ ଦୁଃଖ କଷ୍ଟରୁ ଉଦ୍ଧାର କରିବା କ’ଣ ଆପଣଙ୍କ ସଭ୍ୟ ଶାସନର ଗୋଟାଏ ଅଙ୍ଗ ନୁହେଁ ?” ଏହିପରି କେତେ କଣ ଭାବେଁ ଏବଂ ପରେ ପରେ ମୋ ଆଖି ଆଗରେ ପାରିଜାତଙ୍କ ଦୁଃଖ ଦୁରବସ୍ଥା ଓ ଲୋତକ ଭରା ସୁନ୍ଦର ମୁଖମଣ୍ଡଳ ଏବଂ ଶୂଳୀଖୁଣ୍ଟରେ ମୋର ମୃତ୍ୟୁ କଥା ଭାବି ଅଧୀର ହୋଇ କାନ୍ଦି ପକାଏ ।

 

ବନ୍ଦୀଘରେ କେତେଦିନ କଟିଗଲା । ଯେଉଁଲୋକ ପ୍ରାଣଦଣ୍ଡ ପାଇଚି, ତା’ର ମନର ଭାବ କିପରି, ତାକୁ ଦିନରାତି କିପରି ଲାଗେ ଏକଥା କ’ଣ ବୁଝାଇ କହିବି ? ମୋରି ଆଗରେ ମୋ ସାଙ୍ଗରୁ କେତେଲୋକ ଯାଇ ଶୂଳୀ ପାଇଗଲେ । ବନ୍ଦୀଘରଠାରୁ ଅଳ୍ପ ଦୂରରେ ବଧ୍ୟ ଭୂମି । ଶୂଳୀ ପାଉଥିବା ଲୋକଗୁଡ଼ିଙ୍କର ମୃତ୍ୟୁକାଳୀନ ବିକଳ ଚିତ୍କାର ଓ କରୁଣ କାନ୍ଦଣା ଶବ୍ଦ ମୋ ଦେହର ଦଶଦ୍ୱାର ଭେଦି କରି ହାଡ଼, ମାଂସ, ରକ୍ତ, ଶିରା, ପ୍ରଶିରା, ମୁଣ୍ଡ ଓ ଛାତି ପ୍ରତ୍ୟେକ ଜାଗାରେ ପ୍ରବେଶ କରି ମୋତେ ଅଥୟ କରି ପକାଏ । ସେସବୁ କଥା କେବଳ ଅନୁଭବୀ ଲୋକ ଜାଣେ ବା ହୃଦୟବାନ ଲୋକ ଅନୁମାନ କରିପାରେ ।

 

ଯଥାସମୟରେ ମୋର ଶୂଳୀ ପାଇବାର ଦିନ ଆସିଗଲା । ସକାଳୁ ଦୁଇଜଣ ସିପାହୀ ମୋତେ ସେ ସମ୍ୱାଦ ଦେଇଗଲେ । ସେତିକିବେଳୁ ମୁଁ ମଲାପରି ପଡ଼ି ରହିଲି । ମରିବା ପୂର୍ବରୁ ମୋର ଶେଷ ପ୍ରାର୍ଥନା, ଶେଷ ଧ୍ୟାନ ଓ ଶେଷ ଚିନ୍ତା କେବଳ ଜଗନ୍ନାଥଙ୍କ ପାଦତଳକୁ, ଉତ୍କଳ ସମ୍ରାଟଙ୍କ ପାଦତଳକୁ ଏବଂ ଏବଂ ପାରିଜାତଙ୍କ ନିକଟକୁ ପଠାଉଥିଲି । ଆହା ମରିବାପୂର୍ବରୁ ପାରିଜାତଙ୍କୁ ଦୁଃଖରୁ ରକ୍ଷା କରି ପାରିଲି ନାହିଁ–ତାଙ୍କର କିଛି ପ୍ରକୃତ ଉପକାର କଲି ନାହିଁ । ମୋ ମନରେ ବରାବର ଏହି ଭାବନା ଖେଳି ଯାଉଥିଲା । ଏତିକିବେଳେ ପୁଣି ଦୁଇଜଣ ସିପାହୀ ଆସି ମୋତେ ବଧ୍ୟ ଭୂମିକୁ ନେଇଗଲେ । ମୁଁ ମଦ ଖାଇଥିବା ଲୋକଙ୍କ ପରି ଟଳି ଟଳି ଚାଲୁଥାଏ । ମୋତେ ଦଶଦିଗ ଅନ୍ଧାର ଦିଶୁଥାଏ । ମୁଁ ଶୂଳୀ ପାଇବାକୁ ଯାଉଚି, ମୁଁ ମରିବାକୁ ଯାଉଚି । ହାୟ ଜଗନ୍ନାଥ–ଏହି ଛାର ପ୍ରାଣର କ’ଣ ଏହିପରି ଶେଷ ହେବାର ଥିଲା ? ବଧ୍ୟ ଭୂମିରେ ଶୂଳୀଖୁଣ୍ଟର ଯେତିକି ଯେତିକି ନିକଟବର୍ତ୍ତୀ ହେଉଥାଏ, ମୋ ଛାତି ଭିତରେ କ’ଣ ଗୋଟାଏ ଖୁବ ଜୋରରେ ପିଟି ହେଉଥାଏ । ସେ ପଡ଼ିଆର ଚତୁର୍ଦ୍ଦିଗରେ ଅସଂଖ୍ୟ ପୁରୁଷ ସ୍ତ୍ରୀ, ବାଳକ ବାଳିକା, ବୃଦ୍ଧ ବୃଦ୍ଧା ଉପସ୍ଥିତ ହୋଇଥିଲେ । ରାଜ୍ୟର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଠିକ୍‌ ବଧ୍ୟ ଅଗଣାଟିକି ଘେରି କେତେଜଣ ସିପାହୀ ହାତରେ ହତିଆର ଧରି ବୁଲୁଥିଲେ । ରାଜାଟା ନିଜର ପାଖଲୋକ ଓ ଖୋସାମଦିଆ ଲୋକଙ୍କଦ୍ୱାରା ବେଷ୍ଟିତ ହୋଇ ଗୋଟାଏ ଉଚ୍ଚ ସ୍ଥାନରେ ବସି ଏ ବୀଭତ୍ସ ଦୃଶ୍ୟ ଦେଖୁଥାଏ । ମୋର ଅବସ୍ଥା ଦେଖି ରାଜା ହସୁଥାଏ । ତାର ପୋଷା କୁକୁର ଶ୍ରେଣୀର ଲୋକଗୁଡ଼ାକ ମଧ୍ୟ ହସୁଥାନ୍ତି । କହୁଥାନ୍ତି, “ଶଳା ଚୋରକୁ ଦେଖ । କେତେ ଛଟାଉଚି–କେତେ ବେଲି କରୁଚି ।” ଶୂଳୀ ପାଇବାକୁ ଗଲାବେଳେ ସୁଦ୍ଧା ମୁଁ ବୋଲି କରୁଥିଲି ! ମୁଁ ଛଟାଉଥିଲି ! ହାୟରେ ସଂସାର । ହାୟରେ ରାଜ୍ୟ । ହାୟରେ କପାଳ ।

 

ସିପାହୀମାନେ ପ୍ରଥମେ ମୋ ମୁହଁରେ ଗୋଟାଏ କଳା କନା ବାନ୍ଧି ଗୋଟିଏ ଉଚ୍ଚ ପଟା ଉପରେ ଛିଡ଼ା କରାଇ ଦେଲେ । ମୋ ଦୁଇ କଡ଼କୁ ଲାଗି ଦୁଇଟା ବଡ଼ ବଡ଼ ପାଲିଶ କାଠ ଛିଡ଼ା ହୋଇଥାଏ । ପଟା ତଳକୁ ଗୋଟିଏ ଖୁବ ମୁନିଆଁ ଓ ସରୁଆ ଲୁହାର ଖୁଣ୍ଟ । ପଟାଟି ଖସି ଗଲେ ମନୁଷ୍ୟ ଏପଟ ସେପଟ ନ ହୋଇ ଛିଡ଼ା ହୋଇଥିବା କାଠ ଭିତରେ ତଳକୁ ଖସି ଆସିବ । ତାହାପରେ ଲୁହାଖୁଣ୍ଟଟି ଏପରି ସ୍ଥାନରେ ପୋତା ଥାଏ ଯେ, ମନୁଷ୍ୟଟି ଖସି ଆସି ଖୁଣ୍ଟର ଠିକ୍‌ ମୁନିଆଁ ଅଗ୍ରଭାଗରେ ପଡ଼ିଯିବ । ମଳଦ୍ୱାରଠାରୁ ତାଳୁ ଭେଦ କରି ଯେତେବେଳେ ଏତେବଡ଼ ଲୁହା ଖୁଣ୍ଟଟା ଦେହ ଭିତରେ ସ୍ଥାନ ପାଇବ, ସେତେବେଳେ କେଉଁ ରନ୍ଧ୍ରବାଟେ ପ୍ରାଣ ଯାଏ, ତାହା ଭଗବାନଙ୍କୁ ଜଣା ।

 

ମୋତେ ଶୂଳୀଯନ୍ତ୍ର ଉପରେ ଛିଡ଼ା କରାଇ ଦେଲା ପରେ ହଠାତ୍‌ ଚାରିପଟେ ବାଜା ବାଜି ଉଠିଲା । ଲୋକମାନେ କୋଳାହଳରେ ଆକାଶ ଫଟାଇଦେଲେ । କିଛି କ୍ଷଣ ପରେ ପୁଣି ସବୁ ସ୍ଥିର ହୋଇଗଲା । ସବୁ କୋଳାହଳ ଓ ଆବାଜ ବନ୍ଦହୋଇ ଯିବାରୁ, ଜଣେ କର୍ମଚାରୀ ବଡ଼ ପାଟି କରି କହି ଉଠିଲେ, “ମଣିମା, ବର୍ତ୍ତମାନ ଏ ଜଣେ ବିଦେଶୀଲୋକ ଶୂଳୀ ଉପରେ ଛିଡ଼ା ହୋଇଚି । ସେ ଛାମୁଙ୍କର ଶିକାର ଜଙ୍ଗଲ ଭିତରେ ବିନା ହୁକୁମରେ ପଶି ଯାଇଥିଲା । ଛାମୁ ତାର ଦୋଷ ଲାଗି ତାକୁ ଶୂଳୀ ଦଣ୍ଡ ଦେଇଛନ୍ତି । ଛାମୁ ହୁକୁମ ଦେଲେ ତା’ର ଶୂଳୀକାର୍ଯ୍ୟ ଆରମ୍ଭ ହେବ-।” ରାଜାଙ୍କ ତରଫରୁ ତାଙ୍କର ମୁଖିଆ ପାଖଲୋକ ଡାକଦେଇ କହିଲା, “ମଣିମାଙ୍କର ହୁକୁମ, ଏ ଦୁଷ୍ଟଲୋକକୁ କ୍ଷମା ଦିଆଯିବ ନାହିଁ । ଶୀଘ୍ର ଶୂଳୀଖୁଣ୍ଟରେ ଗଳାଇଦିଅ ।” ଏ କଥାଗୁଡ଼ାକ ମୋ ଛାତି-ଭିତରେ ଶରପରି ପଶିଗଲା । ମୋ ସାହା ଉଡ଼ିଗଲା ପରି ହେଲା । ଭଗବାନ, ଜଗନ୍ନାଥ, ଜଗନ୍ନାଥ-ରକ୍ଷାକର । ସଙ୍ଗେ ସଙ୍ଗେ ମୋତେ ବୋଧହେଲା, ସତେ ଯେପରି ମୋ ଗୋଡ଼ ତଳୁ ପଟାଟି ଖସିଗଲାଣି, ସତେ ଯେପରି ମୁଁ ଶୂଳୀଲୁହାଉପରେ ଗଳିଗଲିଣି । ଶୋଇଥିବା ଲୋକକୁ ସ୍ୱପ୍ନପରି ମୋତେ ଦେଖାଗଲା, ମୋର ଘରଦ୍ୱାର ପୋଡ଼ିଯାଇଚି, ମୋର ସମ୍ପତ୍ତି ଚୋରମାନେ ଲୁଟିକରି ନେଇଚନ୍ତି । ପାରିଜାତ ଜାହାଜ ଜଳମଗ୍ନ ହୋଇଯାଇଚି । ଆଉ ପାରିଜାତ ମେନାମ ନଦୀମୁହାଣରେ ଝାସ ଦେଇ ପ୍ରାଣ ହରାଇଅଛନ୍ତି । ଏସବୁ କଥା ଭାବୁ ଭାବୁ ମୋତେ ବୋଧହେଲା,-ଶୂଳୀପଟା ଉପରେ ମୁଁ ଘୂରୁଚି ଏବଂ ସଙ୍ଗେ ସଙ୍ଗେ ସମଗ୍ର ପୃଥିବୀ ବୁଲି ଯାଉଚି ।

 

ଯେତେବେଳେ ଜୀବନମରଣର ସନ୍ଧିବେଳ, ଯେତେବେଳେ ବିଷମ ଉତ୍ତେଜନା ଫଳରେ ସବୁ ଲୋକଙ୍କ ଭିତରେ ଗୋଟାଏ ଚଞ୍ଚଳତା ଖେଳି ଯାଉଥିଲା, ଯେତେବେଳେ ଶୂଳୀଯନ୍ତ୍ର ଚାଳକ ପଟା ଖୋଲିବା ଲାଗି ଆସି ଛିଡ଼ା ହୋଇଗଲା, ସେତିକିବେଳେ ଅଦୂରରେ ଜଣେ ଲୋକ ଚିତ୍କାର କରି ଡାକ ଦେଲା, “ମାର ନାହିଁ, ମାର ନାହିଁ, ରହ, ରହ ।” ଦିନେ ନାହିଁ, କାଳେ ନାହିଁ–ଶୂଳୀ ପାଇବାବେଳେ ଏପରି ଗୋଟିଏ ନୂଆ କଥାରେ ଦର୍ଶକମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସେ ଲୋକ ଆଡ଼କୁ ଅନାଇଲେ । ସେ ଲୋକ ଝାଳନାଳ ହୋଇ ଊର୍ଦ୍ଧ୍ୱଶ୍ୱାସରେ ଦୌଡ଼ି ଦୌଡ଼ି ଆସି ଶୂଳୀ ପଡ଼ିଆରେ ଠିଆ ହୋଇଗଲା । ତା’ର ବୟସ ସେପରି କିଛି ବେଶୀ ନୁହେଁ, ଅନ୍ଦାଜ କୋଡ଼ିଏ କି ଏକୋଇଶୀ ହେବ । ସେ ଅସମ୍ଭାଳ ହୋଇ କହି ପକାଇଲା, “ମଣିମା, ଏ ଜଣେ ଓଡ଼ିଆ ଲୋକ-ଗଜପତିଙ୍କ ରାଜ୍ୟର ପ୍ରଜା । ଛାମୁ ଯଦି ନିଜର ପ୍ରାଣ ଚାହାନ୍ତି, ନିଜର ରାଜ୍ୟ ଭୋଗ କରିବାକୁ ଚାହାନ୍ତି, ତାହେଲେ ଏ ଲୋକକୁ ଶୀଘ୍ର ମୁକୁଳାଇ ଦିଅନ୍ତୁ । ନୋଚେତ୍‌ ପ୍ରତାପୀ ଓଡ଼ିଆ ସମ୍ରାଟ ତାଙ୍କର ଗୋଟିଏ ପ୍ରଜାର ପ୍ରାଣ ଲାଗି ଛାମୁଁଙ୍କର ସମୁଦାୟ ରାଜ୍ୟ ଧ୍ୱଂସ କରି ଦେବେ । ବର୍ତ୍ତମାନ ଗଜପତି ଏ ଲୋକର ଶୂଳୀ ଖବର ପାଇ ବହୁ ଉତ୍କଳୀୟ ସୈନ୍ୟ ଓ ଯୁଦ୍ଧ ଜାହାଜ ସହ ମେନାମ ନଦୀବାଟେ ଗଡ଼ର ନିକଟବର୍ତ୍ତୀ ହେଲେଣି । ଏଠାରୁ ସମସ୍ତେ ପଳାଅ ।”

 

ଠିକ୍‌ ଏତିକିବେଳେ ଦୂରରେ ଗୋଟାଏ ତୋପ ଗର୍ଜନ କରି ଉଠିଲା । ସେ ଶବ୍ଦରେ ବଧ୍ୟଭୂମି ଥରିଗଲା । ଦର୍ଶକମାନେ କୋଳାହଳ କରି ଯିଏ ଯୁଆଡ଼େ ପଳାଇଲେ । ସିପାହୀମାନେ ମଧ୍ୟ ପଳାଇ ଗଲେ । ରାଜାଙ୍କର ପାଖଲୋକେ ଓ ଅତି ବିଶ୍ୱାସୀ ପ୍ରିୟ ଲୋକମାନେ ମଧ୍ୟ ଗୋଳମାଳ ଭିତରେ କିଏ କୁଆଡ଼େ ପଳାଇଲେ । କ୍ଷଣକ ଭିତରେ ବଧ୍ୟ ଭୂମି ଜନଶୂନ୍ୟ ହୋଇଗଲା । ରାଜା ନିଜେ ସେ ପଡ଼ିଆରେ ଏକୁଟିଆ ପଡ଼ି ଭୟରେ ଛଟପଟ ହେଲେ । ତାଙ୍କ ପାଖକୁ କେହି ହେଲେ ଜଣେ ନ ଥିଲେ । ଶେଷକୁ ଦୁଇ ତିନିଜଣ ଗାଉଁଲୀ ଚାଷୀ ଲୋକ ତାଙ୍କୁ ସାଙ୍ଗରେ ନେଇ ନଅର ଆଡ଼େ ପଳାଇଲେ ।

 

ଏଣେ ସେ ଯୁବକଟି ତା’ର କଥାଗୁଡ଼ାକ ଏକ ନିଃଶ୍ୱାସରେ କହି ପକାଇଲା ପରେ ତଳେ ପଡ଼ିଗଲା । ତା’ର ଜ୍ଞାନ ରହିଲା ନାହିଁ । ମୋତେ ମଧ୍ୟ ଗୋଳମାଳ ଭିତରେ କେହି ହେଲେ ଜଣେ ଶୂଳୀପଟା ଉପରୁ ଫିଟାଇ ଗଲା ନାହିଁ । ଶେଷ ମୁହୂର୍ତ୍ତରେ ଯିଏ ମୋତେ ମୃତ୍ୟୁ ମୁହଁରୁ ରକ୍ଷା କଲା, ଯେଉଁ ଲୋକ ଆମ ଗଜପତିଙ୍କର ଏତେ ବୀରତ୍ୱ ଓ ମହତ୍ୱ ଗାଇଗଲା; ସେ ଲୋକକୁ ଏ ପର୍ଯ୍ୟନ୍ତ ନ ଦେଖି ବା ତା’ର ଆଉ ପାଟି ନ ଶୁଣି ମୁଁ ବଡ଼ ବ୍ୟାକୁଳ ହୋଇ ପଡ଼ିଲି । ଯାହା ହେଉ, ଅଳ୍ପସମୟ ପରେ, ସେ ଲୋକଟି ପୁଣି ଜ୍ଞାନ ପାଇ ଉଠି ଛିଡ଼ା ହେଲା । ତାହା ପରେ ସେ ହଠାତ୍‌ ଆସି ମୋର ମୁହଁ ଓ ଦେହରୁ ଦଉଡ଼ି ଫିଟାଇ ଦେବାରୁ ମୁଁ ଆସି ତଳେ ଛିଡ଼ା ହେଲି । ନବଜୀବନ ଲାଭ କରି ପ୍ରାଣର ଆବେଗରେ ଯୁବକଟିକୁ କୁଣ୍ଢାଇ ପକାଇଲି ଏବଂ ତା’ର ମସ୍ତକ ବାରମ୍ୱାର ଆଘ୍ରାଣ କଲି । ସେଥିରେ ସେ ଆଦୌ ବାଧା ଦେଲା ନାହିଁ, ବରଂ ମୋର ଆଲିଙ୍ଗନ ଭିତରେ କ୍ଷଣକାଳ ପାଇଁ ନିର୍ଜୀବ ଭାବରେ ରହିଗଲା ।

 

ତତ୍ପରେ ସେ ମୋତେ କହିଲା, “ବର୍ତ୍ତମାନ କୃତଜ୍ଞତା ବା ଆନନ୍ଦ ପ୍ରକାଶ କରିବାର ବେଳ ହୋଇନାହିଁ । ଅତି ଶୀଘ୍ର ମୋ ସଙ୍ଗେ ସଙ୍ଗେ ପଳାଇ ଆସ ।” ମୁଁ ଆଉ କିଛି ନ କହି ମନ୍ତ୍ରମୁଗ୍‌ଧ ପରି ସେ ଯୁବକଟିର ପଛେ ପଛେ ଗୋଡ଼ାଇଲି । ଅନାହାର କଷ୍ଟ ବା ଶାରୀରିକ ଦୁର୍ବଳତା ମୋତେ କିଛି ଜଣାପଡ଼ିଲା ନାହିଁ । ଆମ୍ଭେମାନେ ସହରର ନାନା ରାସ୍ତା ଓ ଗଳି ଦେଇ ପଳାଇଲୁଁ । ସେତେବେଳେ ଆମକୁ ଯିଏ ଦେଖିଲା, ସେ ଭୟରେ ଘର ଭିତରକୁ ପଳାଇ ଯାଉଥିଲା-। ଅଳ୍ପ ସମୟ ପରେ ସହର ପାର ହୋଇ ଆମ୍ଭେ ଦୁହେଁ ମେନାମ ନଦୀ କୂଳେ କୂଳେ ଗୋଟିଏ ଜଙ୍ଗଲ ରାସ୍ତାରେ ପହଞ୍ଚିଲୁଁ । ସେହିଠାରେ ଯୁବକଟି ମୁହୂର୍ତ୍ତେ ଛିଡ଼ା ହୋଇ ମୋତେ କହିଲା, “ବର୍ତ୍ତମାନ ଚୀନ ଦେଶର ଲୁ ରାଜ୍ୟର ରାଜା ହାଂହୋଇ ବହୁତ ସୈନ୍ୟ ଓ ଯୁଦ୍ଧଜାହାଜ ନେଇ ଶ୍ୟାମ ଆକ୍ରମଣ କରିବାକୁ ଆସୁଚନ୍ତି । ମେନାମ ମୁହାଣରେ ଗୋଟିଏ ଓଡ଼ିଆ ଜାହାଜ ଥିବାର ଦେଖି, ତାକୁ ନିଜ ଜାହାଜଗୁଡ଼ିକର ଆଗେ ଆଗେ ଚଳାଇ ଆସୁଛନ୍ତି । ମୁଁ ବଧ୍ୟ ଭୂମିରେ ଗଜପତି ରାଜା ଆସୁଚନ୍ତି ବୋଲି କହି ନ ଥିଲେ ଶ୍ୟାମରାଜା ଓ ତାଙ୍କର ଲୋକମାନେ ଏପରି ଭୟରେ ପଳାଇ ନ ଥାନ୍ତେ । ତୁମେ ଜାଣ, ଏହିସବୁ ପୂର୍ବାଞ୍ଚଳରେ ଯେତେ ଦୁଷ୍ଟ ରାଜା ଅଛନ୍ତି, ସେମାନେ ଗଜପତିଙ୍କ ପ୍ରତାପରେ ଥର ହର ହୁଅନ୍ତି । ତେଣୁ ତୁମେ ଆଜି ଗଜପତିଙ୍କ ନାମରେ ରକ୍ଷା ପାଇଗଲ । ଆସ ଆଜି ଚୀନ ରାଜାଙ୍କର ସହାୟ ହୋଇ ଶ୍ୟାମରାଜାଙ୍କ ଉପରେ ପ୍ରତିଶୋଧ ନେବା ।” କଥା କହିଲାବେଳେ ଯୁବକଟିର ମୁହଁ ଓ ଆଖି ଲାଲ ପଡ଼ି ଯାଉଥିଲା । ତା’ର ଉତ୍ତେଜନାରେ ମୋ ଛାତି ଭିତରେ ମଧ୍ୟ ବିରକ୍ତି ଓ ପ୍ରତିହିଂସାର ଅଗ୍ନି ଜଳି ଉଠିଲା ।

 

ତାହା ପରେ ବାଟରେ ଯାଉ ଯାଉ ମୁଁ କହିଲି, “ବନ୍ଧୁ, ମୁଁ ମନେ କରେଁ, ତୁମେ ଏହି ଶ୍ୟାମରାଜ୍ୟର ଲୋକ । ତୁମେ ଯେଉଁ ଓଡ଼ିଆ ଜାହାଜ କଥା କହିଲ, ସେଇଟି ମୋର । ମୁଁ ତାକୁ ମେନାମ ମୁହାଣରେ ବାନ୍ଧିଦେଇ ଏ ରାଜ୍ୟ ଭିତରକୁ ଆସିଥିଲି । ଏହି ରାଜ୍ୟର ମନ୍ତ୍ରୀକନ୍ୟା ପାରିଜାତ, ରାଜାଙ୍କ ଅତ୍ୟାଚାରରେ ଘରୁ ପଳାଇଯାଇ, ନାନା ବିପଦ ଓ ମୃତ୍ୟୁ ମୁଖରୁ ପାର ହୋଇ ଶେଷରେ ମୋହରି ଆଶ୍ରୟରେ ମୋ ଜାହାଜରେ ଥିଲେ । ମୁଁ ତାଙ୍କୁ ବାଧ୍ୟ ହୋଇ ଏକା କରି ଛାଡ଼ିଦେଇ ଆସିଥିଲି । ମୋ ଜାହାଜଟି ହାଂହୋଇଙ୍କର ହସ୍ତଗତ ହେବା ପୂର୍ବରୁ ପାରିଜାତ କୁଆଡ଼େ ଗଲେ ବା ତାଙ୍କର କ’ଣ ହେଲା ? ତୁମେ ଯଦି ସେ ବିଷୟରେ କିଛି ଜାଣ, ମୋତେ ଆଗ କହ ।” ଯୁବକ କହିଲା, “ସେସବୁ କଥା ମୋତେ କିଛି ପଚାର ନାହିଁ । ମୁଁ କିଛି ଜାଣେ ନାହିଁ । ମୁଁ ଯେତେବେଳେ ଚୀନ୍‌ ଜାହାଜ ଓ ସୈନ୍ୟମାନଙ୍କୁ ଦେଖିଲି ଏବଂ ଶୁଣିଲି ଚୀନରାଜା ଯୁଦ୍ଧଲାଗି ଆସୁଚନ୍ତି, ସେତେବେଳେ ଶ୍ୟାମରାଜାଙ୍କୁ ସାବଧାନ କରାଇ ଦେବାଲାଗି ଆସୁଥିଲି । ଆସୁ ଆସୁ ଗଡ଼ର ପ୍ରଥମ ଫାଟକଠାରେ ଶୁଣିଲି, ଆଜି ଜଣେ ଓଡ଼ିଆଲୋକ ବଧ୍ୟଭୂମିରେ ଶୂଳୀ ପାଉଚି । ରାଜା ସେଠାରେ ସ୍ୱୟଂ ଉପସ୍ଥିତ ହୋଇ କୌତୁକ ଦେଖୁଚନ୍ତି । ସେତେବେଳେ ମୋ ମନରେ ବଡ଼ ରାଗ ଆସିଲା । ମୁଁ ଦେଖିଲି, ରାଜାଟା କେତେଗୁଡ଼ାଏ ମଣିଷ-କୁକୁରଙ୍କ କଥାରେ ପଡ଼ି ରାଜ୍ୟକୁ ଉଚ୍ଛନ୍ନ କରିଦେଲା । ତାହାରି ଫଳରେ ମନୁଷ୍ୟ ଜୀବନକୁ ତୃଣ ପରି ତୁଚ୍ଛ ମନେ କରୁଚି । ସେତିକିବେଳୁଁ ମୁଁ ରାଜା ଉପରେ ପ୍ରତିଶୋଧ ନେବାଲାଗି ପ୍ରତିଜ୍ଞା କରି ସାରିଚି । ଆମ୍ଭେମାନେ ନିଜ ପ୍ରତି ଅତ୍ୟାଚାରରେ ସେତେ ବିରକ୍ତ ହୋଇ ନ ଥିଲୁଁ । କିନ୍ତୁ ଜଣେ ବିଦେଶୀ ପ୍ରତି ଏ ନିଷ୍ଠୁର ଅତ୍ୟାଚାର ସହି ହେଉନାହିଁ । ତୁମେ ଶୀଘ୍ର ଆସ ।” ଯୁବକଟିର କଥାରେ ଆନନ୍ଦ, ରାଗ ଓ ବିସ୍ମୟ ଏକାବେଳେ ମୋ ମନକୁ ଅସ୍ଥିର କରି ପକାଇଲା ।

 

ଏହିପରି କଥାବାର୍ତ୍ତା ହେଉ ହେଉ ଆମ୍ଭେମାନେ ଜଙ୍ଗଲ ପଥ ଭେଦକରି ଚାଲି ଯାଉଥିଲୁଁ । ଅଳ୍ପ ଦୂରରେ ଚୀନରାଜାଙ୍କର ଯୁଦ୍ଧ ଜାହାଜସବୁ ଦେଖାଗଲା । ଆମ୍ଭେ ଦୁହେଁ ସେହିଠାରେ ନଦୀକୂଳରେ ଅପେକ୍ଷା କରି ଛିଡ଼ା ହେଲୁଁ । ଚୀନରାଜାଙ୍କର ସୁସଜ୍ଜିତ ଜାହାଜଟି ନିକଟବର୍ତ୍ତୀ ହେବାରୁ ଯୁବକ ଜାହାଜ ଅଟକାଇବା ଲାଗି ନାଉରୀମାନଙ୍କୁ ଇଙ୍ଗିତ ଦେଲା । ତାହା ପରେ ରାଜାଙ୍କ ଜାହାଜ ଦେହରୁ ଖଣ୍ଡିଏ ଛୋଟ ଜୀବନନୌକା ଆସିବାରୁ ଆମ୍ଭେ ଦୁହେଁ ସେଥିରେ ଯାଇ ରାଜାଙ୍କ ନିକଟରେ ପହଁଞ୍ଚିଲୁଁ । ରାଜା ମୋର ସମସ୍ତ ବୃତ୍ତାନ୍ତ ଶୁଣି ଖୁବ୍‌ ଦୁଃଖିତ ହେଲେ ଏବଂ ମୋ ନିଜ ଜାହାଜଟି ମୋ ଅଧୀନରେ ଛାଡ଼ି ଦେଲେ । ତାହା ପରେ ଶେଷଯାଏ ତାଙ୍କୁ ସାହାଯ୍ୟ କରିବାକୁ କହି, ମୁଁ ମୋର ଯୁବକ ବନ୍ଧୁଟି ସହିତ ମୋ ଜାହାଜରେ ପ୍ରବେଶ କଲି । ଜାହାଜସବୁ ଚାଲିଲା । ଅଳ୍ପ ସମୟ ପରେ ଆମ୍ଭେମାନେ ବାଙ୍କ୍‍କକ୍‌ ଗଡ଼ର ପ୍ରଧାନ ଫାଟକ ନିକଟରେ ନଙ୍ଗର କଲୁଁ ।

 

ଆଶ୍ଚର୍ଯ୍ୟର ବିଷୟ, ଏହି ଅଳ୍ପ ସମୟ ମଧ୍ୟରେ ଶ୍ୟାମରାଜ୍ୟର ଅନେକ ସ୍ଥାୟୀ ସୈନ୍ୟ ଏଠାରେ ଯୁଦ୍ଧ କରିବାଲାଗି ଅସ୍ତ୍ର ଶସ୍ତ୍ର ଧରି ଜଗି ରହିଥିଲେ । ଆମ୍ଭେମାନେ ନଙ୍ଗର କରିବା ସଙ୍ଗେ ସଙ୍ଗେ ଯୁଦ୍ଧ ଆରମ୍ଭ ହେଲା । ଶ୍ୟାମ ସୈନ୍ୟମାନେ ପ୍ରଥମେ ଗୁଳି ଚଳାଇଲେ । ସଙ୍ଗେ ସଙ୍ଗେ ଚୀନରାଜାଙ୍କର ଯୁଦ୍ଧଜାହାଜସବୁ ଗର୍ଜନ କରି ଉଠିଲା । ମୁଁ ମୋ ଜାହାଜ ମଙ୍ଗରେ ଛିଡ଼ା ହୋଇ ତୋପ ଚଳାଇଲି । ସେହି ଶବ୍ଦ ଯୁଦ୍ଧର ସମସ୍ତ ଗୋଳମାଳକୁ ବୁଡ଼ାଇ ଦେଉଥିଲା । ମୁଁ ଯେତେବେଳେ ବୀର ବିକ୍ରମରେ ତୋପ ଚଳାଇ ଯୁଦ୍ଧ କରୁଥିଲି, ମୋର ଯୁବକ ବନ୍ଧୁଟି ମୋ ନିକଟରେ ଛିଡ଼ା ହୋଇ ମୋର ହସ୍ତ କୌଶଳ ଦେଖୁଥାଏ । ମୁଁ ତା’ର ଉତ୍ସାହରେ ଦ୍ୱିଗୁଣ ଉତ୍ସାହିତ ହୋଇ ଶ୍ୟାମ ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ଘନ ଘନ ତୋପ ଚଳାଉ ଥିଲି । ମୋର ବାରମ୍ୱାର ତୋପ ମାଡ଼ରେ ଦୁର୍ଗର ପ୍ରଧାନଦ୍ୱାର ଟିକି ଟିକି ହୋଇ ତଳେ ଗଦା ହୋଇଗଲା । ଅନେକ ସୈନ୍ୟ ମରିଗଲେ । ବାକି ଯୋଦ୍ଧାମାନେ ହଠାତ୍‌ ଆଶ୍ରୟବିହୀନ ହୋଇ ଓ ଚୀନ୍‌ସୈନ୍ୟଙ୍କର ନିରନ୍ତର ଗୁଳିବର୍ଷଣରେ ବ୍ୟସ୍ତ ହୋଇ ଛତ୍ରଭଙ୍ଗ ଦେଲେ । ଆମ୍ଭେମାନେ କୂଳକୁ ଆସି ଶ୍ୟାମ ସୈନ୍ୟମାନଙ୍କୁ ପଛରୁ ଗୋଡ଼ାଇଲୁଁ । ରାସ୍ତାରେ ରାସ୍ତାରେ, ଗଳିରେ ଗଳିରେ ବହୁତ ଶ୍ୟାମ ସୈନ୍ୟ ହାଣ ଖାଇ ମଲେ । ସହର ତମାମ ଜନଶୂନ୍ୟ ହୋଇଗଲା ।

 

ତାହା ପରେ ଆମ୍ଭେମାନେ ଦଳବଳ ନେଇ ରାଜାବାଟୀ ମଧ୍ୟରେ ପ୍ରବେଶ କଲୁଁ । ରାଜା ସଖାସହାୟବିହୀନ ହୋଇ ଗୋଟିଏ ପାଇଖାନାରେ ଲୁଚି ରହିଥିଲେ । ତାଙ୍କୁ ସେଠାରୁ ବାହାର କରି ଆଣିଲୁଁ । ହାଂହୋଇଙ୍କ ଆଦେଶରେ ସଙ୍ଗେ ସଙ୍ଗେ ତାଙ୍କର ମୁଣ୍ଡ କାନ୍ଧରୁ ଅଲଗା ହୋଇ ଗୋଟିଏ ବଡ଼ ଖୁମ୍ୱ ଉପରେ ରାଜପଥରେ ଲଟକା ହୋଇ ରହିଲା । ଯେଉଁ ଖୋସାମଦିଆ ଲୋକଙ୍କ କଥାରେ ପଡ଼ି ଶ୍ୟାମରାଜା ଏତେ ଦୂର ଅତ୍ୟାଚାରୀ ହୋଇଥିଲେ, ଯେଉଁମାନଙ୍କର ଭିତରେ ଭିତରେ ଗୁପ୍ତସ୍ୱାର୍ଥ, ବାହାରେ ସତ ସତ ଓ ଟେକା ଟେକି ଏପରି ଦି ଫାଙ୍କିଆ କଥାରେ ରାଜା ଏତେବଡ଼ ରାଜ୍ୟଟାକୁ ଅରାଜକତାର ଶେଷସୀମାକୁ ନେଇ ଯାଇଥିଲେ, ସେମାନଙ୍କୁ ମଧ୍ୟ ଚୀନସୈନ୍ୟମାନେ ଗୋଟି ଗୋଟି କରି ପଦାକୁ ଭିଡ଼ି ଆଣିଲେ । ସର୍ବ ସମକ୍ଷରେ ସେମାନଙ୍କୁ କୁକୁର ପରି ତଳେ ଘୋଷାରି ଟିକି ଟିକି କରି କାଟି ଦିଆଗଲା । ତାହା ପରେ ହାଂହୋଇ ଗଡ଼ରେ ଶାନ୍ତି ଘୋଷଣା କଲେ ଏବଂ ବାସିନ୍ଦାମାନଙ୍କୁ ଅଭୟ ଦେଲେ ।

 

ଏହି ସମସ୍ତ କାର୍ଯ୍ୟ ଶେଷରେ ସରକାରୀ ବନ୍ଦୀଶାଳା ଆକ୍ରମଣ କରାଗଲା । ବହୁ ଦିନରୁ ଅତ୍ୟାଚାରରେ ସଢ଼ୁଥିବା ରାଜବନ୍ଦୀମାନଙ୍କୁ ଖଲାସ କରି ଦିଆଗଲା । ସେଥି ସଙ୍ଗେ ସଙ୍ଗେ ଶ୍ୟାମରାଜ୍ୟର ବୃଦ୍ଧ ମନ୍ତ୍ରୀ ମଧ୍ୟ ଖଲାସ ହୋଇ ସସମ୍ମାନରେ ହାଂହୋଇଙ୍କ ନିକଟକୁ ଅଣା ହେଲେ-। ଏଇ କେତେ କାଳ ହେଲା ଅତ୍ୟାଚାର ଓ ଯାତନା ସହି ସହି ନିତାନ୍ତ ମଳିନ ଓ ଶୁଖିଲା ଦିଶୁଥିଲେ ସୁଦ୍ଧା ତାଙ୍କର ତେଜୀଆନ୍‌ ଆଖି ଓ ଚେହେରା ଉପରେ ପ୍ରଜ୍ଞା ଓ ପ୍ରତିଜ୍ଞାର ରେଖା ସ୍ପଷ୍ଟ ଅଙ୍କିତ ଥିଲାପରି ଜଣା ଯାଉଥିଲା । ତାଙ୍କୁ ଦେଖିଲା କ୍ଷଣି ମୁଣ୍ଡ ଆପେ ଆପେ ତାଙ୍କ ପାଦ ଆଡ଼କୁ ଲଇଁ ଯାଉଥାଏ ।

 

ସେ ଆସି ନିକଟରେ ପହଞ୍ଚିବାରୁ ହାଂହୋଇ ତାଙ୍କୁ ଭକ୍ତିରେ ନମସ୍କାର କରି କହିଲେ, “ମନ୍ତ୍ରୀ ମହାରାଜ, ମୁଁ ଆପଣଙ୍କୁ ଭଲ କରି ଜାଣେଁ । ଆପଣଙ୍କ ମହତ୍ତ୍ୱ, ପାଣ୍ଡିତ୍ୟ ଓ ନ୍ୟାୟପରାୟଣତା ମୋତେ ବେଶ୍‌ ଜଣା ଅଛି । ଆମର ଜାତୀୟ ଗୁରୁ ଓ ଦେବତା କନ୍‌ଫୁସିଅସ୍‌, ଚସିଅସ୍‌ ଓ ମେନ୍‌ସିଅସ୍‌ଙ୍କର ଉପଦେଶମାନ ଏବଂ ପ୍ରାଚୀନ ଚୀନଦେଶୀୟ ରାଜକବିମାନଙ୍କର ଅମର ପଦାବଳି ଆପଣ ଯେପରି ବିଶଦ୍‌ରୂପେ ମୋତେ ବୁଝାଇ ଦେଇଥିଲେ, ମୁଁ ସେହି ଦିନୁଁ ଆପଣଙ୍କୁ ଉତ୍ତମରୂପେ ଚିହ୍ନି ପାରିଚି । ଏ ରାଜ୍ୟର ଅତ୍ୟାଚାର କାହାଣୀ ଲୋକମୁଖରେ ମୋ ଦରବାରକୁ ବରାବର ଯାଏ । ମୁଁ ସେସବୁ ଶୁଣି ଶୁଣି ଦୁଃଖିତ ହୁଏଁ । କିନ୍ତୁ ଯେଉଁଦିନ ଶୁଣିଲି ଯେ, ଶ୍ୟାମରାଜା ଆପଣଙ୍କ କନ୍ୟା ଲୋଭରେ ଆପଣଙ୍କୁ ଆଜୀବନ ବନ୍ଦୀ କଲେ ଏବଂ ଆପଣଙ୍କର ଏକମାତ୍ର ପୁତ୍ରକୁ ହତ୍ୟା କଲେ, ସେହିଦିନ ମୁଁ ପ୍ରତିଶୋଧ ନେବାଲାଗି ସ୍ଥିର କଲି । ଆପଣଙ୍କ ଅପମାନର ପ୍ରତିଶୋଧ ନେବାଲାଗି ଆଜି ଶ୍ୟାମରାଜ୍ୟ ମୋର ଅଧିକୃତ ହୋଇଅଛି । ଆଜି ଶ୍ୟାମରାଜା ତାଙ୍କର ପୋଷା କୁକୁରମାନଙ୍କ ସହିତ ରାସ୍ତାଧୂଳିରେ ମୁଣ୍ଡ ଗଡ଼ାଉଅଛନ୍ତି ।”

 

ଏକଥା ଶୁଣୁ ଶୁଣୁ ବୃଦ୍ଧମନ୍ତ୍ରୀଙ୍କ ଆଖି ଦୁଇଟିରୁ ଲୁହ ଧାର ଧାର ହୋଇ ଗଡ଼ି ଆସିଲା । ହାଂହୋଇ ପୁଣି ତାଙ୍କୁ ପ୍ରବୋଧନା ଦେଇ କହିଲେ, “ଆପଣ ଦୁଃଖିତ ହୁଅନ୍ତୁ ନାହିଁ । ପାପୀର ଉଚିତ ପ୍ରାୟଶ୍ଚିତ୍ତ ହୋଇଅଛି । ଆଜିଠାରୁ ଆପଣ ଶ୍ୟାମ ଦେଶର ଏକଛତ୍ର ସ୍ୱାଧୀନ ରାଜା ହେଲେ-। ମୁଁ ଆଜି ଯୁଦ୍ଧ ଶେଷରେ ଆପଣଙ୍କ ସହିତ ସନ୍ଧି କଲି । ଶ୍ୟାମରାଜ୍ୟର ପଶ୍ଚିମାଞ୍ଚଳ ମୋର ସାକ୍ଷାତ ଶାସନରେ ରହିଲା । ଆପଣ ପୂର୍ବାଞ୍ଚଳରେ ରାଜତ୍ୱ କରନ୍ତୁ । ମୁଁ ଆଜି ଘୋଷଣା କରୁଚି, ଶ୍ୟାମରାଜ୍ୟର ମନ୍ତ୍ରୀ ଶ୍ୟାମର ରାଜା ହେଲେ । ଜୟ ଶ୍ୟାମ ରାଜାଙ୍କର ଜୟ ।” ସଙ୍ଗେ ସଙ୍ଗେ ଅଗଣିତ ଶ୍ୟାମବାସୀ ଓ ଚୀନବାସୀ ହାଂହୋଇଙ୍କ ଶବ୍ଦର ପ୍ରତିଧ୍ୱନି ଧରି ଜୟନାଦ କଲେ ।

 

ତାହା ପରେ ମନ୍ତ୍ରୀ ମହାରାଜ କହିଲେ, “ଆପଣ ଆଜି ମୋତେ ଉଚ୍ଚ ସମ୍ମାନ ଓ ରାଜପଦବୀ ଦେଉଅଛନ୍ତି । ମୁଁ ସେଥିଲାଗି ଉପଯୁକ୍ତ ନୁହେଁ । ମୋର ଜୀବନର ଶେଷକାଳ ଉପସ୍ଥିତ । ମୋ ଆଲୁଅ ଲିଭି ଲିଭି ଆସିଲାଣି । ମୋର ପୁତ୍ରକନ୍ୟା ମରିଚନ୍ତି । ଶ୍ୟାମରାଜା ଅତ୍ୟାଚାରୀ ହେଲେ ମଧ୍ୟ ମୋର ପ୍ରଭୁ ଥିଲେ । ସେ ମଧ୍ୟ ଆଜି ହାଣ ଖାଇଛନ୍ତି । ଅପରାଧୀର ଉଚିତ ଦଣ୍ଡ ହୋଇଅଛି । ଆପଣ କହୁଥିବାରୁ ଆପଣଙ୍କର ଇଚ୍ଛା ପୂରଣ କରିବାଲାଗି ମୁଁ ଏ ଦେଶର ରାଜଦଣ୍ଡ ଧାରଣ କରିପାରେଁ । କିନ୍ତୁ ଆପଣ ଆଦେଶ କରନ୍ତୁ, ମୋ ଅନ୍ତେ ଶ୍ୟାମ ରାଜାଙ୍କର ଜ୍ୟେଷ୍ଠ ପୁତ୍ର ମୋର ଉତ୍ତରାଧିକାରୀ ହେବେ ।” ହାଂହୋଇ “ତଥାସ୍ତୁ” ବୋଲି କହିଲେ ।

 

ସେହି ମୁହୂର୍ତ୍ତରେ ମନ୍ତ୍ରୀଙ୍କର ଶୁଭରାଜ୍ୟାଭିଷେକ ହେଲା । ଶ୍ୟାମରାଜ୍ୟର ଶତଶତ ପ୍ରଜା ଉତ୍ସବରେ ଯୋଗ ଦେଲେ । ଶ୍ୟାମ ଦେଶର ରୀତି ଅନୁଯାୟୀ ଅଭିଷେକ ଶେଷ ହେବା ପରେ ହାଂହୋଇ ନିଜ ହାତରେ ମନ୍ତ୍ରୀଙ୍କ ମସ୍ତକରେ ରାଜମୁକୁଟ ପିନ୍ଧାଇ ଦେଲେ । ଉତ୍ସବ ଶେଷରେ କେତେକ ଦିନ ଧରି ଆମୋଦ ପ୍ରମୋଦ କରାଗଲା । ମୁଁ ଓ ମୋର ଯୁବକବନ୍ଧୁଟି ଦରବାରରେ ଉଚ୍ଚସମ୍ମାନ ଲାଭ କଲୁଁ । କହିବା ବାହୁଲ୍ୟ, ମୋର ଯୁବକ ବନ୍ଧୁଟି ଏତେଦିନ ପର୍ଯ୍ୟନ୍ତ ବରାବର ମୋ ପାଖେ ପାଖେ ରହିଥାଏ ।

 

ଦିନେ ରାଜ୍ୟରେ ପ୍ରଧାନ ପ୍ରଧାନ କର୍ମଚାରୀ, ଅମାତ୍ୟ ଓ ଭଦ୍ର ବ୍ୟକ୍ତିମାନଙ୍କୁ ନେଇ ଗୋଟିଏ ଦରବାର ବସିଲା । ଉଭୟ ରାଜା ଉପସ୍ଥିତ ଥାଆନ୍ତି । ସେହି ଦରବାରରେ ମୁଁ ମୋ ଜୀବନର ପୂର୍ବ ବୃତ୍ତାନ୍ତମାନ ଶୁଣାଇଲି । ସେଥି ସଙ୍ଗେ ସଙ୍ଗେ ମଧ୍ୟ ପାରିଜାତଙ୍କ ସମ୍ପର୍କୀୟ ସମସ୍ତ ବିବରଣ ଆନୁପୂର୍ବିକ ଜଣାଇଲି । ସଭାରେ ଥିବା ଲୋକମାନେ ମୋ କଥା ଶୁଣି ତଟସ୍ଥ ହୋଇଗଲେ । ବୃଦ୍ଧ ରାଜା ଅଧୀର ହୋଇ ତାଙ୍କ କନ୍ୟାର ନାମ ଧରି କାନ୍ଦିବାକୁ ଲାଗିଲେ । ହାଂହୋଇଙ୍କ ଆଖିରୁ ମଧ୍ୟ ଲୁହ ଗଡ଼ିପଡ଼ିଲା । ସଭାଗୃହରେ ଗୋଟାଏ ବିଷାଦର ଛାୟା ଖେଳିଗଲା-

 

ଆଶ୍ଚର୍ଯ୍ୟର କଥା, ଏତିକିବେଳେ ମୋ ଯୁବକବନ୍ଧୁଟି ମୋ ନିକଟକୁ ଦୌଡ଼ିଯାଇ ବୃଦ୍ଧରାଜାଙ୍କୁ କୁଣ୍ଢାଇ ପକାଇ “ବାପା ବାପା” ବୋଲି ଭୋ ଭୋ କରି କାନ୍ଦିବାକୁ ଲାଗିଲା । ଘଟଣାର ଏହି ଆକସ୍ମିକ ପରିବର୍ତ୍ତନରେ ସମସ୍ତେ ବିସ୍ମିତ ହୋଇଗଲେ । ମୁଁ ଦେଖିଲି, ମୋ ଆଗରେ ପାରିଜାତ ରାଜାଙ୍କୁ କୁଣ୍ଢାଇ ଛିଡ଼ା ହୋଇଅଛନ୍ତି । ସେ ଏ ପର୍ଯ୍ୟନ୍ତ ମୋ ନିକଟରେ ଛଦ୍ମ ପୁରୁଷ ବେଶରେ ଚଳିଆସିଥିଲେ । ମୁଁ ତାଙ୍କୁ ଆଦୌ ଚିହ୍ନି ପାରି ନ ଥିଲି । କିନ୍ତୁ ବର୍ତ୍ତମାନ ପୁରୁଷ ବେଶ ସତ୍ତ୍ୱେ ତାଙ୍କ ମୁହଁ ଓ ଆଖି ଦୁଇଟିରେ ନାରୀସୁଲଭ ସୌନ୍ଦର୍ଯ୍ୟ, କୋମଳତା ଓ ଲାବଣ୍ୟ ଝଲମଲ କରୁଥିବାର ଦେଖାଗଲା । ବୃଦ୍ଧରାଜା ନିଜ କନ୍ୟାକୁ ଫେରିପାଇ ଆଶାତୀତ ସୁଖୀ ହେଲେ ଏବଂ ମୋତେ ଆହୁରି ପ୍ରଶଂସା କଲେ । ଆନନ୍ଦ ଉପରେ ଆନନ୍ଦ ସମୁଦ୍ର ଢେଉ ପରି ମାଡ଼ିଆସିଲା । ସମଗ୍ର ଶ୍ୟାମରାଜ୍ୟରେ ଶାନ୍ତି ଓ ସୁଖ ବିରାଜମାନ ହେଲା ।

 

ତାହା ପରେ ଚୀନରାଜାଙ୍କର ନିଜ ଦେଶକୁ ଫେରିଯିବାର ଦିନ ସ୍ଥିର ହୋଇଗଲା । ମୁଁ ମଧ୍ୟ ଉତ୍କଳକୁ ଫେରି ଆସିବାର ଅନୁମତି ପାଇଲି । ଶ୍ୟାମରାଜା ଓ ଚୀନରାଜା ମୋତେ ବିସ୍ତର ଧନ ଦାନ କରି ପୁରସ୍କୃତ କଲେ । ମୁଁ ନିଜ ଯୋଗୁଁ ଓ ଗଜପତିଙ୍କ ପ୍ରଜା ଭାବରେ ବିଶେଷ ସମ୍ମାନ ଲାଭ କଲି ।

 

ମୁଁ ଫେରି ଆସିବାର ପୂର୍ବଦିନ ରାତିରେ ପାରିଜାତ ହଠାତ୍‌ ମୋ ରହିବାଘରେ ପ୍ରବେଶ କରି କାନ୍ଦି କାନ୍ଦି କହିଲେ, “ରଣବୀର, ତୁମେ ଚାଲିଯାଉଚ ବୋଲି ଶୁଣୁଚି । ମୋତେ ସାଙ୍ଗରେ ନେଇଯିବ ତ ? ମୁଁ କହିଚି, ତୁମ ସଙ୍ଗରେ ଯାଇ ଦେଶ ଦେଶ ଭିକ୍ଷା ମାଗି ବୁଲିବି ।” ମୁଁ ହସି ହସି କହିଲି, “ସେତେବେଳ କଥା ଆଉ ନାହିଁ । ବର୍ତ୍ତମାନ ତୁମେ ରାଜକନ୍ୟା, ରାଜ୍ୟର ଅଧିକାରିଣୀ । ରାଜକନ୍ୟା ଭିକ୍ଷା ମାଗି ବୁଲିବା କେବେ ଶୁଣାନାହିଁ । ତୁମେ ଅନ୍ନପୂର୍ଣ୍ଣା-ତୁମ ହସ୍ତର ଭିକ୍ଷାଲାଗି ଆମଭଳି ଭିକ୍ଷୁକମାନେ ଚାହିଁ ରହିଚନ୍ତି ।” ସେ କହିଲେ, “ତୁମେ ଯଦି ନିଜକୁ ଭିକ୍ଷୁକ ବୋଲି ମନେକର, ଏବଂ ମୋ ହସ୍ତର ଭିକ୍ଷାକୁ ଚାହିଁ ରହିଥାଅ, ତା’ହେଲେ ମୁଁ ମୋ ହସ୍ତର ଭିକ୍ଷା ଦେବି । ଆନନ୍ଦରେ ଗ୍ରହଣ କରିବ ତ ?” ମୁଁ ତାଙ୍କ କଥାର ସରଳ ଅର୍ଥ ନେଇ କହିଲି, “ରାଜକନ୍ୟା, ନିଶ୍ଚୟ ଗ୍ରହଣ କରିବି ।” ସେ କହିଲେ, “ତା’ ହେଲେ ମୁଁ ମୋ ହସ୍ତର ଭିକ୍ଷାସ୍ୱରୂପ ମୋ ହସ୍ତ ତୁମ ହସ୍ତରେ ଅର୍ପଣ କଲି । ନିଶ୍ଚୟ ଗ୍ରହଣ କର ।” ଏହା କହି ପାରିଜାତ ତାଙ୍କ ହାତକୁ ଆଣି ମୋ ହାତରେ ଧରାଇଦେଲେ । ମୁଁ ଉଚ୍ଛ୍ୱସିତ ସ୍ନେହ, ଆନନ୍ଦ ଓ ବିସ୍ମୟରେ କାନ୍ଦି ପକାଇଲି ।

 

ଏତିକିବେଳେ ବୃଦ୍ଧ ଶ୍ୟାମରାଜା କବାଟର ପଛପଟୁ ବାହାରି ପଡ଼ି ସେ ଘରେ ପଶିଗଲେ । ମୁଁ ଲଜ୍ଜାରେ ସଙ୍କୁଚିତ ହୋଇଗଲି । ରାଜା ଆମ ନିକଟକୁ ଆସି ମୋତେ ଓ ପାରିଜାତକୁ ଏକକାଳୀନ ଆଲିଙ୍ଗନ କରି କହିଲେ, “ବତ୍ସ ରଣବୀର, ତୁମେ ମୋର ପୁତ୍ର, ପାରିଜାତ ମୋର କନ୍ୟା । ଆଜି ମୁଁ ତୁମ ଦୁହିଁଙ୍କୁ ଏକତ୍ର ପାଇ ମୋ ଜନ୍ମ ସାର୍ଥକ କଲି । ରାଜକନ୍ୟା ନିଜକୁ ଭିକ୍ଷାସ୍ୱରୂପ ତୁମ ହାତରେ ଅର୍ପଣ କରି ସାରିଲେଣି । ମୁଁ ପିତାଭାବରେ ଏବଂ ରାଜା ଭାବରେ ସେ ଭିକ୍ଷାଦାନକୁ ଅନୁମୋଦନ କଲି । ତୁମେ ସେ ଭିକ୍ଷା ଅବଶ୍ୟ ଗ୍ରହଣ କରିବ ।”

 

ମୁଁ ଏହିସବୁ ଘଟଣାରେ ଅବାକ୍‌ ହୋଇଗଲି । ଏଣେ ରାଜକନ୍ୟା ପାରିଜାତ ତାଙ୍କ ନିଷ୍କଳଙ୍କ ଓ ଅକପଟ ସ୍ନେହ ଏବଂ ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ପ୍ରଭାବରେ ମୋ ହୃଦୟକୁ ଅଧିକାର କରି ବସିଥିଲେ । ତେଣୁ ପିତୃପ୍ରତିମ ବୃଦ୍ଧ ରାଜାଙ୍କର ମହତ୍‌ ଆଦେଶ । ମୁଁ କ’ଣ କରିବି କିଛି ସ୍ଥିର କରି ପାରିଲି ନାହିଁ । ତଥାପି ଏ ସମସ୍ତ କଥାକୁ ଟିକିଏ ଆଡ଼େଇ ଦେଇ କହିଲି, “ମହାରାଜ, ମୁଁ ବିବାହିତ, ମୋର ପିଲା ଅଛନ୍ତି । ମୁଁ ପୁଣି ରାଜକନ୍ୟାକୁ କିପରି ଗ୍ରହଣ କରିବି ?” ରାଜା କହିଲେ, “ବତ୍ସ, ତୁମେ ମୋ କନ୍ୟାକୁ ସାଙ୍ଗରେ ନେଇଯିବାକୁ ଆଗରୁ ସମ୍ମତି ହୋଇଛ । ବର୍ତ୍ତମାନ ସମସ୍ତ ଅସୁବିଧା ସତ୍ତ୍ୱେ ମୋ କନ୍ୟା ତୁମର । ମୁଁ ତୁମର ପିତା । ମୋ ଆଦେଶକୁ ଜଗନ୍ନାଥ ଓ ଗଜପତି ରାଜାଙ୍କ ଆଦେଶପରି ମନେ କର ।” ମୁଁ ନିରୁତ୍ତର ହେଲି । ରାଜା ତାହା ପରେ ସେଠାରୁ ଚାଲିଗଲେ । ପିତା ଚାଲିଯିବାରୁ ପାରିଜାତ ମୋ ନିକଟକୁ ଆସି ତାଙ୍କ ସୌନ୍ଦର୍ଯ୍ୟର ସ୍ୱର୍ଗଗଙ୍ଗା ଜଳରେ ମୋତେ ଅଭିଷେକ କରାଇଦେଇ ଚାଲିଗଲେ ।

 

ତାହା ପରଦିନ ଉତ୍କଳୀୟ ରୀତିରେ ଆମର ବିବାହ ଉତ୍ସବ ଅନୁଷ୍ଠିତ ହେଲା । ଚୀନରାଜା ଓ ତାଙ୍କର ସହଚାରୀମାନେ ଯିବା ବନ୍ଦ କରି ଏ ଉତ୍ସବରେ ଯୋଗ ଦେଲେ । ପୁଣି ଉତ୍ସବ କେତେଦିନ ଧରି ଚାଲିଲା । ମୁଁ ଯୌତୁକସ୍ୱରୂପ ବହୁତ ସମ୍ପତ୍ତି ଲାଭ କଲି । ମେନାମ ନଦୀମୁହାଣରେ ପ୍ରକାଣ୍ଡ ରାଜ୍ୟ ଖଣ୍ଡେ ମଧ୍ୟ ମୋତେ ଯୌତୁକସ୍ୱରୂପ ମିଳିଥିଲା । ମୁଁ ତାକୁ ଗୋଟିଏ ପ୍ରଜାଭାବରେ ଗଜପତିଙ୍କ ପାଦରେ ସମର୍ପଣ କରିବାକୁ ମନସ୍ଥ କରିଥିଲି । ମୋର ବରାଦ ଅନୁସାରେ ସେହି ସ୍ଥାନରେ ଗୋଟିଏ ବନ୍ଦରଗୃହ ଓ ରହିବାଲାଗି ଅନେକଗୁଡ଼ିଏ କୋଠାଘର ମଧ୍ୟ ତିଆରି କରାଗଲା । ମୁଁ ଶ୍ୟାମରାଜାଙ୍କର ଜୁଆଇଁ ହୋଇଥିବାରୁ ଚତୁର୍ଦ୍ଦିଗରୁ ବହୁତ ସମ୍ମାନ ପାଉଥିଲି । ସର୍ବୋପରି ପାରିଜାତଙ୍କର ଅକପଟ ପ୍ରେମ ମୋ ଜୀବନର ବହୁମୂଲ୍ୟ ସମ୍ପଦ ହୋଇଉଠିଲା । ପାରିଜାତଙ୍କ ଉପସ୍ଥିତିରେ ମୋ ଘରଖଣ୍ଡି ଯେ ନୂତନ ଆକାର ଧାରଣ କରିବ, ସେହି ଭାବନାରେ ମୁଁ ଆନନ୍ଦରେ ଅଧୀର ହେଉଥିଲି । ଧନ୍ୟ ଭଗବାନ୍‌, ଧନ୍ୟ ଜଗନ୍ନାଥ, ମନୁଷ୍ୟ ଭାଗ୍ୟରେ କେତେବେଳେ କି ଦୁଃଖ ଓ କି ସମ୍ପଦ ଲେଖିଚ, ତାହା ଛାର ମନୁଷ୍ୟ କ’ଣ ବୁଝିବ ?

 

ଯଥାସମୟରେ ଆମର ସ୍ୱଦେଶକୁ ଫେରିବାର ଦିନ ସ୍ଥିର ହୋଇଗଲା । ବିରାଟ ଆଡ଼ମ୍ୱର ଓ ଉତ୍ସବ ମଧ୍ୟରେ ଆମ୍ଭର ବିଦାୟକାଳୀନ କାର୍ଯ୍ୟମାନ କରାଗଲା । ଆମର ଆସିବା ପୂର୍ବରୁ ସେଠାରେ ଗୋଟିଏ ବଡ଼ ଦରବାର ହୋଇଥିଲା । ଶ୍ୟାମରାଜା, ଚୀନରାଜା ଓ ସେମାନଙ୍କର କର୍ମଚାରୀମାନେ ସେଥିରେ ଯୋଗ ଦେଇଥିଲେ । ଦରବାର ପକ୍ଷରୁ ଉତ୍କଳରାଜାଙ୍କର ଯଶୋଗାନ କରାଯାଇଥିଲା । ଶ୍ୟାମରାଜା ଗଜପତିଙ୍କ ସହିତ ଚିରବନ୍ଧୁତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଖଣ୍ଡିଏ ରାଜକୀୟ ପତ୍ର ମୋ ହାତରେ ପଠାଇଲେ ଏବଂ ବିସ୍ତର ଉପଢ଼ୌକନ ସମ୍ପତ୍ତି ମଧ୍ୟ ଦାନ କଲେ । ଚୀନ ରାଜା ମଧ୍ୟ ମୋର କେତେକ ପ୍ରଶଂସା ଗାନକରିବା ସଙ୍ଗେ ସଙ୍ଗେ ତାଙ୍କର ବନ୍ଧୁତାପତ୍ର ପଠାଇଲେ । ସମୂହ ଆନନ୍ଦ ମଧ୍ୟରେ ଦରବାର ଓ ଅନ୍ୟାନ୍ୟ ଉତ୍ସବ ଶେଷ ହେଲା ।

 

ବିଦାୟ ହେବା ପୂର୍ବରୁ ଚୀନରାଜା ମୋତେ ଓ ପାରିଜାତଙ୍କୁ ଚୀନ ରାଜଧାନୀ ଦେଖି ଓ ସେଠାରେ ଆତିଥ୍ୟ ଲାଭ କରିବାକୁ ନିମନ୍ତ୍ରଣ କଲେ । ମୁଁ ପାରିଜାତଙ୍କର ଆଗ୍ରହ ଓ ଚୀନରାଜାଙ୍କର ଇଚ୍ଛାକୁ ଲଙ୍ଘନ କରି ପାରିଲି ନାହିଁ । ମୁଁ ବହୁଦିନ ହେଲା ଘରୁ ଆସିଥିଲି । ସ୍ୱଦେଶକୁ ଫେରିଯିବାଲାଗି ମୋ ମନ ବିଶେଷ ବ୍ୟାକୁଳ ହେଉଥିଲେ ସୁଦ୍ଧା, ମୁଁ ବାଧ୍ୟ ହୋଇ ଏ ପ୍ରସ୍ତାବରେ ରାଜି ହେଲି । ମୋ ନିଜର ଯୌତୁକସମ୍ପତ୍ତି, ଗଜପତିଙ୍କର ଉପଢ଼ୌକନ ଓ ଅନ୍ୟ ଅନୁଚରମାନଙ୍କୁ ଧରି କେତେଖଣ୍ଡି ଶ୍ୟାମଦେଶୀୟ ଜାହାଜ ମୋ ସହିତ ଯିବାର ଥିଲା । କିନ୍ତୁ ସେସବୁ ଏତେ ଦୂରପଥ ମୋ ସଙ୍ଗେ ସଙ୍ଗେ ଯିବା ଅନାବଶ୍ୟକ ଦେଖି ଶ୍ୟାମରାଜା କହିଲେ, “ଏ ଜାହାଜସବୁ ଯଥାସମୟରେ ତୁମ୍ଭଙ୍କୁ ସେଲିବିସ୍‌ ଦ୍ୱୀପଠାରେ ଅପେକ୍ଷା କରିବ । ଚୀନରୁ ଫେରିବା ସମୟରେ ତୁମ୍ଭେମାନେ ସେଲିବିସଠାରୁ ଏକତ୍ର ଓଡ଼ିଶା ଯିବ ।” ସେହିକଥା ଠିକ୍‌ ହେଲା ।

 

ତହିଁ ଆରଦିନ ସକାଳୁ ଅସଂଖ୍ୟ ଜାହାଜ ମେନାମ ନଦୀରେ ଭାସମାନ ହେଲା । ଚୀନରାଜା ତାଙ୍କର ସୁସଜ୍ଜିତ ପ୍ରକାଣ୍ଡ ଜାହାଜରେ ବିଜେ ହେଲେ । ଶ୍ୟାମରାଜା ମଧ୍ୟ ତାଙ୍କର ସରକାରୀ ଜାହାଜରେ ଆମ୍ଭମାନଙ୍କୁ ସସମ୍ମାନରେ ବିଦାୟ ଦେବାଲାଗି ମେନାମ ନଦୀମୁହାଣ ପର୍ଯ୍ୟନ୍ତ ବାହାରିଲେ । ତାହା ପରେ ସମ୍ମାନସୂଚକ ଘନଘନ ତୋପଧ୍ୱନି, ପୁରସ୍ତ୍ରୀ ଓ ପୁରୁଷମାନଙ୍କର ହର୍ଷ କୋଳାହଳ, ବନ୍ଦୀର ଜୟଗାନ ଓ ସୈନ୍ୟମାନଙ୍କର ସାମରିକ ସମ୍ମାନ ମଧ୍ୟରେ ମୁଁ ପାରିଜାତଙ୍କ ହାତ ଧରି ମୋ ନିଜ ଜାହାଜରେ ପ୍ରବେଶ କଲି । ଶ୍ୟାମବାସୀମାନେ ମୋ ଜାହାଜଟିକୁ ମଧ୍ୟ ଉତ୍ତମରୂପେ ସଜାଇ ଦେଇଥିଲେ । ବିଦାୟ ହେବା ପୂର୍ବରୁ ମୁଁ ଶ୍ୟାମରାଜା ଓ ଶ୍ୟାମବାସୀମାନଙ୍କର ସମ୍ମାନ ଲାଗି ମୋ ଜାହାଜରୁ ତିନିଥର ତୋପଧ୍ୱନି କଲି । ତାହା ପରେ ସବୁ ଜାହାଜ ଏକାବେଳେ ଗତି କଲା ।

 

ଯଥାସମୟରେ ଆମ୍ଭେମାନେ ମେନାମ ମୁହାଣରେ ପହଞ୍ଚିଲୁଁ । ସେଠାରେ ଓହ୍ଲାଇ ମୁଁ ଗୋଟିଏ ସ୍ମୃତିସ୍ତମ୍ଭ ଓ ଆଉ ଗୋଟିଏ ବନ୍ଦରଗୃହର ମୂଳଦୁଆ ଦେଲି । ସେତେବେଳେ ପାରିଜାତ ମୋ ନିକଟରେ ରହି ମୋ କାର୍ଯ୍ୟରେ ସାହାଯ୍ୟ କରୁଥାନ୍ତି । ମୂଳଦୁଆ ଦେବାଲାଗି ଯେତେଗୁଡ଼ିଏ ପଥର ଆବଶ୍ୟକ ହେଲା, ସବୁଥିରେ ବଡ଼ ବଡ଼ ଓଡ଼ିଆ ଅକ୍ଷରରେ ‘ପାରିଜାତ’ ଶବ୍ଦ ଲେଖା ଯାଇଥିଲା । ଏ ସମସ୍ତ ଉତ୍ସବ ପରେ ଶ୍ୟାମରାଜା ଓ ତାଙ୍କର ଅନୁଚରମାନେ ଆମ୍ଭଠାରୁ ବିଦାୟ ନେଇ ବାଙ୍କ୍‍କକ୍‌ ଗଡ଼କୁ ଫେରିଗଲେ । ବୃଦ୍ଧରାଜା ଯିବା ପୂର୍ବରୁ ମୋତେ ଓ ପାରିଜାତଙ୍କୁ ପ୍ରାଣଭରା ଆଲିଙ୍ଗନ କରି ଆମ୍ଭ ଜୀବନ ସୁଖମୟ ହେବାଲାଗି ଆଶୀର୍ବାଦ କରି ଗଲେ । ଆମ୍ଭେ ଦୁହେଁ ଅଶ୍ରୁପୂର୍ଣ୍ଣ ନୟନରେ ତାଙ୍କ ପାଦରେ ମୁଣ୍ଡ ଲଗାଇ ନମସ୍କାର କଲୁଁ । ଶ୍ୟାମବାସୀମାନେ ମୋତେ ଓ ପାରିଜାତଙ୍କୁ ପରମ ଆନନ୍ଦରେ ବିଦାୟ ଦେଲେ ।

 

ତାହା ପରେ ଆମ୍ଭମାନଙ୍କର ଜାହାଜଶ୍ରେଣୀ ସୁଦୂର ସାଂଘାଇ ସହର ଉଦ୍ଦେଶ୍ୟରେ ସାଗର ଭେଦ କଲା । ଆମ୍ଭମାନଙ୍କର ଅବଶିଷ୍ଟ ଜାହାଜତକ ସେଲିବିସ୍‌ ଦ୍ୱୀପମୁଖରେ ଚାଲିଲା । ଚୀନପଥରେ ଆମ୍ଭେମାନେ ପରମ ଆନନ୍ଦରେ ଯାତ୍ରା କଲୁଁ । ନାନା ଆମୋଦ ପ୍ରମୋଦ ଓ ନାଚଗାନ ମଧ୍ୟରେ ଆମ୍ଭେମାନେ ଯେଉଁଦିନ ଚୀନ ରାଜଧାନୀ ସାଂଘାଇ ସହରରେ ପ୍ରବେଶ କଲୁଁ, ତାହା ମୋ ଜୀବନରେ ଗୋଟିଏ ଚିରସ୍ମରଣୀୟ ଦିନ । ହାଂହୋଇଙ୍କର ପବିତ୍ର ରାଜକୀୟ ଆତିଥ୍ୟ, ଓ ସମ୍ମାନ ମୋ ଜୀବନରେ ଗୋଟିଏ ଅମୂଲ୍ୟ ସମ୍ପଦ । ଆମ୍ଭମାନଙ୍କୁ ଅଭିବାଦନ କରିବାଲାଗି ସେଠାରେ ଯେଉଁ ବିରାଟ ଦରବାର ହୋଇଥିଲା, ସେଥିରେ ଏଣିକି ଓଡ଼ିଆ ବଣିକମାନେ ଚୀନରାଜ୍ୟରେ ଅବାଧ ବାଣିଜ୍ୟ କରି ପାରିବା ଲାଗି ଅନୁମତିପତ୍ର ପାଇଲେ । ଆମ୍ଭେ ଦୁହେଁ ଏଠାରେ ଯେ ଉଚ୍ଚ ରାଜକୀୟ ସମ୍ମାନ ଲାଭ କଲୁଁ, ତାହା ଶ୍ୟାମରାଜ୍ୟର ସମ୍ମାନଠାରୁ କୌଣସି ଅଂଶରେ ଊଣା ନୁହେଁ ।

 

ଏଠାରେ କିଛିଦିନ ରହିବା ପରେ ମୁଁ ଫେରିବାଲାଗି ଇଚ୍ଛା ପ୍ରକାଶ କଲି । ହାଂହୋଇ ସେଥିରେ ବାଧା ଦେଲେ ନାହିଁ । ଯିବା ପୂର୍ବରୁ ସେ ମୋତେ ଓ ପାରିଜାତଙ୍କୁ ଉପହାରସ୍ୱରୂପ ଯେ ବିସ୍ତର ଧନରତ୍ନ ଦାନ କଲେ, ତା’ର ତୁଳନା କରାଯାଇ ନ ପାରେ । ସେ ମଧ୍ୟ ଗଜପତିଙ୍କ ନିକଟକୁ କିଛି ରାଜକୀୟ ଉପଢ଼ୌକନ ପଠାଇଲେ । ହାଂହୋଇଙ୍କର ଓ ତାଙ୍କ ରାଜ୍ୟବାସୀଙ୍କ ଅକପଟ ନିର୍ମଳ ସ୍ନେହ ମୁଁ ଜୀବନରେ ଏ ପର୍ଯ୍ୟନ୍ତ ଭୁଲି ନାହିଁ । ଯଥାସମୟରେ ଚୀନଦେଶର ସହଯାତ୍ରୀମାନେ ଆମ୍ଭଙ୍କୁ ସାଙ୍ଗରେ ଧରି ସେଲିବିସ୍‌ ଦ୍ୱୀପମୁଖରେ ଯାତ୍ରା କଲେ । ସେଲିବିସ୍‍ଠାରୁ ଚୀନବାସୀମାନଙ୍କୁ ବିଦାୟଦେଇ ମୁଁ ଶ୍ୟାମ ଦେଶୀୟ ଜାହାଜମାନ ସାଙ୍ଗରେ ନେଇ ପୁରୀ ଅଭିମୁଖରେ ଯାତ୍ରା କଲି । ମୋର ପାରିଜାତ ଜାହାଜ ମୋତେ ଓ ପାରିଜାତ ଦେବୀଙ୍କୁ ବକ୍ଷରେ ଧାରଣ କରି ଆଗେ ଆଗେ ସମୁଦ୍ର ମନ୍ଥନ କଲା ।

 

ଆମ ଫେରନ୍ତି ଯାତ୍ରାବେଳେ ମୁଁ ଯେ ଆନନ୍ଦ ଲାଭ କରିଥିଲି, ତାହା ବର୍ଣ୍ଣନା କରିବାକୁ ମୋର ଶକ୍ତି ନାହିଁ । ମୁଁ ସକାଳେ ସନ୍ଧ୍ୟାରେ, ଚନ୍ଦ୍ରାଲୋକରେ ପାରିଜାତଙ୍କ ସଙ୍ଗେ ଜାହାଜ ମଙ୍ଗରେ ବସି ତାଙ୍କୁ ଦୂର ଦିଗ୍‌ବଳୟର ସୌନ୍ଦର୍ଯ୍ୟ, ସମୁଦ୍ରର ଶୋଭା ଓ ମୁଣ୍ଡ ଉପରେ ତାରାମାନଙ୍କର ଉଦୟାସ୍ତ ଦେଖାଇ ଦେଉଥିଲି । ସେ ବେଳେବେଳେ ଶ୍ୟାମଦେଶୀୟ ଯେଉଁ ସଙ୍ଗୀତ ଗାନ କରୁଥିଲେ, ତା’ର ମଧୁର ସ୍ୱର ଓ ମୂର୍ଚ୍ଛନା ବିରାଟ ଶୂନ୍ୟ ମଧ୍ୟରେ ପବନ ଦେହରେ ମିଶି ଅମୃତ ବର୍ଷା କରୁଥିଲା । ଶ୍ୟାମବାସୀମାନେ ବାଟଯାକ ବରାବର ଆମୋଦପ୍ରମୋଦ କରି କରି ଆସୁଥିଲେ-। ଆମ୍ଭେମାନେ ବାଟରେ ଭାରତର ଦକ୍ଷିଣ ଉପକୂଳବର୍ତ୍ତୀ ବିଭିନ୍ନ ବନ୍ଦରମାନଙ୍କରେ ରହି ରହି ବିଶ୍ରାମ ନେଉଥିଲୁଁ । ଶେଷରେ ଆମର ଜାହାଜଶ୍ରେଣୀ ସ୍ୱର୍ଗଦ୍ୱାର ବନ୍ଦରଠାରେ ନଙ୍ଗର କଲା-

 

ମୋର ଫେରିବା ସମ୍ୱାଦ ପୁରୀ ସହରରେ ରାଷ୍ଟ୍ର ହୋଇଗଲା । ଅଳ୍ପ ସମୟ ମଧ୍ୟରେ ଅସଂଖ୍ୟ ପୁରୁଷ ସ୍ତ୍ରୀ ଓ ବାଳକବାଳିକା ବନ୍ଦର ନିକଟରେ ଜମା ହୋଇଗଲେ । ମୋର ମାଆ ଓ ପତ୍ନୀ ଯଥାସମୟରେ ସମ୍ୱାଦ ପାଇ ବନ୍ଦର ନିକଟକୁ ଆସି ଜାହାଜ ବନ୍ଦାଇଲେ । ପାରିଜାତ ମାଆଙ୍କ ପାଦରେ ନମସ୍କାର କଲେ । ମୋର ପତ୍ନୀ ଓ ପାରିଜାତ ସେଠାରେ ଦୁଇ ଭଉଣୀ ପରି ମିଶିଯାଇ ଯେ ବିଚିତ୍ର ଦୃଶ୍ୟ ଦେଖାଇଲେ, ତାହା କହି ହେବନାହିଁ । ପାରିଜାତ ରାଜକନ୍ୟା । ବ୍ୟବହାର ଓ କଥାବାର୍ତ୍ତାରେ ବେଶ୍‌ କୁଶଳା । ସେ ମୁହୂର୍ତ୍ତକ ମଧ୍ୟରେ ତାଙ୍କ ରୂପଗୁଣରେ ମୋ ମାଆ ଓ ପତ୍ନୀଙ୍କର ମନ କିଣିନେଲେ । ମୋ ମୁଣ୍ଡରୁ ଗୋଟିଏ ଅଜ୍ଞାତ ବୋଝ ଓ ଆଶଙ୍କା ଖସିଗଲା । ମୁଁ ଭାରି ସୁଖୀ ହେଲି ।

 

ଯଥାସମୟରେ ମୁଁ ମୋର ନିଜର ସମ୍ପତ୍ତି, ମାଆ ଓ ପତ୍ନୀଙ୍କୁ ଘରକୁ ପଠାଇ ଦେଇ, ଅବଶିଷ୍ଟ ଉପଢ଼ୌକନ ସମ୍ପତ୍ତି, ଶ୍ୟାମରାଜା ଓ ଚୀନରାଜାଙ୍କର ରାଜକୀୟ ପତ୍ର ଓ ପାରିଜାତଙ୍କୁ ସାଙ୍ଗରେ ନେଇ ଗଜପତିଙ୍କ ରାଜଭବନ ମୁଖରେ ବାହାରିଲି । ମହାରାଜା ଆମ୍ଭମାନଙ୍କୁ ଖଣ୍ଡେ ଦୂର ପାଛୋଟି ଆସି ପ୍ରକାଶ୍ୟ ସମ୍ମାନ ଦାନ କଲେ । ଉତ୍କଳ ସମ୍ରାଟ ଆମ୍ଭଙ୍କୁ ନେଇ ଯେ ଉତ୍ସବ ଓ ଆମୋଦପ୍ରମୋଦ କଲେ, ତାହା ମଧ୍ୟ ମୋ ଜୀବନର ଗୋଟିଏ ଚିରସ୍ମରଣୀୟ ବିଷୟ । ମୁଁ ଯଥାସମୟରେ ସମସ୍ତ ଉପଢ଼ୌକନ ସମ୍ପତ୍ତିସହ ଚିଠି ଦୁଇଖଣ୍ଡି ଆମ ରାଜାଙ୍କ ହସ୍ତରେ ଅର୍ପଣ କଲି । ମୋ ବିବାହର ଯୌତୁକସ୍ୱରୂପ ମୁଁ ମେନାମ ମୁହାଣରେ ଯେ ରାଜ୍ୟଖଣ୍ଡି ଲାଭ କରିଥିଲି, ତାକୁ ସସମ୍ମାନରେ ତାଙ୍କ ପାଦତଳେ ଅର୍ପଣ କଲି । ରାଜା ବିଶେଷ ପ୍ରୀତହୋଇ ମୋତେ ଆଶୀର୍ବାଦ କଲେ । ମହାରାଣୀ ପାରିଜାତଙ୍କୁ ଅନ୍ତଃପୁରକୁ ନେଇ ବିଶେଷ ସମ୍ମାନ ପ୍ରଦାନ କଲେ ।

 

ଯଥାସମୟରେ ମୁଁ ମୋର ଏହି ଯାତ୍ରାର ଆନୁପୂର୍ବିକ ବିବରଣ ଗଜପତିଙ୍କ ଦରବାରରେ ବର୍ଣ୍ଣନା କଲି । ମୋର ଏହି ଯାତ୍ରାର କାହାଣୀ ଶୁଣି ସମସ୍ତେ ବିସ୍ମିତ ହୋଇଗଲେ । ତାହା ପରେ ଉତ୍କଳ ବାଣିଜ୍ୟମନ୍ତ୍ରୀ ମୋର ପ୍ରଥମ ସହଯାତ୍ରୀ ଓ ମୋର ପ୍ରଥମ ନାବିକମାନଙ୍କର ବିଷମ ବିଶ୍ୱାସଘାତକତା ଓ ଅମାନୁଷିକ କାର୍ଯ୍ୟ ଲାଗି ଅଭିଯୋଗ ଆଣିଲେ । ସେମାନେ ଏହି ସମୟ ମଧ୍ୟରେ ନିଜ ନିଜ ଘରକୁ ଫେରି ଆସିଥିଲେ । ବିଚାରରେ ଗଜପତି କେତେକଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଏବଂ କେତେକଙ୍କୁ ପ୍ରାଣଦଣ୍ଡ ଆଦେଶ ଦେଲେ । ମାତ୍ର ଶେଷରେ ମୁଁ ଓ ପାରିଜାତ ଉଭୟେ ସେମାନଙ୍କୁ କ୍ଷମା ଦେବାଲାଗି ପ୍ରାର୍ଥନା କଲୁଁ । ଦୟାଳୁ ଗଜପତି ଆମ୍ଭ ପ୍ରାର୍ଥନାରେ ବିଗଳିତ ହୋଇ, ଦୋଷୀମାନଙ୍କୁ କାରାଦଣ୍ଡ ବା ପ୍ରାଣଦଣ୍ଡ ପରିବର୍ତ୍ତେ ବିସ୍ତର ଅର୍ଥଦଣ୍ଡର ଆଦେଶ ଦେଲେ । ସେମାନଙ୍କଠାରୁ ସେ ଅର୍ଥ ଆଦାୟ କରାଗଲା ଓ ନୀଳାଚଳନାଥଙ୍କ କୋଷାଗାରକୁ ଚାଲିଗଲା । ତାହା ପରେ ମୁଁ ଓଡ଼ିଆ ବଣିକମାନଙ୍କ ପାଇଁ ଚୀନରାଜ୍ୟରେ ଅବାଧ ବାଣିଜ୍ୟର ଅନୁମତି ପାଇଥିବାରୁ, ସେହି ସମୟରୁ ସେମାନେ ଚୀନବାଣିଜ୍ୟ ପାଇଁ ଚେଷ୍ଟିତ ହେଲେ-

 

ଏହି ସମସ୍ତ କାର୍ଯ୍ୟ ପରେ ମୁଁ ଯଥାସମୟରେ ପାରିଜାତଙ୍କୁ ସାଙ୍ଗରେ ନେଇ ମୋ ଘରକୁ ଫେରି ଆସିଲି । ମୋ ଘରେ ମଧ୍ୟ ବହୁଦିନ ଧରି ଉତ୍ସବ ଚାଲିଲା । ମୁଁ, ପାରିଜାତ ଓ ମୋର ପରିବାରବର୍ଗ ଦୁଃଖୀ ଦରିଦ୍ରମାନଙ୍କୁ ଅକାତର ଭାବରେ ଧନଦାନ କଲୁଁ । ପାରିଜାତ ପ୍ରଥମଦିନ ମୋ ସହିତ ବଡ଼ ଦେଉଳକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲେ ଏବଂ କେତୋଟି ରତ୍ନହାର ପ୍ରଭୁଙ୍କୁ ପିନ୍ଧାଇ ଦେଇ ଆସିଲେ ! ସେହିଦିନଠାରୁ ମୁଁ ସ୍ୱର୍ଗର ଦେବୀ ଓ ମୋ ହୃଦୟର ଠାକୁରାଣୀ ସ୍ୱରୂପ ପାରିଜାତ ଓ ଅନ୍ୟ ପରିବାରଙ୍କୁ ନେଇ ପରମ ଆନନ୍ଦରେ କାଳଯାପନ କରିବାକୁ ଲାଗିଲି ।

 

X X X

 

ଏହିଠାରେ ରଣବୀର ନୀରବ ହେଲେ । ସମବେଦ ପଣ୍ଡିତଗଣ ଓ ଭଦ୍ରମଣ୍ଡଳୀ ତାଙ୍କର ଅଦ୍ଭୁତ ଜୀବନକାହାଣୀ ଶୁଣି ବିସ୍ମିତ ହୋଇଗଲେ । ସମସ୍ତଙ୍କ ମୁଖରେ ଆନନ୍ଦ, ଦୁଃଖ ଓ ବିସ୍ମୟ ଖେଳିଗଲା । ସମସ୍ତେ ଏକବାକ୍ୟରେ ତାଙ୍କର ପ୍ରଶଂସା କଲେ । ତାହାପରେ ସେଦିନ ବେଶୀ ରାତି ହୋଇ ଯାଇଥିବାରୁ, ସମସ୍ତେ ଭୋଜନ ଓ ବିଶ୍ରାମ କରିବାଲାଗି ଚାଲିଗଲେ । ସେଦିନ ପାଇଁ ବୈଠକମହଲ ବନ୍ଦ ରହିଲା ।

Image